ନାଗରାଜ ବନ୍ଦନଙ୍କୁ ନିଜ ଘରେ ରାଗୀ କଲି ରନ୍ଧା ହେବାର ବାସ୍ନା ମନେ ଅଛି । ପିଲାଦିନେ ସେ ପ୍ରତ୍ୟେକ ଦିନ ଏହାକୁ ଅପେକ୍ଷା କରି ରହୁଥିଲେ।

ପାଞ୍ଚ ଦଶନ୍ଧି ପରେ ରାଗୀ କଲି (ମାଣ୍ଡିଆ ଅଟାରେ ତିଆରି ହୋଇଥିବା ଏକ ବ୍ୟଞ୍ଜନ) ଏବେ ପୂର୍ବ ଭଳି ଆଉ ନାହିଁ। ସେ କୁହନ୍ତି, ‘‘ଏବେ ଯେଉଁ ରାଗୀ ମିଳୁଛି, ସେଥିରେ ଆଗ ଭଳି ବାସ୍ନା ଓ ସ୍ୱାଦ ମିଳୁନାହିଁ।’’ ଏଥିସହିତ ସେ ଏହା ମଧ୍ୟ କୁହନ୍ତି ଯେ ବର୍ତ୍ତମାନ ରାଗୀ କଲି ବେଳେବେଳେ ପ୍ରସ୍ତୁତ ହେଉଛି।

ନାଗରାଜ ଜଣେ ଇରୁଲା (ତାମିଲନାଡ଼ୁରେ ଅନୁସୂଚିତ ଜନଜାତି ରୂପରେ ତାଲିକାଭୁକ୍ତ) ଏବଂ ନୀଳଗିରିର ବୋକ୍କାପୁରମ୍‌ ଗ୍ରାମର ବାସିନ୍ଦା। ସେ ରାଗୀ ଓ ଅନ୍ୟ ମିଲେଟ୍‌ ବା ଖଦଡ଼ା ଶସ୍ୟ ଖାଇ ବଡ଼ ହୋଇଛନ୍ତି । ତାଙ୍କ ବାପା ମା’ ରାଗୀ (ମାଣ୍ଡିଆ), ଚୋଲମ୍‌ (ଯଅ), କମ୍ବୁ (ବାଜରା) ଏବଂ ସମାଇ (ଛୋଟ ମାଣ୍ଡିଆ ଜାତୀୟ ଶସ୍ୟ) ଚାଷ କରୁଥିଲେ। ପରିବାର ଲୋକଙ୍କ ଖାଇବା ପାଇଁ ଘରେ ସବୁବେଳେ କିଛି କିଲୋଗ୍ରାମ ଶସ୍ୟ ଗଚ୍ଛିତ ରଖାଯାଉଥିଲା।

ନାଗରାଜ ବଡ଼ ହେବା ପରେ ଚାଷ ଦାୟିତ୍ୱ ନେଇଥିଲେ, ସେ ଦେଖିଲେ ତାଙ୍କର ଅମଳ ପିତାଙ୍କ ତୁଳନାରେ ଯଥେଷ୍ଟ କମ୍‌ ଥିଲା : ‘‘ଆମକୁ କେବଳ ଖାଇବା ଲାଗି ଆବଶ୍ୟକ ( ରାଗୀ ) ମିଳିଯାଉଛି  ଏବଂ ବେଳେବେଳେ ସେତିକି ସୁଦ୍ଧା ମିଳୁନାହିଁ,’’ ସେ ପରୀକୁ କହିଥିଲେ। ସେ ନିଜର ଦୁଇ ଏକର ଜମିରେ ବିନ୍ସ ଓ ବାଇଗଣ ଭଳି ପରିବା ସହିତ ମାଣ୍ଡିଆ ଉତ୍ପାଦନ ଅଦଳବଦଳ କରି ଜାରି ରଖିଛନ୍ତି ।

