‘‘ଏବେ ଟିଭି ଓ ମୋବାଇଲ ଅଛି। ଲୋକମାନେ ସେଥିରେ ନିଜର ମନୋରଞ୍ଜନ କରି ନେଉଛନ୍ତି,’’ ଢୋଲକ (ଢୋଲ ବାଜା) ର ରିଙ୍ଗକୁ ଟାଇଟ୍ କରିବା ସମୟରେ ମୁସଲିମ୍ ଖଲିଫା କହିଥାନ୍ତି।
ମୁସଲିମ୍ ଖଲିଫା ଦ୍ୱାଦଶ ଶତାବ୍ଦୀର ଯୋଦ୍ଧା ଆଲ୍ଲା ଓ ଉଦଲ (କେତେକ ଜାଗାରେ ଉଦଲ ସ୍ଥାନରେ ରୁଦଲ ବୋଲି ଉଲ୍ଲେଖ ଅଛି)ଙ୍କ ବୀରଗାଥା ଗାଇଥାନ୍ତି। ଏହି ଲୋକ ଗାୟକ ଏବଂ ଢୋଲ ବାଦକ ବିହାର ସମସ୍ତିପୁର ଜିଲ୍ଲାର ବାସିନ୍ଦା ଏବଂ ପାଖାପାଖି ପାଞ୍ଚ ଦଶନ୍ଧି ଧରି ବୁଲି ବୁଲି ବାଜା ବଜାଇବା ସହ ଗୀତ ଗାଉଛନ୍ତି। ତାଙ୍କ ସ୍ୱର ତୀକ୍ଷ୍ଣ ଓ ସଙ୍ଗୀତମୟ ଅନୁଭୂତ ହୋଇଥାଏ, ଏଥିରୁ ସେ ଜଣେ ପୋଖତ ଗାୟକ ବୋଲି ପ୍ରମାଣ ମିଳିଥାଏ।
ଏପ୍ରିଲ-ମେ ମାସରେ ଧାନ, ଗହମ ଏବଂ ମକା କଟା ହେବା ଋତୁରେ ସେ ଚାଷ ଜମିରେ ବୁଲି ବୁଲି ଢୋଲ ବଜାଇଥାନ୍ତି ଏବଂ ଗୀତ ଗାଆନ୍ତି। ଚାଷୀଙ୍କୁ ବୀରଗାଥା ଶୁଣାନ୍ତି। ପାଖାପାଖି ଦୁଇ ଘଣ୍ଟା ଧରି ଗୀତ ଶୁଣାଇବା ବଦଳରେ ତାଙ୍କୁ ପ୍ରାୟ ୧୦ କିଲୋଗ୍ରାମ ଖାଦ୍ୟଶସ୍ୟ ମିଳିଥାଏ। ସେ କୁହନ୍ତି, ‘‘ଏହି ତିନୋଟି ଫସଲ କାଟିବାରେ ପ୍ରାୟ ଗୋଟିଏ ମାସ ଲାଗିଥାଏ, ସେଥିପାଇଁ ସେ ମାସ ସାରା କ୍ଷେତରେ ବୁଲି ବୁଲି ଗୀତ ଗାଆନ୍ତି।’’ ତିନି ମାସର ବିବାହ ଋତୁରେ ତାଙ୍କର ବିଶେଷ ଚାହିଦା ରହିଥାଏ ଏବଂ ଏହି ସମୟରେ ସେ ୧୦ରୁ ୧୫,୦୦୦ ଟଙ୍କା ରୋଜଗାର କରିଥାନ୍ତି ।
ଆଲ୍ହା-ଉଦଲଙ୍କ ବୀରଗାଥା ଏତେ ଲମ୍ବା ଯେ ଯଦି ସେ ସମ୍ପୂର୍ଣ୍ଣ କାହାଣୀ ଶୁଣାଇବେ ତା’ହେଲେ ଅନେକ ଦିନ ଲାଗିଯିବ ଏବଂ ଏଥିପାଇଁ ସଂକଳ୍ପବଦ୍ଧ ଏବଂ ଏକାଗ୍ରଚିତ୍ତ ହୋଇ ଶୁଣୁଥିବା ଶ୍ରୋତାଙ୍କ ଆବଶ୍ୟକତା ରହିଛି। ଖଲିଫା କୁହନ୍ତି, ‘‘ବର୍ତ୍ତମାନ ସମୟରେ ଏତେ ଲମ୍ବା କାହାଣୀ ଶୁଣିବ କିଏ?’’ ଖାଲିସପୁର ଗ୍ରାମର ବାସିନ୍ଦା ଏହି ୬୦ ବର୍ଷ ବୟସ୍କ ଲୋକଗାୟକଙ୍କ ଚାହିଦା ଏବେ କମିଯାଉଥିବା ଦେଖିବାକୁ ମିଳିଛି, ଯାହାର ସିଧାସଳଖ ପ୍ରଭାବ ତାଙ୍କ ରୋଜଗାର ଉପରେ ପଡ଼ୁଛି । ତାଙ୍କ ପିଲାମାନେ ମଧ୍ୟ ଆଲ୍ହା-ଉଦଲଙ୍କ କାହାଣୀ ଶୁଣିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ ବୋଲି ସେ ନିରାଶ ହୋଇ କୁହନ୍ତି ।
ଖଲିଫା ଇସଲାମ ଧର୍ମ ପାଳନ କରିଥାନ୍ତି, କିନ୍ତୁ ସେ ନଟ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାନ୍ତି ଯେଉଁମାନେ ବିହାରରେ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ। ବିହାରରେ ନଟ ସମ୍ପ୍ରଦାୟର ଜନସଂଖ୍ୟା ୫୮,୮୧୯; କିନ୍ତୁ ମେ ମାସରେ ପରୀ ସହ କଥା ହୋଇ ମୁସଲିମ୍ ଖଲିଫା କୁହନ୍ତି, ‘‘୧୦-୧୨ଟି ଗାଁରେ ଅତି କଷ୍ଟରେ ଜଣେ ଅଧେ (ଆଲ୍ହା-ଉଦଲ ) ଗାୟକ ମିଳିବେ।’’










