ଶ୍ୟାମଲାଲ କାଶ୍ୟପଙ୍କ ପରିବାରକୁ ବ୍ଲାକ୍‌ମେଲ୍ କରାଗଲା, ତାହା ବି ଆକ୍ଷରିକ ଅର୍ଥରେ, ତାଙ୍କ ମୃତଦେହ ପାଖରେ।

୨୦୨୩ ମେ ମାସରେ ଆରାକୋଟ୍‌ ଗାଁର ଏହି ୨୦ ବର୍ଷୀୟ ଦିନ ମଜୁରିଆ ଜଣକ ଆତ୍ମହତ୍ୟା କରିଥିଲେ; ପଛରେ ଛାଡ଼ି ଯାଇଥିଲେ ତାଙ୍କ ଗର୍ଭବତୀ ସ୍ତ୍ରୀ-୨୦ ବର୍ଷୀୟା ମାର୍ଥାଙ୍କୁ।

ତାଙ୍କ ଭାଉଜ, ୩୦ ବର୍ଷୀୟା ସୁକମିତି କାଶ୍ୟପ କହନ୍ତି, “ସେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତଦେହକୁ ନିକଟବର୍ତ୍ତୀ ହାସପାତାଳକୁ ନିଆଯାଇଥିଲା, ଯାହା କି ଏଠାରୁ ପ୍ରାୟ ୧୫ କିଲୋମିଟର ଦୂର।” ଆରାକୋଟ ଗାଁର ପତିତ ଜମି କଡ଼ରେ ଅବସ୍ଥିତ ତାଙ୍କ ଅନ୍ଧାରୁଆ କୁଡ଼ିଆ ଘର ବାହାରେ ସେ ବସିଥାଆନ୍ତି। “ଶବ ବ୍ୟବଚ୍ଛେଦ ରିପୋର୍ଟରେ କୌଣସି ପ୍ରକାର ସନ୍ଦେହଜନକ ସ୍ଥିତି ସମ୍ଭାବନାକୁ ଅସ୍ୱୀକାର କରାଯାଇଥିଲା।”

ଶ୍ୟାମଲାଲଙ୍କ ମୃତଦେହ ତାଙ୍କ ଗାଁକୁ ନେବା ଲାଗି ସରକାରୀ ହାସପାତାଳ ପାଖରେ କେତେକ ସଂପର୍କୀୟ ଅପେକ୍ଷା କରିଥିଲେ ଏବଂ ତେଣେ ଗାଁରେ ଶୋକାକୁଳ ପରିବାର ଲୋକେ ଅନ୍ତିମ ସଂସ୍କାର ଲାଗି ପ୍ରସ୍ତୁତି ଚଳାଇଥିଲେ। ପୂରା ପରିବାର ଶୋକରେ ବୁଡ଼ି ରହିଥିଲା ଏବଂ ଏତେ ବଡ଼ ଦୁଃଖର ମୁକାବିଲା କରି ସ୍ୱାଭାବିକ ଅବସ୍ଥାକୁ ଫେରି ପାରି ନଥିଲା।

ଠିକ୍‌ ସେହି ସମୟରେ କେତେକ ସ୍ଥାନୀୟ ଲୋକ ସେମାନଙ୍କୁ ଖବର ଦେଲେ ଯେ ଗାଁରେ ଅନ୍ତିମ ସଂସ୍କାର ସଂପନ୍ନ କରିବାକୁ ହେଲେ ସେମାନଙ୍କୁ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ପଡ଼ିବ।

ମୁଖ୍ୟତଃ ମୂଲମଜୁରି ଲାଗି ଏବଂ ଛତିଶଗଡ଼ର ବସ୍ତର ଜିଲ୍ଲାରେ ରହିଥିବା ତିନି ଏକର ଚାଷଜମିରେ ଚାଷକାମ କରି ଏହି ପରିବାର ଗୁଜରାଣ ମେଣ୍ଟାଉଥିଲା। ସେଠାରେ ସେମାନେ ନିଜ ଘରେ ଖାଇବା ପାଇଁ ଧାନଚାଷ କରୁଥିଲେ। ହାଡ଼ଭଙ୍ଗା ପରିଶ୍ରମ କରି ଶ୍ୟାମଲାଲ ମାସକୁ ପ୍ରାୟ ୩,୦୦୦ ଟଙ୍କା ରୋଜଗାର କରୁଥିଲେ ଏବଂ ଏହା ହିଁ ସେମାନଙ୍କର ଏକମାତ୍ର ରୋଜଗାରର ପନ୍ଥା ଥିଲା।

ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ପିଲାଟିକୁ ବଡ଼ କରିବାର ବୋଝ ସମ୍ଭାଳି ନପାରି ହୁଏତ ସେ ଏଭଳି ଏକ ଚରମ ପନ୍ଥା ଅବଲମ୍ବନ କରିଥାଇପାରନ୍ତି ବୋଲି ସୁକମିତି ମନେ କରୁଥିଲେ। ସେ କହନ୍ତି, “ଆତ୍ମହତ୍ୟା ପୂର୍ବରୁ ସେ କିଛି ହେଲେ ଲେଖା ଛାଡ଼ି ଯାଇନାହାନ୍ତି।”

Sukmiti, sister-in-law of the late Shyamlal Kashyap, holding her newborn in front of the family home.
PHOTO • Parth M.N.

