ରୁବେଲ ଶେଖ ଏବଂ ଅନିଲ ଖାନ ଗାଡ଼ି ଚଲାଉଥିଲେ ସତ... ହେଲେ ସେମାନେ ଭୂମି ଆଖପାଖରେ ବି ନଥିଲେ । ସେମାନେ ଥିଲେ ପ୍ରାୟ ୨୦ ଫୁଟ ଉପରେ ଏବଂ ପ୍ରାୟ ୮୦ ଡିଗ୍ରୀ କୋଣରେ ଢଳି ରହିଥିବା ଏକ ଢାଞ୍ଚାରେ । ଅଗରତଲାର ଏହି ମେଳାରେ ସମବେତ ଲୋକେ ପାଟି କରି ସେମାନଙ୍କୁ ଉତ୍ସାହିତ କରୁଥିଲେ । ରୁବେଲ ଏବଂ ଅନିଲ କାର ୱିଣ୍ଡୋ ପାଖକୁ ଆସି ହାତ ହଲାଇ ଏହାକୁ ସ୍ୱୀକାର କରୁଥିଲେ ।
ସେମାନେ ‘ମୌତ କା କୂଆଁ’ (ମୃତ୍ୟୁର କୂଅ)ରେ କଳାକୌଶଳ ପରିବେଷଣ କରୁଛନ୍ତି – କୂଅ ଭଳି ଉପରକୁ ଲମ୍ବ ଭାବରେ ନିର୍ମିତ ଏକ ଢାଞ୍ଚାର ‘କାନ୍ଥ’ ଉପରେ ଏବଂ କଡ଼ରେ କାର ଓ ବାଇକ ଚାଳନାର ବିଭିନ୍ନ ଦୁଃସାହସିକ କୌଶଳ ପ୍ରଦର୍ଶନ ।
ସେମାନଙ୍କର ଏହି କଳାକୌଶଳ ପ୍ରଦର୍ଶନ ସମୟକୁ ୧୦ ମିନିଟର ଅବଧିରେ ବିଭକ୍ତ କରାଯାଇଛି ଏବଂ ଏହା ଘଣ୍ଟା ଘଣ୍ଟା ଧରି ଚାଲେ । ସେମାନଙ୍କ କଳା ପ୍ରଦର୍ଶନର ସ୍ଥଳଟି କାଠର ପ୍ୟାନେଲରେ ତିଆରି କୂଅ ଭଳି ଏକ ଢାଞ୍ଚା ଏବଂ ମେଳାରେ ଏହା ଗଢ଼ିବା ଲାଗି କିଛି ଦିନ ଲାଗିଯାଏ । ଏହି ପ୍ରଦର୍ଶନ ମଞ୍ଚ ନିର୍ମାଣରେ ବ୍ୟବହୃତ ଯାନ୍ତ୍ରିକ ପଦ୍ଧତି ଏବଂ ସେମାନଙ୍କ ନିଜର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଅଧିକାଂଶ ଗାଡ଼ି ବା ବାଇକ ଚାଳକ ଏହାର ନିର୍ମାଣ ପ୍ରକ୍ରିୟାରେ ନିଜକୁ ସାମିଲ କରନ୍ତି ।
୨୦୨୩ ଅକ୍ଟୋବରରେ, ଦୁର୍ଗାପୂଜା ଉପଲକ୍ଷେ ତ୍ରିପୁରାର ଅଗରତଲାରେ ଆୟୋଜିତ ମେଳାରେ ‘ମୌତ କା କୂଆଁ’ ଭଳି ଭୟଙ୍କର ଶିରୋନାମାରେ ପ୍ରଦର୍ଶିତ ଏହି କ୍ରୀଡ଼ା କୌଶଳ ଥିଲା ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ । ଅନ୍ୟାନ୍ୟ ଆକର୍ଷଣରେ ରହିଥିଲା ଚକ୍ରି ଦୋଳି, ମେରୀ-ଗୋ-ରାଉଣ୍ଡ ଏବଂ ଖେଳନା ଟ୍ରେନ୍ ।
“ଆମେ ଏହାର କାନ୍ଥରେ ଯେ କୌଣସି କାର ଚଳାଇ ପାରିବୁ, କିନ୍ତୁ ମାରୁତି-୮୦୦କୁ ଏଥିପାଇଁ ଚଳାଉ ଯେ ଏହାର ୱିଣ୍ଡୋଗୁଡ଼ିକ ବଡ଼ ବଡ଼ ହୋଇଥିବାରୁ (କଳା ପ୍ରଦର୍ଶନ ସମୟରେ) ସେଥିରୁ ବାହାରକୁ ବାହାରିବା ସହଜ,” ଷ୍ଟଣ୍ଟମ୍ୟାନ୍ ରୁବେଲ କହନ୍ତି । ସେମାନେ ୟାମାହା ଆରଏକସ-୧୩୫ ବାଇକ୍ ମଧ୍ୟ ବ୍ୟବହାର କରନ୍ତି ବୋଲି ସେ କହନ୍ତି: “ଆମେ ପୁରୁଣା ବାଇକ ବ୍ୟବହାର କରୁ, କିନ୍ତୁ ସେଗୁଡ଼ିକର ରକ୍ଷଣାବେକ୍ଷଣ ଭଲ ଭାବରେ କରୁ।”
ସେ ପଶ୍ଚିମ ବଙ୍ଗର ମାଲଦା ବାସିନ୍ଦା, ତାଙ୍କ ଦଳର ମୁଖ୍ୟ ଏବଂ ଗାଡ଼ିଗୁଡ଼ିକର ମାଲିକ । ରୁବେଲ କହନ୍ତି, ଆଜିକୁ ୧୦ ବର୍ଷରୁ ଅଧିକ ସମୟ ହେଲା ସେ ଏହି ମୋଟର ସାଇକେଲଗୁଡ଼ିକୁ ବ୍ୟବହାର କରିଆସୁଛନ୍ତି, କିନ୍ତୁ “ସେଗୁଡ଼ିକର ନିୟମିତ ମରାମତି ଓ ଦେଖାରଖା କରାଯାଏ ।”
ଏହି କୌଶଳ ପ୍ରଦର୍ଶନ କାର୍ଯ୍ୟକ୍ରମ ଦେଖିବା ଲାଗି ଗାଁ ଗହଳିରୁ ପିଲାମାନେ ଆସିଥାଆନ୍ତି । କିଭଳି ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଲେ ବୋଲି ବର୍ଣ୍ଣନା କରିବାକୁ ଯାଇ ଝାଡ଼ଖଣ୍ଡ ଗୋଡ୍ଡା ଜିଲ୍ଲାର ମହମ୍ମଦ ଜଗ୍ଗା ଆନସାରୀ କହନ୍ତି, “ମୋ ପିଲାଦିନେ, ଯେତେବେଳେ ବି ଆମ ସହରରେ ଏଭଳି ମେଳା ହେଉଥିଲା, ସେହି ସମୟରୁ ମୁଁ ଏଥିପ୍ରତି ଆକର୍ଷିତ ହୋଇଥିଲି,” ଏବଂ ତେଣୁ ସେ କମ୍ ବୟସରୁ ହିଁ ଏକ ସର୍କସରେ ଯୋଗ ଦେଇ ସେଥିରେ ଛୋଟମୋଟ କାମ କରୁଥିଲେ । “ଧୀରେ ଧୀରେ ମୁଁ କେମିତି ଗାଡ଼ି ଚଲାଇବାକୁ ହୁଏ ତାହା ଶିଖିବା ଆରମ୍ଭ କଲି,” ଏହି ୨୯ ବର୍ଷୀୟ କଳା ପ୍ରଦର୍ଶକ ଜଣକ କହନ୍ତି ଏବଂ କଥା ଯୋଡ଼ନ୍ତି, “ଏହି କାମ ଯୋଗୁଁ ମୁଁ ଏତେ ଅଧିକ ସ୍ଥାନ ବୁଲିବାର ସୁଯୋଗ ପାଉଥିବାରୁ ମୋତେ ଏହା ଭଲଲାଗେ ।”
ବିହାରର ନୱାଦା ଜିଲ୍ଲା ଅନ୍ତର୍ଗତ ୱାରିସାଲିଗଞ୍ଜ ଗାଁର ପଙ୍କଜ କୁମାର ମଧ୍ୟ କମ୍ ବୟସରୁ ଏହି କଳା ପ୍ରଦର୍ଶନ ଆରମ୍ଭ କରିଥିଲେ: “ମୁଁ ୧୦ମ ଶ୍ରେଣୀ ପରେ ସ୍କୁଲ ଛାଡ଼ି ଦେଲି ଏବଂ ଗାଡ଼ି ଚଲାଇବା ଶିଖିବା ଆରମ୍ଭ କଲି।”
ଆନସାରୀ ଓ ପଙ୍କଜଙ୍କ ଭଳି ଅନ୍ୟ କଳା ପ୍ରଦର୍ଶକ ଏବଂ ଏହି ଢାଞ୍ଚା ଓ ମଞ୍ଚ ନିର୍ମାଣ କରୁଥିବା ଲୋକେ ସାରା ଭାରତର ବିଭିନ୍ନ ଭାଗରୁ ଆସିଛନ୍ତି ଏବଂ ଗ୍ରୁପ୍ ସହିତ ବିଭିନ୍ନ ମେଳାକୁ ଯାତ୍ରା କରନ୍ତି । ସାଧାରଣତଃ ସେମାନେ ମେଳାରେ ସେମାନଙ୍କ ପ୍ରଦର୍ଶନ ସ୍ଥଳ ନିକଟରେ ତମ୍ବୁ ଟାଣି ସେଥିରେ ରହନ୍ତି । ରୁବେଲ ଓ ଆନସାରୀଙ୍କ ଭଳି କେତେ ଜଣ ସେମାନଙ୍କ ପରିବାର ସହିତ ଯାତ୍ରା କରୁଥିବା ବେଳେ, କାମ ନଥିବା ବେଳେ ପଙ୍କଜ ଘରକୁ ଫେରି ଯାଆନ୍ତି ।
କୂଅ ଭଳି ଏକ ଢାଞ୍ଚା ନିର୍ମାଣରୁ ‘ମୌତ କା କୂଆଁ’ ପାଇଁ କାମ ଆରମ୍ଭ ହୁଏ । “ଏହାକୁ ପୂରା କରିବାକୁ ୩ରୁ ୬ ଦିନ ଭିତରେ ଲାଗେ, କିନ୍ତୁ ଏଥର ଆମ ହାତରେ ବେଶୀ ସମୟ ନଥିଲା ଏବଂ ତିନି ଦିନ ଭିତରେ ଏହାକୁ ପୂରା କରିବାକୁ ପଡ଼ିଲା,” ରୁବେଲ କହନ୍ତି । ହାତରେ ସମୟ ଥିଲେ ସେମାନେ ମନ୍ଥର ଗତିରେ କାମ କରନ୍ତି ବୋଲି ସେ କହନ୍ତି ।
ପରିଶେଷରେ, ଶୋ’ ସମୟ ହେଇଗଲା ଏବଂ ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ଅଗରତଲାର ଲୋକେ ଟିକେଟ କିଣିବାକୁ ଭିଡ଼ ଜମାନ୍ତି – ଟିକେଟର ଦାମ୍ ଥାଏ ୭୦ ଟଙ୍କା, ଏବଂ ପିଲାମାନଙ୍କ ପାଇଁ ମାଗଣା । ପ୍ରତି ଥର ୧୦ ମିନିଟ ଧରି କଳାକୌଶଳ ପ୍ରଦର୍ଶନ ଚାଲେ ଏବଂ ଏହିଭଳି ଭାବରେ ଦୁଇଟି କାର୍ ଓ ଦୁଇଟି ମୋଟର ସାଇକେଲରେ ଅତି କମ୍ରେ ଚାରି ଜଣ ସେମାନଙ୍କ ଦୂଃସାହସିକ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରନ୍ତି । ଗୋଟିଏ ରାତିରେ ସେମାନେ ଅତି କମ୍ରେ ୩୦ ଥର ନିଜର କଳା ପରିବେଷଣ କରନ୍ତି ଏବଂ ଦୁଇଟି ଶୋ’ ମଝିରେ ୧୫-୨୦ ମିନିଟର ବିରତି ଥାଏ ।
ଅଗରତଲାର ଏହି ମେଳାରେ ଏହି ଶୋ’ ଏତେ ଲୋକପ୍ରିୟ ହେଲା ଯେ ସେମାନେ ନିର୍ଦ୍ଧାରିତ ପାଞ୍ଚ ଦିନିଆ ପ୍ରଦର୍ଶନକୁ ଆଉ ଦୁଇ ଦିନ ପାଇଁ ବଢ଼ାଇଲେ ।
“ଆମକୁ ଦୈନିକ ପାରିଶ୍ରମିକ ବାବଦରେ ୬୦୦ରୁ ୭୦୦ ଟଙ୍କା ମିଳେ, କିନ୍ତୁ ଶୋ’ ସମୟରେ ଲୋକେ ଆମକୁ ଯାହା ଦିଅନ୍ତି ତାହା ହିଁ ଆମ ରୋଜଗାରର ମୂଳ ଉତ୍ସ,” ଆନସାରୀ କହନ୍ତି । ଅଧିକ ଥର ପରିବେଷଣର ସୁଯୋଗ ମିଳିଲେ, ଗୋଟିଏ ମାସରେ ସେମାନେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରନ୍ତି ।
ରୁବେଲଙ୍କ କହିବା କଥା ଯେ, ଏହି ଶୋ’ ବର୍ଷ ସାରା ଚାଲିପାରିବ ନାହିଁ: “ବର୍ଷା ଋତୁରେ ଏହି ଶୋ’ କରିବା କଷ୍ଟକର।” ଏଠାରେ କାମ ନଥିବା ସମୟରେ ରୁବେଲ ତାଙ୍କ ଗାଁକୁ ଫେରି ଯାଇ ଚାଷବାସ କରନ୍ତି ।
ଏହି ଦୁଃସାହସିକ କଳାକୌଶଳ ପ୍ରଦର୍ଶନରେ ନିହିତ ବିପଦ ସମ୍ଭାବନାକୁ ଏଡ଼ାଇ ଯାଆନ୍ତି ପଙ୍କଜ: “ମୁଁ ବିପଦ ଆଶଙ୍କାକୁ ଖାତିର କରେ ନାହିଁ । ଜଣେ ଯଦି ଭୟ ନକରନ୍ତି, ତେବେ ଏଥିରେ ଭୟ କରିବାର କିଛି ନାହିଁ ।” ତାଙ୍କ ଗ୍ରୁପ ସଦସ୍ୟମାନଙ୍କ କହିବା ଅନୁସାରେ ସେମାନେ କାମ ଆରମ୍ଭ କରିବା ଦିନଠାରୁ ଏମିତି କୌଣସି ସାଂଘାତିକ ଦୁର୍ଘଟଣା ଘଟିନାହିଁ ।
“ଆମେ କଳା ପ୍ରଦର୍ଶନ କରୁଥିବା ବେଳେ ଲୋକଙ୍କ ଖୁସି ଦେଖି ମୋତେ ଭଲ ଲାଗେ,” ରୁବେଲ କହନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