ଅନ୍ୟ ଚାଷୀମାନେ ମଧ୍ୟ ପରିବର୍ତ୍ତନ ଦେଖିଛନ୍ତି । ମାରି (କେବଳ ନିଜର ପ୍ରଥମ ନାଁ ବ୍ୟବହାର କରନ୍ତି) କୁହନ୍ତି ତାଙ୍କ ବାପା ୧୦-୨୦ ବସ୍ତା ମାଣ୍ଡିଆ ଉତ୍ପାଦନ କରୁଥିଲେ। କିନ୍ତୁ ଏହି ୪୫ ବର୍ଷ ବୟସ୍କ ଚାଷୀ କୁହନ୍ତି ଯେ ତାଙ୍କୁ ନିଜର ଦୁଇ ଏକର ଜମିରୁ ମାତ୍ର ୨-୩ ବସ୍ତା ମିଳିପାରୁଛି।

ନାଗରାଜ ଓ ମାରିଙ୍କ ଅଭିଜ୍ଞତା ସରକାରୀ ତଥ୍ୟରେ ମଧ୍ୟ ପ୍ରତିଫଳିତ ହୋଇଥାଏ, ଯାହା ଦର୍ଶାଇଥାଏ ଯେ ନୀଳଗିରିରେ ରାଗୀ ଚାଷ ୧୯୪୮-୪୯ରେ ୧,୩୬୯ ହେକ୍ଟରରୁ ହ୍ରାସ ପାଇ ୧୯୯୮-୯୯ରେ ୮୬ ହେକ୍ଟରରେ ପହଞ୍ଚିଛି ।

ଶେଷ ଜନଗଣନା (୨୦୧୧)ର ତଥ୍ୟ ଅନୁଯାୟୀ ଜିଲ୍ଲାରେ ମାତ୍ର ଗୋଟିଏ ହେକ୍ଟର ଜମିରେ ମିଲେଟ୍‌ ଚାଷ ହେଉଛି ।

PHOTO • Sanviti Iyer

ଚାଷୀ ମାରି ( ବାମ ), ସୁରେଶ ( ମଝି ) ଏବଂ ନାଗରାଜ ( ଡାହାଣ ) ଦେଖିଛନ୍ତି ଯେ ଗତ କିଛି ଦଶନ୍ଧି ମଧ୍ୟରେ ନୀଳଗିରିରେ ରାଗୀ ଚାଷ ଯଥେଷ୍ଟ ହ୍ରାସ ପାଇଛି ଶେଷ ଜନଜଣନା ( ୨୦୧୧ ) ତଥ୍ୟ ମୁତାବକ ଜିଲ୍ଲାର ମାତ୍ର ଗୋଟିଏ ହେକ୍ଟର ଜମିରେ ମିଲେଟ୍‌ ଚାଷ ହେଉଛି

PHOTO • Sanviti Iyer
PHOTO • Sanviti Iyer

ନାଗରାଜ ବନ୍ଦନଙ୍କ ଜମି ( ବାମ ) ମାରିଙ୍କ ଜମି ( ଡାହାଣ ) ଆମେ ବର୍ତ୍ତମାନ ପାଉଥିବା ରାଗୀର ଭଲ ବାସ୍ନା କିମ୍ବା ସ୍ୱାଦ ନାହିଁ ,’ ନାଗରାଜ କୁହନ୍ତି

‘‘ଗତ ବର୍ଷ ମୁଁ ଆଦୌ ରାଗୀ ଅମଳ କରିପାରିନଥିଲି,’’ ଜୁନ୍‌ ୨୦୨୩ରେ ସେ ବୁଣିଥିବା ବିହନ ବିଷୟରେ ସୂଚନା ଦେଇ ନାଗରାଜ କୁହନ୍ତି । ‘‘ବିହନ ବୁଣିବା ପୂର୍ବରୁ ବର୍ଷା ହୋଇଥିଲା, କିନ୍ତୁ ତା’ପରେ ହେଲା ନାହିଁ। ତେଣୁ ସବୁ ବିହନ ଶୁଖି ନଷ୍ଟ ହୋଇଗଲା।’’

