“ଆମ ଗାଁରେ ଝିଅମାନେ ଆଦୌ ସୁରକ୍ଷିତ ନୁହଁନ୍ତି । ରାତି ଆଠଟା କି ନଅଟା ପରେ ସେମାନେ ଘର ଛାଡ଼ି ଯାଆନ୍ତି ନାହିଁ,” କହନ୍ତି ଶୁକ୍ଳା ଘୋଷ । ପଶ୍ଚିମ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ କୁଆପୁର ଗାଁ ସନ୍ଦର୍ଭରେ ସେ ଏହା କହନ୍ତି । “ଝିଅମାନେ ଭୟଭୀତ ଅବସ୍ଥାରେ ରହନ୍ତି । ହେଲେ, ସେମାନେ ମଧ୍ୟ ପ୍ରତିରୋଧ ଓ ପ୍ରତିବାଦର ଆବଶ୍ୟକତାକୁ ଅନୁଭବ କରନ୍ତି ।”
ଗତ ସପ୍ତାହରେ କୋଲକାତାର ଆର୍.ଜି.କର ହସପିଟାଲରେ ଜଣେ ପ୍ରଶିକ୍ଷାର୍ଥୀ ଯୁବ ଡାକ୍ତରଙ୍କୁ ନୃଶଂସ ଭାବରେ ଧର୍ଷଣ ପରେ ହତ୍ୟା କରାଯିବା ଘଟଣାର ପ୍ରତିବାଦ କରିବା ଲାଗି ସାରା ପଶ୍ଚିମବଙ୍ଗର ବିଭିନ୍ନ ଗାଁ ଓ ଛୋଟ ଛୋଟ ସହରରୁ ବହୁ ସଂଖ୍ୟାରେ ଆସିଥିବା ହଜାର ହଜାର କୃଷକ, କୃଷି ଶ୍ରମିକ ଏବଂ ଶ୍ରମିକଙ୍କ ସହିତ ସାମିଲ ହୋଇଥିଲେ ଘୋଷ ଏବଂ କୁଆପୁର ଗାଁର ଝିଅମାନେ ।
୨୦୨୪ ସେପଟେମ୍ବର ୨୧ ତାରିଖ ଦିନ କେନ୍ଦ୍ରୀୟ କୋଲକାତାର କଲେଜ ଷ୍ଟ୍ରୀଟରୁ ବାହାରିଥିବା ଏହି ପ୍ରତିବାଦ ପଦଯାତ୍ରା, ସେଠାରୁ ପ୍ରାୟ ୩.୫ କିଲୋମିଟର ଦୂର ଶ୍ୟାମବଜାର ଆଡ଼କୁ ଆଗେଇବା ଆରମ୍ଭ କରିଥିଲା ।
ପ୍ରତିବାଦକାରୀଙ୍କ ବିଭିନ୍ନ ଦାବିରେ ସାମିଲ ଥିଲା ତୁରନ୍ତ ନ୍ୟାୟ ପ୍ରଦାନ, ଅପରାଧୀମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି, କୋଲକାତା ପୋଲିସ କମିଶନରଙ୍କ ଇସ୍ତଫା (ପ୍ରତିବାଦକାରୀ ଡାକ୍ତରମାନେ ମଧ୍ୟ ଏହି ଦାବି କରିଥିଲେ ଏବଂ ସରକାର ଏହାକୁ ଗ୍ରହଣ କରିନେଇଥିଲେ), ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଏବଂ ଗୃହ ଓ ପାର୍ବତ୍ୟ କ୍ଷେତ୍ର ବ୍ୟାପାର ବିଭାଗ ଦାୟିତ୍ୱକୁ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା।












