‘ବିରାଟ କୋହଲି’ ବେଶ୍ ଲୋକପ୍ରିୟ ନାମ। ଏହି ଭାରତୀୟ କ୍ରିକେଟ୍ ତାରକାଙ୍କର ଏଠାରେ ଡୁଙ୍ଗ୍ରା ଛୋଟାରେ ଅନେକ ପ୍ରଶଂସକ ରହିଛନ୍ତି।
ଗୋଟିଏ ଶୀତୁଆ ସକାଳର ୧୦ଟା ବାଜିସାରିଛି ଏବଂ ଏଠାରେ ୧୨ରୁ ଅଧିକ ସ୍ଥାନୀୟ ପିଲାମାନେ ଖେଳରେ ମସଗୁଲ ଅଛନ୍ତି। ଉଜ୍ଜ୍ୱଳ ସବୁଜ ମକା କ୍ଷେତ ମଝିରେ ଥିବା ଏହି ଖୋଲା ସ୍ଥାନ ଆପଣଙ୍କୁ କ୍ରିକେଟ୍ ପଡ଼ିଆ ଭଳି ଲାଗିବ ନାହିଁ, କିନ୍ତୁ ବାଂଶୱାଡ଼ା ଜିଲ୍ଲାରେ ଥିବା ଏହି ଗାଁର କ୍ରିକେଟ୍ପ୍ରେମୀମାନେ, ପପିଂ କ୍ରିଜ୍ ଠାରୁ ଆରମ୍ଭ କରି ବାଉଣ୍ଡ୍ରି ଲାଇନ୍ ପର୍ଯ୍ୟନ୍ତ ଏହି ପଡ଼ିଆର ସବୁ ଭାଗକୁ ଜାଣନ୍ତି ।
ସମସ୍ତେ ଜାଣନ୍ତି ଯେ କ୍ରିକେଟ୍ ପ୍ରଶଂସକଙ୍କ ସହ ଆଲୋଚନା ଆରମ୍ଭ କରିବାର ସବୁଠୁ ପ୍ରଭାବଶାଳୀ ଉପାୟ ହେଉଛି ସେମାନଙ୍କୁ ନିଜ ପସନ୍ଦର କିକେଟ୍ ଖେଳାଳୀଙ୍କ ବିଷୟରେ ପଚାରିବା। ଏଠି ବିରାଟ କୋହଲିଙ୍କଠାରୁ ଆରମ୍ଭ ହୋଇଥାଇପାରେ, କିନ୍ତୁ ଖୁବଶୀଘ୍ର - ରୋହିତ ଶର୍ମା, ଯଶପ୍ରୀତ ବୁମ୍ରା, ସୂର୍ଯ୍ୟକୁମାର ଯାଦବ, ମହମ୍ମଦ ସିରାଜ… ଆଦି ଅନ୍ୟ ନାଁ ମଧ୍ୟ ସାମ୍ନାକୁ ଆସିଯାଏ।
ଶେଷରେ ୧୮ ବର୍ଷ ବୟସ୍କ ଶିବମ୍ ଲବାନା କୁହନ୍ତି, ‘‘ମୁଁ ସ୍ମୃତି ମନ୍ଧାନାଙ୍କୁ ପସନ୍ଦ କରେ।’’ ଏହି ବାମହାତି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଏବଂ ଭାରତୀୟ ମହିଳା ଟି-ଟ୍ୱେଣ୍ଟି ଦଳର ପୂର୍ବତନ ଅଧିନାୟିକା ଦେଶର ସବୁଠୁ ଲୋକପ୍ରିୟ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ।
କିନ୍ତୁ ଖୁବଶୀଘ୍ର ଆମକୁ ଜଣାପଡ଼ିଲା ଯେ ଖାଲି ସେ ନୁହନ୍ତି, ଏ ପଡ଼ିଆରେ ଅନ୍ୟ ବାମହାତି ବ୍ୟାଟ୍ସମ୍ୟାନଙ୍କ ବିଷୟରେ ମଧ୍ୟ ଚର୍ଚ୍ଚା ହୋଇଥାଏ।
ମହତ୍ୱାକାଂକ୍ଷୀ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ସମୂହରେ - ସମସ୍ତେ ପୁଅ ଥିବା ବେଳେ ଝିଅଟିଏ ଏକୁଟିଆ ଦେଖାଯାଏ। ସେହି ଝିଅଟି ହେଉଛି ମାତ୍ର ନଅ ବର୍ଷ ବୟସର ହିତାକ୍ଷୀ ରାହୁଲ ହରକିଶୀ ତା’ର ପତଳା ଶରୀରରେ ଜଂଘ ଓ କହୁଣୀର ଗାର୍ଡ ସୁରକ୍ଷିତ ଭାବେ ବନ୍ଧା ହୋଇଥିବା ବେଳେ ସେ ଧଳା ଜୋତା ଓ ବ୍ୟାଟିଂ ପ୍ୟାଡ୍ ପିନ୍ଧି ପ୍ରସ୍ତୁତ ରହିଛି ।
‘‘ମୁଁ ଜଣେ ବ୍ୟାଟ୍ସମ୍ୟାନ୍ ହେବାକୁ ଚାହୁଁଛି । ମେରେ କୋ ସବ୍ସେ ଅଛି ଲଗତି ହୈ ବ୍ୟାଟିଂ (ମୁଁ ବ୍ୟାଟିଂ କରିବାକୁ ସବୁଠୁ ବେଶୀ ଭଲ ପାଏ),’’ ସେ ପରୀକୁ କୁହେ । ‘‘ ମେଁ ଇଣ୍ଡିଆ କେ ଲିୟେ ଖେଲନା ଚାହୁଙ୍ଗୀ (ମୁଁ ଭାରତ ପାଇଁ ଖେଳିବାକୁ ଚାହୁଁଛି),’’ ସେ ଘୋଷଣା କରେ। କଥା ହେବାକୁ ହିତାକ୍ଷୀ ବିଶେଷ ଆଗ୍ରହୀ ନୁହେଁ, ବରଂ ସେ କ୍ରିଜ୍ରେ ଛିଡ଼ା ହୋଇ ତାଙ୍କର ଖେଳ ଦେଖାଇବାକୁ ପସନ୍ଦ କରେ। ଟାଣ ପିଚ୍ ଉପରେ ଆଗକୁ ବଢ଼ି ସେ କିଛି ବଲ୍ ଚେନ୍ ଲାଗିଥିବା ବାଡ଼ ବା ନେଟ୍ ଆଡ଼କୁ ମାରେ।
ହିତାକ୍ଷୀ ଭାରତ ପାଇଁ ଖେଳିବାକୁ ଚାହୁଁଛି ଏବଂ ଏଥିରେ ତା’ର ବାପା ତଥା ତା’ର ପ୍ରଶିକ୍ଷକ ତା’କୁ ସହଯୋଗ କରୁଛନ୍ତି। ସେ ନିଜର ଦୈନନ୍ଦିନ କାର୍ଯ୍ୟସୂଚୀ ବିଷୟରେ ସୂଚନା ଦେଇ କୁହେ: ‘‘ସ୍କୁଲ୍ରୁ ଘରକୁ ଆସିବା ପରେ ମୁଁ ଗୋଟିଏ ଘଣ୍ଟା ବିଶ୍ରାମ ନିଏ। ତା’ପରେ ମୁଁ ଦ୍ୱିପ୍ରହର ୪ଟାରୁ ରାତି ଆଠଟା ପର୍ଯ୍ୟନ୍ତ ତାଲିମ ନେଇଥାଏ।’’ ଆଜି ଭଳି ଛୁଟି ଦିନରେ ଓ ସପ୍ତାହନ୍ତରେ, ସେ ମଧ୍ୟ ସକାଳ ସାଢ଼େ ୭ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଅଭ୍ୟାସ କରିଥାଏ।
‘‘ଆଜକୁ ୧୪ ମାସ ହେଲାଣି ଆମେ ତାଲିମ୍ ନେଇ ଆସୁଛୁ। ତା’ର ସହିତ ମୋର ମଧ୍ୟ ତାଲିମ ଦରକାର,’’ ତା’ ବାପା ରାହୁଲ ହରକିଶୀ ଜାନୁଆରୀ ୨୦୨୪ରେ ପରୀ ସହ କଥା ହୋଇ କୁହନ୍ତି। ରାଜସ୍ଥାନର ବାଂଶୱାଡ଼ା ଜିଲ୍ଲାର ଡୁଙ୍ଗ୍ରା ବଡ଼ାରେ ତାଙ୍କର ଏକ ଗାଡ଼ି ଗ୍ୟାରେଜ୍ ଅଛି। ଝିଅର ସାମର୍ଥ୍ୟକୁ ନେଇ ସେ ଗର୍ବ ଓ ଆତ୍ମବିଶ୍ୱାସର ସହିତ କୁହନ୍ତି, ‘‘ ଶାନ୍ଦାର ପ୍ଲେଇଂ ହୈ (ସେ ପ୍ରକୃତରେ ଭଲ ଖେଳୁଛି)। ବାପା ଭାବେ, ମୁଁ ତା’ପ୍ରତି କଠୋର ହେବା ଅନୁଚିତ୍। କିନ୍ତୁ ମୋତେ ସେମିତି ହେବାକୁ ପଡ଼ୁଛି।’’
‘ଶାନ୍ଦାର ପ୍ଲେଇଂ ହୈ (ସେ ପ୍ରକୃତରେ ଭଲ ଖେଳିଥାଏ)’ ତା’ର ବାପା ରାହୁଲ ହରକିଶୀ କୁହନ୍ତି ଯିଏକି ପୂର୍ବରୁ ଜଣେ କ୍ରିକେଟର୍ ଥିଲେ ଏବଂ ଏବେ ହିତାକ୍ଷୀର କୋଚ୍ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି
ହିତାକ୍ଷୀର ବାପା ମା’ ତା’ ପାଇଁ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ସୁନିଶ୍ଚିତ କରୁଛନ୍ତି । ‘‘ସପ୍ତାହକୁ ଚାରି ଥର ଆମେ ଅଣ୍ଡା ଖାଉ। ଆମେ ମାଂସ ମଧ୍ୟ ଖାଉ,’’ ରାହୁଲ ସୂଚନା ଦିଅନ୍ତି । ‘‘ପ୍ରତ୍ୟେକ ଦିନ ସେ ଦୁଇ ଗିଲାସ କ୍ଷୀର ସହିତ କାକୁଡ଼ି ଓ ଗାଜର ମିଶା ସାଲାଡ଼ ଖାଏ।’’
ହିତାକ୍ଷୀର ଖେଳରେ ତା’ର ପ୍ରୟାସ ଦେଖିବାକୁ ମିଳିଥାଏ। ଜିଲ୍ଲାସ୍ତରରେ ଖେଳୁଥିବା ଡୁଙ୍ଗ୍ରା ଛୋଟାର ଦୁଇ ଜଣ ବଡ଼ ପିଲା ଶିବମ ଲବାନା (୧୮) ଓ ଆଶୀଷ ଲବାନା (୧୫) ଙ୍କ ସହିତ ସେ ଅଭ୍ୟାସ କରିଥାଏ। ଉଭୟ ବୋଲର୍ ଏବଂ ଗତ ୪-୫ ବର୍ଷ ହେବ ଲବାନା ପ୍ରିମିୟର ଲିଗ୍ରେ ଖେଳି ଆସୁଛନ୍ତି, ଯେଉଁଠି ଲବାନା ସମ୍ପ୍ରଦାୟର ୬୦ରୁ ଅଧିକ ଦଳ ପରସ୍ପର ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି।
‘‘ଆମେ ପ୍ରଥମେ ଯେତେବେଳେ ଏଲପିଏଲରେ ଭାଗ ନେଇଥିଲୁ, ସେତେବେଳେ କେବଳ ଆମେ ଦୁଇ ଜଣ ପିଲା ଥିଲୁ। ଆମ ପାଖରେ ରାହୁଲ ଭେୟା (ହିତାକ୍ଷୀଙ୍କ ବାପା) କୋଚ୍ ନଥିଲେ,’’ ଶିବମ କହିଥାଏ। ‘‘ଗୋଟିଏ ମ୍ୟାଚ୍ରେ ମୁଁ ପାଞ୍ଚ ୱିକେଟ୍ ନେଇଥିଲି।’’
ବର୍ତ୍ତମାନ ରାହୁଲଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ହିତାକ୍ଷୀ କ୍ଲବ୍ ପକ୍ଷରୁ ସେମାନେ ମଧ୍ୟ ଖେଳୁଛନ୍ତି। ‘‘ଆମେ ତା’କୁ (ହିତାକ୍ଷୀ)କୁ ତାଲିମ ଦେଉଛୁ,’’ ଶିବମ୍ କହିଥାଏ। ‘‘ସେ ଆମ ଦଳ ପକ୍ଷରୁ ପଦାର୍ପଣ ମ୍ୟାଚ୍ ଖେଳୁ ବୋଲି ଆମେ ଚାହୁଁଛୁ। ଆମ ସମ୍ପ୍ରଦାୟର ଝିଅମାନେ (କ୍ରିକେଟ୍) ଖେଳନ୍ତି ନାହିଁ, ତେଣୁ ସେ ଖେଳିଲେ ଭଲ ହେବ ବୋଲି ଆମେ ଭାବୁଛୁ।’’
କ୍ରିକେଟ୍ ଖେଳର ଏତେ ଲୋକପ୍ରିୟତା ସତ୍ତ୍ୱେ, ଅଧିକାଂଶ ପରିବାର ସେମାନଙ୍କ ପିଲାଙ୍କୁ ଖେଳିବା ପାଇଁ ଛାଡ଼ିବାକୁ କୁଣ୍ଠାବୋଧ କରନ୍ତି। ଶିବମ୍ ନିଜର ଜଣେ ୧୫ ବର୍ଷର ଦଳୀୟ ସାଥୀର ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ କହିଥାଏ, ‘‘ସେ ବହୁବାର ରାଜ୍ୟ ସ୍ତରରେ ଖେଳିଛି ଏବଂ ଆଗକୁ ଖେଳିବା ପାଇଁ ଚାହୁଁଛି କିନ୍ତୁ ଖେଳ ଛାଡ଼ିଦେବାକୁ କହୁଛି। ତା’ ପରିବାର ବୋଧେ ତା’କୁ କୋଟା ପଠେଇ ଦେବେ।’’ କୋଚିଂ କ୍ଲାସ୍ ଓ ଉଚ୍ଚ ଶିକ୍ଷାର ପର୍ଯ୍ୟାୟବାଚୀ ପାଲଟିଥିବା କୋଟା କ୍ରିକେଟ୍ ଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବୋଲି ପ୍ରତୀୟମାନ ହୁଏ।
ହିତାକ୍ଷୀର ଭାଗ୍ୟ ଭଲ କାରଣ ତା’ର ବାପା-ମା’ ଭିନ୍ନ ସ୍ୱପ୍ନ ଦେଖୁଛନ୍ତି ବୋଲି ଉଲ୍ଲେଖ କରି ତା’ର ଆଉ ଜଣେ ଯୁବ ସାଥୀ ଖେଳାଳୀ କହିଥାଏ, ‘‘ ଉନକା ଡ୍ରିମ୍ ହୈ ଉସକୋ ଆଗେ ଭେଜେଙ୍ଗ (ତା’କୁ ଆଗକୁ ଖେଳାଇବା ପାଇଁ ସେମାନଙ୍କର ସ୍ୱପ୍ନ ରହିଛି)।’’
ହିତାକ୍ଷୀର ମା’ ଶିଲା ହରକିଶୀ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା ଜଣେ ହିନ୍ଦୀ ଶିକ୍ଷୟିତ୍ରୀ। ତାଙ୍କ ପରିବାରର ଅନ୍ୟମାନଙ୍କ ଭଳି ସେ ମଧ୍ୟ ଜଣେ ବଡ଼ କ୍ରିକେଟ ପ୍ରଶଂସକ। ‘‘ଭାରତୀୟ କ୍ରିକେଟ ଦଳର ସବୁ ଖେଳାଳୀଙ୍କ ନାଁ ମୁଁ ଜାଣିଛି ଏବଂ ମୁଁ ସମସ୍ତଙ୍କୁ ଚିହ୍ନି ପାରିବି । ଯଦିଓ ମୁଁ ରୋହିତ ଶର୍ମାଙ୍କୁ ଅଧିକ ପସନ୍ଦ କରିଥାଏ,’’ ସେ ସ୍ମିତ ହସି କୁହନ୍ତି।
ଜଣେ ଶିକ୍ଷୟିତ୍ରୀ ଭାବେ ନିଜ କାମ ବ୍ୟତୀତ ସେ ଗ୍ୟାରେଜ୍ ମଧ୍ୟ ଚଳେଇ ଥା’ନ୍ତି ଯେଉଁଠି ଆମେ ତାଙ୍କୁ ଭେଟିଥିଲୁ। ‘‘ବର୍ତ୍ତମାନ, ରାଜସ୍ଥାନରୁ କ୍ରିକେଟ ଖେଳୁଥିବା ବେଶୀ ପୁଅ ଓ ଝିଅ ଆମ ପାଖରେ ନାହାନ୍ତି। ଆମ ଝିଅ ପାଇଁ ଆମେ ସାମାନ୍ୟ ଚେଷ୍ଟା କରିଛୁ ଏବଂ ଆମର ଚେଷ୍ଟା ଜାରି ରହିବ।’’
ନଅ ବର୍ଷ ବୟସ୍କା ହିତାକ୍ଷୀ ପାଇଁ ଆହୁରି ଅନେକ ବାଟ ଯିବାକୁ ବାକି ଅଛି କିନ୍ତୁ ‘‘ତାକୁ ଜଣେ କୁଶଳୀ କ୍ରିକେଟର୍ ରୂପେ ପରିଣତ କରିବା ଲାଗି ଆବଶ୍ୟକ ସବୁକିଛି’’ କରିବା ପାଇଁ ତା’ର ବାପା-ମା’ ପ୍ରସ୍ତୁତ ଅଛନ୍ତି ।
‘‘ଭବିଷ୍ୟତରେ କ’ଣ ହେବ ମୁଁ ଜାଣେ ନାହିଁ,’’ ରାହୁଲ କୁହନ୍ତି । ‘‘କିନ୍ତୁ ଜଣେ ପିତା ଓ ଜଣେ ଭଲ କ୍ରିଡାବିତ୍ ଭାବେ, ମୁଁ ଏହା ନିଶ୍ଚିତ ଭାବେ କହିପାରିବି ଯେ ଆମେ ତା’କୁ ଭାରତୀୟ ଦଳରେ ଖେଳୁଥିବା ଦେଖିବୁ।’’
ଅନୁବାଦ : ଓଡ଼ିଶାଲାଇଭ୍