‘‘ମୁଁ ଏମିତି ସିକ୍ସ ପ୍ୟାକ୍‌ ଆବ୍ସ ପାଇଛି, କେବେ ଏକ୍ସର୍‌ସାଇଜ୍‌ କରି ନାହିଁ। ଆଉ ଶହବାଜ୍‌ଙ୍କ ବାଇସେପ୍ସକୁ ଦେଖନ୍ତୁ!’’ ଯୁବ ଆଦିଲ ନିଜ ସହକର୍ମୀଙ୍କ ଆଡ଼କୁ ଇସାରା କରି ହସି ହସି କୁହନ୍ତି।

ମହମ୍ମଦ ଆଦିଲ ଓ ଶହବାଜ ଅନ୍ସାରୀ ମେରଠର ଜିମ୍‌ ଓ ଫିଟନେସ୍‌ ସରଞ୍ଜାମ କାରଖାନାରେ କାମ କରନ୍ତି ଏବଂ ଗୋଟିଏ ଦିନରେ ସେମାନେ ଯେତେ ଓଜନ ଉଠାଇଥା’ନ୍ତି, ସେତିକି ଓଜନ ଜିମ୍‌ ଯାଉଥିବା ଲୋକମାନେ ଗୋଟିଏ ସପ୍ତାହରେ ଉଠାଇଥାନ୍ତି। ହେଲେ କୌଣସି ଫିଟନେସ୍‌ ଲକ୍ଷ୍ୟ ପୂରଣ କରିବା ପାଇଁ ସେମାନେ ଏହି ଓଜନ ଉଠାଇ ନଥା’ନ୍ତି, ବରଂ ଉତ୍ତର ପ୍ରଦେଶର ମେରଠ ସହରରେ ରହୁଥିବା ମୁସଲିମ୍‌ ପରିବାରର ଯୁବକଙ୍କ ପାଇଁ ଏହା ରୋଜଗାର ସାଧନ। ପ୍ରକୃତରେ ପଶ୍ଚିମ ଉତ୍ତରପ୍ରଦେଶର ଏହି ଜିଲ୍ଲା କ୍ରୀଡ଼ା ସାମଗ୍ରୀ ଉତ୍ପାଦନର କେନ୍ଦ୍ରସ୍ଥଳୀ।

ମହମ୍ମଦ ସାକିବ୍‌ କୁହନ୍ତି, ‘‘କିଛି ଦିନ ପୂର୍ବରୁ ପିଲାମାନେ ସେମାନଙ୍କ ବାଇସେପ୍ସ ଓ ଆବ୍ସ (ପେଟର ମାଂସପେଶୀ)କୁ ତୁଳନା କରିବା ଲାଗି ଫଟୋ ଉଠାଉଥିଲେ।’’ ୩୦ ବର୍ଷ ବୟସ୍କ ଉଦ୍ୟୋଗୀ ସାକିବ ସୁରଜକୁଣ୍ଡ ରୋଡରେ ନିଜ ପରିବାର ଲୋକଙ୍କ ଦ୍ୱାରା ଭଡ଼ାରେ ନିଆଯାଇଥିବା ଜିମ୍‌ ଉପକରଣ ଶୋ’ରୁମ୍‌ କାଉଣ୍ଟରରେ ବସିଛନ୍ତି। ସୁରଜକୁଣ୍ଡ ରୋଡରେ ଗୋଟିଏ କିଲୋମିଟର ଅଞ୍ଚଳ ମେରଠରେ କ୍ରୀଡ଼ା ସହ ଜଡ଼ିତ ସାମଗ୍ରୀ ବଜାରର ମୁଖ୍ୟ କେନ୍ଦ୍ର ଅଟେ।

ସେ ଆହୁରି କୁହନ୍ତି, ‘‘ଗୃହିଣୀ ବ୍ୟବହାର କରୁଥିବା ସାଧାରଣ ଡମ୍ବଲଠାରୁ ଆରମ୍ଭ କରି ପେସାଦାର ଖେଳାଳୀ ବ୍ୟବହାର କରୁଥିବା ଜିମ୍‌ ସେଟଅପ୍‌ ପର୍ଯ୍ୟନ୍ତ, ଆଜିକାଲି ସମସ୍ତଙ୍କ ଜିମ୍‌ ଓ ଫିଟନେସ୍‌ ସାମଗ୍ରୀ ଦରକାର।’’

ଆମେ କଥା ହେବା ସମୟରେ ଲୁହା ଛଡ଼ ଏବଂ ପାଇପ୍‌ ବ୍ୟତୀତ ହୋମ୍‌ ଜିମ୍‌ ଓ ଲୁହା ବାର୍‌ ଭଳି ପ୍ରସ୍ତୁତ ହୋଇଥିବା ମାଲ୍‌ ଲଦି ଅନେକଗୁଡ଼ିଏ ଇଲେକ୍ଟ୍ରିକ୍‌ ତିନି ଚକିଆ ବାହନ (ସ୍ଥାନୀୟ ଲୋକମାନେ ଏହାକୁ ମିନି ମେଟ୍ରୋ କୁହନ୍ତି) ଏହି ବ୍ୟସ୍ତ ସଡ଼କ ଦେଇ ଚାଲି ଗଲେ। ସାକିବ୍‌ ଶୋ’ରୁମ୍‌ କାଚ କବାଟ ଦେଇ ଏହି ଗମନାଗମନକୁ ଦେଖି କୁହନ୍ତି, ‘‘ଜିମ୍‌ ମେସିନ୍‌ଗୁଡ଼ିକ ଅନେକ ଭାଗରେ ତିଆରି ହୋଇଥାଏ ଏବଂ ତା’ପରେ ଆସେମ୍ବଲ କରାଯାଇଥାଏ।’’

Left: Mohammad Saqib at their rented gym equipment showroom on Suraj Kund Road in Meerut city .
PHOTO • Shruti Sharma
Right: Uzaif Rajput, a helper in the showroom, demonstrating how a row machine is used
PHOTO • Shruti Sharma

ବାମ : ମେରଠର ସୁରଜକୁଣ୍ଡ ରୋଡରେ ମହମ୍ମଦ ସାକିବ୍‌ ଙ୍କ ଜିମ୍‌ ଉପକରଣ ଶୋ’ରୁମ୍‌, ଯାହାକୁ ସେ ଭଡ଼ାରେ ନେଇଛନ୍ତି। ଡାହାଣ : ଶୋ’ରୁମ୍‌ରେ ସହାୟକ ଭାବେ କାର୍ଯ୍ୟରତ ଉଜୈଫ ରାଜପୁତ ମେସିନ୍‌ କିଭଳି ବ୍ୟବହାର କରାଯାଏ ତାହା ଦେଖାଉଛନ୍ତି

