ସବୁ ଥର ଭଳି ଏଥର ମଧ୍ୟ ବିବାହ ଉତ୍ସବସ୍ଥଳୀ ସଜାଇବାରେ ପୂରା ଦମ୍ରେ ଲାଗି ପଡ଼ିଛନ୍ତି ଅନିଲ ନାର୍କଣ୍ଡେ । ହେଲେ ଆଗକୁ ତାଙ୍କ ଜୀବନ କାହାଣୀରେ କୌଣସି ନୂଆ ମୋଡ଼ ଆସିବା ସମ୍ଭାବନାକୁ ସେ ଆଦୌ ଦେଖିପାରୁ ନାହାନ୍ତି !
ଭଣ୍ଡାରାର ଆଲେସୁର ଗାଁର ଏହି ୩୬ ବର୍ଷୀୟ କୃଷକ ଜଣକ ମଞ୍ଚ ଓ ମଣ୍ଡପ ସାଜସଜ୍ଜା କରିବା ସହିତ ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରନ୍ତି । ପାଖ ଗାଁର ଏକ ବିବାହ ଉତ୍ସବ ନିମନ୍ତେ ସେ ହଳଦିଆ ରଙ୍ଗର ଏକ ବିଶାଳ ଶାମିୟାନା (ସାମିଆନା) ଲଗାଇବା ସହିତ ଉତ୍ସବ ସ୍ଥଳକୁ ପ୍ଲାଷ୍ଟିକ୍ ଫୁଲରେ ସଜାଇଛନ୍ତି । ଅତିଥିମାନଙ୍କ ପାଇଁ ସେ ଚଉକି ମଗାଇଛନ୍ତି, ବିବାହ ସମୟରେ ବର ଓ କନ୍ୟା ବସିବା ଲାଗି ବ୍ୟବହୃତ ସ୍ୱତନ୍ତ୍ର ସୋଫା ଆଣିବା ସହିତ ବିବାହ ସ୍ଥଳୀରେ ସଙ୍ଗୀତ ପରିବେଷଣ ଲାଗି ‘ଡିଜେ’ ଉପକରଣ ଏବଂ ସୁସଜ୍ଜିତ ଆଲୋକ ବ୍ୟବସ୍ଥା ମଧ୍ୟ କରିଛନ୍ତି ।
ବିବାହ ଉପଲକ୍ଷେ ବେଶ୍ ସୁନ୍ଦର ସାଜସଜ୍ଜା ସହିତ ନୂତନ ରୂପ ନେଇଥିଲା ବରର ଇଟାମାଟି ଘର- କନ୍ୟା ଆସୁଥିଲା ସାତପୁରା ପର୍ବତ ମାଳା ସଂଲଗ୍ନ ମଧ୍ୟ ପ୍ରଦେଶର ସେଓନି ଗାଁରୁ ।
ହେଲେ, ବିବାହ ଦିନ ସବୁ ଓଲଟପାଲଟ ହୋଇଗଲା, ଅନିଲ କହନ୍ତି । ଆଗକୁ ଗ୍ରୀଷ୍ମର ବିବାହ ଋତୁରେ ଜୋରଦାର ଢଙ୍ଗରେ ନିଜ ବ୍ୟବସାୟର ଶୁଭାରମ୍ଭ କରିବାକୁ ଚିନ୍ତା କରିଥିଲେ ସେ । ହେଲେ ବିବାହର ଦିନକ ପୂର୍ବରୁ, ପୂର୍ବରୁ କାମଧନ୍ଦା ଖୋଜି ଖୋଜି ଅନ୍ୟ ରାଜ୍ୟକୁ ଯାଉଥିବା ୨୭ ବର୍ଷର ବରପାତ୍ରଟି ଘର ଛାଡ଼ି ପଳାଇ ଗଲା ।
ପୁରୁଣା କଥା ମନେ ପକାଇ ଅନିଲ କହନ୍ତି, “ସେ ତା’ର ବାପାମାଆଙ୍କୁ ଫୋନ୍ କରି କହିଲା, ଯଦି ଏ ବାହାଘର ବନ୍ଦ ନ କର, ତେବେ ମୁଁ ବିଷ ପିଇ ଦେବି । କେଉଁଠି ତା’ର କେହି ଜଣେ ପ୍ରେମିକା ଥିଲା ।”
ବିବାହ ହୋଇପାରିବନି ବୋଲି କହିବା ବେଳକୁ କନ୍ୟା ଓ ଏବଂ କନ୍ୟାଯାତ୍ରୀମାନେ ଆସି ପହଞ୍ଚି ସାରିଥିଲେ । ହସଖୁସି ବଦଳରେ ଘୋର ଅପମାନିତ ହୋଇଥିଲେ ପୁଅର ବାପାମାଆ ଏବଂ ସେମାନଙ୍କ ଗାଁ ଲୋକେ ।
ଅନିଲଙ୍କୁ ସେ ତାଙ୍କ ପାଉଣା ଦେଇପାରିବେ ନାହିଁ ବୋଲି ମାନସିକ ଆଘାତପ୍ରାପ୍ତ ବରପିତା କହିଦେଇଥିଲେ ।








