୧୯୫୧-୫୨ରେ ଭାରତର ସର୍ବପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମତଦାନ ଦିନ ସକାଳେ ଖଦଡ଼ ଧଳା କୁର୍ତ୍ତା ପିନ୍ଧି ଭୋଟ୍ ଦେବାକୁ ଯାଇଥିବା ଖ୍ୱାଜା ମୋଇନୁଦ୍ଦିନଙ୍କର ଏବେ ବି ମନେ ଅଛି । ସେତେବେଳେ ତାଙ୍କ ବୟସ ୨୦ ବର୍ଷ ଥିଲା ଏବଂ ସେ ନିଜର ଉତ୍ସାହକୁ ନିୟନ୍ତ୍ରଣ କରିପାରୁନଥିଲା, ନିଜର ଛୋଟ ସହର ସାରା ବୁଲି ସେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ, ନୂଆ କରି ସ୍ୱାଧୀନ ହୋଇଥିବା ଗଣତନ୍ତ୍ରରେ ଜାରି ରହିଥିବା ଉତ୍ସବରେ ମୁକ୍ତ ଭାବେ ନିଶ୍ୱାସ ନେଉଥିଲେ।
ଏବେ ୭୨ ବର୍ଷ ପରେ, ମୋଇନ ତାଙ୍କ ଜୀବନର ଦଶମ ଦଶନ୍ଧିରେ ପହଞ୍ଚିଛନ୍ତି । ୧୩ ମଇ ୨୦୨୪ ସକାଳେ ସେ ପୁଣିଥରେ ଖଦଡ଼ ଧଳା କୁର୍ତ୍ତା ପିନ୍ଧି ସେ ବାହାରିପଡ଼ିଥିଲେ। କିନ୍ତୁ ଏଥର ସେ ଆଶାବାଡ଼ି ସହାୟତାରେ ମତଦାନ କେନ୍ଦ୍ର ପାଖରେ ପହଞ୍ଚିଥିଲେ। ତାଙ୍କ ପାଦରେ ପୂର୍ବଭଳି ଚଞ୍ଚଳତା ନଥିଲା, ଠିକ୍ ସେମିତି ମତଦାନ ଦିନର ଉତ୍ସବ ପରିବେଶ ମଧ୍ୟ ନଷ୍ଟ ହୋଇଯାଇଥିଲା।
‘‘ତବ୍ ଦେଶ୍ ବନାନେ କେ ଲିୟେ ଭୋଟ୍ କିୟା ଥା, ଆଜ୍ ଦେଶ ବଚାନେ କେ ଲିୟେ ଭୋଟ୍ କର୍ ରହେ ହୈ (ସେତେବେଳେ ମୁଁ ଦେଶ ଗଢ଼ିବା ପାଇଁ ଭୋଟ୍ ଦେଇଥିଲି, ଆଜି ମୁଁ ଏହାକୁ ବଞ୍ଚାଇବା ପାଇଁ ଭୋଟ୍ ଦେଲି),’’ ମହାରାଷ୍ଟ୍ରର ବୀଡ୍ ସହରରେ ପରୀ ସହ କଥା ହୋଇ ସେ କୁହନ୍ତି।
୧୯୩୨ ମସିହାରେ ବୀଡ୍ ଜିଲ୍ଲାର ଶିରୁର୍ କାସାର ତହସିଲରେ ଜନ୍ମ ଗ୍ରହଣ କରିଥିବା ମୋଇନ୍ ତହସିଲ ଅଫିସରେ ଜଣେ ଚୌକିଦାର (ଜଗୁଆଳି) ଭାବେ କାମ କରିଥିଲେ। କିନ୍ତୁ ୧୯୪୮ରେ, ତତ୍କାଳୀନ ପ୍ରାଦେଶିକ ରାଜ୍ୟ ହାଇଦ୍ରାବାଦର ବିଲୟ ସମୟରେ ହୋଇଥିବା ହିଂସାରୁ ରକ୍ଷା ପାଇବା ଲାଗି ତାଙ୍କୁ ପାଖାପାଖି ୪୦ କିଲୋମିଟର ଦୂର ବୀଡ୍ ସହରକୁ ପଳାୟନ କରିବାକୁ ପଡ଼ିଲା।
୧୯୪୭ରେ ରକ୍ତାକ୍ତ ବିଭାଜନ ପରେ, ତିନୋଟି ପ୍ରାଦେଶିକ ରାଜ୍ୟ ହାଇଦ୍ରାବାଦ, କାଶ୍ମୀର ଓ ଟ୍ରାଭାଙ୍କେର ଭାରତରେ ବିଲୟକୁ ବିରୋଧ କରିଥିଲେ। ହାଇଦ୍ରାବାଦର ନିଜାମ ଏକ ସ୍ୱାଧୀନ ରାଜ୍ୟ ଦାବି କଲେ ଯାହା ଭାରତ କିମ୍ବା ପାକିସ୍ତାନର ଅଂଶବିଶେଷ ହେବ ନାହିଁ । ମରାଠାୱାଡ଼ାର କୃଷି ପ୍ରାଧାନ୍ୟ କ୍ଷେତ୍ର ସେତେବେଳେ ହାଇଦ୍ରାବାଦ ରାଜ୍ୟର ଅଂଶବିଶେଷ ଥିଲା। ଏହି ଅଞ୍ଚଳ ଅଧୀନରେ ବୀଡ୍ ରହିଥିଲା।
ଭାରତୀୟ ସେନାବାହିନୀ ସେପ୍ଟେମ୍ବର ୧୯୪୮ରେ ହାଇଦ୍ରାବାଦରେ ପ୍ରବେଶ କଲା ଏବଂ ମାତ୍ର ଚାରି ଦିନରୁ କମ୍ ସମୟ ମଧ୍ୟରେ ନିଜାମଙ୍କୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରିଥିଲା। ତେବେ ସୁନ୍ଦରଲାଲ କମିଟି ରିପୋର୍ଟ ନାମକ ଏକ ଗୋପନୀୟ ରିପୋର୍ଟକୁ କିଛି ଦଶନ୍ଧି ପରେ ସାର୍ବଜନୀନ କରାଯାଇଥିଲା। ଏହି ରିପୋର୍ଟ ଅନୁଯାୟୀ, ଏହି ଅଭିଯାନ ସମୟରେ ଏବଂ ପରେ ଅତିକମରେ ୨୭,୦୦୦ ରୁ ୪୦,୦୦୦ ମୁସଲିମ ସେମାନଙ୍କର ଜୀବନ ହରାଇଥିଲେ, ମୋଇନଙ୍କ ଭଳି କିଶୋରମାନଙ୍କୁ ପ୍ରାଣ ବଞ୍ଚାଇ ଲୁଚି ପଳାଇବାକୁ ପଡ଼ିଥିଲା।
‘‘ମୋ ଗାଁରେ ଥିବା କୂଅ ଶବରେ ଭରିଯାଇଥିଲା,’’ ସେ ସ୍ମରଣ କରି କୁହନ୍ତି। ‘‘ଆମେ ବୀଡ୍ ସହରକୁ ପଳାୟନ କରିଥିଲୁ। ସେବେଠାରୁ ଏହା ମୋର ଘର ହୋଇ ରହିଆସିଛି।’’









