ପ୍ରଥମ ଥର ପାଇଁ ଦୀୟା ପ୍ରାୟତଃ ମୁକୁଳି ଯାଇଥିଲେ।
ସେ ବସ୍ରେ ବସିଥିଲେ, ଭୟଭୀତ ହୋଇ ସବୁ ସିଟ୍ ପୂରଣ ହେବାକୁ ଅପେକ୍ଷା କରିଥିଲେ। ସେ ସୁରଟ୍ରୁ ଝାଲୋଡ଼ ପର୍ଯ୍ୟନ୍ତ ଟିକେଟ୍ କାଟିଥିଲେ। ସେ ଜାଣିଥିଲେ ସେଠାରୁ ଗୁଜରାଟ ସୀମା ଅତିକ୍ରମ କରିବା ପରେ ଗୋଟିଏ ଘଣ୍ଟାର ରାସ୍ତା ଅତିକ୍ରମ କରି ତାଙ୍କ ଗାଁ ରାଜସ୍ଥାନର କୁଶଲଗଡ଼ରେ ପହଞ୍ଚି ହେବ।
ସେ ଝରକା ପଟେ ବାହାରକୁ ଚାହିଁଥିବା ସମୟରେ ହଠାତ୍ ରବି ତାଙ୍କ ପଛପଟୁ ଆସି ପହଞ୍ଚିଗଲା। ସେ କୌଣସି ପ୍ରତିକ୍ରିୟା ପ୍ରକାଶ କରିବା ପୂର୍ବରୁ ରବି ତାଙ୍କ ହାତ ଧରି ବସ୍ରୁ ବାହାରକୁ ଟାଣି ନେଇ ପଳାଇଲା।
ଚାରି ପାଖରେ ଥିବା ଲୋକମାନେ ବ୍ୟସ୍ତ ଥିଲେ, ବ୍ୟାଗ୍ପତ୍ର ଲଦୁଥିଲେ, ପିଲାମାନଙ୍କୁ ବସାଉଥିଲେ। କେହି କ୍ରୋଧୀ ଯୁବକ ଏବଂ ଭୟଭୀତ କିଶୋରୀଙ୍କ ପ୍ରତି ଧ୍ୟାନ ଦେଇନଥିଲେ। ‘‘ମୁଁ ଭୟରେ ଚିତ୍କାର କରିପାରୁନଥିଲି,’’ ଦୀୟା କୁହନ୍ତି। ପୂର୍ବରୁ ସେ ରବିର କ୍ରୋଧ ବିଷୟରେ ଜାଣିଥିବାରୁ ନିରବ ରହିବାକୁ ଉଚିତ୍ ମନେ କଲେ।
ସେହି ରାତିରେ, ସେଠାରେ ନିର୍ମାଣ ସ୍ଥଳୀରେ, ତାଙ୍କ ଘରେ ଓ ଗତ ଛଅ ମାସ ଧରି ତାଙ୍କ ପାଇଁ କାରଗାର ପାଲଟିଥିବା ସ୍ଥାନରେ ଦୀୟା ଆଦୌ ଶୋଇ ପାରିଲେ ନାହିଁ। ତାଙ୍କ ଶରୀର ସାରା ଯନ୍ତ୍ରଣାରେ ଫାଟି ପଡ଼ୁଥିଲା। ରବିର ମାଡ଼ରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନ ଫାଟି ଯାଇଥିଲା ଓ ଦାଗ ହୋଇଯାଇଥିଲା । ‘‘ସେ ମୋତେ ମୁଥ ଓ ଲାତ ମାରିଲା,’’ ଦୀୟା କୁହନ୍ତି। ‘‘ସେ ବାଡ଼େଇବା ସମୟରେ ତା’କୁ କେହି ଅଟକାଇ ପାରିନଥିଲେ।’’ ଯେଉଁ ବ୍ୟକ୍ତି ଅଟକାଇଲେ ତାଙ୍କ ବିରୋଧରେ ଦୀୟାଙ୍କ ଉପରେ ଖରାପ ନଜର ପକାଉଥିବାର ଅଭିଯୋଗ ହେଲା। ନିର୍ଯାତନା ଦେଖୁଥିବା ମହିଳାମାନେ ନିଜକୁ ଦୂରେଇ ରଖିଥିଲେ। ଯଦି କେହି ପ୍ରତିବାଦ କରୁଥିଲେ, ରବି କହୁଥିଲା, ‘ ମେରୀ ଘର୍ ୱାଲି ହୈ , ତୁମ୍ କ୍ୟୁଁ ବୀଚ୍ ମେଁ ଆ ରହେ ହୋ (ସେ ମୋ ପତ୍ନୀ। ତୁମେ କାହିଁକି ମୁଣ୍ଡ ଖେଳାଉଛ)?’
‘‘ପ୍ରତ୍ୟେକ ଥର ମାଡ଼ ଖାଇବା ପରେ, ମୁଁ ମଲ୍ଲମ ପଟ୍ଟି (ଘା’ ଚିକିତ୍ସା ପାଇଁ) କରିବା ଲାଗି ଡାକ୍ତରଖାନାକୁ ଯାଉଥିଲି ଏବଂ ୫୦୦ ଟଙ୍କା ଖର୍ଚ୍ଚ କରୁଥିଲି। ରବିର ଭାଇ ବେଳେବେଳେ ଟଙ୍କା ଦେଉଥିଲେ, ଏପରିକି ମୋତେ ଡାକ୍ତରଖାନା ନେଇ ଯାଇ କହୁଥିଲେ, ‘‘ ତୁମ୍ ଘର ପେ ଚଲେଜା (ତୁମ ବାପ ଘରକୁ ଚାଲି ଯାଅ),’’ ଦୀୟା କହିଥାନ୍ତି। କିନ୍ତୁ ସେ କିପରି ଏମିତି କରିବେ ଦୁହିଁଙ୍କୁ ଜଣାନଥିଲା।
ଦୀୟା ଓ ରବି ହେଉଛନ୍ତି ରାଜସ୍ଥାନ ବାନ୍ସ୍ୱାରା ଜିଲ୍ଲାର ଭିଲ୍ ଆଦିବାସୀ। ୨୦୨୩ର ବହମୁଖି ଦାରିଦ୍ର୍ୟ ରିପୋର୍ଟ ଅନୁଯାୟୀ ଏହି ଜିଲ୍ଲାରେ ରାଜ୍ୟର ସର୍ବାଧିକ ସଂଖ୍ୟକ ଗରିବ ଲୋକ ରହିଛନ୍ତି। ନଗଣ୍ୟ ଜମି ମାଲିକାନା, ଜଳସେଚନ ସମସ୍ୟା, ଚାକିରି ଅଭାବ ଏବଂ ସାମଗ୍ରିକ ଦାରିଦ୍ର୍ୟ କାରଣରୁ କୁଶଲଗଡ଼ ତହସିଲ ଭିଲ୍ ଆଦିବାସୀଙ୍କ ମଧ୍ୟରେ ପ୍ରବାସ ସଂକଟ ଦେଖିବାକୁ ମିଳିଥାଏ। ଏଠାକାର ୯୦ ପ୍ରତିଶତ ଜନସଂଖ୍ୟା ଭିଲ୍ ସମ୍ପ୍ରଦାୟର।
ଅନ୍ୟମାନଙ୍କ ଭଳି, ଦୀୟା ଓ ରବି ଆଉ ଏକ ପ୍ରବାସୀ ଦମ୍ପତି ଥିଲେ, ସେମାନେ ଗୁଜରାଟର ନିର୍ମାଣ ସ୍ଥଳୀରେ କାମ ଖୋଜୁଥିଲେ। କିନ୍ତୁ ଦୀୟାଙ୍କ ପ୍ରବାସ ଏକ ଅପହରଣ ଥିଲା।
ଦୁଇ ବର୍ଷ ପୂର୍ବେ, ୧୬ ବର୍ଷ ବୟସ୍କା ଦଶମ ଶ୍ରେଣୀ ଛାତ୍ରୀ ନିକଟସ୍ଥ ସଜ୍ଜନଗଡ଼ରେ ଥିବା ଏକ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ପ୍ରଥମ ଥର ପାଇଁ ବଜାରରେ ରବିକୁ ଭେଟିଥିଲେ। ଗାଁର ଜଣେ ବୟସ୍କ ମହିଳା ତାଙ୍କୁ ଖଣ୍ଡେ କାଗଜରେ ଲେଖି ରବିର ନମ୍ବର ଦେଇଥିଲେ ଏବଂ ସେ ଏମିତି ତାଙ୍କୁ ଦେଖା କରିବାକୁ ଚାହୁଁଥିବା କହି ଭେଟିବାକୁ କହିଲେ।
ଦୀୟା ତା’କୁ କଲ୍ କଲେ ନାହିଁ। ପରବର୍ତ୍ତୀ ସପ୍ତାହରେ ସେ ଯେତେବେଳେ ବଜାରକୁ ଆସିଲା, ଦୀୟାଙ୍କ ସହିତ ଅଳ୍ପ କଥା ହୋଇଥିଲା। ‘‘ ହମକୋ ଘୁମ୍ନେ ଲେ ଜାୟେଗା ବୋଲା , ବାଗିଡୋରା , ବାଇକ୍ପେ। (ସେ କହିଲା ଆମେ ବାଇକ୍ରେ ବାଗିଡୋରା ଯିବା)। ସ୍କୁଲ ଆରମ୍ଭ ହେବାର ଗୋଟିଏ ଘଣ୍ଟା ଆଗରୁ ଅପରାହ୍ଣ ୨ଟା ବେଳକୁ ବାହାରକୁ ଆସିବା ପାଇଁ ମୋତେ କୁହାଗଲା,’’ ସେ ମନେ ପକାଇ କୁହନ୍ତି। ପରଦିନ ରବି ବିଦ୍ୟାଳୟ ବାହାରେ ନିଜର ଜଣେ ବନ୍ଧୁ ସହ ଅପେକ୍ଷା କରି ରହିଥିଲା।
‘‘ଆମେ ବାଗିଡୋରା ଗଲୁ ନାହିଁ। ଆମେ ବସ୍ ଷ୍ଟାଣ୍ଡକୁ ଗଲୁ। ସେ ମୋତେ ଅହମ୍ମଦାବାଦକୁ ଯାଉଥିବା ଏକ ବସ୍ରେ ବସାଇଲା,’’ ସେ କୁହନ୍ତି, ଯାହାକି ପଡ଼ୋଶୀ ରାଜ୍ୟରେ ଏବଂ ୫୦୦ କିଲୋମିଟର ଦୂରରେ ଥିଲା।
ଭୟଭୀତ ଦୀୟା ନିଜ ବାପାମା’ଙ୍କୁ କଲ୍ କରିବାରେ ସକ୍ଷମ ହେଲେ। ‘‘ମୋ ଚାଚା (କକା) ମୋତେ ନେବା ପାଇଁ ଅହମ୍ମଦାବାଦକୁ ଆସିଲେ। କିନ୍ତୁ ରବି ନିଜ ବନ୍ଧୁମାନଙ୍କଠାରୁ ଏହି ଖବର ପାଇଯାଇଥିଲା, ତେଣୁ ସେ ମୋତେ ସୁରଟକୁ ନେଇଗଲା।’’
ଏହାପରେ ଦୀୟା କାହାକୁ ଫୋନ୍ କରିବାକୁ ନେଇ ରବି ପାଗଳ ପ୍ରାୟ ହୋଇଯାଉଥିଲା ଏବଂ ହିଂସା ଆରମ୍ଭ ହୋଇଗଲା। କଲ୍ କରିବା ଲାଗି ଫୋନ୍ ମାଗିବା ଅଧିକ ହିଂସାକୁ ଆମନ୍ତ୍ରିତ କରୁଥିଲା। ଦୀୟାଙ୍କର ସେହି ଦିନ କଥା ମନେ ପଡ଼ିଥାଏ ଯେତେବେଳେ ସେ ନିଜ ପରିବାର ଲୋକଙ୍କ ସହ କଥା ହେବା ଲାଗି ବ୍ୟଗ୍ର ଥିଲେ। ଦୀୟା କାନ୍ଦି କାନ୍ଦି ଫୋନ୍ ମାଗୁଥିଲା, ‘‘ସେ ମୋତେ କାର୍ଯ୍ୟସ୍ଥଳୀର ପ୍ରଥମ ମହଲାରୁ ତଳକୁ ଠେଲିଦେଲା। ସୌଭାଗ୍ୟବଶତଃ ମୁଁ ଗୋଟିଏ ଅଳିଆ ଗଦା ଉପରେ ପଡ଼ିଗଲି, ମୋ ଶରୀର ସାରା ଦାଗ ରହିଥିଲା,’’ ସେ ତାଙ୍କ ପିଠିରେ ଥିବା ସେହି ଭାଗଗୁଡ଼ିକୁ ଦେଖାଇ ସ୍ମରଣ କରିଥାଏ ଏବେ ବି ଏଥିରେ ଯନ୍ତ୍ରଣା ହେଉଛି।
*****
ଦୀୟାଙ୍କ ମା’ କମଳା (୩୫) ଜଣେ ଦିନ ମଜୁରିଆ ଥିଲେ। ସେ ଯେତେବେଳେ ଝିଅର ଅପହରଣ ଖବର ଶୁଣିଲେ ତା’କୁ ଆଣିବା ପାଇଁ ଚେଷ୍ଟା କଲେ। ତାଙ୍କ ପରିବାରର କଚ୍ଚା ବଖୁରିକିଆ କୁଡ଼ିଆ ବାନ୍ସ୍ୱାରା ଜିଲ୍ଲାରେ ଥିଲା। ଦୁଃଖିନୀ ମା’ ଅନିୟନ୍ତ୍ରିତ ଭାବେ କାନ୍ଦି କାନ୍ଦି କୁହନ୍ତି, ‘‘ ବେଟୀ ତୋ ହୈ ମେରୀ , ଅପନେ କୋ ଦିଲ୍ ନହିଁ ହୋତା କ୍ୟା (ଯେତେହେଲେ ବି ସେ ମୋ ଝିଅ। ତା’କୁ ଫେରାଇ ଆଣିବା ପାଇଁ ମୋ ମନ ଚାହିଁବ ନାହିଁ କି)?’’
ରବି ଅପହରଣ କରି ଦୀୟାକୁ ନେଇଯିବାର କିଛି ଦିନ ପରେ କମଳା ତା’ ବିରୋଧରେ ଥାନାରେ ଅଭିଯୋଗ କଲେ।
ରାଜସ୍ଥାନରେ ମହିଳାଙ୍କ ବିରୋଧରେ ତୃତୀୟ ସର୍ବାଧିକ ଅପରାଧ ଘଟିଥାଏ। ଜାତୀୟ ଅପରାଧ ରେକର୍ଡସ୍ ବ୍ୟୁରୋ (ଏନସିଆରବି) ପକ୍ଷରୁ ପ୍ରକାଶିତ ଭାରତରେ ଅପରାଧ ୨୦୨୦ ରିପୋର୍ଟ ଅନୁଯାୟୀ ଅପରାଧ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବାର ହାର ଏହି ରାଜ୍ୟରେ ସବୁଠୁ କମ୍ ୫୫ ପ୍ରତିଶତ ରହିଛି। ପ୍ରତ୍ୟେକ ୩ଟି ଅପହରଣ ମାମଲା ମଧ୍ୟରୁ ୨ଟି ମାମଲାରେ ପୁଲିସ କେସ୍ ଫାଇଲ୍ ହୋଇନଥାଏ। ଦୀୟାଙ୍କ ମାମଲା ସେମିତି ଥିଲା।
କୁଶଲଗଡ଼ରେ କାର୍ଯ୍ୟରତ ପୁଲିସ ଉପ ଅଧିକ୍ଷକ ରୂପ ସିଂ କୁହନ୍ତି, ‘‘ସେମାନେ ମାମଲା ଫେରାଇ ନେଲେ।’’ କମଳା କୁହନ୍ତି, କଙ୍ଗାରୁ କୋର୍ଟ ଚଳାଇଥିବା ଗାଁର ଏକ ପୁରୁଷ ଦଳ - ବାଞ୍ଜଡ଼ିଆ ହସ୍ତକ୍ଷେପ କଲା। ‘କନ୍ୟାର ମୂଲ୍ୟ’ - ଭିଲମାନଙ୍କ ମଧ୍ୟରେ ରହିଥିବା ଏକ ପ୍ରଥା ଯେଉଁଠି ଜଣେ ପତ୍ନୀଙ୍କୁ ପାଇବା ଲାଗି ପୁଅର ପରିବାର ଲୋକଙ୍କୁ ଅର୍ଥ ପୈଠ କରିବାକୁ ହୁଏ- ଦାବି କରି ପୁଲିସର ବିନା ହସ୍ତକ୍ଷେପରେ ମାମଲାର ସମାଧାନ ପାଇଁ ଦୀୟାଙ୍କ ମା’ବାପା କମଳା ଓ କିଶନଙ୍କୁ ସେମାନେ ବାଧ୍ୟ କଲେ। (ଘଟଣାକ୍ରମେ ପୁରୁଷମାନେ ବାହାଘର ସମ୍ପର୍କ ଭାଙ୍ଗିଲେ ପୁଣିଥରେ ଦେଇଥିବା ଅର୍ଥ ମାଗି ନିଅନ୍ତି ଯାହାଫଳରେ ସେମାନେ ପୁଣିଥରେ ବାହା ହୋଇପାରିବେ)
ପୁଲିସରେ ହୋଇଥିବା ଅପହରଣ ମାମଲା ପ୍ରତ୍ୟାହାର କରିବା ପାଇଁ ସେମାନଙ୍କୁ ୧-୨ ଲକ୍ଷ ଟଙ୍କା ନେବା ପାଇଁ କୁହାଗଲା ବୋଲି ପରିବାର କହିଥାଏ। ଦୀୟାଙ୍କ ନାବାଳିକା ସ୍ଥିତି ଓ ତାଙ୍କର ସହମତିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇ ଏବେ ‘ବିବାହ’କୁ ସାମାଜିକ ସ୍ୱୀକୃତି ମିଳିସାରିଥିଲା। ରାଜସ୍ଥାନରେ, ୨୦-୨୪ ବର୍ଷ ବୟସ୍କ ଏକ ତୃତୀୟାଂଶ ମହିଳା ୧୮ ବର୍ଷ ହେବା ପୂର୍ବରୁ ବିବାହ କରିନେଇଥା’ନ୍ତି ବୋଲି ସଦ୍ୟତମ ଏନଏଫଏଚଏସ-୫ ରେ କୁହାଯାଇଛି।
କୁଶଲଗଡ଼ର ଜଣେ ସାମାଜିକ କର୍ମୀ ହେଉଛନ୍ତି ଟୀନା ଗାରାସିୟା। ନିଜେ ଜଣେ ଭିଲ୍ ଆଦିବାସୀ ହୋଇଥିବାରୁ, ଦୀୟାଙ୍କ ଭଳି ଘଟଣାକୁ କେବଳ ସାଧାରଣ ପଳାୟନ ବିବାହ ବୋଲି ଧରି ନେଇ ଛାଡ଼ି ଦେବାକୁ ପ୍ରସ୍ତୁତ ନୁହନ୍ତି। ‘‘ଆମ ପାଖକୁ ଆସୁଥିବା ଅଧିକାଂଶ ମାମଲାରେ, ଝିଅମାନେ ନିଜ ଇଚ୍ଛାରେ ଯାଇଥିବା ମୋର କେବେ ଅନୁଭବ ହୋଇନଥାଏ। କିମ୍ବା ସେମାନେ କୌଣସି ଲାଭ ଆଶାରେ ଯାଇନଥା’ନ୍ତି, ଅଥବା ସମ୍ପର୍କରେ ଭଲ ପାଇବା କିମ୍ବା ଖୁସି ଆଶାରେ ଯାଇନଥା’ନ୍ତି,’’ ବାନ୍ସ୍ୱାରା ଜିଲ୍ଲାରେ ଆଜୀବିକାର ଜୀବିକା ବ୍ୟୁରୋ ମୁଖ୍ୟ କୁହନ୍ତି।
‘‘ସେମାନଙ୍କ ଯିବାକୁ ଏକ ଷଡ଼ଯନ୍ତ୍ର, ମାନବ ଚାଲାଣ ପାଇଁ ଏକ ରଣନୀତି ଭାବେ ମୁଁ ଦେଖିଥାଏ। ଆମ ଭିତରେ କିଛି ଲୋକ ଅଛନ୍ତି ଯେଉଁମାନେ ସ୍ୱଳ୍ପ ବୟସ୍କ ଝିଅମାନଙ୍କୁ ଏସବୁ ସମ୍ପର୍କ ଭିତରକୁ ଆଣିଥାନ୍ତି,’’ ଟୀନା କୁହନ୍ତି। ଝିଅର ପରିଚୟ କରାଇ ଦେବାରେ ମଧ୍ୟ ଟଙ୍କା କାରବାର ହୋଇଥାଏ ବୋଲି ସେ ଦାବି କରିଥାନ୍ତି। ‘‘ଯଦି ଜଣେ ଝିଅର ବୟସ ୧୪-୧୫ ବର୍ଷ ମଧ୍ୟରେ, ତା’ହେଲେ ସମ୍ପର୍କ ଓ ଜୀବନକୁ ନେଇ ସେ କ’ଣ ବୁଝିବ?’’
ଜାନୁଆରୀ ମାସରେ ଦିନେ ସକାଳ ସମୟରେ, କୁଶଲଗଡ଼ରେ ଥିବା ଟୀନାଙ୍କ କାର୍ଯ୍ୟାଳୟରେ, ତିନି ଜଣ ପରିବାର ସେମାନଙ୍କ ଝିଅକୁ ନେଇ ଆସିଛନ୍ତି। ସେମାନଙ୍କ କାହାଣୀ ମଧ୍ୟ ଦୀୟାଙ୍କ ଭଳି।
ସୀମା ୧୬ ବର୍ଷ ବୟସରେ ବିବାହ କରିଥିଲେ ଏବଂ ତାଙ୍କ ସ୍ୱାମୀଙ୍କ ସହିତ କାମ କରିବା ଲାଗି ପ୍ରବାସୀ ଶ୍ରମିକ ଭାବେ ଗୁଜୁରାଟ ଚାଲି ଯାଇଥିଲେ। ‘‘ମୁଁ କାହା ସହିତ କଥା ହେଲେ ସେ (ତାଙ୍କ ସ୍ୱାମୀ) ଅତି ଈର୍ଷା କରୁଥିଲା। ଥରେ ସେ ମୋତେ ଜୋର୍ ଚାପୁଡ଼ା ମାରିଲା ଯେ ସେହି କାନରେ ମୁଁ ଭଲ ଭାବେ ଶୁଣିପାରୁନାହିଁ,’’ ସେ କୁହନ୍ତି।
‘‘ଅତି ଭୟଙ୍କର ମାଡ଼ ଥିଲା। ମୋର ଏତେ ଯନ୍ତ୍ରଣା ହେଉଥିଲା ଯେ ମୁଁ ତଳୁ ଉଠିପାରୁନଥିଲି; ତା’ପରେ ସେ ମୋତେ କାମଚୋର୍ (ଅଳସୁଆ) ବୋଲି କହୁଥିଲା। ତେଣୁ, ମୁଁ ଆଘାତ ନେଇ କାମ କରୁଥିଲି,’’ ସେ କୁହନ୍ତି। ସୀମାଙ୍କ ରୋଜଗାର ସିଧାସଳଖ ତାଙ୍କ ସ୍ୱାମୀଙ୍କ ପାଖକୁ ଚାଲି ଯାଉଥିଲା। ‘‘ସେ ଆଟ୍ଟା (ଅଟା) ସୁଦ୍ଧା କିଣୁନଥିଲା, ସବୁ ଟଙ୍କା ମଦରେ ଉଡ଼ାଇ ଦେଉଥିଲା।’’
ଆତ୍ମହତ୍ୟା କରିବାକୁ ଧମକ ଦେବା ପରେ ଶେଷରେ ସୀମା ତା’ କବଳରୁ ମୁକୁଳିବାରେ ସକ୍ଷମ ହୋଇଥିଲେ। ସେବେଠାରୁ ତାଙ୍କ ସ୍ୱାମୀ ଆଉ ଜଣେ ମହିଳା ସହିତ ରହୁଛି। ‘‘ମୁଁ ଗର୍ଭବତୀ ଅଛି, କିନ୍ତୁ ସେ ଆମ ବୈବାହିକ ସମ୍ପର୍କ ବିଚ୍ଛିନ୍ନ କରିବା କିମ୍ବା ମୋତେ ବଞ୍ଚିବା ଲାଗି ଟଙ୍କା ଦେବାକୁ ରାଜି ହେଉ ନାହିଁ,’’ ସେ କୁହନ୍ତି ଏବଂ ଏହି କାରଣରୁ ସୀମାଙ୍କ ପରିବାର ଏକ ପରିତ୍ୟାଗ ମାମଲା ଦାୟର କରିଛନ୍ତି । ମହିଳାଙ୍କୁ ଘରୋଇ ହିଂସା ଠାରୁ ସୁରକ୍ଷା ଆଇନ , ୨୦୦୫ର ଧାରା ୨୦.୧ (ଡି)ରେ କୁହାଯାଇଛି ଯେ ରକ୍ଷଣାବେକ୍ଷଣ ନିଶ୍ଚିତ ଭାବେ ଯୋଗାଇ ଦେବା ଉଚିତ୍ ଏବଂ ଏହା ଅପରାଧିକ ପ୍ରକ୍ରିୟା ସଂହିତା (ସିଆରପିସିର ଧାରା ୧୨୫ ଅନୁରୂପ ଅଟେ।
ରାଣୀଙ୍କ ବୟସ ମଧ୍ୟ ୧୯ ବର୍ଷ। ତାଙ୍କର ଗୋଟିଏ ତିନି ବର୍ଷର ପିଲା ଥିବା ବେଳେ ଗର୍ଭରେ ତାଙ୍କ ଦ୍ୱିତୀୟ ପିଲା ଅଛି। ସେ ମଧ୍ୟ ସ୍ୱାମୀ ପରିତ୍ୟକ୍ତା, ଘରୁ ବାହାର କରିଦେବା ପୂର୍ବରୁ ତାଙ୍କୁ ମଧ୍ୟ ଅନେକ ମାଡ଼ଗାଳି ସହିବାକୁ ପଡ଼ିଛି। ‘‘ସେ ସବୁଦିନ ମଦ ପିଇ ଆସୁଥିଲା ଓ ଗାଳି ଦେଇ କହୁଥିଲା ‘ ଗନ୍ଦି ଔରତ୍ , ରଣ୍ଡି ହୈ (ତୁ ଖରାପ ସ୍ତ୍ରୀ ଲୋକ, ଜଣେ ବେଶ୍ୟା),’’ ରାଣୀ କୁହନ୍ତି।
ଯଦିଓ ସେ ଥାନାରେ ଅଭିଯୋଗ କରିଥିଲେ, କିନ୍ତୁ ଏହାକୁ ପ୍ରତ୍ୟାହାର କରିନେଲେ। କାରଣ ବାଞ୍ଜଡ଼ିଆ ହସ୍ତକ୍ଷେପ କଲା ଏବଂ ସ୍ୱାମୀ ପରିବାରଠାରୁ ୫୦ ଟଙ୍କାର ଷ୍ଟାମ୍ପ ପେପରରେ ଏକ ଚୁକ୍ତି କରାଇ ତାଙ୍କ ସହିତ ଭଲ ବ୍ୟବହାର ପାଇଁ ପ୍ରତିଶ୍ରୁତି ମିଳିଥିଲା। ହେଲେ ଗୋଟିଏ ମାସ ପରେ ପୁଣିଥରେ ନିର୍ଯାତନା ଆରମ୍ଭ ହୋଇଗଲା, କିନ୍ତୁ ବାଞ୍ଜଡ଼ିଆ ସମ୍ପୂର୍ଣ୍ଣ ଆଖି ବୁଜିଦେଲା। ‘‘ମୁଁ ପୁଲିସ ପାଖକୁ ଯାଇଥିଲି, କିନ୍ତୁ ମୁଁ ମୋର ପୂର୍ବ ଅଭିଯୋଗ ପ୍ରତ୍ୟାହାର କରି ନେଇଥିବା କାରଣରୁ ମୋ ପାଖରେ କିଛି ପ୍ରମାଣ ନଥିଲା,’’ ରାଣୀ କୁହନ୍ତି। ସେ ଆଦୌ ପାଠ ପଢ଼ିନାହାନ୍ତି କିନ୍ତୁ ଆଇନର ପେଞ୍ଚ ଜାଣିବାକୁ ଚେଷ୍ଟା କରୁଛନ୍ତି। ଅନୁସୂଚିତ ଜନଜାତି ସମ୍ପ୍ରଦାୟର ପରିସଂଖ୍ୟାନ ସ୍ଥିତି, ୨୦୧୩ ଅନୁଯାୟୀ ଭିଲ ମହିଳାଙ୍କ ମଧ୍ୟରେ ସାକ୍ଷରତା ହାର ନଗଣ୍ୟ ୩୧ ପ୍ରତିଶତ ରହିଛି।
ଆଜୀବିକା ବ୍ୟୁରୋ କାର୍ଯ୍ୟାଳୟରେ, ଦଳର ସଦସ୍ୟମାନେ ଦୀୟା, ସୀମା ଓ ରାଣୀଙ୍କ ଭଳି ମହିଳାଙ୍କୁ ଆଇନଗତ ଏବଂ ଅନ୍ୟାନ୍ୟ ବ୍ୟାପକ ସହାୟତା ଯୋଗାଇ ଦେଇଥା’ନ୍ତି। ସେମାନେ ଏକ ଛୋଟ ପୁସ୍ତିକା ‘ ଶ୍ରମିକ ମହିଲାଓଁ କା ସୁରକ୍ଶିତ୍ ପ୍ରବାସ୍ (ମହିଳା ଶ୍ରମିକଙ୍କ ସୁରକ୍ଷିତ ପ୍ରବାସ) ମଧ୍ୟ ଛାପିଛନ୍ତି, ଯେଉଁଥିରେ ମହିଳାମାନଙ୍କୁ ହେଲ୍ପଲାଇନ୍, ଡାକ୍ତରଖାନା, ଶ୍ରମିକ କାର୍ଡ ଓ ଅନ୍ୟାନ୍ୟ ସୁବିଧା ବିଷୟରେ ସୂଚନା ଦେବା ପାଇଁ ଫଟୋ ଓ ଗ୍ରାଫିକ୍ସ ରହିଛି ।
କିନ୍ତୁ ଆତ୍ମୀୟ ସ୍ୱଜନଙ୍କ ପାଇଁ ଲମ୍ବା ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ ଯେଉଁଥିରେ ପୁଲିସ ଷ୍ଟେସନ, ଅଦାଲତକୁ ଅଗଣିତ ଥର ଦୌଡ଼ିବାକୁ ପଡ଼ିଥାଏ ଯାହାର କୌଣସି ସ୍ପଷ୍ଟ ଅନ୍ତ ନଥାଏ। ଛୋଟ ପିଲାମାନଙ୍କଙ୍କର ଅତିରିକ୍ତ ଦାୟିତ୍ୱ କାରଣରୁ, ଅନେକ ଲୋକ କାମ ପାଇଁ ପୁନର୍ବାର ପ୍ରବାସ କରିପାରିନଥା’ନ୍ତି।
ଟୀନା ଏସବୁ ମାମଲାକୁ ଲିଙ୍ଗ ଆଧାରିତ ହିଂସା ସହିତ କିଶୋରୀଙ୍କ ଚୋରା ଚାଲାଣ ମାମଲା ଭାବେ ମଧ୍ୟ ଦେଖିଥାନ୍ତି। ‘‘ଆମେ ଏପରି ମାମଲା ମଧ୍ୟ ଦେଖିଛୁ ଯେଉଁଠି କିଶୋରୀଙ୍କୁ ନେବା ପାଇଁ ରାଜି କରାଇ ଦିଆଯାଇଥିଲା। ଏହାପରେ ଜଣେ ପୁରୁଷଙ୍କଠାରୁ ଅନ୍ୟ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ମୁଁ ଭାବୁଛି ଏହା ହେଉଛି ଚୋରା ଚାଲାଣର ତସ୍କରୀ ଦିଗ। ଯଦି ଆମେ ପ୍ରତ୍ୟକ୍ଷ ଭାବେ ଦେଖିବା, ଏହା ଅନ୍ୟ କିଛି ନୁହେଁ ଝିଅଙ୍କ ଚୋରା ଚାଲାଣ ଏବଂ ଏହା ବଢ଼ି ବଢ଼ି ଚାଲିଛି,’’ ସେ କୁହନ୍ତି।
*****
ଅପହରଣ ପରେ ଦୀୟାଙ୍କୁ ପ୍ରଥମେ ଅହମ୍ମଦାବାଦରେ ଓ ତା’ପରେ ସୁରଟରେ କାମରେ ଲଗାଗଲା। ସେ ରବି ସହିତ ଛିଡ଼ା ହେଲେ ଏବଂ ରୋକଡ଼ି କଲେ । ରୋକଡ଼ି ହେଉଛି ଏପରି ଏକ କାମ ଯେଉଁଠି ଶ୍ରମିକ ମଣ୍ଡିରେ ଶ୍ରମିକ ଠିକାଦାରମାନେ ଦୈନିକ ୩୫୦ରୁ ୪୦୦ ଟଙ୍କା ଲେଖାଏ ଦେଇ ଦୁଇ ଜଣ ଶ୍ରମିକଙ୍କୁ ନେଇଥାନ୍ତି। ସେମାନେ ଫୁଟପାଥରେ ତାର୍ପଲିନ୍ ପକା ହୋଇଥିବା କୁଡ଼ିଆ ଘରେ ରୁହନ୍ତି। ପରେ ରବିଙ୍କୁ କାୟମ ମିଳିଥିଲା ଯାହାର ଅର୍ଥ ହେଉଛି ସେମାନେ ମାସିକ ମଜୁରି ପାଇଲେ ଏବଂ ନିର୍ମାଣ ସ୍ଥଳୀରେ ରହୁଥିଲେ ।
‘‘(କିନ୍ତୁ) ମୁଁ କେବେ ମୋ ରୋଜଗାର ଦେଖିନଥିଲି। ସେ ସବୁ ରଖୁଥିଲା,’’ ଦୀୟା କୁହନ୍ତି। ଦିନଯାକ କଠିନ ଶାରୀରିକ ପରିଶ୍ରମ ପରେ, ସେ ରୋଷେଇ, ସଫେଇ ଏବଂ ଅନ୍ୟାନ୍ୟ ଘର କାମ କରୁଥିଲେ। ବେଳେବେଳେ ଅନ୍ୟ ମହିଳା ଶ୍ରମିକମାନେ ଗପିବାକୁ ଯାଉଥିଲେ, କିନ୍ତୁ ରବି ତାଙ୍କ ଉପରେ ଛଞ୍ଚାଣ ଭଳି ନଜର କରିଥିଲା।
‘‘ମୋ ବାପା ମୋତେ ଉଦ୍ଧାର କରିବା ପାଇଁ କାହା ହାତରେ ମୋ ପାଖକୁ ଟଙ୍କା ପଠାଇଥିଲେ। କିନ୍ତୁ ଯେମିତି ମୁଁ ବାହାରୁ ଥିଲି କେହି ନା କେହି ମୋତେ ଦେଖି (ରବିକୁ) କହି ଦେଉଥିଲା, ଆଉ ସେ ମୋତେ ଯିବାକୁ ଦେଉନଥିଲା। ସେଥର ମୁଁ ବସ୍ରେ ବସିଯାଇଥିଲି, କେହି ଜଣେ ତା’କୁ କହିଲା ଆଉ ତା’ପରେ ସେ ମୋ ପଛେ ପଛେ ଆସିଲା,’’ ଦୀୟା କୁହନ୍ତି।
ଦୀୟାଙ୍କର ଉଚିତ୍ ମଜୁରି ଲାଗୁ ହୋଇଯାଇଥିଲା, ଅର୍ଥାତ୍ ମାଲିକର ଅନୁମତି ବିନା ସେ କାମ ଛାଡ଼ି ପାରିବେ ନାହିଁ । ତା’ଛଡ଼ା ସେ ସ୍ଥାନୀୟ ଭାଷା କହିବାକୁ ସକ୍ଷମ ନଥିଲେ। ସେ କେବଳ ୱାଙ୍ଗଡ଼ି ଭାଷା କହିପାରୁଥିଲେ ଏବଂ ଅଳ୍ପ ଅଳ୍ପ ହିନ୍ଦୀ ବୁଝିପାରୁଥିଲେ। ତେଣୁ ରବି ଓ ତା’ର ନିର୍ଯାତନା କବଳୁ ମୁକ୍ତି ପାଇବା ଲାଗି ଗୁଜରାଟରେ କିଛି ଜାଣିବା ଏବଂ ସରକାରୀ କିମ୍ବା ଅନ୍ୟ କୌଣସି ସହାୟତା ପାଇବାରେ ତାଙ୍କର କୌଣସି ମାର୍ଗ ନଥିଲା।
ରବି ଦୀୟାଙ୍କୁ ବସ୍ରୁ ଟାଣି ନେବାର ଚାରି ମାସ ପରେ ସେ ଗର୍ଭବତୀ ହୋଇପଡ଼ିଲେ। ଏହା ତାଙ୍କ ଇଚ୍ଛା ବିରୋଧରେ ଥିଲା।
ମାଡ଼ କମିଗଲା କିନ୍ତୁ ପୂରା ବନ୍ଦ ହେଲା ନାହିଁ ।
ଆଠ ମାସ ପରେ ରବି ତା’କୁ ନେଇ ତା’ର ବାପ ଘରେ ଛାଡ଼ି ଦେଲା। ପିଲା ଜନ୍ମ ପାଇଁ ଦୀୟା ଝାଲୋଡ଼ର ଏକ ଡାକ୍ତରଖାନାରେ ଭର୍ତ୍ତି ହେଲେ। ଯେତେବେଳେ ତାଙ୍କ ପୁଅ ଡାକ୍ତରଖାନାରେ ଥିଲା ସେ ପିଲାକୁ ସ୍ତନ୍ୟପାନ କରାଇପାରୁନଥିଲେ କାରଣ ୧୨ ଦିନ ଧରି ସେ ଡାକ୍ତରଖାନାରେ ଥିଲେ। ତାଙ୍କର ସ୍ତନ୍ୟପାନ ବନ୍ଦ ହୋଇଯାଇଥିଲା।
ସେତେବେଳେ ରବିର ହିଂସାତ୍ମକ ସ୍ୱଭାବ ବିଷୟରେ ଦୀୟାଙ୍କ ପରିବାରରେ କେହି ଜାଣିନଥିଲେ। କିଛିଦିନ ପାଖରେ ରଖିବା ପରେ ସେମାନେ ତାଙ୍କୁ ସ୍ୱାମୀ ସହ ପଠାଇ ଦେବାକୁ ପ୍ରସ୍ତୁତ ହେଲେ। ପ୍ରବାସୀ ମା’ଙ୍କ ଅତି ଛୋଟ ପିଲାମାନେ ସେମାନଙ୍କ ସହିତ କାମକୁ ଯାଆନ୍ତି। ‘‘ଝିଅ ପାଇଁ ସାହାରା (ସହାୟତା) ହେଉଛି ସେ ବାହା ହୋଇଥିବା ପୁରୁଷ,’’ କମଳା କୁହନ୍ତି। ‘‘ସେମାନେ ସାଥୀ ହୋଇ ରହିବେ, ସାଥୀ ହୋଇ କାମ କରିବେ।’’ ବାପା ମା’ଙ୍କ ସହିତ ରହିଲେ ମା’ ଓ ପିଲା ପରିବାର ଉପରେ ଆର୍ଥିକ ବୋଝ ସୃଷ୍ଟି କରିଥା’ନ୍ତି।
ଇତିମଧ୍ୟରେ ଏବେ ଫୋନରେ ଗାଳିଗୁଲଜ ଆରମ୍ଭ ହୋଇଯାଇଥିଲା। ରବି ପିଲାର ଚିକିତ୍ସା ପାଇଁ ଟଙ୍କା ଦେବାକୁ ମନା କରି ଦେଉଥିଲା। ଦୀୟା ଏବେ ବାପଘରେ ଥିଲେ। ତାଙ୍କ ଭିତରେ ସାମାନ୍ୟ ସାହସ ଚାଲି ଆସିଥିଲା। ସେ ବେଳେବେଳେ ନିଜ ସାହସ ଦେଖାଇ କହୁଥିଲେ, ‘‘ଠିକ୍ ଅଛି ତା’ହେଲେ ମୁଁ ଏଥର ମୋ ବାପାଙ୍କୁ ପଚାରିବି।’’ କମଳା ସେଦିନ କଥା ମନେ ପକାଇ କୁହନ୍ତି, ‘‘ ବହୁତ୍ ଝଗ୍ଡ଼ା କର୍ତେ ଥେ (ଖୁବ୍ ଝଗଡ଼ା କରୁଥିଲେ)।’’
ଦୀୟାଙ୍କ ସହ ଏମିତି ଦିନେ ଯୁକ୍ତିତର୍କ ସମୟରେ ରବି କହିଲା ଯେ ସେ ଆଉ ଜଣେ ମହିଳାଙ୍କୁ ନେଇ ରହିବ। ଦୀୟା ଉତ୍ତର ଦେଲେ, ‘‘ଯଦି ତୁମେ ଯାଇପାରିବ, ତା’ହେଲେ ମୁଁ ବି ଯାଇପାରିବି।’’ ଏତିକି କହି ସେ ଫୋନ୍ କାଟି ଦେଲେ।
ପାଖ ତହସିଲରେ ଥିବା ନିଜ ଘରେ ସେତେବେଳେ ରହୁଥିବା ରବି ଏହି ଘଟଣାର କିଛି ଘଣ୍ଟା ପରେ ଦୀୟାଙ୍କ ବାପ ଘରେ ଆସି ପହଞ୍ଚିଗଲା। ତା’ ସହିତ ଅନ୍ୟ ପାଞ୍ଚଜଣ ଥିଲେ ଯେଉଁମାନେ ତିନୋଟି ବାଇକରେ ଆସିଥିଲେ। ରବି ତା’ ସହିତ ଯିବାକୁ ଦୀୟାଙ୍କୁ ରାଜି କରାଇଲା ଏବଂ ଖରାପ ବ୍ୟବହାର କରିବ ନାହିଁ ଓ ପୁଣିଥରେ ସୁରଟ ଯିବ ବୋଲି ପ୍ରତିଶ୍ରୁତି ଦେଲା।
‘‘ସେ ମୋତେ ତା’ ଘରକୁ ନେଇଗଲା। ସେମାନେ ମୋ ପିଲାକୁ ଗୋଟିଏ ଖଟ ଉପରେ ଶୁଆଇଦେଲେ। ମେରା ଘରୱାଲା (ସ୍ୱାମୀ) ମୋତେ ଚାପଡ଼ା ମାରିଲା, ମୋ ଚୁଟି ଧରି ଘୋଷାଡ଼ ନେଇ ଗୋଟିଏ ଘର ଭିତରେ ବନ୍ଦ କରିଦେଲା। ତା’ର ଭାଇ ଓ ସାଙ୍ଗମାନେ ଭିତରକୁ ଆସିଲେ। ଗଲା ଦବାୟା (ସେ ମୋ ତଣ୍ଟି ଚିପି ଧରିଲା) ଏବଂ ଅନ୍ୟମାନେ ମୋ ହାତଦୁଇଟି ଧରି ମୋତେ ମାଡ଼ି ବସିଥିବା ବେଳେ ରବି ଏକ ବ୍ଲେଡ୍ରେ ମୋତେ ନଣ୍ଡା କରିବାକୁ ଲାଗିଲା,’’ ସେ ମନେ ପକାଇଥାନ୍ତି।
ଏହି ଘଟଣା ଦୀୟାଙ୍କ ମନରେ ଏକ ଯନ୍ତ୍ରଣାଦାୟକ ସ୍ମୃତି ହୋଇ ରହିଯାଇଛି। ‘‘ମୋତେ ଥମ୍ବା (କାଠ ଖୁଣ୍ଟ)ରେ ଚାପି ଦିଆଗଲା। ମୁଁ ଯେତେ ଜୋରରେ ହୋଇପାରିବ ଚିଲ୍ଲାଇଲି ଓ ପାଟିକଲି, କିନ୍ତୁ କେହି ଆସିଲେ ନାହିଁ ।’’ ତା’ପରେ ଅନ୍ୟମାନେ କୋଠରୀ ଛାଡ଼ି ଚାଲିଗଲେ ଏବଂ କବାଟ ବନ୍ଦ କରିଦେଲେ। ‘‘ସେ ମୋ ପୋଷାକ ଓହ୍ଲାଇ ମୋର ବଳାତ୍କାର କଲା। ସେ ଚାଲିଗଲା ଓ ଅନ୍ୟମାନେ ଆସିଲେ ସେମାନେ ଜଣ ଜଣ କରି ମୋର ବଳାତ୍କାର କଲେ। ମୋର କେବଳ ଏତିକି କଥା ମନେ ଅଛି କାରଣ ତା’ପରେ ମୁଁ ବେହୋଶ୍ (ଅଚେତ) ହୋଇଗଲି।’’
କୋଠରୀ ବାହାରେ, ତାଙ୍କର ନବଜାତ ପୁଅ କାନ୍ଦିବା ଆରମ୍ଭ କରି ଦେଇଥିଲା। ‘‘ମୋ ଘରୱାଲା (ସ୍ୱାମୀ) ମୋ ମା’ଙ୍କୁ ଫୋନରେ କହୁଥିବାର ମୁଁ ଶୁଣିପାରିଲି, ‘ସେ ଯିବ ନାହିଁ। ଆମେ ଯାଇ ପିଲାକୁ ଛାଡ଼ି ଦେଇ ଆସିବୁ’। ମୋ ମା’ ମନା କଲେ ଏବଂ କହିଲେ ସେ ଆସିବେ ବୋଲି।’’
କମଳା ମନେ ପକାଇ କୁହନ୍ତି ଯେ ସେ ଯେତେବେଳେ ପହଞ୍ଚିଲେ ରବି ତାଙ୍କୁ ପିଲାକୁ ନେଇଯିବାକୁ କହିଲା। ‘‘ମୁଁ କହିଲି ‘ନା’। ମୁଁ ମୋ ଝିଅକୁ ଦେଖିବାକୁ ଚାହୁଁଛି।’’ ଦୀୟା ଥରି ଥରି ବାହାରକୁ ଆସିଲା, ତା’ର ମୁଣ୍ଡ ନଣ୍ଡା ହୋଇଥିଲା, ‘‘ଯେମିତି ଅନ୍ତିମ ସଂସ୍କାରରୁ ଫେରିଛି,’’ ଆଗକୁ ଆସିଲା। ‘‘ମୁଁ ମୋ ସ୍ୱାମୀଙ୍କୁ, ଗାଁର ସରପଞ୍ଚ ଓ ମୁଖିଆ ଙ୍କୁ ଡାକିଲି ଏବଂ ସେମାନେ ପୁଲିସକୁ ଖବର ଦେଲେ,’’ କମଳା କହିଥାନ୍ତି।
ପୁଲିସ ପହଞ୍ଚିବା ବେଳକୁ ଏହି କାଣ୍ଡ ଭିଆଇଥିବା ଲୋକମାନେ ସେଠାରୁ ଚାଲି ଯାଇଥିଲେ। ଦୀୟାଙ୍କୁ ଡାକ୍ତରଖାନା ନିଆଗଲା। ‘‘ମୋ ଶରୀରରେ କାମୁଡ଼ା ଦାଗ ରହିଥିଲା,’’ ସେ କୁହନ୍ତି। ‘‘କୌଣସି ବଳାତ୍କାର ପରୀକ୍ଷା କରାଗଲା ନାହିଁ। ମୋ ଆଘାତର କୌଣସି ଫଟୋ ନିଆଗଲା ନାହିଁ।’’
ପାରିବାରିକ ହିଂସା ଆଇନ , ୨୦୦୫ର ଧାରା (୯ଜି)ରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ଯଦି ଶାରୀରିକ ନିର୍ଯାତନା ଦିଆଯାଇଥାଏ ତା’ହେଲେ ପୁଲିସ୍ ନିଶ୍ଚିତ ଭାବେ ଶାରୀରିକ ଯାଞ୍ଚ ଆଦେଶ ଦେବା ଉଚିତ୍। ଯଦିଓ ଦୀୟାଙ୍କ ପରିବାର ଲୋକମାନେ କୁହନ୍ତି ଯେ ସେମାନେ ପୁଲିସକୁ ସବୁକିଛି କହିଥିଲେ, କିନ୍ତୁ ଏହି ରିପୋର୍ଟର ଯେତେବେଳେ ଉପ ଅଧିକ୍ଷକଙ୍କୁ ଏ ବିଷୟରେ ପଚାରିଲେ ସେ କହିଲେ ଦୀୟା ତାଙ୍କର ମତ ବଦଳାଇ ଦେଇଥିଲେ, ବଳାତ୍କାର ବିଷୟରେ କିଛି କହିନଥିଲେ ଏବଂ ତାଙ୍କୁ କେହି ଶିଖାଇ ପଠାଇଥିବା ଭଳି ମନେ ହେଉଥିଲା।
ଦୀୟାଙ୍କ ପରିବାର ଏହି କଥାକୁ ସ୍ପଷ୍ଟ ଭାବେ ଖଣ୍ଡନ କରିଥାନ୍ତି। ‘‘ ଆଧା ଲିଖା ଔର ଆଧାର ଛୋଡ଼ ଦିୟା (ସେମାନେ ଅଧା ଲେଖିଲେ ଓ ଅଧା ଛାଡ଼ିଦେଲେ),’’ ଦୀୟା କୁହନ୍ତି। ‘‘ମୁଁ ୨-୩ ଦିନ ପରେ ଅଦାଲତରେ ଫାଇଲ୍ ପଢ଼ିଛି। ମୁଁ ଦେଖିଲି ଯେ ଚାରି ଜଣ ଲୋକ ମୋର ବଳାତ୍କାର କରିବା ବିଷୟରେ ସେମାନେ ଲେଖିନାହାନ୍ତି। ସେମାନେ ନାଁ ମଧ୍ୟ ଲେଖିନଥିଲେ, ଯଦିଓ ମୁଁ ନାଁ ଦେଇଥିଲି।’’
ପାରିବାରିକ ହିଂସାର ଶିକାର ହେଉଥିବା ପ୍ରବାସୀ ଶ୍ରମିକ ମହିଳାମାନେ ଦୁଇଟି ଅସୁବିଧା ଭୋଗିଥାନ୍ତି - ଠିକାଦାର ପୁରୁଷଙ୍କ ଜରିଆରେ ସେମାନଙ୍କ ସହିତ କଥା ହୁଅନ୍ତି ଏବଂ ମହିଳାମାନେ ସ୍ଥାନୀୟ ଭାଷା ଜାଣିନଥିବାରୁ ସହାୟତା ମାଗି ପାରନ୍ତି ନାହିଁ
ରବି ଓ ଅନ୍ୟ ତିନି ଜଣ ପୁରୁଷଙ୍କ ନାମ ସେ ପୁଲିସ ନିକଟରେ କହିବା ପରେ ସେମାନଙ୍କୁ ଗିରଫ କରାଗଲା। ସେହିପରି ରବି ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଗିରଫ ହେଲେ। ସମସ୍ତେ ଏବେ ଜାମିନ୍ରେ ବାହାରି ଆସିଛନ୍ତି। ରବିର ବନ୍ଧୁ ଓ ପରିବାର ଲୋକଙ୍କଠାରୁ ଦୀୟାଙ୍କୁ ହତ୍ୟା ଧମକ ମିଳୁଛି।
୨୦୨୪ର ପ୍ରଥମାର୍ଦ୍ଧରେ ଏହି ରିପୋର୍ଟର ଯେତେବେଳେ ଦୀୟାଙ୍କୁ ଭେଟିଥିଲା, ସେ କହିଥିଲେ, ପ୍ରତିଦିନ ତାଙ୍କୁ ପୁଲିସ ଥାନା ଓ କୋର୍ଟର ଚକ୍କର କାଟିବାକୁ ପଡ଼ୁଛି। ଅପସ୍ମାରର ଶିକାର ହୋଇଥିବା ତାଙ୍କର ୧୦ ମାସ ପୁଅର ମଧ୍ୟ ଯତ୍ନ ନେବାକୁ ପଡ଼ୁଛି।
ଦୀୟାଙ୍କ ବାପା କିଷନ୍ କୁହନ୍ତି, ‘‘ପ୍ରତ୍ୟେକ ଥର କୁଶଲଗଡ଼ ଆସିଲେ ଆମ ଦୁଇ ଜଣଙ୍କ ବସ୍ ଭଡ଼ା ବାବଦରେ ୪୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ବେଳେବେଳେ ସେମାନଙ୍କୁ ଜରୁରି ଡାକରା ଆସିଥାଏ ଏବଂ ଏପରି କ୍ଷେତ୍ରରେ ସେମାନେ ଘରୋଇ ଗାଡ଼ି ଭଡ଼ା କରି ଆସିଥାନ୍ତି । ସେମାନଙ୍କ ଘରଠାରୁ ୩୫ କିଲୋମିଟର ଦୂର ଏହି ସ୍ଥାନକୁ ଯିବା ଆସିବା କରିବା ବାବଦରେ ୨,୦୦୦ ଟଙ୍କା ଭଡ଼ା ଲାଗିଥାଏ।
ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି କିନ୍ତୁ କିଷନ ପ୍ରବାସୀ ଶ୍ରମିକ ଭାବେ କାମ କରିବାକୁ ଯାଉନାହାନ୍ତି, ‘‘ଏହି ମାମଲା ନସରିବା ପର୍ଯ୍ୟନ୍ତ ମୁଁ କିପରି ଯାଇପାରିବି? କିନ୍ତୁ ମୁଁ ଯଦି କାମ କରୁନାହିଁ, ଘର ଚଳିବ କେମିତି?’’ ସେ ପ୍ରଶ୍ନ କରନ୍ତି। ‘‘ମାମଲା ପ୍ରତ୍ୟାହାର କରିବା ଲାଗି ବାଞ୍ଜଡ଼ିଆ ଆମକୁ ୫ ଲକ୍ଷ ଟଙ୍କାର ଅଫର୍ ଦେଇଥିଲା। ମୋ ସରପଞ୍ଚ ମୋତେ କହିଲେ, ‘ନିଅ’। ମୁଁ କହିଲି ନା! କାନୁନ୍ (ଆଇନ) ଅନୁଯାୟୀ ତାଙ୍କୁ ଦଣ୍ଡ ମିଳୁ।’’
ନିଜ ଘରେ ମାଟି ଚଟାଣ ଉପରେ ବସିଥିବା ଦୀୟା (୧୯)ଙ୍କ ମନରେ ଆଶା ରହିଛି ଯେ ଅଭିଯୁକ୍ତକୁ ଦଣ୍ଡ ମିଳିବ। ତାଙ୍କ କେଶ ଗୋଟିଏ ଇଞ୍ଚ ଲମ୍ବା ବଢ଼ିଯାଇଛି । ‘‘ସେମାନେ ମୋ ସହିତ ଯାହା ଇଚ୍ଛା ତାହା କଲେ। ଏତେ ଡରିବାରେ କ’ଣ ଅଛି? ମୁଁ ଲଢ଼ିବି। ଏମିତି କାମ କଲେ କ’ଣ ହୁଏ ସେ ତାହା ଜାଣିବା ଉଚିତ୍। ତା’ହେଲେ ଯାଇ ସେ ଆଉ କାହା ସହିତ ଏପରି କରିବ ନାହିଁ।’’
ଦୃଢ଼ ସ୍ୱରରେ ଦୀୟା କୁହନ୍ତି, ‘‘ସେ ଦଣ୍ଡ ପାଇବା ଦରକାର।’’
ଏ କାହାଣୀ ଭାରତରେ ଯୌନ ଓ ଲିଙ୍ଗ ଆଧାରିତ ହିଂସା (ଏସ୍ଜିବିଭି)ରୁ ମୁକ୍ତ ଲୋକଙ୍କ ଯତ୍ନ ନେବା ପାଇଁ ସାମାଜିକ, ସଂସ୍ଥାଗତ ଓ ଢାଞ୍ଚାଗତ ବାଧା ଉପରେ କେନ୍ଦ୍ରିତ ଏକ ଦେଶବ୍ୟାପୀ ରିପୋର୍ଟିଂ ପ୍ରକଳ୍ପର ଅଂଶବିଶେଷ। ଏହା ଡକ୍ଟର୍ସ ୱିଦାଉଟ୍ ବର୍ଡର୍ସ ଭାରତ ସମର୍ଥିତ ପ୍ରୟାସର ଅଂଶବିଶେଷ ଅଟେ।
ପରିଚୟ ଗୋପନୀୟ ରଖିବା ଲାଗି ଆତ୍ମୀୟ ସ୍ୱଜନ ଓ ପରିବାର ସଦସ୍ୟଙ୍କ ନାମ ଗୋପନୀୟ ରଖାଯାଇଛି।
ଅନୁବାଦ: ଓଡ଼ିଶାଲାଇଭ୍