ସେମାନଙ୍କ ଘର ଆଗରେ ନିଜର ନବଜାତ ଶିଶୁକୁ ଧରିଛନ୍ତି ଶ୍ୟାମଲାଲ କାଶ୍ୟପଙ୍କ ଭାଉଜ ସୁକମିତି

ଛତିଶଗଡ଼ ଲୋକସଂଖ୍ୟାର ପ୍ରାୟ ଦୁଇ ପ୍ରତିଶତ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ମଧ୍ୟରେ ରହିଥିବା ଏହି ପରିବାର ମାଦିୟା ଆଦିବାସୀ ସଂପ୍ରଦାୟ ଅନ୍ତର୍ଭୁକ୍ତ। ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟର ଦକ୍ଷିଣରେ ଅବସ୍ଥିତ ବସ୍ତର ଅଞ୍ଚଳରେ ରହନ୍ତି।

ଏହା ପୂର୍ବରୁ, ଏ ବର୍ଷ ମେ ମାସ ଦ୍ୱିତୀୟ ସପ୍ତାହରେ ଶ୍ୟାମଲାଲ ନିଖୋଜ ହୋଇଯାଇଥିଲେ। ଏହି ଘଟଣା ପରେ ଚିନ୍ତିତ ପରିବାର ଲୋକେ ବସ୍ତରର ବିଭିନ୍ନ ଜଙ୍ଗଲରେ ରାତି ସାରା ତାଙ୍କୁ ଖୋଜିବାରେ ଲାଗି ପଡ଼ିଲେ।

ପରଦିନ ସକାଳେ, ସେମାନଙ୍କ ଖୋଜାଖୋଜିରେ ଏକ ବିୟୋଗାତ୍ମକ ପୂର୍ଣ୍ଣଚ୍ଛେଦ ପଡ଼ିଲା ଏବଂ ସେମାନଙ୍କ ଘରଠାରୁ ଅନତି ଦୂରରେ ଗୋଟିଏ ଗଛରୁ ତାଙ୍କର ପ୍ରାଣହୀନ ଶରୀର ଝୁଲୁଥିବା ଦେଖାଯାଇଥିଲା। ସେଦିନର ସେହି ଘଟଣା କଥା ମନେ ପକାଇ ସୁକମିତି କହନ୍ତି, “ଆମେ କିଛି ଠିକ୍‌ କରିପାରୁ ନଥିଲୁ, ହତଚକିତ ସ୍ଥିତିରେ ଦିଗହରା ହୋଇପଡ଼ିଥିଲୁ।”

ଆରାକୋଟ ଛୋଟିଆ ଗାଁଟିଏ ଏବଂ ଏହାର ଲୋକସଂଖ୍ୟା ୨,୫୦୦ରୁ ଟିକେ ଅଧିକ। ସୁକମିତି କହନ୍ତି, “ଏଭଳି ମୁହୂର୍ତ୍ତରେ ଆପଣଙ୍କୁ ଗାଁ ଲୋକେ ମାନସିକ ସ୍ତରରେ ସହଯୋଗ କରିବେ ବୋଲି ଆପଣ ଆଶା କରନ୍ତି।”

ତା ବଦଳରେ, ଏହି ପରିବାରକୁ କେତେକ ଲୋକ ଟଣାଓଟରା କଲେ ଏବଂ ଡରାଇଲେ। କେତେକ ଦକ୍ଷିଣପନ୍ଥୀ ନେତାଙ୍କ ପ୍ରରୋଚନାରେ ଗାଁର କେତେକ ପ୍ରଭାବଶାଳୀ ଲୋକ ସେମାନଙ୍କର ଏହି ଦୁର୍ବଳ ସ୍ଥିତିରୁ ଫାଇଦା ଉଠାଇବାକୁ ସ୍ଥିର କରିନେଇଥିଲେ। ସେମାନେ ହୁକୁମ ଜାରି କଲେ ଯେ ଗୋଟିଏ ସର୍ତ୍ତରେ ଶ୍ୟାମଲାଲଙ୍କ ଅନ୍ତିମ ସଂସ୍କାରକୁ ଅନୁମତି ଦିଆଯିବ: ଆଉ ତାହା ହେଲା, ଏହି ପରିବାର ଖ୍ରୀଷ୍ଟିଆନ ଧର୍ମ ତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କରିବେ ଏବଂ ହିନ୍ଦୁ ରୀତିନୀତି ଅନୁସାରେ କ୍ରିୟାକର୍ମ କରାଯିବ।

ଜଣେ ଖ୍ରୀଷ୍ଟିଆନ ପାଦ୍ରୀଙ୍କ ଉପସ୍ଥିତିରେ ମୃତଦେହକୁ କବର ଦେବାର ପ୍ରଶ୍ନ ଉଠୁ ନଥିଲା।

ସୁକମିତି କହନ୍ତି ଯେ ତାଙ୍କ ପରିବାର ୪୦ ବର୍ଷ ହେଲା ଖ୍ରୀଷ୍ଟ ଧର୍ମ ଅନୁସରଣ କରିଆସୁଛି। ତାଙ୍କ ଘର କବାଟରେ ଥିବା ଏକ କ୍ରସ୍‌ ଚିହ୍ନକୁ ଦେଖାଇ ସେ ଆହୁରି କହନ୍ତି, “ଏବେ ଏହା ଆମ ଜୀବନର ଧାରା ପାଲଟି ଯାଇଛି। ଆମେ ନିୟମିତ ଭାବେ ପ୍ରାର୍ଥନା କରୁ ଏବଂ ଏଥିରୁ ଆମକୁ କଠିନ ପରିସ୍ଥିତିର ମୁକାବିଲା ଲାଗି ଶକ୍ତି ମିଳେ। ରାତାରାତି ଆମେ କେମିତି ଆମ ଧର୍ମକୁ ଛାଡ଼ି ଦେବୁ ?”