ଲୁହା କାମରେ ମେରଠର କେନ୍ଦ୍ରୀୟ ଭୂମିକା ନୂଆ ନୁହେଁ। ପରୀକୁ ସାକିବ୍‌ କହିଥା’ନ୍ତି, ‘‘ଏ ସହର ନିଜ ଲୁହା କଇଁଚି ପାଇଁ ସାରା ଦୁନିଆରେ ପ୍ରସିଦ୍ଧ।’’ ୨୦୧୩ ମସିହାରେ ପ୍ରାୟ ତିନି ଶତାବ୍ଦୀ ପୁରୁଣା ମେରଠ କଇଁଚି ଉଦ୍ୟୋଗକୁ ଜିଆଇ ଟ୍ୟାଗ୍‌ ମିଳିଥିଲା।

ତେବେ, ମେରଠରେ ଜିମ୍‌ ଉପକରଣ ନିର୍ମାଣ ଅଧିକ ପୁରୁଣା ନୁହେଁ। ଏହି କାମ ୧୯୯୦ ଦଶକ ପ୍ରାରମ୍ଭିକ ସମୟରେ ଆରମ୍ଭ ହୋଇଥିଲା। ସାକିବ୍‌ କୁହନ୍ତି, ‘‘କିଛି ପଞ୍ଜାବୀ ଏବଂ କିଛି ଲୋକାଲ ଫାର୍ମ ଚଳାଉଥିବା ଉଦ୍ୟୋଗୀମାନେ ପ୍ରଥମେ ଏହି କ୍ଷେତ୍ରରେ କାମ ଆରମ୍ଭ କରିଥିଲେ। ଲୁହା କାମ କରୁଥିବା କାରୀଗରମାନେ ପୂର୍ବରୁ ଏଠାରେ ଥିଲେ। ରିସାଇକିଲ୍‌ କରାଯାଇଥିବା ଆୟରନ୍‌ ପାଇପ, ରଡ୍‌, ଶିଟ୍‌, ଆଦି ଭଳି ଜିମ୍‌ ଉପକରଣ ତିଆରିରେ ବ୍ୟବହୃତ କଞ୍ଚା ମାଲ୍‌ ଖୁବ୍‌ ସହଜରେ ସହରର ଲୁହା ମଣ୍ଡି (ପାଇକାରୀ କଞ୍ଚାମାଲ୍‌ ବଜାର) ମିଳିଯାଉଥିଲା।’’

ଅଧିକାଂଶ କମାର ଓ ଲୁହା କାମ କରୁଥିବା ଶ୍ରମିକ (ଲୋହେ କି ଢଲାଇ କରନେ ୱାଲେ) ମୁସଲମାନ ଏବଂ ସେମାନଙ୍କ ପରିବାରର ଆୟ ଖୁବ କମ୍‌। ‘‘ଖୁବ୍‌ କମ୍‌ ବୟସରୁ ପରିବାରରୁ ସବୁଠୁ ବଡ଼ ପୁଅକୁ ତାଲିମ ଦିଆଯାଏ,’’ ସାକିବ୍‌ କୁହନ୍ତି। ‘‘ସୈଫି/ଲୋହାର୍‌ (ଅନ୍ୟ ପଛୁଆ ବର୍ଗ) ଉପଜାତିର ସଦସ୍ୟମାନଙ୍କୁ ଏହି ବେଉସାରେ ଖୁବ୍‌ ଦକ୍ଷ ବୋଲି ବିବେଚନା କରାଯାଏ,’’ ସେ କହିଥାନ୍ତି। ସାକିବ୍‌ଙ୍କ ପରିବାର ଅନ୍ସାରୀ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାଏ, ଯାହାକି ବୁଣାକାରମାନଙ୍କର ଏକ ମୁସଲିମ୍‌ ଉପଜାତି, ସେମାନଙ୍କୁ ରାଜ୍ୟରେ ଓବିସି ରୂପରେ ତାଲିକାଭୁକ୍ତ କରାଯାଇଛି ।

ସାକିବ୍‌ କୁହନ୍ତି, ‘‘ମୁସ୍‌ଲିମ୍‌ ବହୁଳ ଇଲାକା ଯଥା ଇସଲାମାବାଦ, ଜାକିର ହୁସେନ୍‌ କଲୋନୀ, ଲିସାଡି ଗେଟ୍‌ ଏବଂ ଜୈଦୀ ଫାର୍ମ ଭଳି ଅଞ୍ଚଳରେ ଆପଣଙ୍କୁ ଅନେକ ୟୁନିଟ୍‌ ମିଳିଯିବ।’’ ମେରଠ୍‌ ଜିଲ୍ଲାରେ ମୁସଲିମ୍‌ ଜନସଂଖ୍ୟା ପ୍ରାୟ ୩୪ ପ୍ରତିଶତ, ଯାହାକି ରାଜ୍ୟରେ ସପ୍ତମ ସର୍ବାଧିକ (ଜନଗଣନା ୨୦୧୧) ଅନୁଯାୟୀ।

କେବଳ ମେରଠରେ ଅଧିକ ମୁସଲିମ୍‌ ଲୁହା କାରୀଗର ମିଳନ୍ତି ନାହିଁ । ଭାରତର ମୁସଲିମ ସମ୍ପ୍ରଦାୟଙ୍କ ସାମାଜିକ, ଆର୍ଥିକ ଓ ଶିକ୍ଷାଗତ ସ୍ଥିତି ଉପରେ ୨୦୦୬ର ରିପୋର୍ଟ ( ସଚର କମିଟି ରିପୋର୍ଟ ) ଅନୁସାରେ, ତିନୋଟି ଉତ୍ପାଦନ ବର୍ଗରେ ଫେବ୍ରିକେଟେଡ୍‌ ଧାତବ ଉତ୍ପାଦ କ୍ଷେତ୍ରରେ ଅପେକ୍ଷାକୃତ ଅଧିକ ମୁସଲମାନ ଲୋକମାନେ କାମ କରିଥା’ନ୍ତି।

Asim and Saqib in their factory at Tatina Sani. Not just Meerut city, but this entire district in western UP is a hub for sports goods’ production
PHOTO • Shruti Sharma
Asim and Saqib in their factory at Tatina Sani. Not just Meerut city, but this entire district in western UP is a hub for sports goods’ production
PHOTO • Shruti Sharma

ତତୀନା ସାନୀରେ ନିଜ କାରଖାନାରେ ଉପସ୍ଥିତ ଆସିମ ଓ ସାକିବ୍‌ । କେବଳ ମେରଠ ସହର ନୁହେଁ, ବରଂ ପଶ୍ଚିମ ଉତ୍ତର ପ୍ରଦେଶର ଏହି ସମ୍ପୂର୍ଣ୍ଣ ଜିଲ୍ଲା କ୍ରୀଡ଼ା ସାମଗ୍ରୀର କେନ୍ଦ୍ର ଅଟେ

ସାକିବ୍‌ ଓ ତାଙ୍କ ଭାଇ ମହମ୍ମଦ ନାଜିମ୍‌ ଏବଂ ମହମ୍ମଦ ଆସିମ ଯେତେବେଳେ ସହରର ଲୁହା ଉଦ୍ୟୋଗରେ କାମ କରିବା ଆରମ୍ଭ କଲେ, ଉଭୟଙ୍କ ବୟସ ୩୦ ବର୍ଷ ପାଖାପାଖି ଥିଲା। ୨୦୦୦ ଦଶକର ପ୍ରାରମ୍ଭରେ ସେମାନେ ଛୋଟ ଥିବା ବେଳେ ସେମାନଙ୍କ ପିତାଙ୍କର ପାଇକାରୀ କପଡ଼ା ବ୍ୟବସାୟକୁ ଭାରୀ କ୍ଷତି ସହିବାକୁ ପଡ଼ିଥିଲା। ସେଥିପାଇଁ ସେମାନେ ଏହି କାମ ଆରମ୍ଭ କରିଥିଲେ।

ଆସିମ୍‌ ଅହମ୍ମଦ ନଗର ଅଞ୍ଚଳରେ ନିଜ ଘରେ ଡମ୍ବଲ ପ୍ଲେଟ୍‌ ତିଆରି ଆରମ୍ଭ କରିଥିଲେ, ଅନ୍ୟପଟେ ନାଜିମ ଗୋଟିଏ ଅଟୋ ପାର୍ଟସ୍‌ ତିଆରି କାରବାରରେ ନିୟୋଜିତ ହେଲେ। ସାକିବ୍‌ ମେଟାଲ୍‌ ଫେବ୍ରିକେସନ କାରଖାନାରେ କାରୀଗର ଫକରୁଦ୍ଦିନ ଅଲି ସୈଫୀଙ୍କ ସହାୟକ ଭାବେ କାମ କରିବାକୁ ଲାଗିଲେ। ସାକିବ୍‌ କୁହନ୍ତି, ‘‘ସେ ମୋତେ ଲୁହାର ଭିନ୍ନ ଭିନ୍ନ ଜିନିଷ ତିଆରି ଶିଖାଇଥିଲେ। ଲୁହାକୁ କାଟିବା, ଯୋଡ଼ିବା, ମୋଡ଼ିବା ଏବଂ ଏକାଠି ଆସେମ୍ବଲ କରି ଜିମ୍‌ ସାମଗ୍ରୀ, ଝୁଲେ (ଦୋଳି), ଜାଲି ଗେଟ୍ ତିଆରି ଆଦି ଶିଖାଇଥିଲେ।’’

ସହରରେ ଥିବା ଏ ତିନି ଭାଇଙ୍କ ଶୋ’ରୁମ୍‌ ଠାରୁ ପ୍ରାୟ ୯ କିଲୋମିଟର ଦୂର ଗୋଟିଏ ଛୋଟ ଜନବସତି ତତୀନା ସାନୀ ଗାଁରେ ସେମାନେ ନିଜର ଫିଟନେସ ଓ ଜିମ୍‌ ଉପକରଣ ତିଆରି କାରଖାନା ଚଳାଉଛନ୍ତି। ମେରଠ ଲୁହା ସାମଗ୍ରୀ ନିର୍ମାଣର ମଧ୍ୟ କେନ୍ଦ୍ରସ୍ଥଳୀ। ଲୁହାର ବିଭିନ୍ନ ଉପକରଣ, କଇଁଚି ଏବଂ ଲୁହା ଫର୍ଣ୍ଣିଚର ଭଳି ସାମଗ୍ରୀ ମେରଠ ଜିଲ୍ଲାରୁ (ଜନଗଣନା ୨୦୧୧) ରୁ ରପ୍ତାନି କରାଯାଉଥିବା ପ୍ରମୁଖ ସାମଗ୍ରୀ ମଧ୍ୟରେ ପରିଗଣିତ ହୋଇଥାଏ।

‘‘ମେରଠରେ ଲୁହା କାମ କରୁଥିବା ଅଗଣିତ କୁଶଳୀ ଶ୍ରମିକ ଅଛନ୍ତି ଯେଉଁମାନେ ମୋଠାରୁ ଅଧିକ ଜାଣିଛନ୍ତି। କିନ୍ତୁ ଫରକ ହେଉଛି ମୁଁ ଶ୍ରମିକରୁ ମାଲିକ ହୋଇପାରିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବର୍ତ୍ତମାନ ସୁଦ୍ଧା ମାଲିକ ହୋଇପାରିନାହାନ୍ତି,’’ ସାକିବ୍‌ କୁହନ୍ତି।

ତାଙ୍କର ଯାତ୍ରା ଗୋଟିଏ ସୁଯୋଗ କାରଣରୁ ସମ୍ଭବ ହୋଇପାରିଛି। ଭାଇମାନେ ସଞ୍ଚୟ କରିଥିବା ଟଙ୍କାରେ ସେ ମାଷ୍ଟର ଇନ୍‌ କମ୍ପ୍ୟୁଟର ଆପ୍ଲିକେସନ୍‌ (ଏମସିଏ) କରିପାରିଥିଲେ। ସାକିବ୍‌ କୁହନ୍ତି, ‘‘ନାଜିମ୍‌ ଏବଂ ଆସିଫ ଭାଇ ଡରୁଥିଲେ। କିନ୍ତୁ ସେମାନଙ୍କର ବିଶ୍ୱାସ ଥିଲା ଯେ ମୁଁ ଏମସିଏ କରି ଯାହା ଶିଖିପାରିଛି, ତାହା ଦ୍ୱାରା ମୁଁ ଜିମ୍‌ ଓ ଫିଟନେସ୍‌ କ୍ଷେତ୍ରରେ ନିଜର ବ୍ୟବସାୟ ଖୋଲିପାରିବି।’’

*****

Left: Metal pieces are cut, welded, buffed, finished, painted, powder-coated and packed in smaller parts which are later assembled and fitted together.
PHOTO • Shruti Sharma
Right : A band saw cutting machine used to slice solid iron cylindrical lengths into smaller weight plates
PHOTO • Shruti Sharma

ବାମ : ଧାତୁ ଖଣ୍ଡ କାଟି ୱେଲ୍ଡ, ବଫ୍‌, ଚିକ୍କଣ ଓ ରଙ୍ଗ କରିବା ପରେ ସେଗୁଡ଼ିକୁ ପାଉଡର କୋଟ୍‌ କରାଯାଇଥାଏ। ଏହାପରେ ସେଗୁଡ଼ିକୁ ଛୋଟ ଛୋଟ ଖଣ୍ଡ କରି ପ୍ୟାକ୍‌ କରାଯାଏ। ଶେଷରେ ଏକତ୍ରିତ କରି ଫିଟ୍‌ କରାଯାଇଥାଏ। ଡାହାଣ : ସିଲିଣ୍ଡର ଆକୃତିର ନିଦା ଲୁହାକୁ ଗୋଟିଏ ବ୍ୟାଣ୍ଡ ଆରି କାଟିବା ମେସିନ୍‌ ସହାୟତାରେ ଅଳ୍ପ ଓଜନର ଛୋଟ ପ୍ଲେଟ୍‌ରେ କଟାଯାଏ

The factory workers dressed in colourful t-shirts operate electric machines that radiate sparks when brought in contact with metal
PHOTO • Shruti Sharma

ରଙ୍ଗୀନ ଟି-ଶାର୍ଟ ପିନ୍ଧିଥିବା କାରଖାନା ଶ୍ରମିକମାନେ ବିଦ୍ୟୁତ ଚାଳିତ ମେସିନ୍‌ ଚଳାଉଛନ୍ତି, ଧାତୁ ସଂସ୍ପର୍ଶରେ ଆସିବା ପରେ ସେଥିରୁ ନିଆଁ ପିଣ୍ଡୁଳା ବାହାରୁଛି

ଆମେ କାରଖାନା ବୁଲି ଦେଖିବା ସମୟରେ ସାକିବ୍‌ କୁହନ୍ତି, ‘‘ଜିମ୍‌ ଉପକରଣ ତିଆରି କରିବା ଲାଗି ଧାତୁ ଖଣ୍ଡଗୁଡ଼ିକୁ କଟାଯାଏ, ୱେଲ୍ଡିଂ କରାଯାଏ, ବଫ୍‌, ଚିକ୍କଣ ଓ ପାଉଡର କୋଟିଂ କରିବା ପରେ ପ୍ୟାକିଂ କରାଯାଇଥାଏ। ଛୋଟ ଭାଗଗୁଡ଼ିକୁ ପରବର୍ତ୍ତୀ ସମୟରେ ଏକାଠି କରି ଫିଟିଂ କରାଯାଏ। ଶୀତତାପ ନିୟନ୍ତ୍ରିତ ସ୍ଥାନରେ ଫିଟ୍‌ ହୋଇ ରହିଥିବା ଫେନ୍ସି ଉପକରଣ ଦେଖୁଥିବା ଜଣେ ସାଧାରଣ ବ୍ୟକ୍ତି ଏସବୁ ଦେଖି କେଉଁ ଭାଗ ତିଆରି ହେଉଛି ତାହା ଜାଣିପାରିବ ନାହିଁ ।’’

ସେ ଯେଉଁ ଜିମ୍‌ ବିଷୟରେ କହୁଛନ୍ତି ତାହା ଆମେ ଉପସ୍ଥିତ ଥିବା କାରଖାନାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତିନୋଟି ପାଚେରୀ ଏବଂ ଉପରେ ଟିଣ ଶେଡ୍‌ ଛାତ ଥିବା ତତୀନା ସାନୀର ଏହି କାରଖାନାକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି - ଫେବ୍ରିକେସନ, ପେଣ୍ଟିଂ ଏବଂ ପ୍ୟାକିଂ ଏରିଆ। ଖୋଲା ରହିଥିବା ସ୍ଥାନ ଦେଇ ଭିତରକୁ ପବନ ଆସିଥାଏ। ଲମ୍ବା ଖରା ମାସ ପାଇଁ ଏହା ଅତି ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ସମୟରେ ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ।

ଆମେ କାରଖାନାର ଚଟାଣରେ ଚାଲିବା ସମୟରେ, କେଉଁଠି ପାଦ ପକାଇବାକୁ ହେବ ସେଥିପ୍ରତି ଆମକୁ ବିଶେଷ ଧ୍ୟାନ ରଖିବାକୁ ପଡ଼ୁଛି।

୧୫ ଫୁଟ ଲମ୍ବା ଲୁହା ରଡ୍‌ ଓ ପାଇପ୍‌, ୪୦୦ କିଲୋଗ୍ରାମରୁ ଅଧିକ ଓଜନର ସିଲିଣ୍ଡର ଆକୃତିର ନିଦା ଲୁହା, ଓଜନିଆ ପ୍ଲେଟ୍‌ କାଟିବା ପାଇଁ ବ୍ୟବହାର କରାଯାଉଥିବା ଟାଣ ଓ ଚେପଟା ଧାତୁ ଚାଦର, ଉତ୍ପାଦନର ଭିନ୍ନ ପର୍ଯ୍ୟାୟରେ ବ୍ୟବହାର ହେଉଥିବା ବଡ଼ ବିଦ୍ୟୁତ ମେସିନ୍‌ ଏବଂ ଜିମ୍‌ ଉପକରଣ ସବୁ ଚଟାଣ ଉପରେ ପଡ଼ି ରହିଛି । ସେଗୁଡ଼ିକ ଭିତରେ ଗୋଟିଏ ସଂକୀର୍ଣ୍ଣ, ବିନା କୌଣସି ପାଦଚିହ୍ନ ଥିବା ରାସ୍ତା ରହିଛି ଏବଂ ଏଥିରେ ସାମାନ୍ୟ ଅନ୍ୟମନସ୍କ ହେବାର ଅର୍ଥ ହେଉଛି ଧାରୁଆ ଧାତୁରେ କଟିଯିବାର ବିପଦ। ଏପରିକି ପାଦ ଉପରେ କୌଣସି ଓଜନିଆ ବସ୍ତୁ ଖସି ପଡ଼ିଲେ ହାଡ଼ ଭାଙ୍ଗିବାର ବିପଦ ମଧ୍ୟ ରହିଛି ।

ଏସବୁ ବାଦାମୀ, ଧୂସର ଓ କଳା ରଙ୍ଗର ଓଜନିଆ ଅଚଳ ସାମଗ୍ରୀ ମଧ୍ୟରେ ଏକମାତ୍ର ଗତିଶୀଳତା ଓ ଚମକ କାରୀଗରଙ୍କଠାରୁ ଆସୁଛି। ରଙ୍ଗୀନ୍‌ ଟି-ଶାର୍ଟ ପିନ୍ଧି ସେମାନେ ବିଦ୍ୟୁତ ଚାଳିତ ମେସିନ୍‌ ଚଳାଉଛନ୍ତି ଯାହା ଧାତୁ ସଂସ୍ପର୍ଶରେ ଆସିବା କ୍ଷଣି ନିଆଁ ପିଣ୍ଡୁଳା ଛାଡ଼ୁଛି ।

Asif pushes the iron pipe along the empty floor on his left to place it on the cutting machine; he cuts (right) the 15 feet long iron pipe that will go into making the 8 station multi-gym
PHOTO • Shruti Sharma
Asif pushes the iron pipe along the empty floor on his left to place it on the cutting machine; he cuts (right) the 15 feet long iron pipe that will go into making the 8 station multi-gym
PHOTO • Shruti Sharma

ଆସିଫ ଲୁହା ପାଇପକୁ କଟିଂ ମେସିନ ଉପରେ ରଖିବା ଲାଗି ନିଜ ବାମ ପଟେ ଥିବା ଖାଲି ସ୍ଥାନ ଆଡ଼କୁ ଠେଲୁଛନ୍ତି। ସେ ୧୫ ଫୁଟ ଲମ୍ବା ଲୁହା ପାଇପ (ଡାହାଣ)କୁ କାଟୁଛନ୍ତି ଯାହାକୁ ୮ ଷ୍ଟେସନ ମଲ୍ଟି-ଜିମ୍‌ ନିର୍ମାଣରେ ବ୍ୟବହାର କରାଯିବ

Left: Mohammad Naushad, the lathe machine technician at the factory, is in-charge of cutting and shaping the cut cylindrical iron and circular metal sheet pieces into varying weights.
PHOTO • Shruti Sharma
Right: At Naushad's station, several disc-shaped iron pieces stacked on top of one another based on their weight
PHOTO • Shruti Sharma

ବାମ: କାରଖାନାରେ କୁନ୍ଦିବା ଯନ୍ତ୍ର କାରୀଗର ମହମ୍ମଦ ନୌଶାଦ ସିଲିଣ୍ଡର ଆକୃତିର ନିଦା ଲୁହା ଓ ଗୋଲାକାର ଧାତୁ ଶିଟ୍‌କୁ ବିଭିନ୍ନ ଓଜନର ଖଣ୍ଡରେ କାଟିବା ଏବଂ ଆକାର ଦେବା କାମ ଦାୟିତ୍ୱରେ ଅଛନ୍ତି । ଡାହାଣ: ନୌଶାଦଙ୍କ ଷ୍ଟେସନରେ ଡିସ୍କ ଆକୃତିର ଅନେକ ଲୁହା ଖଣ୍ଡ ଓଜନ ହିସାବରେ ପରସ୍ପର ଉପରେ ରଖାଯାଇଛି

ଏଠାରେ କେବଳ ମହମ୍ମଦ ଆସିଫ୍‌ ଏକମାତ୍ର କାରୀଗର ଭାବେ ତତୀନା ସାନୀରୁ ଆସନ୍ତି। ଅନ୍ୟମାନେ ମେରଠର ଆଖାପାଖ ଅଞ୍ଚଳରୁ ଆସନ୍ତି । ଆସିଫ୍‌ (୧୮) କୁହନ୍ତି, ‘‘ମୁଁ ଏଠାରେ ପ୍ରାୟ ଅଢ଼େଇ ବର୍ଷ ହେବ କାମ କରୁଛି, କିନ୍ତୁ ଏହା ମୋର ପ୍ରଥମ କାମ ନୁହେଁ। ଏହା ପୂର୍ବରୁ ମୁଁ ଅନ୍ୟ ଜିମ୍‌ ମେସିନ୍‌ ତିଆରି କାରଖାନାରେ କାମ କରୁଥିଲି।’’ ଆସିଫ୍‌ ଲୁହା ପାଇପ୍‌ କାଟିବାରେ କୁଶଳୀ। ସେ ଏପଟସେପଟ ହୋଇ ପଡ଼ିଥିବା ଗଦାରୁ ୧୫ ଫୁଟ ଲମ୍ବା ପାଇପ ବାହାର କରି ସେଗୁଡ଼ିକୁ ଗୋଟିଏ ଗୋଟିଏ କରି କାଟିବା ପାଇଁ ପାଇପ୍‌-କଟିଂ ମେସିନ୍‌ ଉପରେ ରଖିବା ଲାଗି ନିଜ ବାମ ପଟେ ଥିବା ଖାଲି ଚଟାଣ ଉପରକୁ ଠେଲିଥା’ନ୍ତି। କାଟିବା ପାଇଁ ସେ ଇଞ୍ଚ ଟେପ୍ ବ୍ୟବହାର କରି ଚିହ୍ନ ଦେଇଥା’ନ୍ତି। ଜିମ୍‌ ଉପକରଣ ତିଆରି କରିବା ଲାଗି ଆବଶ୍ୟକ ଲମ୍ବ ଓ ଡିଜାଇନ ଅନୁରୂପ ସେଗୁଡ଼ିକୁ ଚିହ୍ନ ପାଖରୁ କଟାଯାଏ।

ଆସିଫ୍‌ କୁହନ୍ତି, ‘‘ମୋ ବାପା ଯେଉଁ ଅଟୋ ଚଳାଉଛନ୍ତି ତାହା ତାଙ୍କର ନୁହେଁ। ତାଙ୍କର ଯଥେଷ୍ଟ ରୋଜଗାର ହୁଏ ନାହିଁ, ତେଣୁ ମୋତେ ଏତେ ଶୀଘ୍ର କାମ ଆରମ୍ଭ କରିବାକୁ ପଡ଼ିଲା।’’ ସେ ମାସିକ ୬,୫୦୦ ଟଙ୍କା ରୋଜଗାର କରନ୍ତି।

କାରଖାନାର ଆଉ ଏକ ଭାଗରେ, ମହମ୍ମଦ ନୌଶାଦ୍‌ ନିଦା ଲୁହା ସିଲିଣ୍ଡର ଆକୃତିର ଖଣ୍ଡକୁ ଏକ ବ୍ୟାଣ୍ଡ୍‌ ଆରି କାଟିବା ମେସିନରେ କାଟୁଛନ୍ତି। ୩୨ ବର୍ଷ ବୟସ୍କ ନୌଶାଦ ମଧ୍ୟ ଏଠାରେ ଜଣେ କୁନ୍ଦିବା ମେସିନ କାରୀଗର ଭାବେ ୨୦୦୬ଠାରୁ ଆସିମଙ୍କ ସହିତ କାମ କରୁଛନ୍ତି। ‘‘ଏସବୁ ସାମଗ୍ରୀ ଓଜନ ଉଠାଇବା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାର ଜିମ୍‌ ଉପକରଣରେ ଲାଗିବ,’’ ନୌଶାଦ କୁହନ୍ତି। ତାଙ୍କ ପାଖରେ ଭିନ୍ନ ଭିନ୍ନ ଓଜନ ଆଧାରରେ ଥାକ ଥାକ ହୋଇ ଥୁଆ ହୋଇଥିବା ଡିସ୍କ ଆକୃତିର ଖଣ୍ଡକୁ ସେ ଦେଖାଇ ଦିଅନ୍ତି। ନୌଶାଦ୍‌ ମାସିକ ୧୬,୦୦୦ ଟଙ୍କା ଆୟ କରିଥା’ନ୍ତି।

ନୌଶାଦଙ୍କ କାମ କରିବା ସ୍ଥାନର ବାମ ପଟେ ମହମ୍ମଦ ଆସିଫ୍‌ ସୈଫି (୪୨) ଏବଂ ଆମିର ଅନ୍ସାରୀ (୨୭) ବସନ୍ତି, ଯିଏକି ଆଠ ଷ୍ଟେସନ ବିଶିଷ୍ଟ ମଲ୍ଟି ଜିମ୍‌ ପ୍ରସ୍ତୁତ କରୁଛନ୍ତି । ଏହା କୁପୱାଡ଼ା (ଜାମ୍ମୁ କାଶ୍ମୀର) ରେ ସେନା ଶିବିରକୁ ଯୋଗାଇ ଦିଆଯିବାକୁ ଥିବା ମାଲ୍‌ର ଅଂଶବିଶେଷ।

କମ୍ପାନୀର ଗ୍ରାହକମାନଙ୍କ ମଧ୍ୟରେ ଶ୍ରୀନଗର ଓ କାଟ୍‌ରା (ଜାମ୍ମୁ କାଶ୍ମୀର), ଅମ୍ବାଲା (ହରିୟାଣା), ବିକାନେର (ରାଜସ୍ଥାନ) ଏବଂ ଶିଲଂ (ମେଘାଳୟ)ରେ ଥିବା ଭାରତୀୟ ସେନା ପ୍ରତିଷ୍ଠାନ ସାମିଲ ରହିଛନ୍ତି । ଏହା ବ୍ୟତୀତ ‘‘ମଣିପୁରରୁ କେରଳ ପର୍ଯ୍ୟନ୍ତ ଘରୋଇ ଜିମ୍‌ ସଂସ୍ଥାମାନେ ଏଠାରୁ ମାଲ୍‌ ନେଇଥାନ୍ତି। ଆମେ ନେପାଳ ଓ ଭୂଟାନକୁ ମଧ୍ୟ ରପ୍ତାନି କରିଥାଉ,’’ ସାକିବ୍‌ କହିଥାନ୍ତି।

Left: Asif Saifi finalising the distance between two ends of the multi-gym based on the cable crossover exercise.
PHOTO • Shruti Sharma
Right: He uses an arc welder to work on the base of the multi-gym
PHOTO • Shruti Sharma

ବାମ: କେବଲ୍‌ କ୍ରସ୍ଓଭର୍‌ ଏକ୍ସରସାଇଜ୍‌ ଉପରେ ଆଧାରିତ ମଲ୍ଟି-ଜିମ୍‌ର ଦୁଇ ଭାଗ ମଧ୍ୟରେ ଦୂରତାକୁ ଶେଷ ରୂପ ଦେଉଛନ୍ତି ଆସିଫ ସୈଫୀ। ଡାହାଣ: ମଲ୍ଟି ଜିମ୍‌ର ଆଧାର ଉପରେ କାମ କରିବା ପାଇଁ ସେ ଆର୍କ ୱେଲ୍ଡର ବ୍ୟବହାର କରିଥା’ନ୍ତି

Amir uses a hand operated drilling machine (left) to make a hole into a plate that will be welded onto the multi-gym. Using an arc welder (right), he joins two metal pieces
PHOTO • Shruti Sharma
Amir uses a hand operated drilling machine (left) to make a hole into a plate that will be welded onto the multi-gym. Using an arc welder (right), he joins two metal pieces
PHOTO • Shruti Sharma

ମଲ୍ଟି-ଜିମ୍‌ରେ ୱେଲ୍ଡିଂ ହେବାକୁ ଥିବା ଏକ ପ୍ଲେଟ୍‌ରେ କଣା କରିବା ଲାଗି ହାତରେ ପରିଚାଳିତ ଡ୍ରିଲିଂ ମେସିନ (ବାମ) ବ୍ୟବହାର କରୁଛନ୍ତି ଆମିର । ସେ ଏକ ଆର୍କ ୱେଲ୍ଡର (ଡାହାଣ) ସହାୟତାରେ ଦୁଇଟି ଧାତୁ ଖଣ୍ଡକୁ ଯୋଡ଼ୁଛନ୍ତି

ଉଭୟ ଆର୍କ ୱେଲ୍ଡିଂର କୁଶଳୀ କାରୀଗର ଏବଂ ଛୋଟ ଭାଗ ତିଆରି ସହିତ ସେମାନେ ବଡ଼ ଉପକରଣକୁ ଯୋଡ଼ିବା କାମ ମଧ୍ୟ କରିଥା’ନ୍ତି। ଅର୍ଡର ଓ ତିଆରି ହୋଇଥିବା ମେସିନ୍‌ ଆଧାରରେ ସେମାନେ ମାସକୁ ପ୍ରାୟ ୫୦-୬୦,୦୦୦ ଟଙ୍କା ରୋଜଗାର କରିଥା’ନ୍ତି।

ଅମିର କୁହନ୍ତି, ‘‘ଆର୍କ ୱେଲ୍ଡର ଆଗରେ ଏକ ପତଳା ଇଲେକ୍ଟ୍ରୋଡ୍‌ ଲାଗିଥାଏ ଯାହା ମୋଟା ଲୁହାକୁ ତରଳାଇ ଦେଇଥାଏ। ଯେତେବେଳେ ଧାତୁର ଦୁଇ ଖଣ୍ଡକୁ ଯୋଡ଼ାଯାଏ, ସେହି ସମୟରେ ଇଲେକ୍ଟ୍ରୋଡକୁ ହାତରେ ଚଳାଇବାକୁ ପଡ଼ିଥାଏ। ଏହି କାମ ସହଜ ନୁହେଁ ଏବଂ ଏଥିରେ କୁଶଳୀ ହେବା ବେଶ୍‌ କଷ୍ଟକର କାମ।’’

ସାକିବ୍‌ ନିଜ ଦରମା ବିଷୟରେ ସୂଚନା ଦେଇ କୁହନ୍ତି, ‘‘ଆମିର ଓ ଆସିଫ୍‌ ଠେକା (ଠିକା)ରେ କାମ କରନ୍ତି । କମ୍‌ ଦକ୍ଷତା ନୁହେଁ ଯେଉଁ କାମରେ ସବୁଠୁ ଅଧିକ ଦକ୍ଷତା ଆବଶ୍ୟକ ତାହା ଠିକାରେ କରାଯାଇଥାଏ। କୁଶଳୀ କାରୀଗରଙ୍କର ଅଧିକ ଚାହିଦା ରହିଥାଏ ଏବଂ ସେମାନେ ମାଲିକଠାରୁ ଅଧିକ ଦରମା ମାଗିବା ସ୍ଥିତିରେ ଥାଆନ୍ତି।’’

ଅଚାନକ ଦୋକାନରେ ଥିବା ଆଲୋକ ମଳିନ ପଡ଼ିଯାଇଥିଲା; କାରଖାନାର ଜେନେରେଟର ଚାଲୁ ହେବା ପର୍ଯ୍ୟନ୍ତ କିଛି ସେକେଣ୍ଡ ପାଇଁ କାମ ଅଟକିଗଲା। ଜେନେରେଟର ଶବ୍ଦ ଓ ବିଦ୍ୟୁତ ମେସିନ୍‌ ଚାଲିବାର କୋଳାହଳ ମଧ୍ୟରେ ନିଜ କଥା କହୁଥିବା କର୍ମଚାରୀମାନେ ଏବେ ବଡ଼ ପାଟିରେ ଚିଲ୍ଲାଉଥା’ନ୍ତି।

ପାଖ ୱାର୍କଷ୍ଟେସନରେ ୨୧ ବର୍ଷ ବୟସ୍କ ଇବାଦ ସଲମାନୀ ମେଟାଲ ଇନର୍ଟ ଗ୍ୟାସ୍‌ (ଏମଆଇଜି) ୱେଲ୍ଡର ଜରିଆରେ ଜିମ୍‌ ଉପକରଣକୁ ମଜବୁତ କରୁଛନ୍ତି। ଇବାଦ କୁହନ୍ତି, ‘‘ମୋଟା ଓ ପତା ଖଣ୍ଡ ମଧ୍ୟରେ କେତେ ତାପମାତ୍ରାରେ ୱେଲ୍ଡିଂ କରିବାକୁ ହେବ ଯଦି ଆପଣ ଜାଣିନାହାନ୍ତି ତା’ହେଲେ ଲୁହା ତରଳିଯିବ।’’ ସେ ମାସିକ ୧୦,୦୦୦ ଟଙ୍କା ରୋଜଗାର କରନ୍ତି।

ଧାତୁ ଖଣ୍ଡ ଉପରେ କାମ କରିବା ଲାଗି ତଳକୁ ନଇଁପଡ଼ିଥିବା ଇବାଦ ଏହି ସମୟରେ ବାହାରୁଥିବା ନିଆଁ ହୁଳାରୁ ନିଜ ଆଖି ଓ ହାତକୁ ସୁରକ୍ଷା ଦେବା ପାଇଁ ହାତ ଶିଲ୍ଡ ଉପଯୋଗ କରିଥାନ୍ତି। ସାକିବ୍‌ କୁହନ୍ତି, ‘‘ସବୁ ସୁରକ୍ଷା ଉପକରଣ ଆମ ପାଖରେ ଅଛି । କେଉଁକାମ ନିରାପଦ, ବିପଦପୂର୍ଣ୍ଣ, ସୁବିଧାଜନକ ଏବଂ ଅସୁବିଧାଜନକ ତାହା ନିଜ ହିସାବରେ ଯାଞ୍ଚ କରି କାରୀଗରମାନେ ସେସବୁ ସୁରକ୍ଷା ଉପକରଣ ଉପଯୋଗ କରିଥା’ନ୍ତି।’’

Left: Ibad Salmani  uses a hand shield while strengthening the joints of gym equipment parts with a Metal Inert Gas (MIG) welder.
PHOTO • Shruti Sharma
Right: Babu Khan, 60, is the oldest karigar at the factory and performs the task of buffing, the final technical process
PHOTO • Shruti Sharma

ବାମ : ମେଟାଲ୍‌ ଇନର୍ଟ ଗ୍ୟାସ (ଏମଆଇଜି) ୱେଲ୍ଡର ସହାୟତାରେ ଜିମ୍‌ ଉପକରଣ ଭାଗର ଯୋଡ଼କୁ ମଜବୁତ କରିବା ସମୟରେ ଏକ ହାତ ଶିଲ୍ଡ ଉପଯୋଗ କରୁଛନ୍ତି । ଡାହାଣ : ୬୦ ବର୍ଷ ବୟସ୍କ ବାବୁ ଖାନ କାରଖାନାର ସବୁଠୁ ପୁରୁଣା କାରୀଗର ଏବଂ ସେ ବଫିଂ କାମ କରନ୍ତି, ଯାହା ଶେଷ ବୈଷୟିକ ପ୍ରକ୍ରିୟା ଅଟେ

ଆସିଫ୍‌ ସୈଫୀ କୁହନ୍ତି, ‘‘ଆମ ଆଙ୍ଗୁଠି ଜଳିଯାଏ; ଲୁହା ପାଇପ ଆମ ପାଦ ଉପରେ ପଡ଼ିଯାଏ। କଟିଯିବା ତ’ ସାଧାରଣ ଆଘାତ।’’ ଆହୁରି ସେ ହାଲୁକା ଭାବେ କହିଥାନ୍ତି, ‘‘ପିଲାଦିନୁ ଆମେ ଏଥିରେ ଅଭ୍ୟସ୍ତ ହୋଇଯାଇଛୁ। ଏ କାମ ଛାଡ଼ିବା ଆମ ପାଇଁ ଏକ ବିକଳ୍ପ ନୁହେଁ।’’

ସବୁଠୁ ବୟସ୍କ କାରୀଗର ବାବୁ ଖାନ (୬୦) ନିଜ ଅଣ୍ଟା ତଳ ଓ ପାଦକୁ ନିଆଁ ପିଣ୍ଡୁଳାରୁ ସୁରକ୍ଷା ଦେବା ପାଇଁ ସୁତା କପଡ଼ା ଖଣ୍ଡରେ ଘୋଡ଼େଇ ରଖିଛନ୍ତି ଏବଂ ଅଣ୍ଟା ଚାରିପାଖରେ ଖଣ୍ଡେ ବଡ଼ କପଡ଼ା ବାନ୍ଧିଛନ୍ତି। ସେ କୁହନ୍ତି, ‘‘ପୂର୍ବରୁ ଯୁବାବସ୍ଥାରେ ମୁଁ ଅନ୍ୟ କାରଖାନାରେ ଲୁହା ରଡରେ ୱେଲ୍ଡିଂ କରୁଥିଲି । ଏଠାରେ ବଫିଂ କାମ କରୁଛି ।

ସାକିବ୍‌ କୁହନ୍ତି, ‘‘ବଫିଙ୍ଗ୍‌ ହେଉଛି ଶେଷ ବୈଷୟିକ ପ୍ରକ୍ରିୟା। ଏହାଦ୍ୱାରା ଲୁହା ଉପରେ କୋଟିଂ ଓ ୱେଲ୍ଡିଂର ଯେତେସବୁ ଦାଗ ଥାଏ, ସବୁ ସମାନ ହୋଇଯାଏ।’’ ବାବୁଙ୍କୁ ମାସିକ ୧୦ ହଜାର ଟଙ୍କା ବେତନ ମିଳିଥାଏ।

ପୃଷ୍ଠ ଚିକ୍କଣ ହୋଇଯିବା ପରେ ୪୫ ବର୍ଷ ବୟସ୍କ ଶାକିର୍‌ ଅନ୍ସାରୀ ଉପକରଣ ଜଏଣ୍ଟରେ ବଡି ଫିଲର୍‌ ପୁଟି ଲଗାଇବା ଦାୟିତ୍ୱ ନିର୍ବାହ କରିଥାନ୍ତି । ସେ ରେଗମାଲ୍‌ (ବାଲି କାଗଜ) ଘସି ତା’କୁ ଚିକ୍କଣ କରନ୍ତି। ଶାକିର୍‌ ହେଉଛନ୍ତି ସାକିବଙ୍କ ଭିଣୋଇ ଏବଂ ଛଅ ବର୍ଷ ହେବ ସେ ଏହି କାମ କରି ଆସୁଛନ୍ତି। ସେ ଠିକାରେ କାମ କରନ୍ତି ଏବଂ ମାସିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥା’ନ୍ତି। ସେ କୁହନ୍ତି, ‘‘ମୋର ଡିଜେଲରେ ଚାଲୁଥିବା ଅଟୋ ପାଇଁ ଆବଶ୍ୟକ ଲୁହା ନୋଜଲ ତିଆରି ବ୍ୟବସାୟ ଥିଲା। କିନ୍ତୁ କମ୍ପ୍ରେସଡ୍‌ ନେଚୁରାଲ୍‌ ଗ୍ୟାସ (ସିଏନଜି) ଅଟୋ ଆସିବା ପରେ ମୋ କାମ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଗଲା।’’

ଶାକିର୍‌ ଏହି ଉପକରଣ ଉପରେ ପ୍ରାଇମର୍‌ ଓ ରଙ୍ଗ ଲଗାଇ କାମ ସାରିଦେବା ପରେ, ଏହା ଉପରେ ମେସିନ୍‌ ସହାୟତାରେ ପାଉଡର୍‌ କୋଟ୍‌ କରାଯାଏ। ସାକିବ୍‌ କୁହନ୍ତି, ‘‘ଏହା ଦ୍ୱାରା ଉପକରଣ ଦୀର୍ଘସ୍ଥାୟୀ ହୁଏ ଏବଂ ଏଥିରେ କଳଙ୍କି ଲାଗେ ନାହିଁ।’’

Left: Shakir Ansari applies body filler putty to cover gaps on the surface at the joints.
PHOTO • Shruti Sharma
Right: Sameer Abbasi (pink t-shirt) and Mohsin Qureshi pack individual parts of gym equipment
PHOTO • Shruti Sharma

ବାମ : ଶାକିର୍‌ ଅନ୍ସାରୀ ବଡି ଫିଲର୍‌ ପୁଟି ଲଗାଇ ଯୋଡ଼େଇର ଖାଲି ସ୍ଥାନକୁ ଭରୁଛନ୍ତି । ଡାହାଣ: ସମୀର ଆବ୍ବାସୀ (ଗୋଲାପୀ ଟି-ସାର୍ଟରେ) ଏବଂ ମୋହସୀନ କୁରେସୀ ଜିମ୍‌ ଉପକରଣର ଅଲଗା ଅଲଗା ଭାଗକୁ ପ୍ୟାକିଂ କରୁଛନ୍ତି

ନୂଆ କରି ତିଆରି ହୋଇଥିବା ଜିମ୍‌ ଉପକରଣ ଭାଗଗୁଡ଼ିକୁ ଗେଟ୍‌ ପାଖରେ ଥିବା ଏକ ସ୍ଥାନରେ ଅଲଗା ରଖାଯାଏ ସେଠାରୁ ବାହାରକୁ ପଠାଇବା ପାଇଁ ଟ୍ରକ୍‌ରେ ଲୋଡ୍‌ କରାଯାଏ। ଏସବୁ ସାମଗ୍ରୀ ପ୍ୟାକ୍‌ ଓ ଫିଟିଂ କରୁଥିବା ଦଳରେ ମହମ୍ମଦ ଆଦିଲ, ସମୀର ଆବ୍ବାସୀ, ମୋହସୀନ କ୍ୟୁରେସୀ ଏବଂ ଶାହବାଜ୍‌ ଅନ୍ସାରୀ ରହିଛନ୍ତି ଯେଉଁମାନଙ୍କ ବୟସ ୧୭-୧୮ ବର୍ଷ ମଧ୍ୟରେ ହେବ। ସେମାନେ ମାସିକ ୬,୫୦୦ ଟଙ୍କା ଲେଖାଏଁ ରୋଜଗାର କରିଥା’ନ୍ତି।

ସେନା ଜିମ୍‌ ପାଇଁ କୁପୱାଡ଼ାକୁ ଯିବାକୁ ଥିବା ଟ୍ରକ୍‌ ଆସିଯାଇଛି ଏବଂ ସେମାନେ ଲୋଡ୍‌ କରିବା ଆରମ୍ଭ କରି ଦେଇଛନ୍ତି।

‘‘ଟ୍ରକ୍‌ ଅର୍ଡର ନେଇ ଯେଉଁ ଆଡ଼େ ଯାଏ, ଆମେ ଉପକରଣଗୁଡ଼ିକୁ ଆସେମ୍ବଲ କରିବା ପାଇଁ ସେଠାକୁ ଯାଉ,’’ ସମୀର୍‌ କୁହନ୍ତି, ସେ ଆହୁରି କୁହନ୍ତି, ‘‘କେବଳ ଏହି କାମ ପାଇଁ ଆମେ ପାହାଡ଼, ସମୁଦ୍ର ଓ ମରୁଭୂମି ଦେଖିପାରିଛୁ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Shruti Sharma

ଶ୍ରୁତି ଶର୍ମା ଜଣେ ଏମଏମଏଫ୍ ପରୀ ବ୍ୟକ୍ତିତ୍ୱ (୨୦୨୨-୨୦୨୩)। ସେ କୋଲକାତାର ସେଣ୍ଟର ଫର୍ ଷ୍ଟଡିଜ୍ ଇନ୍ ସୋସିଆଲ୍ ସାଇନ୍ସରେ ଭାରତରେ କ୍ରୀଡା ସାମଗ୍ରୀ ନିର୍ମାଣର ସାମାଜିକ ଇତିହାସ ସଂପର୍କରେ ପିଏଚଡି କରିବା ଦିଗରେ କାମ କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Shruti Sharma
Editor : Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Sarbajaya Bhattacharya
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE