‘‘ଜଳସ୍ତର ବଢ଼ିଲେ, ଭୟରେ ଆମ ଅନ୍ତରାତ୍ମା ଥରିଉଠେ,’’ ହରେଶ୍ୱର ଦାସ କୁହନ୍ତି । ଆସାମ ବଗ୍ରିବାରୀର ବାସିନ୍ଦା ହରେଶ୍ୱର କୁହନ୍ତି, ବର୍ଷା ଋତୁରେ ନିକଟସ୍ଥ ପୁଠିମାରୀ ନଦୀର ଜଳସ୍ତର ବଢ଼ିଲେ ଗାଁ ଲୋକଙ୍କୁ ସର୍ବଦା ସତର୍କ ରହିବାକୁ ପଡ଼ିଥାଏ କାରଣ ବନ୍ୟା ଜଳ ଗାଁରେ ଥିବା ସେମାନଙ୍କ ଘର ଓ ଫସଲକୁ ସମ୍ପୂର୍ଣ୍ଣ ଧୋଇ ନେବାର ଆଶଙ୍କା ରହିଥାଏ।
‘‘ବର୍ଷା ହେଲେ ଆମକୁ ନିଜ ଆସବାବପତ୍ର ବାନ୍ଧି ପ୍ରସ୍ତୁତ ରହିବାକୁ ପଡ଼େ। ଗତବର୍ଷ ବନ୍ୟାରେ ଦୁଇଟି କଚ୍ଚା ଘର ଭାଙ୍ଗି ଯାଇଥିଲା। ପୁଣିଥରେ ବାଉଁଶ ଓ ମାଟି ଦେଇ ନୂଆ କାନ୍ଥ ତିଆରି ହେଲା,’’ ତାଙ୍କ ପତ୍ନୀ ସାବିତ୍ରୀ କୁହନ୍ତି ।
ନିରଦା ଦାସ କୁହନ୍ତି, ‘‘ମୁଁ ଟିଭିକୁ (ଏବେ ଖରାପ ହୋଇଯାଇଛି) ବସ୍ତାରେ ଭର୍ତ୍ତି କରି ଛାତ ଉପରେ ରଖି ଦେଇଛି।’’ ଗତ ବନ୍ୟାରେ ମଧ୍ୟ ପୂର୍ବରୁ ଥିବା ଟେଲିଭିଜନ ନଷ୍ଟ ହୋଇଯାଇଥିଲା।
୧୬ ଜୁନ୍, ୨୦୨୩ ରାତିର କଥା। ତୁହାକୁ ତୁହା ବର୍ଷା ଲାଗି ରହିଥିଲା। ଗତବର୍ଷ ଧୋଇଯାଇଥିବା ନଦୀବନ୍ଧର ଗୋଟିଏ ଭାଗକୁ ମରାମତି କରିବା ଲାଗି ଗାଁ ଲୋକମାନେ ବାଲିବସ୍ତା ପକାଉଥାନ୍ତି। ଦୁଇ ଦିନ ବିତିଗଲା, କିନ୍ତୁ ବର୍ଷା କମିବାର ନାଁ ଧରୁନଥାଏ। ବଗ୍ରିବାରୀ ଏବଂ ଏହା ପାଖରେ ଥିବା ଗାଁ ଢେପାରଗାଓଁ, ମାଦୋଇକାଟା, ନିଜ୍ କୌରବାହା, ଖାଣ୍ଡିକର, ବିହାପଡ଼ା ଓ ଲହାପଡ଼ାର ବାସିନ୍ଦା ସତର୍କ ଥାଆନ୍ତି । ନଦୀବନ୍ଧର ଦୁର୍ବଳ ଭାଗ ପୁଣିଥରେ ଭାଙ୍ଗିଯିବାର ଆଶଙ୍କା ରହିଥାଏ।
ସୌଭାଗ୍ୟବଶତଃ, ଚାରି ଦିନ ପରେ ବର୍ଷା ସାମାନ୍ୟ କମିଲା ଏବଂ ଜଳସ୍ତର ମଧ୍ୟ ହ୍ରାସ ପାଇଲା।
‘‘ନଦୀ ବନ୍ଧ ଭାଙ୍ଗିଲେ ପାଣି ବୋମା ଫୁଟିଲା ଭଳି ଲାଗେ। ନିଜ ମାର୍ଗରେ ଆସୁଥିବା ସବୁକିଛିକୁ ଏହା ନଷ୍ଟ କରି ଦେଇଥାଏ,’’ ସ୍ଥାନୀୟ ଶିକ୍ଷକ ହରେଶ୍ୱର ଦାସ କୁହନ୍ତି । ବର୍ତ୍ତମାନ ଅବସର ନେଇ ସାରିଥିବା ଏହି ୮୫ ବର୍ଷ ବୟସ୍କ ଶିକ୍ଷକ କେ. ବି. ଦେଉଳକୁଚି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅହମିୟା ଭାଷାସାହିତ୍ୟ ପଢ଼ାଉଛନ୍ତି ।
ତାଙ୍କର ଦୃଢ଼ ମତ ହେଲା, ୧୯୬୫ ମସିହାରେ ନିର୍ମାଣ ହୋଇଥିବା ନଦୀ ବନ୍ଧ ଭଲ କରିବା ଅପେକ୍ଷା ବେଶି କ୍ଷତି କରୁଛି, ‘‘ଫସଲ ଭୂମିକୁ ଉର୍ବର କରିବା ପରିବର୍ତ୍ତେ ବୁଡ଼ାଇ ଦେଉଛି।’’




