ଶୋକାଭିଭୂତ ପରିବାରର ସଦସ୍ୟମାନଙ୍କୁ ଦକ୍ଷିଣପନ୍ଥୀ ସମର୍ଥକମାନେ ଘେରିଗଲେ ଏବଂ ଗାଁର କବରସ୍ଥଳୀକୁ ସେମାନେ ଯାଇ ପାରିବେ ନାହିଁ ବୋଲି କହି ଧମକାଇଲେ। ବର୍ଷ ବର୍ଷ ଧରି ଗାଁର ଏହି କବରସ୍ଥଳୀରେ ମୃତଦେହକୁ କବର ଦିଆଯାଇ ଆସୁଥିଲା। ସୁକମିତି କହନ୍ତି, “କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମ ଅନୁସରଣ କରୁଥିବା କାରଣରୁ ଆମେ ସେମାନଙ୍କ ଆକ୍ରୋଶର ଶିକାର ହେଲୁ। କିନ୍ତୁ ଆପଣ ତ ଆପଣଙ୍କ ଇଚ୍ଛା ମୁତାବକ ଯେ କୌଣସି ଧର୍ମ ଅବଲମ୍ବନ କରିପାରିବେ। ଖବରରେ ମୁଁ ତାହା ହିଁ ପଢ଼ିଥିଲି।”

ଆହୁରି ଚିନ୍ତାର ବିଷୟ ଯେ, “ସେମାନେ ଶ୍ୟାମଲାଲଙ୍କ ମୃତଦେହକୁ ଆମ ନିଜ ଘର ପଛପଟ ବାଡ଼ିରେ କବର ଦେବାକୁ ବି ଛାଡ଼ିଲେନି।” ସେ କହନ୍ତି, “ସେହିଠାରେ ଆମେ ଆମ ଜେଜେମାଆଙ୍କୁ କବର ଦେଇଥିଲୁ। ଦୁହେଁ ପରସ୍ପର ପାଖରେ ବିଶ୍ରାମ ନେଇପାରିବେ ବୋଲି ଆମେ ଭାବିଲୁ। କିନ୍ତୁ ଆମେ ତାହା କରିପାରିବୁ ନାହିଁ ବୋଲି ଆମକୁ କୁହାଗଲା। କାରଣ ଆମେ ତାଙ୍କ କଥା ବିରୋଧରେ ଯାଇ ଧର୍ମ ପରିବର୍ତ୍ତନ କରିବାକୁ ମନା କରିଦେଇଥିଲୁ।”

The backyard in Sukmiti's home where the family wanted to bury Shyamlal.
PHOTO • Parth M.N.

ସୁକମିତିଙ୍କ ଘର ପଛପଟର ବାଡ଼ି, ଯେଉଁଠାରେ ଶ୍ୟାମଲାଲଙ୍କୁ କବର ଦେବାକୁ ତାଙ୍କ ପରିବାର ଚାହୁଁଥିଲେ

ଶ୍ୟାମଲାଲଙ୍କ ପରିବାର ମାଦିୟା ସଂପ୍ରଦାୟ ଅନ୍ତର୍ଭୁକ୍ତ ଏବଂ ସେମାନେ ଖ୍ରୀଷ୍ଟିଆନ ଧର୍ମ ଅନୁସରଣ କରନ୍ତି। ତାଙ୍କ ମୃତ୍ୟୁ ପରେ ଗାଁର ପ୍ରଭାବଶାଳୀ ଲୋକମାନେ ହୁକୁମ ଜାରି କଲେ ଯେ, ଗୋଟିଏ ସର୍ତ୍ତରେ ଗାଁରେ ତାଙ୍କ ଅନ୍ତିମ ସଂସ୍କାରକୁ ଅନୁମତି ଦିଆଯିବ ଏବଂ ତାହା ହେଲା ଏହି ପରିବାର ହିନ୍ଦୁ ଧର୍ମ ଗ୍ରହଣ କରିବେ ଏବଂ ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର କରାଯିବ

ଖ୍ରୀଷ୍ଟ ଧର୍ମାବଲମ୍ବୀ ଆଦିବାସୀମାନଙ୍କ ପ୍ରତି ବିଭିନ୍ନ ହିନ୍ଦୁ ଗୋଷ୍ଠୀର ଶତ୍ରୁଭାବାପନ୍ନ ଆଚରଣ ଛତିଶଗଡ଼ରେ ନୂଆ କଥା ନୁହେଁ। କିନ୍ତୁ ପରିବାରର କାହାରି ମୃତ୍ୟୁ ହେବା ପରେ ଅନ୍ୟମାନଙ୍କୁ ବ୍ଲାକ୍‌ମେଲ୍ କରିବା କିମ୍ବା ଧମକଚମକ ଦେବା ଭଳି ଘଟଣାର ହାର ଚିନ୍ତାଜନକ ଭାବରେ ବଢ଼ିବାରେ ଲାଗିଛି ବୋଲି କହନ୍ତି ବସ୍ତରସ୍ଥିତ ଛତିଶଗଡ଼ ଖ୍ରୀଷ୍ଟିଆନ ଫୋରମ୍‌ର ଉପ ସଭାପତି ରତ୍ନେଶ ବେଞ୍ଜାମିନ।

ଦକ୍ଷିଣ ପନ୍ଥୀ ଗୋଷ୍ଠୀ ପ୍ରିୟ ପରିଜନଙ୍କୁ ହରାଇଥିବା ପରିବାରଗୁଡ଼ିକୁ ଲକ୍ଷ୍ୟ ରଖିଛନ୍ତି ଏବଂ ଖ୍ରୀଷ୍ଟଧର୍ମ ଅନୁସରଣ କରୁନଥିବା ଆଦିବାସୀମାନଙ୍କ ଦ୍ୱାରା ମଧ୍ୟ ଏହି ନିର୍ଯାତନା ଦିଆଯାଉଛି। ଗ୍ରାମ ସଭାରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା ଯେ ଗ୍ରାମ ପରିସର ମଧ୍ୟରେ ଖ୍ରୀଷ୍ଟଧର୍ମାବଲମ୍ବୀ ବ୍ୟକ୍ତିମାନଙ୍କର ଶବ ସଂସ୍କାର ପାଇଁ ଅନୁମତି ଦିଆଯିବ ନାହିଁ।

ପରିଶେଷରେ, ଶ୍ୟାମଲାଲଙ୍କ ମୃତଦେହକୁ ଗାଁକୁ ଅଣାଯିବା ପରିବର୍ତ୍ତେ, ସିଧାସଳଖ ଆରାକୋଟ୍‌ରୁ ୪୦ କିଲୋମିଟର ଦୂର ଜିଲ୍ଲା ସଦର ମହକୁମା ଜଗଦଲପୁରକୁ ନିଆଗଲା ଏବଂ ସେଠାରେ କବର ଦିଆଗଲା। ସୁକମିତି କହନ୍ତି, “ପ୍ରିୟଜନଙ୍କୁ ହରାଇବାର ଦୁଃଖ ଲାଘବ ଲାଗି ରହିଥିବା ଅନ୍ୟାନ୍ୟ ପ୍ରକ୍ରିୟାର ଅନୁପାଳନ ନିମନ୍ତେ କାଳବିଳମ୍ବ ନ କରି କବର ଦିଆଯିବା ଦରକାର।”

ଶ୍ୟାମଲାଲଙ୍କ ଅନ୍ତିମ ସଂସ୍କାର କେବଳ ଔପଚାରିକତା ଭଳି ମନେ ହେଉଥିଲା। ତରବରରେ ସବୁ କାମ ଶେଷ କରାଗଲା। ତାଙ୍କ ପରିବାର ଲୋକେ କହନ୍ତି, “ଆମକୁ ଲାଗିଲା, ଆମେ ତାଙ୍କୁ ଉପଯୁକ୍ତ ଭାବରେ ଅନ୍ତିମ ବିଦାୟ ଦେଇପାରିଲୁ ନାହିଁ।”

ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିବା ଲାଗି ସେମାନେ ମନା କରିଦେବା ଯୋଗୁଁ ଗାଁରେ ଉତ୍ତେଜନା ସୃଷ୍ଟି ହେଲା ଏବଂ ଶ୍ୟାମଲାଲଙ୍କ ମୃତ୍ୟୁର ଅନେକ ଦିନ ପରେ ବି ଏହା ଅନୁଭୂତ ହେଉଥିଲା। ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା ଲାଗି ପୋଲିସ ମୁତୟନ କରାଗଲା। ଦୁର୍ଭାଗ୍ୟବଶତଃ, ଶାନ୍ତି ଲାଗି ସେମାନେ ସମାଧାନର ଯେଉଁ ପନ୍ଥା ବାହାର କଲେ ସେଥିରେ ସଂଖ୍ୟାଗରିଷ୍ଠ ଲୋକଙ୍କ ସମସ୍ତ ଦାବି ମାନି ନିଆଯାଇଥିଲା।

ବେଞ୍ଜାମିନ କହନ୍ତି, “ବସ୍ତୁତଃ ଏହା କୋଭିଡ୍‌ ପରବର୍ତ୍ତୀ ସମୟର ଘଟଣା। ଏହା ପୂର୍ବରୁ ମଧ୍ୟ ଦକ୍ଷିଣପନ୍ଥୀମାନେ ବିଭିନ୍ନ ଉପାୟରେ ଖ୍ରୀଷ୍ଟିଆନମାନଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଆସୁଥିଲେ। କିନ୍ତୁ ସାଧାରଣତଃ ମୃତ୍ୟୁକୁ ସମସ୍ତେ ସମ୍ମାନ ଦେଉଥିଲେ। ଦୁଃଖର କଥା ଯେ, ଆଉ ସେମିତି ହେଉନାହିଁ।”

*****

ଖଣିଜ ସଂପଦରେ ସମୃଦ୍ଧ ବସ୍ତର ଅଞ୍ଚଳ। ତଥାପି ଏଠାକାର ଲୋକେ ଭାରତର ଦରିଦ୍ରତମ ବର୍ଗରେ ଗଣା ହୁଅନ୍ତି। ରାଜ୍ୟର ଆଦିବାସୀ ଓ ଗ୍ରାମୀଣ ଅଞ୍ଚଳରେ ପାଖାପାଖି ୪୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରନ୍ତି।

୧୯୮୦ ଦଶକରୁ ଏ ଅଞ୍ଚଳରେ ଏକ ସଶସ୍ତ୍ର ସଂଘର୍ଷ ଲାଗି ରହିଛି। ମାଓବାଦୀ ବିଦ୍ରୋହୀ ବା ସଶସ୍ତ୍ର ଗରିଲାମାନେ ଆଦିବାସୀ ସଂପ୍ରଦାୟର  ନ୍ୟାଯ୍ୟ ଅଧିକାର ପାଇଁ ଏବଂ ଜଙ୍ଗଲର ସୁରକ୍ଷା ପାଇଁ ଲଢ଼େଇ କରିଆସୁଛନ୍ତି ବୋଲି ଦାବି କରନ୍ତି। କାରଣ, ଜଙ୍ଗଲ ସଂପଦ ଉପରେ ସରକାର ଓ ବଡ଼ ବଡ଼ ଧନୀକ କମ୍ପାନୀର ଲୋଲୁପ ଦୃଷ୍ଟି ପଡ଼ି ଆସୁଥିବା କୁହାଯାଏ। ଗତ ୨୫ ବର୍ଷ ମଧ୍ୟରେ ଏହି ସଶସ୍ତ୍ର ଲଢ଼େଇରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି। ୨୦୧୮ରେ, ରାଜ୍ୟରେ ଶାସନ କ୍ଷମତାରେ ଥିବା ଦଳ ପରିବର୍ତ୍ତିତ ହେଲା ଏବଂ ୧୫ ବର୍ଷ ଧରି ଚାଲିଆସିଥିବା ବିଜେପି ଶାସନର ଅବସାନ ଘଟିଲା। ସେତେବେଳେ ବସ୍ତର ଜିଲ୍ଲା ସମେତ ସାତଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଅଞ୍ଚଳର ୧୨ଟିରୁ ୧୧ଟି ଆସନରେ କଂଗ୍ରେସ ବିଜୟ ଲାଭ କଲା।

Arracote is a small village with a population of just over 2,500. 'In moments like these you expect people in your village to provide emotional support,' says Sukmiti, seen here with her newborn in front of the house.
PHOTO • Parth M.N.

ଆରାକୋଟ ଏକ ଛୋଟ ଗାଁ ଯାହାର ଲୋକସଂଖ୍ୟା ୨,୫୦୦ରୁ ସାମାନ୍ୟ ଅଧିକ। ତାଙ୍କ ଘର ଆଗରେ ନିଜର ନବଜାତ ଶିଶୁକୁ କୋଳରେ ଧରି ସୁକମିତି କହନ୍ତି, ‘ଏଭଳି ମୁହୂର୍ତ୍ତରେ ଆପଣଙ୍କ ଗାଁ ଲୋକେ ଆପଣଙ୍କୁ ମାନସିକ ସହଯୋଗ କରିବେ ବୋଲି ଆପଣ ଆଶା କରନ୍ତି’

ଏବେ, ଛତିଶଗଡ଼ରେ ବିଧାନ ସଭା ନିର୍ବାଚନ ପାଖେଇ ଆସୁଥିବାରୁ ଦକ୍ଷିଣପନ୍ଥୀ ଗୋଷ୍ଠୀର ସଦସ୍ୟମାନେ ସକ୍ରିୟ ହୋଇ ଉଠିଛନ୍ତି ଏବଂ ସେମାନେ ରାଜ୍ୟରେ ଶାସନ କ୍ଷମତା ଫେରି ପାଇବା ସକାଶେ ସାଧାରଣ ଲୋକଙ୍କ ଭିତରେ ଭେଦଭାବ ସୃଷ୍ଟି ସହିତ ଜନସମର୍ଥନର ଧ୍ରୁବୀକରଣ ଦିଗରେ କାର୍ଯ୍ୟରତ ଅଛନ୍ତି।

ବସ୍ତରରେ ବିଶ୍ୱ ହିନ୍ଦୁ ପରିଷଦର ଜଣେ ବରିଷ୍ଠ ନେତା ରବି ବ୍ରହ୍ମଚାରୀ କହନ୍ତି ଯେ, ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ସଦସ୍ୟମାନେ ଗତ ଦେଢ଼ ବର୍ଷ ମଧ୍ୟରେ ଏଭଳି ୭୦ଟିରୁ ଅଧିକ ଅନ୍ତ୍ୟେଷ୍ଟି କ୍ରିୟାର ବିବରଣୀ ରେକର୍ଡ କରିଛନ୍ତି, ଯେଉଁଥିରେ ନିଜ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର କରିବାକୁ ଯାଉଥିବା ଆଦିବାସୀ ଖ୍ରୀଷ୍ଟିଆନମାନଙ୍କୁ ହିନ୍ଦୁମାନେ ବିରୋଧ କରିଛନ୍ତି। ସେ କହନ୍ତି, “ଖ୍ରୀଷ୍ଟିଆନ ମିସନାରୀମାନେ ଦରିଦ୍ର ଲୋକମାନଙ୍କର ନିରକ୍ଷରତାର ସୁଯୋଗ ନେଇ ସେମାନଙ୍କୁ ବିଭିନ୍ନ ଉପାୟରେ ପ୍ରଭାବିତ କରୁଛନ୍ତି ଏବଂ ନିଜ ଧର୍ମରେ ସାମିଲ କରୁଛନ୍ତି। ଆମେ ଏବେ ସେମାନଙ୍କର ‘ଘରୱାପସୀ’ (ନିଜ ଧର୍ମକୁ ପ୍ରତ୍ୟାବର୍ତ୍ତନ) ଦିଗରେ କାମ କରୁଛୁ। ଆମର କାମ ହେଲା ହିନ୍ଦୁମାନଙ୍କୁ ଜାଗ୍ରତ କରାଇବା। ଆମ ଉଦ୍ୟମ ବଳରେ ‘ଉଦ୍‌ବୁଦ୍ଧ’ ଲୋକେ ନିଜ ନିଜ ଗାଁରେ ଆଦିବାସୀ ଖ୍ରୀଷ୍ଟିଆନମାନଙ୍କର ଅନ୍ତିମ ସଂସ୍କାର କରାଇ ଦେଉନାହାନ୍ତି।”

ଆରାକୋଟ ଗାଁର ଅନତି ଦୂରରେ ଅବସ୍ଥିତ ନାଗଲସାର ଗାଁରେ ବଜରଙ୍ଗ ଦଳ ସଦସ୍ୟମାନେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା ପରିବାରକୁ ହଇରାଣ ହରକତ କରିବାରେ ଆଉ ପାଦେ ଆଗରେ ରହିଛନ୍ତି।

୨୦୨୨ ମସିହା ଅଗଷ୍ଟ ମାସରେ ୩୨ ବର୍ଷୀୟ ପାଣ୍ଡୁରାମ ନାଗଙ୍କ ଜେଜେମାଆ ଆୟାତି ପ୍ରାଣ ହରାଇଲେ। ତାଙ୍କୁ ୬୫ ବର୍ଷ ହୋଇଥିଲା ଏବଂ ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଶାନ୍ତିରେ ଆଖି ବୁଜିଲେ। କିନ୍ତୁ ତାଙ୍କର ଅନ୍ତିମ ସଂସ୍କାର ଶାନ୍ତିପୂର୍ଣ୍ଣ ଢଙ୍ଗରେ ହୋଇପାରିଲା ନାହିଁ।

ସେ ସମୟର ଘଟଣା ସଂପର୍କରେ ଧୁରୱା ଆଦିବାସୀ ସଂପ୍ରଦାୟର ନାଗ କହନ୍ତି, “ଆମେ ଯେତେବେଳେ ତାଙ୍କୁ କବରସ୍ଥଳୀକୁ ନେଇଯାଉଥିଲୁ, କେତେକ ବଜରଙ୍ଗ ଦଳ ସଦସ୍ୟଙ୍କ ସମେତ ଗାଁର ଦଳେ ଲୋକ ଆସି ଆମକୁ ଠେଲାପେଲା କଲେ। ଆମେମାନେ ଭାରସାମ୍ୟ ହରାଇଲୁ ଏବଂ ମୋ ଜେଜେମାଆଙ୍କ ମୃତଦେହ ତଳେ ପଡ଼ିଯିବା ଅବସ୍ଥାରେ ଥିଲା। ସେମାନେ ମୃତଦେହ ତଳେ ଥିବା ଚାଦର ଟାଣିଦେଲେ। ଆମେ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ମନା କରିବା କାରଣରୁ ସେମାନେ ଏ ସବୁ କଲେ।”

କିନ୍ତୁ ତାଙ୍କ ପରିବାର ନିଜ ମତରେ ଅଟଳ ରହିଲେ। ସଂଖ୍ୟାଗରିଷ୍ଠ ଲୋକଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇବାକୁ ନାଗ ରାଜି ହେଲେ ନାହିଁ। ସେ କହନ୍ତି, “ଆମ ପାଖରେ ତିନି ଏକର ଚାଷଜମି ଅଛି ଏବଂ ଏଥିରେ ଆମେ କ’ଣ କରିବୁ ତାହା ଆମ ଉପରେ ନିର୍ଭର କରେ। ଆମେ ତାଙ୍କୁ ସେହିଠାରେ କବର ଦେବାକୁ ସ୍ଥିର କଲୁ। ଅନ୍ୟ ସମୟରେ ଆମେ ଏହା କଦାପି କରି ନଥାଆନ୍ତୁ।”

ଶେଷରେ ବଜରଙ୍ଗ ଦଳ କର୍ମୀମାନେ ପଛକୁ ହଟିଲେ ଏବଂ ବିନା ବାଧାରେ ମୃତଦେହକୁ କବର ଦିଆଗଲା। ସେତେବେଳେ ବି ଲୋକଙ୍କ ଧ୍ୟାନଚ୍ୟୁତି ଘଟି ସାରିଥିଲା ଏବଂ ଆୟାତିଙ୍କୁ ସମ୍ମାନିତ ଢଙ୍ଗରେ ଅନ୍ତିମ ବିଦାୟ ଦେବା ସମୟରେ କାଳେ କେହି ଜଣେ ବିରୋଧ କରିବ ବୋଲି ସେମାନେ ଆଶଙ୍କା କରୁଥିଲେ। ସେ ପଚାରନ୍ତି, “ଅନ୍ତିମ ସଂସ୍କାର ସମୟରେ ବି ଶାନ୍ତିଶୃଙ୍ଖଳା ଆଶା କରିବା କ’ଣ ଠିକ୍‌ ନୁହେଁ ? ହଁ, ଆମେ ସେ ଲଢ଼େଇକୁ ଜିତିଥିଲୁ। ହେଲେ ଏମିତି ଏକ ବାତାବରଣରେ ଆମ ପିଲାମାନେ ବଡ଼ ହୁଅନ୍ତୁ ବୋଲି ଆମେ ଆଦୌ ଚାହୁଁନାହିଁ। ଏମିତି କି ଗାଁର ମୁଖିଆମାନେ ବି ଆମ ସପକ୍ଷରେ ବାହାରିଲେ ନାହିଁ।”

*****

When Kosha’s wife, Ware, passed away in the village of Alwa in Bastar district, a group of men suddenly barged into their home and started beating the family up. 'Nobody in the village intervened,' says his son, Datturam (seated on the left). 'We have lived here all our life. Not a single person in the village had the courage to stand up for us.' The Christian family belongs to the Madiya tribe and had refused to convert to Hinduism
PHOTO • Parth M.N.

ବସ୍ତର ଜିଲ୍ଲାର ଆଲୱା ଗାଁରେ କୋଷାଙ୍କ ସ୍ତ୍ରୀ ୱାରେ ଯେତେବେଳେ ପ୍ରାଣ ହରାଇଲେ, ଦଳେ ଲୋକ ତାଙ୍କ ଘର ଭିତରକୁ ଧସେଇ ପଶି ପରିବାର ଲୋକଙ୍କୁ ମାଡ଼ ମାରିବା ଆରମ୍ଭ କଲେ। ତାଙ୍କ ପୁଅ ଦତ୍ତୁରାମ (ବାମରେ ବସିଛନ୍ତି) କହନ୍ତି, ‘ଆମ ଗାଁର କେହି ହେଲେ ଏଥିରେ ହସ୍ତକ୍ଷେପ କଲେ ନାହିଁ। ଜୀବନ ସାରା ଆମେ ଏଠାରେ ହିଁ ରହିଆସିଛୁ। ଗାଁର କେହି ଜଣେ ହେଲେ ସାହସ କରି ଆମ ସପକ୍ଷରେ ବାହାରିଲେ ନାହିଁ।’ ଏହି ଖ୍ରୀଷ୍ଟିଆନ ପରିବାର ମାଦିୟା ଆଦିବାସୀ ସଂପ୍ରଦାୟର ଏବଂ ସେମାନେ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ମନା କରିଦେଇଥିଲେ

ସ୍ପଷ୍ଟତଃ ଭୟର ମାତ୍ରା ଏତେ ବେଶୀ ଯେ ଯେଉଁମାନେ ଦକ୍ଷିଣପନ୍ଥୀ ଗୋଷ୍ଠୀ ସହିତ ଏକମତ ହେଉ ନଥିଲେ ସେମାନେ ବି ଏଥିରେ ମୁଣ୍ଡ ନଖେଳାଇ ଚୁପ୍‌ ରହିବାକୁ ପସନ୍ଦ କଲେ।

ଏ ବର୍ଷ ମେ ମାସର ଘଟଣା। ୨୩ ବର୍ଷୀୟ ଦତ୍ତୁରାମ ପୋୟମ ଏବଂ ତାଙ୍କ ବାପା, ୬୦ ବର୍ଷୀୟ କୋଷା, ସେମାନଙ୍କ ଛୋଟ କୁଡ଼ିଆ ଘର ଭିତରେ, କୋଷାଙ୍କ ପତ୍ନୀ ୱାରେଙ୍କ ମୃତଦେହ ପାଖରେ ବସିଥିଲେ। ଅସୁସ୍ଥତା କାରଣରୁ କିଛି ଦିନ ଧରି ବିଛଣାରେ ପଡ଼ି ରହିବା ପରେ ସେହି ଦିନ ହିଁ ୱାରେଙ୍କର ମୃତ୍ୟୁ ଘଟିଥିଲା। ଏ ଘଟଣା ଘଟିଥିଲା ଜଗଦଲପୁରଠାରୁ ୩୦ କିଲୋମିଟର ଦୂର, ବସ୍ତର ଜିଲ୍ଲାର ଆଲୱା ଗାଁରେ।

ହଠାତ୍‌ ଦଳେ ଲୋକ ସେମାନଙ୍କ ଘର ଭିତରକୁ ଧସେଇ ପଶିଗଲେ ଏବଂ ସେମାନଙ୍କୁ ପିଟିବା ଆରମ୍ଭ କଲେ। ଦତ୍ତୁରାମ କହନ୍ତି, “ଏଥିରେ ଗାଁର କେହି ହେଲେ ମୁଣ୍ଡ ପୂରାଇଲେ ନାହିଁ। ଆମେ ଏ ଗାଁରେ ଜୀବନ ସାରା ରହିଆସିଛୁ। କେହି ଜଣେ ହେଲେ ସାହସ କରି ଆମ ସପକ୍ଷରେ ବାହାରିଲେ ନାହିଁ।”

ମାଦିୟା ଆଦିବାସୀ ସଂପ୍ରଦାୟର ଏହି ଖ୍ରୀଷ୍ଟିଆନ ପରିବାର ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ମନା କରିଦେଇଥିଲେ। କେତେକ ବଜରଙ୍ଗ ଦଳ ସଦସ୍ୟଙ୍କ ସମେତ ହିନ୍ଦୁ ଲୋକମାନଙ୍କର ସେହି ଗୋଷ୍ଠୀ, ସେତେବେଳେ ଘର ଭିତରେ ୱାରେଙ୍କ ମୃତଶରୀର ସହିତ ରଖାଯାଇଥିବା କଫିନ୍‌ ପ୍ରତି ମଧ୍ୟ ସମ୍ମାନ ଦେଲେ ନାହିଁ। ସେ ଦୁହିଁଙ୍କୁ ସେମାନେ ନିସ୍ତୁକ ପିଟିଲେ। ଏହାର ପରିଣାମରେ କୋଷା ଚେତା ହରାଇ ବସିଲେ ଏବଂ ତାଙ୍କୁ ସପ୍ତାହକ ପାଇଁ ହାସପାତାଳରେ ଚିକିତ୍ସିତ ହେବାକୁ ପଡ଼ିଲା।

କୋଷା କହନ୍ତି, “ମୋ ଜୀବନରେ ମୁଁ କେବେହେଲେ ଏମିତି ଅସହାୟ ହୋଇ ପଡ଼ି ନଥିଲି। ମୋ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ତାଙ୍କୁ ହରାଇବାର ଦୁଃଖରେ ଶୋକବ୍ୟକ୍ତ କରିବାକୁ ମୁଁ ମୋ ପୁଅ ପାଖରେ ବି ରହିପାରିଲିନି।”

ବେଞ୍ଜାମିନ କହନ୍ତି ଯେ, ଅଣ-ବିଜେପି ସରକାର ଅମଳରେ ସଂଖ୍ୟାଲଘୁ ସଂପ୍ରଦାୟ ସୁରକ୍ଷିତ ବୋଲି ରହିଆସିଥିବା ଧାରଣା ସତ ନୁହେଁ। କାରଣ, ୨୦୧୮ରୁ କଂଗ୍ରେସ ଶାସନ ଅମଳରେ ମଧ୍ୟ ବସ୍ତରର ଖ୍ରୀଷ୍ଟିଆନମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହୋଇଆସୁଛି।

Kosha (left) was beaten and fell unconscious; he had to be admitted to a hospital for a week. 'I have never felt so helpless in my life,' he says. 'My wife had died and I couldn’t be with my son (Datturam on the right) to mourn her loss'.
PHOTO • Parth M.N.
Kosha (left) was beaten and fell unconscious; he had to be admitted to a hospital for a week. 'I have never felt so helpless in my life,' he says. 'My wife had died and I couldn’t be with my son (Datturam on the right) to mourn her loss'.
PHOTO • Parth M.N.

ମାଡ଼ରେ କୋଷା (ବାମ) ଚେତା ହରାଇ ବସିଲେ ଏବଂ ତାଙ୍କୁ ସପ୍ତାହକ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଲା। ‘ମୋ ଜୀବନରେ ମୁଁ କେବେ ବି ଏଭଳି ଅସହାୟ ହୋଇ ପଡ଼ି ନଥିଲି। ମୋ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ତାଙ୍କୁ ହରାଇବାର ଦୁଃଖରେ ଶୋକବ୍ୟକ୍ତ କରିବାକୁ ମୁଁ ମୋ ପୁଅ (ଡାହାଣରେ, ଦତ୍ତୁରାମ) ପାଖରେ ବି ରହିପାରିଲିନି’

ତାଙ୍କ ମାଆଙ୍କର ଶେଷକୃତ୍ୟ ପାଇଁ ଦତ୍ତୁରାମଙ୍କୁ ଜଗଦଲପୁର ଯିବାକୁ ପଡ଼ିଥିଲା। ସେ କହନ୍ତି, “ଆମେ ୩,୫୦୦ ଟଙ୍କା ଭଡ଼ା ଦେଇ ଗୋଟିଏ ପିକ୍‌-ଅପ୍‌ ଟ୍ରକ୍‌ ନେଲୁ। ଆମେ ଶ୍ରମିକ ପରିବାରର ଲୋକ। ବେଶ୍‌ କେଇ ମାସ କାମ କଲେ ହିଁ ଆମେ ସେତିକି ଟଙ୍କା ରୋଜଗାର କରୁ।”

ସେ କହନ୍ତି ଯେ ସେହି ଘଟଣା ସେମାନଙ୍କୁ ବିବ୍ରତ କରିଥିଲା କିନ୍ତୁ ନିଶ୍ଚିତ ଭାବରେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନଥିଲା। କଥା ଯୋଡ଼ି ସେ ଆହୁରି କହନ୍ତି, “ଏ ଘଟଣା ଏମିତି ଅଚାନକ ଘଟି ନଥିଲା। ଖ୍ରୀଷ୍ଟ ଧର୍ମ ଅନୁସରଣ କରିବାକୁ ଚାହୁଁଥିଲେ ଗାଁ ଛାଡ଼ି ପଳାଇବାକୁ ଆମକୁ ଆଗରୁ କୁହାଯାଇଥିଲା।”

ଆଦିବାସୀ ଖ୍ରୀଷ୍ଟିଆନମାନଙ୍କ ଉତ୍ପୀଡ଼ନ ଅବ୍ୟାହତ ରହିଛି। କୋଷା କହନ୍ତି, “ଆମକୁ ଗାଁରେ ସମସ୍ତଙ୍କ ପାଇଁ ଥିବା କୂଅରୁ ପାଣି ନେବାକୁ ଦିଆଯାଉନାହିଁ। ଆମକୁ ଲୁଚି ଲୁଚି ପାଣି ଆଣିବାକୁ ପଡୁଛି।”

କେବଳ ବସ୍ତର ନୁହେଁ, ରାଜ୍ୟର ଅନ୍ୟାନ୍ୟ ଭାଗରୁ ମଧ୍ୟ ଏଭଳି ଉତ୍ପୀଡ଼ନ ସଂପର୍କିତ ରିପୋର୍ଟ ମିଳିବାରେ ଲାଗିଛି। ୨୦୨୨ ମସିହାରେ ନାରାୟଣପୁର ଜିଲ୍ଲାରେ ୨୦୦ରୁ ଅଧିକ ଆଦିବାସୀ ଖ୍ରୀଷ୍ଟିଆନଙ୍କୁ ସେମାନଙ୍କ ଗାଁରୁ ଜୋର ଜବରଦସ୍ତି ବାହାର କରିଦିଆଯାଇଥିଲା। ଏହି ଘଟଣା ପରେ ଶହ ଶହ ସ୍ଥାନୀୟ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଆସି ରହିଥିଲେ। ଦକ୍ଷିଣପନ୍ଥୀ ହିନ୍ଦୁତ୍ୱ ଗୋଷ୍ଠୀର ପ୍ରରୋଚନାରେ ସେମାନଙ୍କୁ ଦିଆଯାଉଥିବା ନିର୍ଯାତନା ବିରୋଧରେ ପ୍ରତିବାଦ କରିଥିଲେ।

ରିପୋର୍ଟ ଅନୁସାରେ, କେବଳ ୨୦୨୨ ଡିସେମ୍ବର ମାସରେ ସଂଖ୍ୟାଲଘୁ ଖ୍ରୀଷ୍ଟିଆନମାନଙ୍କ ଉପରେ ହୋଇଥିବା ଡଜନ ଡଜନ ଆକ୍ରମଣ ଘଟଣାର ତଥ୍ୟ ସମ୍ବଳିତ ବିବରଣୀ ଉପସ୍ଥାପନ କରି ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କୁ ଏକ ପତ୍ର ଦେଇଥିଲେ।

ତେଣେ ଆରାକୋଟ୍‌ରେ, ସୁକମିତି କହନ୍ତି ଯେ ପଡ଼ୋଶୀ ଗାଁରେ ଆୟୋଜିତ ଗୋଟିଏ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ତାଙ୍କ ପରିବାରକୁ ଛାଡ଼ି ଦିଆଗଲା ନାହିଁ। କାରଣ, ଗୋଟିଏ ଖ୍ରୀଷ୍ଟିଆନ ପରିବାରରେ ବିବାହ ହେଉଥିଲା। “ସେହି ପରିବାର ଅତିଥିଙ୍କ ପାଇଁ ପ୍ରସ୍ତୁତ କରିଥିବା ଖାଦ୍ୟକୁ ଫୋପାଡ଼ି ଦେବାକୁ ବାଧ୍ୟ ହୋଇଥିଲେ, କାରଣ କେହି ହେଲେ ସେଠାରେ ପହଞ୍ଚି ପାରିନଥିଲେ।”

ସମ୍ବିଧାନରେ (ଧାରା ୨୫) ଉଲ୍ଲେଖ କରାଯାଇଛି ଯେ, ପ୍ରତ୍ୟେକ ନାଗରିକଙ୍କର “ବିବେକର ସ୍ୱାଧୀନତା ଏବଂ ମୁକ୍ତ ବୃତ୍ତି, କାମଧନ୍ଦା ଏବଂ ଧର୍ମ ପ୍ରଚାରରେ ସ୍ୱାଧୀନତା”ର ଅଧିକାର ରହିଛି। ତଥାପି ଆଦିବାସୀ ଖ୍ରୀଷ୍ଟିଆନମାନେ ଶତ୍ରୁତାପୂର୍ଣ୍ଣ ଆଚରଣ ଏବଂ ଭୟ ପ୍ରଦର୍ଶନର ସମ୍ମୁଖୀନ ହେଉଛନ୍ତି।

“ପରିସ୍ଥିତି ଏମିତି ହେଲାଣି ଯେ ଯଦି କୌଣସି ଖ୍ରୀଷ୍ଟିଆନ ପରିବାରରେ କାହାରି ମୃତ୍ୟୁ ହୋଇଯାଏ, ତେବେ ଆମର ପ୍ରଥମ ପ୍ରତିକ୍ରିୟାରେ ଦୁଃଖ ନୁହେଁ, ଭୟ ଏବଂ ସାଧନ ଯୋଗାଡ଼ର ଚିନ୍ତା ସ୍ଥାନ ପାଉଛି। ଏହା କେଉଁ ପ୍ରକାରର ମୃତ୍ୟୁ?” ସେ କହନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Parth M.N.
Editor : Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Priti David
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE