“କେତେ ଭୟ ଲାଗୁଛି ବୋଲି କେମିତି କହିବି? ଭୟରେ ମୋ ଛାତି ଥରି ଉଠେ। ସବୁବେଳେ ମୁଁ ଖାଲି ଏତିକି ଭାବୁଥାଏ ଯେ କେତେବେଳେ ଏଠାରୁ ମୁକୁଳି ଯାଇ ଖୋଲା ଜାଗାରେ ପହଞ୍ଚିବି,” କହନ୍ତି ୪୧ ବର୍ଷୀୟ କଙ୍କଡ଼ା ଶିକାରୀ ଏବଂ ମାଛଧରାଳି ପାରୁଲ ହାଲଦାର। ସୁନ୍ଦରବନର ଘଞ୍ଚ ହେନ୍ତାଳ ବଣ ଭିତରକୁ କଙ୍କଡ଼ା ଧରିବା ପାଇଁ ଯାଇଥିବା ସମୟରେ ଭୟର ହିମଶୀତଳ ଅନୁଭୂତି ସଂପର୍କରେ ବର୍ଣ୍ଣନା କରନ୍ତି ସେ। କଙ୍କଡ଼ା ଶିକାର କରିବାକୁ ସେ ନିଜେ ସେହି କ୍ଷୁଦ୍ର ଓ କେଉଁଠି କେଉଁଠି ଖୁବ୍‌ ସଂକୀର୍ଣ୍ଣ ନଦୀରେ ଡଙ୍ଗା ଚଳାଇ ସେହି ହେନ୍ତାଳ ଜଙ୍ଗଲ ଭିତରକୁ ଯିବାଆସିବା କରନ୍ତି। ଜଙ୍ଗଲ ବାଟରେ ସବୁ ସମୟରେ ବାଘ ଆକ୍ରମଣର ଭୟ ଲାଗି ରହିଥିବାରୁ ଖୁବ୍‌ ସଜାଗ ରହିଥାଆନ୍ତି ସେ।

ଲକ୍‌ସବାଗାନ ଗାଁ ନିବାସୀ ପାରୁଲ ନିଜ କାଠଡଙ୍ଗା ଚଳାଇ ଗରଲ ନଦୀରେ ଫେରିବା ବାଟରେ କଣେଇ କଣେଇ ସେହି ଜାଲଘେରା ବାଡ ଆଡ଼କୁ ଚାହାଁନ୍ତି। ଏହି ବାଡ଼ ଆରପଟେ ରହିଛି ମରିଚଝାପି ଜଙ୍ଗଲ। ସାତ ବର୍ଷ ତଳେ, ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଗୋସାବା ବ୍ଲକ୍‌ ଅନ୍ତର୍ଗତ ତାଙ୍କ ଗାଁ ପାଖରେ ଥିବା ଏହି ଜଙ୍ଗଲରେ, ପାରୁଲଙ୍କ ସ୍ୱାମୀ, ଇଶର ରଣଜିତ ହାଲଦାର ବାଘ ଆକ୍ରମଣରେ ପ୍ରାଣ ହରାଇଥିଲେ।

ସେ ତାଙ୍କ ଆହୁଲାକୁ ଡଙ୍ଗାର ଗୋଟିଏ ଧାରରେ ରଖନ୍ତି। ନିଦାଘର ଅସହ୍ୟ ଟାଣ ଖରାରେ ସେ ଓ ତାଙ୍କ ମାଆ ୫୬ ବର୍ଷୀୟା ଲଖୀ ମଣ୍ଡଳ ଏହି ହୁଲି ଡଙ୍ଗାରେ ହିଁ ବାହାରିଥିଲେ। ଝିଅ ଭଳି ଲଖୀ ବି ମାଛ ମାରି ଚଳନ୍ତି।

ପାରୁଲ ୧୩ ବର୍ଷର ହୋଇଥିବା ବେଳେ ଇଶରଙ୍କୁ ବିବାହ କରିଥିଲେ। ତାଙ୍କ ଶ୍ୱଶୁରଘର ଲୋକେ ଗରିବ ହୋଇଥିଲେ ହେଁ ସେମାନେ କେବେହେଲେ ମାଛ ମାରିବା କି କଙ୍କଡ଼ା ଧରିବା ଲାଗି ଜଙ୍ଗଲ ଭିତରକୁ ଯାଇ ନଥିଲେ। ସ୍ୱାମୀଙ୍କ କଥା ମନେ ପକାଇ ସେ କହନ୍ତି, “ମୁଁ ତାଙ୍କୁ ବୁଝାଇ ଶୁଝାଇ ଏଠାକୁ ଆସିବାକୁ ରାଜି କରାଇଲି ଏବଂ ଜଙ୍ଗଲ ଭିତରକୁ ଆଣିଲି। ସତର ବର୍ଷ ପରେ ଏହି ଜଙ୍ଗଲରେ ହିଁ ତାଙ୍କର ମୃତ୍ୟୁ ହେଲା।”

ଅତୀତର ସ୍ମୃତିକୁ ତୋଳି ଧରିବା ପରେ କିଛି ସମୟ ପାଇଁ ନିରବ ହୋଇଯାଆନ୍ତି ପାରୁଲ। ମୃତ୍ୟୁ ସମୟରେ ଇଶରଙ୍କୁ ୪୫ ବର୍ଷ ହୋଇଥିଲା। ପାରୁଲଙ୍କ ଜିମାରେ ସେ ଛାଡ଼ି ଯାଇଥିଲେ ସେମାନଙ୍କର ଚାରି ଝିଅଙ୍କ ଦାୟିତ୍ୱ।

ଝାଳରେ ଓଦା ସରସର ହୋଇଯାଇଥିବା ପାରୁଲ ଓ ଲଖୀ ପୁଣି ସେହି ଓଜନିଆ ଆହୁଲାକୁ ଉଠାନ୍ତି। ହେନ୍ତାଳ ବଣଠାରୁ ନିରାପଦ ଦୂରତା ଯାଏ ଡଙ୍ଗା ବାହି ନିଅନ୍ତି। ଏବେ ଏଠାରେ ମାଛଧରା ବନ୍ଦ କରିଦିଆଯାଇଛି। ସୁନ୍ଦରବନର ହେନ୍ତାଳ ବଣରେ, ଏପ୍ରିଲରୁ ଜୁନ୍‌ ଯାଏ, ତିନି ମାସ ଧରି ମାଛଧରା ବନ୍ଦ କରାଯାଏ। ମାଛମାନଙ୍କର ପ୍ରଜନନ ତଥା ବଂଶବୃଦ୍ଧିରେ ଏହା ସହାୟକ ହୋଇଥାଏ। ସାଧାରଣତଃ ଏଠାରେ ମାଛଧରା ବନ୍ଦ ଥିବା ସମୟରେ ପାରୁଲ ନିଜ ପୋଖରୀର ମାଛ ବିକ୍ରି କରି ଗୁଜରାଣ ମେଣ୍ଟାନ୍ତି।

Left: Parul Haldar recalls the death of her husband, Ishar Haldar.
PHOTO • Urvashi Sarkar
Right: A picture of Ishar Ronojit Haldar who was killed by a tiger in 2016
PHOTO • Urvashi Sarkar

ବାମ: ସ୍ୱାମୀ ଇଶର ହାଲଦାରଙ୍କ ମୃତ୍ୟୁ କଥା ମନେ ପକାନ୍ତି ପାରୁଲ ହାଲଦାର। ଡାହାଣ: ୨୦୧୬ରେ ବାଘ ଆକ୍ରମଣରେ ପ୍ରାଣ ହରାଇଥିବା ଇଶର ରଣଜିତ ହାଲଦାରଙ୍କର ଏକ ଫଟୋ

Left: A cross netted fence, beyond which lie the Marichjhapi forests in South 24 Parganas district.
PHOTO • Urvashi Sarkar
Right: Parul (background) learned fishing from her mother and Lokhi (yellow sari foreground) learned it from her father
PHOTO • Urvashi Sarkar

ବାମ: ଏକ ଜାଲଘେରା ବାଡ଼, ଏହାର ଆରପଟେ ରହିଛି ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ମରିଚଝାପି ଜଙ୍ଗଲ। ଡାହାଣ: ପାରୁଲ (ପୃଷ୍ଠଭାଗରେ) ତାଙ୍କ ମାଆଙ୍କ ପାଖରୁ ଏବଂ ଲଖୀ (ହଳଦିଆ ଶାଢିରେ ସମ୍ମୁଖ ଭାଗରେ) ତାଙ୍କ ବାପାଙ୍କ ପାଖରୁ ମାଛଧରା ଶିଖିଥିଲେ

ପାରୁଲ କହନ୍ତି, “ଆଜିକାଲି ଅନେକ ଦୁର୍ଘଟଣା ଘଟୁଛି।” ବାଘମାନେ ବସବାସ କରୁଥିବା ବିଶ୍ୱର ଏକମାତ୍ର ହେନ୍ତାଳ ବଣ ସୁନ୍ଦରବନରେ ମହାବଳ ବାଘ ଆକ୍ରମଣକୁ ଉପଲକ୍ଷ କରି ସେ ଏହା କହନ୍ତି। “ଖୁବ୍‌ ଅଧିକ ଲୋକ ଜଙ୍ଗଲ ଭିତରକୁ ପଶୁଛନ୍ତି ଏବଂ ଦୁର୍ଘଟଣା ସଂଖ୍ୟା ବଢୁଛି। ବନ ବିଭାଗ କର୍ତ୍ତୃପକ୍ଷ ଆମକୁ ଜଙ୍ଗଲ ଭିତରକୁ ଯିବା ପାଇଁ ଅନୁମତି ନ ଦେବାର ଏହା ଆଉ ଏକ କାରଣ।”

ସୁନ୍ଦରବନ ଜଙ୍ଗଲ ଅଞ୍ଚଳରେ ବାଘ ଆକ୍ରମଣରେ ମୃତ୍ୟୁ ଘଟଣା ଅସ୍ୱାଭାବିକ ନୁହେଁ। ଖାସ୍‌ କରି ମାଛଧରା ଋତୁରେ। ସରକାରୀ ରିପୋର୍ଟ ଅନୁସାରେ ୨୦୧୮ରୁ ୨୦୨୩ ମସିହା ଭିତରେ ସୁନ୍ଦରବନରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ବାଘ ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ ପ୍ରକୃତ ମୃତ୍ୟୁସଂଖ୍ୟା ସମ୍ଭବତଃ ଆହୁରି ଅଧିକ। କାରଣ ସ୍ଥାନୀୟ ବାସିନ୍ଦାମାନେ ବହୁ ଅଧିକ ବାଘ ଆକ୍ରମଣ ଘଟଣାର ସୂଚନା ଦିଅନ୍ତି।

ବାଘମାନଙ୍କ ସ୍ଥିତି ସଂପର୍କିତ ସରକାରଙ୍କ ରିପୋର୍ଟ ଅନୁସାରେ ୨୦୨୨ ରେ ସୁନ୍ଦରବନରେ ୧୦୦ଟି ବାଘ ଥିଲେ। ୨୦୧୮ରେ ବାଘ ସଂଖ୍ୟା ଥିଲା ୮୮।

*****

ତାଙ୍କ ମାଆଙ୍କ ପାଖରୁ ମାଛ ଧରିବାର କୌଶଳ ଶିଖିସାରିବା ପରେ ୨୩ ବର୍ଷ ବୟସରୁ ପାରୁଲ ମାଛ ଧରି ଆସୁଛନ୍ତି।

ଲଖୀଙ୍କ ବୟସ ସାତ ବର୍ଷ ହୋଇଥିବା ବେଳେ ସେ ମାଛଧରା ଆରମ୍ଭ କରିଥିଲେ। ସେତେବେଳେ ସେ ବାପାଙ୍କ ସାଙ୍ଗରେ ଜଙ୍ଗଲକୁ ଯାଉଥିଲେ। ତାଙ୍କ ସ୍ୱାମୀ, ୬୪ ବର୍ଷୀୟ ସନ୍ତୋଷ ମଣ୍ଡଳ ୨୦୧୬ରେ ବାଘ ସହ ଲଢ଼େଇ କରିଥିଲେ ଏବଂ କୌଣସି ପ୍ରକାରେ ଜୀବିତାବସ୍ଥାରେ ଘରକୁ ଫେରିଆସିଥିଲେ।

ଲଖୀ କହନ୍ତି, “ହାତରେ ଛୁରୀଟିଏ ଧରି ସେ ବାଘ ସାଙ୍ଗରେ ଲଢ଼େଇ କରିଥିଲେ। କିନ୍ତୁ ସେହି ଘଟଣା ପରେ ସେ ଆଉ ସାହସ ଜୁଟେଇ ପାରିଲେନି ଏବଂ ତେଣିକି ଆଉ ଜଙ୍ଗଲ ଯିବାକୁ ମନା କରିଦେଲେ।” କିନ୍ତୁ ଲଖୀ ଜଙ୍ଗଲ ଯିବା ବନ୍ଦ କରି ନଥିଲେ। ସ୍ୱାମୀ ଜଙ୍ଗଲ ଯିବା ବନ୍ଦ କରି ଦେବା ପରେ ସେ ଝିଅ ପାରୁଲ ଓ ଜ୍ୱାଇଁ ଇଶରଙ୍କୁ ସାଙ୍ଗରେ ନେଇ ଜଙ୍ଗଲ ଯିବା ଆରମ୍ଭ କରିଦେଲେ। ପରେ, ଇଶର ଜଙ୍ଗଲରେ ପ୍ରାଣ ହରାଇଥିଲେ।

ସେ କହନ୍ତି, “ଅନ୍ୟ କାହାରି ସାଙ୍ଗରେ ଜଙ୍ଗଲ ଯିବାକୁ ମୋର ଆଉ ସାହସ ନାହିଁ। ପାରୁଲକୁ ବି ମୁଁ ଏକୁଟିଆ ଯିବାକୁ ଦିଏନି। ମୁଁ ବଞ୍ଚିଥିବା ଯାଏଁ ତା ସହିତ ଯାଉଥିବି। ଜଙ୍ଗଲରେ କେବଳ ତୁମ ନିଜ ରକ୍ତର ସଂପର୍କ ହିଁ ତୁମକୁ ରକ୍ଷା କରିପାରିବ।”

As the number of crabs decrease, Parul and Lokhi have to venture deeper into the mangrove forests to find them
PHOTO • Urvashi Sarkar

କଙ୍କଡ଼ାଙ୍କ ସଂଖ୍ୟା କମି ଆସୁଥିବାରୁ ସେମାନଙ୍କୁ ଖୋଜିବା ଲାଗି ପାରୁଲ ଓ ଲଖୀଙ୍କୁ ଗଭୀର ହେନ୍ତାଳ ବଣ ଭିତରକୁ ଯିବାକୁ ହୁଏ

Parul and Lokhi rowing across the River Garal
PHOTO • Urvashi Sarkar

ଗରାଲ ନଦୀରେ ଡଙ୍ଗା ବାହି ନେଉଛନ୍ତି ପାରୁଲ ଓ ଲଖୀ

ଡଙ୍ଗା ବାହିବାରେ ଅଭ୍ୟସ୍ତ ଦୁଇ ମହିଳାଙ୍କ ମଧ୍ୟରେ ତାଳମେଳ ରହିସାରିଛି ଏବଂ ସେମାନେ ଆଉ ପରସ୍ପର ସହିତ କଥାବାର୍ତ୍ତା କରିବା ଦରକାର ହେଉନାହିଁ। କଙ୍କଡ଼ା ଶିକାର ଋତୁ ଆରମ୍ଭ ହୋଇଗଲେ ସେମାନେ ବନ ବିଭାଗ ପାଖରୁ ଆବଶ୍ୟକ ଅନୁମତି ପତ୍ର ଆଣନ୍ତି ଏବଂ ଡଙ୍ଗାଟିଏ ଭଡ଼ାରେ ନେଇ ଜଙ୍ଗଲ ଅଭିମୁଖେ ଯାତ୍ରା ଆରମ୍ଭ କରିଦିଅନ୍ତି।

ଡଙ୍ଗା ଭଡ଼ା ବାବଦରେ ଦିନକୁ ୫୦ ଟଙ୍କା ଦିଅନ୍ତି ପାରୁଲ। ସାଧାରଣତଃ ସେମାନଙ୍କ ସହିତ ଆଉ ଜଣେ ତୃତୀୟ ମହିଳା ଯୋଗ ଦିଅନ୍ତି। ତିନି ମହିଳାଙ୍କୁ ଜଙ୍ଗଲରେ ଅନ୍ତତଃ ୧୦ ଦିନ ରହିବାକୁ ପଡ଼େ। ପାରୁଲ କହନ୍ତି, “ଆମେ ଡଙ୍ଗାରେ ଖାଉ ଓ ଶୋଉ ଏବଂ ରନ୍ଧାବଢ଼ା କରୁ। ଆମେ ସାଙ୍ଗରେ ଡାଲି, ଚାଉଳ, ଡ୍ରମ୍‌ରେ ପିଇବା ପାଣି ଏବଂ ଛୋଟ ଷ୍ଟୋଭ୍‌ଟିଏ ନେଇ ଯାଇଥାଉ। କୌଣସି ପରିସ୍ଥିତିରେ ବି ଆମେ ଡଙ୍ଗା ଛାଡ଼ି ଯାଉନାହିଁ। ଏମିତି କି ଶୌଚାଳୟ ଯିବା ବେଳେ ବି ନୁହେଁ।” ଦିନକୁ ଦିନ ବାଘ ଆକ୍ରମଣ ଘଟଣାର ବୃଦ୍ଧି ହିଁ ଏହାର ମୁଖ୍ୟ କାରଣ ବୋଲି ସେ କହନ୍ତି।

“ଆଜିକାଲି ବାଘମାନେ ଡଙ୍ଗାରେ ଚଢ଼ି ମଣିଷଙ୍କୁ ଟାଣି ନେଉଛନ୍ତି। ମୋ ସ୍ୱାମୀ ଡଙ୍ଗାରେ ଥିବା ବେଳେ ତାଙ୍କୁ ବାଘ ଆକ୍ରମଣ କରିଥିଲା।”

ମାଛ ଧରିବାକୁ ଯାଇଥିବା ଏହି ମହିଳାମାନେ ଦଶ ଦିନ ଯାକ ଡଙ୍ଗାରେ ହିଁ ରହନ୍ତି। ଏମିତି କି ବର୍ଷା ହେଲେ ବି। ଲଖୀ କହନ୍ତି, “କଙ୍କଡ଼ାମାନେ ଡଙ୍ଗାର ଗୋଟିଏ କୋଣରେ ଥାଆନ୍ତି, ମଣିଷମାନେ ଆଉ ଗୋଟିଏ କୋଣରେ ଏବଂ ତୃତୀୟ କୋଣରେ ରୋଷେଇବାସ ହୁଏ।”

"We do not leave the boat under any circumstances, not even to go to the toilet,” says Parul
PHOTO • Urvashi Sarkar

'କୌଣସି ପରିସ୍ଥିତିରେ ବି ଆମେ ଡଙ୍ଗା ଛାଡ଼ି ଯାଉନାହିଁ, ଏମିତି କି ଶୌଚାଳୟ ଯିବା ବେଳେ ବି ନୁହେଁ,' ପାରୁଲ କହନ୍ତି

Lokhi Mondal demonstrating how to unfurl fishing nets to catch crabs
PHOTO • Urvashi Sarkar

ଲଖୀ ମଣ୍ଡଳ ଦେଖାଇ ଦେଉଛନ୍ତି କଙ୍କଡ଼ା ଧରିବା ଲାଗି କେମିତି ମାଛଧରା ଜାଲ ଫିଙ୍ଗିବାକୁ ହୁଏ

ମାଛ ଧରିବା ପାଇଁ ଅନେକ ସମୟରେ ଜଙ୍ଗଲକୁ ଆସୁଥିବା ପୁରୁଷମାନଙ୍କ ଭଳି ମହିଳାମାନେ ବି ବାଘ ଆକ୍ରମଣର ଶିକାର ହେବାର ଆଶଙ୍କା ଲାଗି ରହିଛି। ହେଲେ, ମଣିଷ ଓ ପଶୁ ଭିତରେ ଲଢ଼େଇର କେନ୍ଦ୍ରସ୍ଥଳୀ ରୂପେ ବିବେଚିତ ସୁନ୍ଦରବନରେ ଠିକ୍‌ କେତେ ଜଣ ମହିଳା ପ୍ରାଣ ହରାଇଛନ୍ତି, ସେ ସଂପର୍କରେ କୌଣସି ଅଟକଳ କରାଯାଇନାହିଁ।

କ୍ଷୁଦ୍ର ମତ୍ସ୍ୟଜୀବୀମାନଙ୍କ ପାଇଁ ଗଠିତ ସଂଗଠନ ‘ନ୍ୟାସନାଲ ପ୍ଲାଟ୍‌ଫର୍ମ ଫର୍‌ ସ୍ମଲ ସ୍କେଲ୍‌ ଫିସ୍ ୱାର୍କର୍ସ’ର ଆବାହକ ପ୍ରଦୀପ ଚାଟାର୍ଜୀ କହନ୍ତି, “ନଥିଭୁକ୍ତ ହୋଇଥିବା ଅଧିକାଂଶ ମୃତ୍ୟୁ ପୁରୁଷମାନଙ୍କ ସଂପର୍କିତ। ମହିଳାମାନେ ବି ବାଘ ଆକ୍ରମଣର ଶିକାର ହୁଅନ୍ତି, ଅଥଚ ସେ ସଂପର୍କିତ ତଥ୍ୟ ସଂଗ୍ରହ କରାଯାଇନାହିଁ। ମହିଳାମାନେ ବି ଜଙ୍ଗଲକୁ ଯାଆନ୍ତି, କିନ୍ତୁ ପୁରୁଷମାନଙ୍କ ତୁଳନାରେ ସେମାନଙ୍କ ସଂଖ୍ୟା କମ୍‌।” ଜଙ୍ଗଲ ନିକଟବର୍ତ୍ତୀ ସ୍ଥାନରେ ବସବାସ କରିବା ଏହାର ଏକ ଗୁରୁତ୍ୱପୂର୍ଣ୍ଣ କାରଣ। ଯେଉଁ ମହିଳାମାନଙ୍କ ଘର ଜଙ୍ଗଲଠାରୁ ଅଧିକ ଦୂରରେ ସେମାନେ ଜଙ୍ଗଲକୁ ଯିବାକୁ ମନ ବଳାନ୍ତି ନାହିଁ। ବହୁସଂଖ୍ୟକ ଅନ୍ୟ ମହିଳାମାନେ ଜଙ୍ଗଲ ଯାଉଥିଲେ ହିଁ ସେମାନେ ସାଙ୍ଗରେ ଯିବାକୁ ଇଚ୍ଛା କରନ୍ତି।

୨୦୧୧ର ଜନଗଣନା ଅନୁସାରେ ପାରୁଲ ଓ ଲଖୀଙ୍କ ଗାଁ ଲକ୍‌ସବାଗାନର ଲୋକସଂଖ୍ୟା ୪,୫୦୪ ଏବଂ ଏଥିରୁ ପ୍ରାୟ ୪୮ ପ୍ରତିଶତ ମହିଳା। ପ୍ରାୟ ସବୁ ପରିବାରର ମହିଳା ଗାଁଠାରୁ ୫ କିଲୋମିଟର ଦୂର ମରିଚଝାପି ଜଙ୍ଗଲକୁ ଯାଇଥାଆନ୍ତି।

କଙ୍କଡ଼ା ଦର ଅଧିକ ହୋଇଥିବା କଥା ମଧ୍ୟ ଏହି ବିପଜ୍ଜନକ କାର୍ଯ୍ୟର ଆଉ ଏକ ମୁଖ୍ୟ ଦିଗ। ପାରୁଲ କହନ୍ତି, “ମାଛ ବିକିଲେ ମୋର ବେଶୀ ରୋଜଗାର ହୁଏନାହିଁ। କଙ୍କଡ଼ାରୁ ଆୟ ଅଧିକ ହୁଏ। ଜଙ୍ଗଲକୁ ଯାଉଥିବା ଦିନ ମୁଁ ୩୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରେ। ବଡ଼ ବଡ଼ କଙ୍କଡ଼ା କିଲୋ ପ୍ରତି ୪୦୦ରୁ ୬୦୦ ଟଙ୍କା ହୋଇଥିବା ବେଳେ ଛୋଟ କଙ୍କଡ଼ା କିଲୋ ପ୍ରତି ୬୦ରୁ  ୮୦ ଟଙ୍କାରେ ବିକ୍ରି ହୁଏ। ତିନି ଜଣ ମହିଳା ଥରେ ଜଙ୍ଗଲ ଭିତରକୁ ଗଲେ ସମୁଦାୟ ୨୦ରୁ ୪୦ କିଲୋ ପର୍ଯ୍ୟନ୍ତ କଙ୍କଡ଼ା ଧରିପାରନ୍ତି।”

*****

ବାଘ ଆକ୍ରମଣ ଆଶଙ୍କାକୁ ବାଦ୍‌ ଦେଲେ ଆଉ ଯେଉଁ ବିଷୟଟି ସୁନ୍ଦରବନର କଙ୍କଡ଼ା ଶିକାରୀଙ୍କ ଆଗରେ ସମସ୍ୟା ସୃଷ୍ଟି କରିଛି ତାହା ହେଲା ଦିନକୁ ଦିନ କଙ୍କଡ଼ା ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ପାରୁଲ କହନ୍ତି, “ଅଧିକରୁ ଅଧିକ ଲୋକ କଙ୍କଡ଼ା ଧରିବା ପାଇଁ ଜଙ୍ଗଲକୁ ଆସୁଛନ୍ତି। ଆଗରୁ ପ୍ରଚୁର ପରିମାଣରେ କଙ୍କଡ଼ା ମିଳିଯାଉଥିଲା। ଏବେ ସେମାନଙ୍କୁ ଖୋଜିବା ପାଇଁ ଆମକୁ ବହୁ ପରିଶ୍ରମ କରିବାକୁ ପଡୁଛି।”

କଙ୍କଡ଼ା ସଂଖ୍ୟା କମି କମି ଆସୁଥିବାରୁ ମହିଳା ମତ୍ସ୍ୟଜୀବୀମାନେ ଗଭୀର ଜଙ୍ଗଲ ଭିତରକୁ ଯିବାକୁ ବାଧ୍ୟ ହେଉଛନ୍ତି ଏବଂ ସେଠାରେ ବାଘ ଆକ୍ରମଣର ଶିକାର ହେବା ଆଶଙ୍କା ବଢ଼ିବାରେ ଲାଗିଛି।

ଚାଟାର୍ଜୀ କହିଲେ ଯେ, ପର୍ଯ୍ୟାପ୍ତ ପରିମାଣର ମାଛ କିମ୍ବା କଙ୍କଡ଼ା ପାଇବା ଲାଗି ଏ ଅଞ୍ଚଳର ମତ୍ସ୍ୟଜୀବୀମାନେ ଘଞ୍ଚ ହେନ୍ତାଳ ବଣ ଭିତରକୁ ଯିବାକୁ ବାଧ୍ୟ ହେଉଛନ୍ତି ଏବଂ ସେଠାରେ ସେମାନେ ବାଘ ସହିତ ମୁହାଁମୁହିଁ ହେଉଛନ୍ତି। “ବନ ବିଭାଗ କର୍ତ୍ତୃପକ୍ଷ କେବଳ ବାଘ ସଂରକ୍ଷଣ ଉପରେ ଧ୍ୟାନ ଦେଉଛନ୍ତି। ହେଲେ ଯଦି ମାଛ ନ ବଞ୍ଚିବ, ତେବେ ବାଘ ବି ବଞ୍ଚି ପାରିବ ନାହିଁ।” ଚାଟାର୍ଜୀ କହନ୍ତି, “ନଦୀରେ ମାଛ ପରିମାଣ ବଢ଼ିଲେ ଯାଇ ମଣିଷ-ବନ୍ୟଜୀବ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ହ୍ରାସ ପାଇପାରିବ।”

ନଦୀରୁ ଫେରିବା ପରେ ପାରୁଲ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ଲାଗି ପଡ଼ନ୍ତି। ସେ ତାଙ୍କ ପୋଖରୀରୁ ଧରିଥିବା ମାଛ ରାନ୍ଧନ୍ତି, ଭାତ ଫୁଟାନ୍ତି ଏବଂ ଚିନି ଗୋଳାଇ ଆମ୍ବ ଚଟଣୀ ତିଆରି କରନ୍ତି।

ସେ କହନ୍ତି ଯେ ତାଙ୍କୁ କଙ୍କଡ଼ା ଖାଇବାକୁ ଭଲ ଲାଗେନା। ତାଙ୍କ ମାଆ ଲଖୀ ଆମ ସହିତ କଥାବାର୍ତ୍ତାରେ ଯୋଗ ଦିଅନ୍ତି। ସେ କହନ୍ତି, “ନା ମୁଁ, ନା ମୋ ଝିଅ, ଆମେ ଦୁହେଁ କଙ୍କଡ଼ା ଖାଉନାହିଁ।” କାହିଁକି ବୋଲି ପଚାରିବାରୁ ସେ ବେଶୀ କିଛି କହିପାରନ୍ତିନି, ହେଲେ, ତାଙ୍କ ଜ୍ୱାଇଁ ଇଶରଙ୍କ ମୃତ୍ୟୁ ଘଟଣାକୁ ଆଖିରେ ରଖି “ଦୁର୍ଘଟଣା” କଥା କହନ୍ତି।

Parul at home in her village Luxbagan, South 24 Parganas. None of her daughters work in the forest
PHOTO • Urvashi Sarkar
Parul at home in her village Luxbagan, South 24 Parganas. None of her daughters work in the forest
PHOTO • Urvashi Sarkar

ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ତାଙ୍କ ଗାଁ ଲକ୍‌ସବାଗାନର ଘରେ ପାରୁଲ। ତାଙ୍କର କୌଣସି ଝିଅ ଜଙ୍ଗଲକୁ ଯାଇ କାମ କରନ୍ତି ନାହିଁ

ପାରୁଲଙ୍କ ଚାରି ଝିଅ ପୁଷ୍ପିତା, ପାରମିତା, ପାପିୟା ଏବଂ ପାପରି। ସେମାନଙ୍କ ମଧ୍ୟରୁ କେହି ହେଲେ ଜଙ୍ଗଲକୁ ଯାଇ କାମ କରନ୍ତି ନାହିଁ। ପଶ୍ଚିମ ବଙ୍ଗର ଅନ୍ୟ ଜିଲ୍ଲାରେ ପୁଷ୍ପିତା ଓ ପାପିୟା ଲୋକଙ୍କ ଘରେ କାମ କରନ୍ତି ଏବଂ ପାରମିତା ବେଙ୍ଗାଲୁରୁର ଏକ ବେସରକାରୀ କମ୍ପାନୀରେ କାମ କରନ୍ତି। ସବୁଠାରୁ ସାନ ୧୩ ବର୍ଷୀୟା ପାପରି, ଲକ୍‌ସବାଗାନ ପାଖ ଏକ ଛାତ୍ରୀ ନିବାସରେ ରହେ। ସେ ପ୍ରାୟତଃ ଅସୁସ୍ଥ ରହିଥାଏ। ପାରୁଲ କହନ୍ତି, “ପାପରିକୁ ଟାଇଫଏଡ୍‌ ଓ ମ୍ୟାଲେରିଆ ହୋଇଥିଲା। ତା’ର ଚିକିତ୍ସା ପାଇଁ ମୁଁ ୧୩,୦୦୦  ଟଙ୍କା ଖର୍ଚ୍ଚ କଲି। ମୁଁ ମଧ୍ୟ ତା’ର ହଷ୍ଟେଲ ଫି’ ବାବଦରେ ପ୍ରତି ମାସରେ ୨,୦୦୦ ଟଙ୍କା ଦିଏ।”

ପାରୁଲ ନିଜେ ବି ଅସୁସ୍ଥ। ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିବାରୁ ଏ ବର୍ଷ ସେ ମାଛ ଧରିବାକୁ କି କଙ୍କଡ଼ା ଶିକାର କରିବାକୁ ଯାଇ ପାରିବେନି। ସେ ଏବେ ତାଙ୍କ ଝିଅ ପାରମିତା ମିସ୍ତ୍ରୀ ପାଖରେ ବେଙ୍ଗାଲୁରୁରେ ରହୁଛନ୍ତି।

ସେ କହନ୍ତି, “କୋଲକାତାର ଜଣେ ଡାକ୍ତର ମୋତେ ଏମଆରଆଇ ସ୍କାନ୍‌ କରାଇବାକୁ କହିଛନ୍ତି। ଏଥିପାଇଁ ୪୦,୦୦୦ ଟଙ୍କା ଲାଗିବ। ମୋ ପାଖରେ ଏତେ ଟଙ୍କା ନାହିଁ।” ତେଣୁ ସେ ଦକ୍ଷିଣ ଭାରତର ଏହି ନଗରୀକୁ ଆସି ଝିଅ ଓ ଜ୍ୱାଇଁଙ୍କ ପାଖରେ ରହିବାକୁ ସ୍ଥିର କଲେ। ସେମାନେ ଦୁହେଁ ବେସରକାରୀ କମ୍ପାନୀରେ କାମ କରନ୍ତି। ପାରୁଲ ବେଙ୍ଗାଲୁରୁର ଜଣେ ଡାକ୍ତରଙ୍କ ପାଖକୁ ବି ଯାଇଥିଲେ। ସେ ତାଙ୍କୁ ଛଅ ମାସ ପାଇଁ ଔଷଧ ଖାଇ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ।

ସେ କହନ୍ତି, “ମୁଁ ଭାବୁଛି, ସବୁବେଳେ, ବିଶେଷତଃ ମୁଁ ଜଙ୍ଗଲକୁ ଯିବା ବେଳେ, ଭୟ ଅନୁଭବ କରୁଥିବା କାରଣରୁ ମୋ ଛାତିରେ ଯନ୍ତ୍ରଣା ହେଉଛି। ମୋ ସ୍ୱାମୀ ବାଘ ଆକ୍ରମଣରେ ପ୍ରାଣ ହରାଇଥିଲେ ଏବଂ ମୋ ବାପାଙ୍କୁ ବି ବାଘ ଆକ୍ରମଣ କରିଥିଲା। ସେହି କାରଣରୁ ହିଁ ମୋ ଛାତିରେ ଯନ୍ତ୍ରଣା ହେଉଛି।”

ଅନୁବାଦ : ଓଡ଼ିଶାଲାଇଭ୍‍

Urvashi Sarkar

ଉର୍ବଶୀ ସରକାର ହେଉଛନ୍ତି ଜଣେ ସ୍ୱାଧୀନ ସମ୍ବାଦିକା ଓ ୨୦୧୬ ପରୀ ଫେଲୋ

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ଉର୍ବଶୀ ସର୍କାର
Editor : Kavitha Iyer

କବିତା ଆୟାର ୨୦ ବର୍ଷ ଧରି ସାମ୍ବାଦିକତା କରି ଆସୁଛନ୍ତି। ସେ ‘ଲ୍ୟାଣ୍ଡସ୍କେପ୍ସ ଅଫ ଲସ୍ : ଦ ଷ୍ଟୋରୀ ଅପ୍ ଆନ ଇଣ୍ଡିଆ ଡ୍ରଟ୍’ (ହାର୍ପର କଲ୍ଲିନ୍ସ, ୨୦୨୧) ପୁସ୍ତକର ଲେଖିକା।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Kavitha Iyer
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE