“ୟେ ବତାନା ମୁସ୍କିଲ ହୋଗା କି କୌନ ହିନ୍ଦୁ ହୈ ଔର କୌନ ମୁସଲମାନ [ଏହା କହିବା କଷ୍ଟକର କି କିଏ ହିନ୍ଦୁ ଆଉ କିଏ ମୁସଲମାନ]।’’
୬୮ ବର୍ଷ ବୟସର ଶବିର କ୍ୟୁରେଶୀ ନିଜ ବିଷୟରେ ଓ ତାଙ୍କ ପଡୋଶୀ ୫୨ ବର୍ଷ ବୟସ୍କ ଅଜୟ ସୈନିଙ୍କ ବିଷୟରେ ଏଭଳି କହନ୍ତି। ଉଭୟେ ଅଯୋଧ୍ୟାର ଅଧିବାସୀ ଓ ରାମକୋଟର ଦୁରାହୀ କୁଆଁ ଅଞ୍ଚଳରେ ୪୦ ବର୍ଷ ଧରି ରହି ଆସୁଥିବା ବନ୍ଧୁ।
ଦୁଇ ପରିବାର ଘନିଷ୍ଠ, ଦୈନନ୍ଦିନ ଜୀବନର ଅଭାବ ଅସୁବିଧା ସହ ସମ୍ପୃକ୍ତ ଓ ପରସ୍ପର ନିର୍ଭରଶୀଳ। ଅଜୟ ସୈନି ମନେ ପକାନ୍ତି, “ଥରେ ଯେବେ କାମ ପାଇଁ ମୁଁ ବାହାରେ ଥିଲି, ଘରୁ ଖବର ପାଇଲି ଯେ ମୋ ଝିଅ ଦେହ ଖରାପ। ଯେତେ ଶୀଘ୍ର ସମ୍ଭବ ମୁଁ ଘରେ ଆସି ପହଁଚିଲା ବେଳକୁ ମୋ ସ୍ତ୍ରୀ କହିଲା ଯେ ସେ ଭିତରେ କ୍ୟୁରେଶୀ ପରିବାର ଆମ ଝିଅକୁ ହସ୍ପିଟାଲ ନେଇ ଦେଖେଇଛନ୍ତି ଓ ମେଡ଼ିସିନ୍ ବି କିଣି ଦେଇଛନ୍ତି।
ଘର ବାଡ଼ିପଟେ ଯେଉଁଠି ଦୁଇଜଣଯାକ ବସନ୍ତି ସେଠି ମଇଁଷି, ଛେଳି ଓ ଅଧ ଡଜନ କୁକୁଡ଼ାଙ୍କ ଗହଳି ଥାଏ। ଦୁଇ ପରିବାରର ପିଲାମାନେ ଏଣେତେଣେ ଦୌଡ଼ାଦୌଡ଼ି କରନ୍ତି, ଖେଳନ୍ତି ଓ ଗପସପ କରନ୍ତି।
୨୦୨୪ ଜାନୁୟାରୀ ମାସ, ବହୁ ଆଡମ୍ବରରେ ରାମମନ୍ଦିର ଉଦ୍ଘାଟନ ପାଇଁ ଅଯୋଧ୍ୟାରେ ଆୟୋଜନ ଚାଲିଥାଏ। ମନ୍ଦିର ପରିସରଠାରୁ ସେମାନଙ୍କ ଘରକୁ ଗୋଟିଏ ଦୁଇ ପରସ୍ତ ନୂଆ ଓଜନିଆ ଲୁହା ବାଡ଼ ଅଲଗା କରୁଥାଏ।
ଅଶି ଦଶକରେ ସୈନି ଯେତେବେଳେ କିଶୋର ବୟସର ଥିଲା ସେତେବେଳେ ସେ ଓ ତାଙ୍କ ପରିବାର କ୍ୟୁରେଶୀଙ୍କ ଘର ପାଖେ ଆସି ରହିଲେ। ସେତେବେଳେ ବାବରୀ ମସଜିଦ ପରିସରରେ ଥିବା ରାମଙ୍କ ବିଗ୍ରହକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କୁ ସେ ଟଙ୍କାଏରେ ଗୋଟିଏ ଗୋଟିଏ ଫୁଲମାଳ ବିକୁଥିଲା।
କ୍ୟୁରେଶୀମାନେ ମୂଳତଃ କଂସେଇ ଶ୍ରେଣୀର ଓ ଅଯୋଧ୍ୟା ସହର ଉପକଣ୍ଠରେ ତାଙ୍କ ପରିବାରର ଗୋଟିଏ ମାଂସ ଦୋକାନ ଥିଲା। ୧୯୯୨ରେ ସେମାନଙ୍କ ଘରେ ନିଆଁ ଲଗେଇ ଧ୍ୱଂସ କରିଦିଆଗଲା ପରେ ସେମାନଙ୍କ ପରିବାର ଗୋଟିଏ ଲୁହା ଝଳେଇ ବ୍ୟବସାୟ ଆରମ୍ଭ କଲା।
