ଆଉ ଜଣେ ଇରୁଲା ଚାଷୀ ସୁରେଶ କୁହନ୍ତି, ଏବେ ରାଗୀ ଗଛ ଧୀରେ ଧୀରେ ବଢ଼ୁଛି କାରଣ ସେମାନେ ନୂଆ ବିହନ ବ୍ୟବହାର କରୁଛନ୍ତି। ସେ କୁହନ୍ତି, ‘‘ଆମେ ଏବେ ଚାଷକୁ ଭରସା କରି ଚଳିପାରିବୁ ନାହିଁ,’’ ସେ କୁହନ୍ତି ଓ ତାଙ୍କର ଦୁଇ ପୁଅ ଚାଷ କାମ ଛାଡ଼ି କୋଏମ୍ବାଟୁରରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି ।

ବୃଷ୍ଟିପାତ ଏବେ ଅନିଶ୍ଚିତ ହୋଇପଡ଼ିଛି। ‘‘ପୂର୍ବରୁ ଛଅ ମାସ ବର୍ଷା ହେଉଥିଲା (ମଇ ମାସ ଶେଷ ଭାଗରୁ ଅକ୍ଟୋବର ଆରମ୍ଭ ପର୍ଯ୍ୟନ୍ତ)। କିନ୍ତୁ କେତେବେଳେ ବର୍ଷା ହେବ ଏବେ ଆମେ ଅନୁମାନ କରିପାରିବା ନାହିଁ; ଡିସେମ୍ବରରେ ମଧ୍ୟ ବର୍ଷା ହୋଇପାରେ,’’ ନାଗରାଜ କୁହନ୍ତି। ଖରାପ ଅମଳ ପାଇଁ ସେ ବର୍ଷାକୁ ମଧ୍ୟ ଦାୟୀ କରିଥାନ୍ତି ଏବଂ କୁହନ୍ତି, ‘‘ଆମେ ଆଉ ବର୍ଷାକୁ ଭରସା କରିପାରିବୁ ନାହିଁ।’’

ନୀଳଗିରି ଜୈବମଣ୍ଡଳ ଅଭୟାରଣ୍ୟ ପଶ୍ଚିମଘାଟର ଦକ୍ଷିଣ ଭାଗରେ ରହିଛି ଏବଂ ୟୁନେସ୍କୋ ଦ୍ୱାରା ଏହାକୁ ସମୃଦ୍ଧ ଜୈବ ବିବିଧତା କ୍ଷେତ୍ର ରୂପେ ମାନ୍ୟତା ଦିଆଯାଇଛି । କିନ୍ତୁ ପଶ୍ଚିମଘାଟର ପରିବେଶ ପରିତନ୍ତ୍ର ପ୍ୟାନେଲ୍‌ ଦ୍ୱାରା ୨୦୧୧ରେ ଜାରି ଏହି ଗବେଷଣାପତ୍ରରେ କୁହାଯାଇଛି ଯେ ଅଣ-ଦେଶୀ ଉଦ୍ଭିଦ ପ୍ରଜାତିର ପ୍ରବେଶ, ଅଧିକ ଉଚ୍ଚତା ଥିବା ସନ୍ତସନ୍ତିଆ ସ୍ଥାନଗୁଡ଼ିକ ବୃକ୍ଷରାଜିରେ ପରିବର୍ତ୍ତିତ ହେବା ଏବଂ ଔପନିବେଶ କାଳ ସମୟରେ ଚା’ ଚାଷ ‘‘ଏହି ଅଞ୍ଚଳର ଜୈବବିବିଧତାକୁ ଗମ୍ଭୀର ଭାବେ କ୍ଷତି ପହଞ୍ଚାଇଛି।’’

ମୋୟର ନଦୀ ଭଳି ନୀଳଗିରିର ଅନ୍ୟାନ୍ୟ ଜଳ ଉତ୍ସଗୁଡ଼ିକ ବହୁତ ଦୂରରେ ରହିଛି । ଆଉ ତାଙ୍କର ଜମି ମୁଦୁମଲାଇ ବ୍ୟାଘ୍ର ଅଭୟାରଣ୍ୟର ବଫର ଜୋନ୍‌ ବା କେନ୍ଦ୍ର ସ୍ଥଳୀ ଭାବେ ପରିଚିତ ବୋକ୍କାପୁରମ୍‌ ଅଧୀନରେ ଆସୁଥିବାରୁ ଜଙ୍ଗଲ ବିଭାଗ ଅଧିକାରୀମାନେ ନଳକୂପ ଖନନ ପାଇଁ ଅନୁମତି ଦିଅନ୍ତି ନାହିଁ। ବି. ସିଦ୍ଦନ ମଧ୍ୟ ବୋକ୍କାପୁରମର ଜଣେ ଚାଷୀ। ସେ କୁହନ୍ତି ଯେ ଜଙ୍ଗଲ ଅଧିକାର ଆଇନ, ୨୦୦୬ ପରଠାରୁ ଅନେକ ଜିନିଷ ବଦଳିଯାଇଛି । ‘‘୨୦୦୬ ପୂର୍ବରୁ ଆମେ ଜଙ୍ଗଲରୁ ପାଣି ନେଇପାରୁଥିଲୁ କିନ୍ତୁ ଏବେ ଆମକୁ ଜଙ୍ଗଲ ଭିତରକୁ ଯିବା ପାଇଁ ଅନୁମତି ମିଳୁନାହିଁ,’’ ଏହି ୪୭ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ କୁହନ୍ତି ।

‘‘ଏ ଗରମରେ ରାଗୀ କେମିତି ବଢ଼ିବ,’’ ନାଗରାଜ ପ୍ରଶ୍ନ କରନ୍ତି।

ଜମିରେ ହେଉଥିବା କ୍ଷତି ଏବଂ ଜୀବିକା ଅର୍ଜନ ସକାଶେ ନାଗରାଜ ମସିନାଗୁଡ଼ି ପଡ଼ା ଏବଂ ଆଖପାଖ ଅଞ୍ଚଳରେ ଥିବା ଅନ୍ୟ ଚାଷ ଜମିରେ ଦିନ ମଜୁରିଆ ଶ୍ରମିକ ଭାବେ କାମ କରନ୍ତି । ‘‘ମୁଁ ଯେକୌଣସି ସ୍ଥାନରେ ଦିନକୁ ୪୦୦-୫୦୦ (ଟଙ୍କା) ରୋଜଗାର କରିପାରିବି, କିନ୍ତୁ ଏହା କେବଳ ସେତିକି ବେଳେ ସମ୍ଭବ ଯେତେବେଳେ ମୋତେ କୌଣସି କାମ ମିଳିବ,’’ ସେ କୁହନ୍ତି । ତାଙ୍କ ପତ୍ନୀ ନାଗୀ ମଧ୍ୟ ଜଣେ ଦିନ ମଜୁରିଆ ଶ୍ରମିକ ଏବଂ ଜିଲ୍ଲାର ଅନ୍ୟ ମହିଳାଙ୍କ ଭଳି ସେ ନିକଟସ୍ଥ ଚା’ ବଗିଚାରେ କାମ କରି ଦୈନିକ ୩୦୦ ଟଙ୍କା ରୋଜଗାର କରିଥା’ନ୍ତି ।

PHOTO • Sanviti Iyer
PHOTO • Sanviti Iyer

ସୁରେଶ କୁହନ୍ତି ରାଗୀ ଏବେ ଅଧିକ ଧିମା ଗତିରେ ବଢ଼ୁଛି କାରଣ ସେମାନେ ନୂଆ ବିହନ ବ୍ୟବହାର କରୁଛନ୍ତି (ତାଙ୍କର ଚାଷ ଜମି ବାମ ପଟେ ରହିଛି)। ବି. ସିଦ୍ଦନ (ଡାହାଣ) କୁହନ୍ତି ଯେ ଜଙ୍ଗଲ ଅଧିକାର ଆଇନ, ୨୦୦୬ ଲାଗୁ ହେବା ପରେ ଅନେକ କିଛି ବଦଳିଯାଇଛି : ‘୨୦୦୬ ପୂର୍ବରୁ ଆମେ ଜଙ୍ଗଲରୁ ପାଣି ନେଇପାରୁଥିଲୁ କିନ୍ତୁ ଏବେ ଆମକୁ ଜଙ୍ଗଲ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଉ ନାହିଁ’

*****

ଚାଷୀମାନେ ମଜାଳିଆ ଢଙ୍ଗରେ କୁହନ୍ତି ଯେ ସେମାନେ ରାଗୀ କୁ ଯେତିକି ଭଲ ପାଆନ୍ତି ହାତୀମାନେ ମଧ୍ୟ ସେତିକି ଭଲ ପାଆନ୍ତି। ‘‘ ରାଗୀ ର ବାସ୍ନା ସେମାନଙ୍କୁ (ହାତୀମାନଙ୍କୁ) ଆମ ଚାଷ ଜମି ଆଡ଼କୁ ଆକୃଷ୍ଟ କରିଥାଏ,’’ ସୁରେଶ କୁହନ୍ତି । ବୋକାପୁରାମ୍‌ ପଡ଼ା ସିଗୁର ହାତୀ କରିଡର ଅଧୀନରେ ଆସିଥାଏ - ଯାହାକି ପଶ୍ଚିମ ଓ ପୂର୍ବ ଘାଟ ମଧ୍ୟରେ ହାତୀମାନଙ୍କର ଗତିବିଧିକୁ ଯୋଡ଼ିଥାଏ।

ସେମାନେ ଯେତେବେଳେ ଯୁବାବସ୍ଥାରେ ଥିଲେ ହାତୀମାନେ କେବେ ସେମାନଙ୍କ ଜମିକୁ ଆସୁଥିବାର ସେମାନଙ୍କର ମନେ ନାହିଁ। ‘‘ଆମେ ଆଦୌ ହାତୀଙ୍କୁ ଦାୟୀ କରୁନାହୁଁ,’’ ସୁରେଶ କୁହନ୍ତି ଏବଂ ତାଙ୍କ କଥାକୁ ଆଗକୁ ବଢ଼ାଇ ସେ ପୁଣି କହିଥାନ୍ତି, ‘‘ବର୍ଷା ହେଉନାହିଁ ତେଣୁ ଜଙ୍ଗଲଗୁଡ଼ିକ ଶୁଖିଯାଉଛି। ହାତୀମାନେ ଖାଇବେ କ’ଣ? ସେମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।’’ ଗ୍ଲୋବାଲ୍‌ ଫରେଷ୍ଟ୍‌ ୱାଚ୍‌ ର ତଥ୍ୟ ମୁତାବକ ୨୦୦୨ରୁ ୨୦୨୨ ମଧ୍ୟରେ ନୀଳଗିରି ଜିଲ୍ଲାରେ ୫୧୧ ହେକ୍ଟର ଜଙ୍ଗଲ ଜମି ନଷ୍ଟ ହୋଇଛି।

ବୋକ୍କପୁରମ୍‌ ଠାରୁ କିଛି କିଲୋମିଟର ଦୂରରେ ଥିବା ଗୋଟିଏ ପଡ଼ା ମେଲଭୁତନାଥମରେ ରଙ୍ଗୈୟାଙ୍କ ଚାଷ ଜମି ରହିଛି କିନ୍ତୁ ସେ ସୁରେଶଙ୍କ କଥା ସହମତ ହୁଅନ୍ତି । ପଚାଶ ବର୍ଷରୁ ଅଧିକ ବୟସ୍କ ଏହି ବ୍ୟକ୍ତି ଜଣଙ୍କ ନିଜର ଗୋଟିଏ ଏକର ଜମିରେ ଚାଷ କରୁଥିବା ବେଳେ ଏହାର ପଟ୍ଟା ତାଙ୍କ ପାଖରେ ନାହିଁ । ‘‘୧୯୪୭ର ବହୁ ପୂର୍ବରୁ ମୋ ପରିବାର ଏହି ଜମିରେ ଚାଷ କରି ଆସୁଛି,’’ ସେ କୁହନ୍ତି । ରଙ୍ଗୈୟା ଜଣେ ସୋଲିଗା ଆଦିବାସୀ ଏବଂ ତାଙ୍କ ଜମି ପାଖରେ ଥିବା ସୋଲିଗା ମନ୍ଦିର ସେ ପରିଚାଳନା କରିଥା’ନ୍ତି।

ରଙ୍ଗୈୟା ହାତୀଙ୍କ ପାଇଁ କିଛି ବର୍ଷ ପୂର୍ବରୁ ରାଗୀ ଓ ଅନ୍ୟାନ୍ୟ ମିଲେଟ୍‌ ଚାଷ ବନ୍ଦ କରି ଦେଇଛନ୍ତି । ‘‘ସେମାନେ (ହାତୀ) ଆସି ସବୁ ଖାଇ ଦେଉଥିଲେ,’’ ସେ କହିଥାନ୍ତି ଏବଂ ଆହୁରି କୁହନ୍ତି ଯେ, ‘‘ହାତୀ ଥରେ କୌଣସି ଜମିକୁ ଆସି ରାଗୀ ର ସ୍ୱାଦ ଚାଖିନେଲେ ସେହି ସ୍ଥାନକୁ ବାରମ୍ବାର ଆସିଥାନ୍ତି।’’ ସେ କୁହନ୍ତି ଯେ ଅନେକ ଚାଷୀ ଏହି କାରଣରୁ ରାଗୀ ଓ ଅନ୍ୟାନ୍ୟ ମିଲେଟ୍‌ ଚାଷ ଛାଡ଼ିଦେଲେଣି । ରଙ୍ଗୈୟା ଏବେ କୋବି ଓ ବିନ୍ସ ଭଳି ପରିବା ଅମଳ କରୁଛନ୍ତି ।

ଚାଷୀଙ୍କୁ ରାତି ସାରା ଅନିଦ୍ରା ରହି ଜଗିବାକୁ ପଡ଼ିଥାଏ ଏବଂ ଭୁଲ ବଶତଃ ସେମାନେ ଯଦି ଶୋଇପଡ଼ନ୍ତି ତା’ହେଲେ ହାତୀଙ୍କ ଆକ୍ରମଣର ଶିକାର ହେବାର ଆଶଙ୍କା ଥାଏ। ‘‘ହାତୀଙ୍କ ଭୟରେ ଚାଷୀମାନେ ଆଉ ମାଣ୍ଡିଆ ବୁଣୁନାହାନ୍ତି।’’

ଚାଷୀମାନେ କୁହନ୍ତି ଯେ ସେମାନେ ବଜାରରୁ କେବେ ରାଗୀ ଭଳି ମିଲେଟ୍‌ କିଣିନାହାନ୍ତି ଏବଂ ସେମାନେ ଯାହା ଅମଳ କରନ୍ତି ତା’କୁ ହିଁ ଖାଇଥା’ନ୍ତି। ତେଣୁ ସେମାନେ ଚାଷ ଛାଡ଼ି ଦେବା କାରଣରୁ ଏହାକୁ ଖାଇବା ମଧ୍ୟ ଛାଡ଼ି ଦେଇଛନ୍ତି ।

PHOTO • Sanviti Iyer
PHOTO • Sanviti Iyer

ସୋଲିଗା ସମ୍ପ୍ରଦାୟର ଜଣେ ସଦସ୍ୟ ରଙ୍ଗୈୟା ମେଲଭୁତନାଥମ ପଡ଼ାର ଜଣେ ଚାଷୀ। ହାତୀ ଓ ଅନ୍ୟାନ୍ୟ ପ୍ରାଣୀଙ୍କ ଠାରୁ ଚାଷ ଜମିକୁ ସୁରକ୍ଷିତ ରଖିବା ଲାଗି ଗୋଟିଏ ସ୍ଥାନୀୟ ଏନଜିଓ ପକ୍ଷରୁ ସୌର ବାଡ଼ ସହାୟତା ମିଳିବା ପରେ ନିକଟରେ ସେ ରାଗୀ ଚାଷ ଆରମ୍ଭ କରିଛନ୍ତି। ‘ସେମାନେ (ହାତୀମାନେ) ଆସି ସବୁ ଖାଇ ଦେଉଥିଲେ,’ ସେ କୁହନ୍ତି

PHOTO • Sanviti Iyer
PHOTO • Sanviti Iyer

ରଙ୍ଗୈୟା ତାଙ୍କ ଜମି ପାଖରେ ଗୋଟିଏ ସୋଲିଗା ମନ୍ଦିର (ବାମ) ଚଳେଇଥା’ନ୍ତି। ଲଳିତା ମୁକାସାମି (ଡାହାଣ) ଅନୈକଟ୍ଟୀ ଗ୍ରାମର ବାସିନ୍ଦା ଏବଂ ଗୋଟିଏ ସ୍ଥାନୀୟ ଏନଜିଓରେ ସ୍ୱାସ୍ଥ୍ୟ କ୍ଷେତ୍ର ସଂଯୋଜକ ଭାବେ କାମ କରନ୍ତି । ‘ମିଲେଟ୍‌ ଚାଷ ବନ୍ଦ ହୋଇଯିବା କାରଣରୁ ଆମକୁ ରାସନ ଦୋକାନରୁ ଖାଦ୍ୟଶସ୍ୟ କିଣିବାକୁ ହେଲା - ଆମେ ଏଥିରେ ଅଭ୍ୟସ୍ତ ନଥିଲୁ,’ ସେ କୁହନ୍ତି

ହାତୀ ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କଠାରୁ ସୁରକ୍ଷା ପାଇବା ଲାଗି ଗୋଟିଏ ସ୍ଥାନୀୟ ଏନଜିଓ ତାଙ୍କୁ ଓ ଅନ୍ୟ ଚାଷୀମାନଙ୍କୁ ସେମାନଙ୍କ ଜମି ପାଇଁ ସୌର ବାଡ଼ ଯୋଗାଇ ଦେଇଛି। ରଙ୍ଗୈୟା ତାଙ୍କର ଅଧା ଏକର ଚାଷ ଜମିରେ ପୁଣିଥରେ ରାଗୀ ଅମଳ ଆରମ୍ଭ କରିଛନ୍ତି । ଗତ ଋତୁରେ ସେ ବିନ୍ସ ଓ ରସୁଣ ବିକ୍ରି କରି ୭,୦୦୦ ଟଙ୍କା ପାଇଥିଲେ ।

ମିଲେଟ୍‌ ଚାଷ ହ୍ରାସ ପାଇବାର ଅର୍ଥ ହେଉଛି ଖାଦ୍ୟାଭ୍ୟାସରେ ପରିବର୍ତ୍ତନ। ‘‘ମିଲେଟ୍‌ ଚାଷ ହ୍ରାସ ପାଇବା କାରଣରୁ ଆମକୁ ରାସନ ଦୋକାନରୁ ଖାଦ୍ୟଶସ୍ୟ କିଣିବାକୁ ହେଲା-ଏଥିରେ ଆମେ ଅଭ୍ୟସ୍ତ ନଥିଲୁ,’’ ଲଳିତା ମୁକାସାମି କୁହନ୍ତି। ସେ ଜଣେ ସ୍ଥାନୀୟ ବାସିନ୍ଦା ଏବଂ ଏଠାକାର ଏକ ଏନଜିଓରେ ସ୍ୱାସ୍ଥ୍ୟ କ୍ଷେତ୍ର ସଂଯୋଜକ ଭାବେ କାମ କରନ୍ତି । ରାସନ ଦୋକାନରେ ମୁଖ୍ୟତଃ ଧାନ ଓ ଅଟା ବିକ୍ରି ହୋଇଥାଏ।

‘‘ମୁଁ ଯେତେବେଳେ ପିଲା ଥିଲି, ଦିନକୁ ଆମେ ତିନି ଥର ରାଗୀ ଖାଉଥିଲୁ, କିନ୍ତୁ ଏବେ ଖାଇବା କଷ୍ଟକର ହୋଇପଡ଼ୁଛି । ଏବେ ଆମେ କେବଳ ଆରସିସାପାଟ୍‌ (ଚାଉଳ ଆଧାରିତ ଖାଦ୍ୟ) ଖାଉଛୁ ଯାହାକୁ ତିଆରି କରିବା ସହଜ,’’ ଲଳିତା କୁହନ୍ତି । ସେ ଜଣେ ଇରୁଲା ଆଦିବାସୀ ସମ୍ପ୍ରଦାୟର ମହିଳା। ତାଙ୍କ ଘର ଅନାଇକଟ୍ଟି ଗ୍ରାମରେ ଏବଂ ୧୯ ବର୍ଷ ଧରି ସେ ଏହି ସମ୍ପ୍ରଦାୟ ସହ କାମ କରୁଛନ୍ତି । ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ କାରଣରୁ ସ୍ୱାସ୍ଥ୍ୟ ସମସ୍ୟା ବୋଧହୁଏ ବୃଦ୍ଧି ପାଇଛି ବୋଲି ସେ କୁହନ୍ତି।

ଭାରତୀୟ ମିଲେଟ୍‌ ଗବେଷଣା ପ୍ରତିଷ୍ଠାନ (ଆଇଆଇଏମଆର) ର ଏକ ରିପୋର୍ଟ ଅନୁଯାୟୀ, ‘‘କିଛି ଜଣାଶୁଣା ପୋଷକ ତତ୍ତ୍ୱ ଯଥା ଭିଟାମିନ୍‌, ଖଣିଜ, ଜରୁରୀ ଫ୍ୟାଟୀ ଏସିଡ୍‌ ପୋଷଣ ସହ ଜଡ଼ିତ ରୋଗ ନିରାକରଣ ଦିଗରେ ସହାୟକ ହେବା ବ୍ୟତୀତ ଅପକ୍ଷୟୀ ରୋଗ ରୋକିବା ଦିଗରେ ମଧ୍ୟ ଅତ୍ୟନ୍ତ ଲାଭ ଜନକ ହୋଇଥାଏ।’’ ତେଲଙ୍ଗାନାରେ ଥିବା ଏହି ପ୍ରତିଷ୍ଠାନ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)ର ଏକ ଅଂଶବିଶେଷ।

ରଙ୍ଗୈୟା କୁହନ୍ତି, ‘‘ ରାଗୀ ତେନଇ ଆମର ମୁଖ୍ୟ ଭୋଜନ ଥିଲା। ଆମେ ଏହାକୁ ସୋରିଷ ପତ୍ର ଓ କାଟକୀରେଇ (ଜଙ୍ଗଲରେ ମିଳୁଥିବା ପାଳଙ୍ଗ) ସହିତ ଖାଉଥିଲୁ।’’ ଏହାକୁ ଶେଷ ଥର କେବେ ଖାଇଥିଲେ ତାଙ୍କର ମନେ ନାହିଁ : ‘‘ଆମେ ଏବେ ଆଦୌ ଜଙ୍ଗଲକୁ ଯାଉ ନାହୁଁ।’’

ଏହି ଲେଖା ପ୍ରସ୍ତୁତ କରିବା ଲାଗି କୀଷ୍ଟୋନ୍‌ ଫାଉଣ୍ଡେସନର ଶ୍ରୀରାମ ପରମଶିବନଙ୍କ ସହାୟତା ପାଇଁ ରିପୋର୍ଟର ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Sanviti Iyer

ସନ୍ୱିତୀ ଆୟାର ପିପୁଲ୍ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆରେ ଜଣେ ବିଷୟବସ୍ତୁ ସଂଯୋଜିକା ଭାବେ କାର୍ଯ୍ୟ କରୁଛନ୍ତି। ଗ୍ରାମୀଣ ଭାରତର ପ୍ରସଙ୍ଗ ଉପରେ ଦସ୍ତାବିଜ ସଂଗ୍ରହ କରିବା ଏବଂ ରିପୋର୍ଟ ପ୍ରସ୍ତୁତ କରିବାରେ ସହାୟତା ଲାଗି ସେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ କାମ କରିଥାନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Sanviti Iyer
Editor : Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Priti David
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE