ଶ୍ୟାମଲାଲ କାଶ୍ୟପଙ୍କ ପରିବାରକୁ ବ୍ଲାକ୍ମେଲ୍ କରାଗଲା, ତାହା ବି ଆକ୍ଷରିକ ଅର୍ଥରେ, ତାଙ୍କ ମୃତଦେହ ପାଖରେ।
୨୦୨୩ ମେ ମାସରେ ଆରାକୋଟ୍ ଗାଁର ଏହି ୨୦ ବର୍ଷୀୟ ଦିନ ମଜୁରିଆ ଜଣକ ଆତ୍ମହତ୍ୟା କରିଥିଲେ; ପଛରେ ଛାଡ଼ି ଯାଇଥିଲେ ତାଙ୍କ ଗର୍ଭବତୀ ସ୍ତ୍ରୀ-୨୦ ବର୍ଷୀୟା ମାର୍ଥାଙ୍କୁ।
ତାଙ୍କ ଭାଉଜ, ୩୦ ବର୍ଷୀୟା ସୁକମିତି କାଶ୍ୟପ କହନ୍ତି, “ସେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତଦେହକୁ ନିକଟବର୍ତ୍ତୀ ହାସପାତାଳକୁ ନିଆଯାଇଥିଲା, ଯାହା କି ଏଠାରୁ ପ୍ରାୟ ୧୫ କିଲୋମିଟର ଦୂର।” ଆରାକୋଟ ଗାଁର ପତିତ ଜମି କଡ଼ରେ ଅବସ୍ଥିତ ତାଙ୍କ ଅନ୍ଧାରୁଆ କୁଡ଼ିଆ ଘର ବାହାରେ ସେ ବସିଥାଆନ୍ତି। “ଶବ ବ୍ୟବଚ୍ଛେଦ ରିପୋର୍ଟରେ କୌଣସି ପ୍ରକାର ସନ୍ଦେହଜନକ ସ୍ଥିତି ସମ୍ଭାବନାକୁ ଅସ୍ୱୀକାର କରାଯାଇଥିଲା।”
ଶ୍ୟାମଲାଲଙ୍କ ମୃତଦେହ ତାଙ୍କ ଗାଁକୁ ନେବା ଲାଗି ସରକାରୀ ହାସପାତାଳ ପାଖରେ କେତେକ ସଂପର୍କୀୟ ଅପେକ୍ଷା କରିଥିଲେ ଏବଂ ତେଣେ ଗାଁରେ ଶୋକାକୁଳ ପରିବାର ଲୋକେ ଅନ୍ତିମ ସଂସ୍କାର ଲାଗି ପ୍ରସ୍ତୁତି ଚଳାଇଥିଲେ। ପୂରା ପରିବାର ଶୋକରେ ବୁଡ଼ି ରହିଥିଲା ଏବଂ ଏତେ ବଡ଼ ଦୁଃଖର ମୁକାବିଲା କରି ସ୍ୱାଭାବିକ ଅବସ୍ଥାକୁ ଫେରି ପାରି ନଥିଲା।
ଠିକ୍ ସେହି ସମୟରେ କେତେକ ସ୍ଥାନୀୟ ଲୋକ ସେମାନଙ୍କୁ ଖବର ଦେଲେ ଯେ ଗାଁରେ ଅନ୍ତିମ ସଂସ୍କାର ସଂପନ୍ନ କରିବାକୁ ହେଲେ ସେମାନଙ୍କୁ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ପଡ଼ିବ।
ମୁଖ୍ୟତଃ ମୂଲମଜୁରି ଲାଗି ଏବଂ ଛତିଶଗଡ଼ର ବସ୍ତର ଜିଲ୍ଲାରେ ରହିଥିବା ତିନି ଏକର ଚାଷଜମିରେ ଚାଷକାମ କରି ଏହି ପରିବାର ଗୁଜରାଣ ମେଣ୍ଟାଉଥିଲା। ସେଠାରେ ସେମାନେ ନିଜ ଘରେ ଖାଇବା ପାଇଁ ଧାନଚାଷ କରୁଥିଲେ। ହାଡ଼ଭଙ୍ଗା ପରିଶ୍ରମ କରି ଶ୍ୟାମଲାଲ ମାସକୁ ପ୍ରାୟ ୩,୦୦୦ ଟଙ୍କା ରୋଜଗାର କରୁଥିଲେ ଏବଂ ଏହା ହିଁ ସେମାନଙ୍କର ଏକମାତ୍ର ରୋଜଗାରର ପନ୍ଥା ଥିଲା।
ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ପିଲାଟିକୁ ବଡ଼ କରିବାର ବୋଝ ସମ୍ଭାଳି ନପାରି ହୁଏତ ସେ ଏଭଳି ଏକ ଚରମ ପନ୍ଥା ଅବଲମ୍ବନ କରିଥାଇପାରନ୍ତି ବୋଲି ସୁକମିତି ମନେ କରୁଥିଲେ। ସେ କହନ୍ତି, “ଆତ୍ମହତ୍ୟା ପୂର୍ବରୁ ସେ କିଛି ହେଲେ ଲେଖା ଛାଡ଼ି ଯାଇନାହାନ୍ତି।”








