“କେବଳ ମୋ ପରିବାର ଲୋକେ ହିଁ ମୋତେ ସ୍ୱୀକାର କରିବାକୁ ଦ୍ୱିଧାବୋଧ କରୁଥିଲେ, ମତ୍ସ୍ୟଜୀବୀମାନେ ନୁହଁନ୍ତି। ଡଙ୍ଗା ମାଲିକମାନେ ମୋତେ ଜଣେ କଇରାସି (ଶୁଭ ହାତ ଥିବା ବ୍ୟକ୍ତି) ଭାବରେ ଦେଖନ୍ତି,” ମନୀଷା କହନ୍ତି। ଜଣେ ଉଭୟଲିଙ୍ଗୀ ମହିଳା ମାଛ ନିଲାମ ଡକାଳି ମନୀଷା ଖୁସିରେ କହନ୍ତି, “ସେମାନେ ମୋତେ ନାପସନ୍ଦ କଲେ ନାହିଁ। ମୁଁ କିଏ, ସେଥିରେ ସେମାନଙ୍କର କିଛି ଯାଏ ଆସେ ନାହିଁ। ସେମାନେ କେବଳ ଏତିକି ଚାହାଁନ୍ତି ଯେ, ସେମାନଙ୍କର ମାଛ ବିକ୍ରି ହୋଇଯାଉ।”
କଡ୍ଡଲୁର୍ ପୁରୁଣା ସହରର ମାଛଧରା ମୁହାଣରେ କାର୍ଯ୍ୟରତ ପ୍ରାୟ ୩୦ ଜଣ ମହିଳା ମାଛ ନିଲାମ ଡକାଳିଙ୍କ ମଧ୍ୟରୁ ଜଣେ ହେଲେ ୩୭ ବର୍ଷୀୟା ମନୀଷା। “ମୁଁ ବଡ଼ ପାଟି କରି ଡାକି ପାରୁଥିବାରୁ ମୋତେ ଆଉ ଅଧିକ ପଇସା ବି ମିଳିଥାଏ। ଅନେକ ଲୋକ ମୋ ପାଖରୁ ମାଛ କିଣିବାକୁ ଚାହାଁନ୍ତି,” ସେ କହନ୍ତି। ଗ୍ରାହକମାନଙ୍କୁ ଡାକିଲା ବେଳେ ଅନ୍ୟ ମାଛ ବିକାଳିଙ୍କ ତୁଳନାରେ ସେ ଜୋରରେ ପାଟି କରି ପାରନ୍ତି।
ତାଙ୍କ ଲିଙ୍ଗ ନିରୂପଣ ଅସ୍ତ୍ରୋପଚାରର ବହୁ ପୂର୍ବରୁ ମନୀଷା ଜଣେ ମାଛ ନିଲାମ ଡକାଳି ଏବଂ ଶୁଖୁଆ ବେପାରୀ।। ଏହି ଜୀବିକାରେ ପ୍ରତି ଦିନ ଡଙ୍ଗା ମାଲିକ ଏବଂ ମତ୍ସ୍ୟଜୀବୀମାନଙ୍କ ସହିତ କଥାବାର୍ତ୍ତା କରିବାକୁ ପଡ଼ିଥାଏ। “ସେମାନଙ୍କର କିଛି ସମସ୍ୟା ନଥାଏ, ମୁଁ ଅନ୍ୟମାନଙ୍କ ତୁଳନାରେ ଭଲ ନିଲାମ ଡାକିପାରେ।”
ସେ କହନ୍ତି ଯେ, ଡଙ୍ଗା ମାଲିକମାନଙ୍କ ନୈତିକ ସହଯୋଗ ବିନା ୨୦୧୨ରେ ସେ ତାଙ୍କ ଶରୀରରେ ଅସ୍ତ୍ରୋପଚାର କରାଇ ପାରି ନ ଥାଆନ୍ତେ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ତାଙ୍କର ଘନିଷ୍ଠ ଏବଂ ବିଶ୍ୱସ୍ତ ବନ୍ଧୁ। ଏହି ଅସ୍ତ୍ରୋପଚାର ପ୍ରକ୍ରିୟା ପରେ ସେ ତାଙ୍କୁ ଏଠାକାର ଏକ ମନ୍ଦିରରେ ବିବାହ କରିଥିଲେ।
















