ଅଲୀ ମହମ୍ମଦ ଲୋନ୍ କୁହନ୍ତି ଯେ କେନ୍ଦ୍ର ବଜେଟ୍ ‘‘ଅଧିକାରୀମାନଙ୍କ ପାଇଁ।’’ ତାଙ୍କ କହିବାର ଅର୍ଥ ହେଉଛି ସରକାରୀ ଲୋକ କିମ୍ବା ସରକାରୀ କର୍ମଚାରୀଙ୍କୁ ନେଇ ମଧ୍ୟବିତ୍ତ ବର୍ଗ ଗଠନ କରାଯାଇଛି। ଆଉ ଏଥିରୁ ଏହା ମଧ୍ୟ ଜଣାପଡ଼ିଥାଏ ଯେ, ଏହି ବଜେଟ୍ ତାଙ୍କ ଭଳି ଲୋକଙ୍କ ପାଇଁ ନୁହେଁ ବୋଲି କାଶ୍ମୀର ବାରାମୁଲ୍ଲା ଜିଲ୍ଲାର ଗୋଟିଏ ଛୋଟ ବେକରୀ ଦୋକାନ ମାଲିକ ବୁଝିସାରିଛନ୍ତି।
‘‘ମୁଁ ୫୦ କିଲୋଗ୍ରାମ ଅଟା ବସ୍ତାକୁ ୨୦୨୪ରେ ୧୪୦୦ ଟଙ୍କା ଦେଇ କିଣୁଥିଲି, ଯାହାର ଦାମ୍ ବର୍ତ୍ତମାନ ୨,୨୦୦ ଟଙ୍କାରେ ପହଞ୍ଚିଛି,’’ ତଙ୍ଗମାର୍ଗ ବ୍ଲକର ମହୀନ ଗାଁରେ ଆମ ସହ କଥା ହୋଇ ଏହି ୫୨ ବର୍ଷ ବୟସ୍କ ପାଉଁରୁଟି ନିର୍ମାତା କୁହନ୍ତି। ‘‘ଯଦି ବଜେଟରେ ଦରଦାମ କମାଇବା ଭଳି କିଛି ବ୍ୟବସ୍ଥା ଥାଆନ୍ତା, ତା’ହେଲେ ସେଥିରେ ମୋର ଆଗ୍ରହ ଥାଆନ୍ତା; ଅନ୍ୟଥା, ଯେମିତି ମୁଁ କହିଲି, ଏ ବଜେଟ୍ ଅଧିକାରୀମାନଙ୍କ ପାଇଁ।’’
ଶ୍ରୀନଗରଠାରୁ ପାଖାପାଖି ୪୫ କିଲୋମିଟର ଦୂରରେ ଥିବା ମହୀନ ଗ୍ରାମ ତଙ୍ଗମର୍ଗ ଏବଂ ଦ୍ରାଙ୍ଗର ଶୀତକାଳୀନ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରହିଛି। ଏଠାରେ ପ୍ରାୟ ୨୫୦ ପରିବାର ରୁହନ୍ତି ଯେଉଁମାନେ ମୁଖ୍ୟତଃ ପର୍ଯ୍ୟଟନ ସହ ଜଡ଼ିତ କାର୍ଯ୍ୟକଳାପରେ ନିୟୋଜିତ ରହିଛନ୍ତି, ଯଥା ଘୋଡ଼ା ଭଡ଼ାରେ ଦେବା, ସ୍ଲେଜ୍ ଟାଣିବା ଏବଂ ଗାଇଡ୍ ସେବା ଯୋଗାଇଦେବା। ଶୀତୁଆ ପାଣିପାଗ କାରଣରୁ ମହୀନରେ ମୁଖ୍ୟତଃ ମକା ଉତ୍ପାଦନ ହୋଇଥାଏ।






