ନାଗରାଜ ବନ୍ଦନଙ୍କୁ ନିଜ ଘରେ ରାଗୀ କଲି ରନ୍ଧା ହେବାର ବାସ୍ନା ମନେ ଅଛି । ପିଲାଦିନେ ସେ ପ୍ରତ୍ୟେକ ଦିନ ଏହାକୁ ଅପେକ୍ଷା କରି ରହୁଥିଲେ।
ପାଞ୍ଚ ଦଶନ୍ଧି ପରେ ରାଗୀ କଲି (ମାଣ୍ଡିଆ ଅଟାରେ ତିଆରି ହୋଇଥିବା ଏକ ବ୍ୟଞ୍ଜନ) ଏବେ ପୂର୍ବ ଭଳି ଆଉ ନାହିଁ। ସେ କୁହନ୍ତି, ‘‘ଏବେ ଯେଉଁ ରାଗୀ ମିଳୁଛି, ସେଥିରେ ଆଗ ଭଳି ବାସ୍ନା ଓ ସ୍ୱାଦ ମିଳୁନାହିଁ।’’ ଏଥିସହିତ ସେ ଏହା ମଧ୍ୟ କୁହନ୍ତି ଯେ ବର୍ତ୍ତମାନ ରାଗୀ କଲି ବେଳେବେଳେ ପ୍ରସ୍ତୁତ ହେଉଛି।
ନାଗରାଜ ଜଣେ ଇରୁଲା (ତାମିଲନାଡ଼ୁରେ ଅନୁସୂଚିତ ଜନଜାତି ରୂପରେ ତାଲିକାଭୁକ୍ତ) ଏବଂ ନୀଳଗିରିର ବୋକ୍କାପୁରମ୍ ଗ୍ରାମର ବାସିନ୍ଦା। ସେ ରାଗୀ ଓ ଅନ୍ୟ ମିଲେଟ୍ ବା ଖଦଡ଼ା ଶସ୍ୟ ଖାଇ ବଡ଼ ହୋଇଛନ୍ତି । ତାଙ୍କ ବାପା ମା’ ରାଗୀ (ମାଣ୍ଡିଆ), ଚୋଲମ୍ (ଯଅ), କମ୍ବୁ (ବାଜରା) ଏବଂ ସମାଇ (ଛୋଟ ମାଣ୍ଡିଆ ଜାତୀୟ ଶସ୍ୟ) ଚାଷ କରୁଥିଲେ। ପରିବାର ଲୋକଙ୍କ ଖାଇବା ପାଇଁ ଘରେ ସବୁବେଳେ କିଛି କିଲୋଗ୍ରାମ ଶସ୍ୟ ଗଚ୍ଛିତ ରଖାଯାଉଥିଲା।
ନାଗରାଜ ବଡ଼ ହେବା ପରେ ଚାଷ ଦାୟିତ୍ୱ ନେଇଥିଲେ, ସେ ଦେଖିଲେ ତାଙ୍କର ଅମଳ ପିତାଙ୍କ ତୁଳନାରେ ଯଥେଷ୍ଟ କମ୍ ଥିଲା : ‘‘ଆମକୁ କେବଳ ଖାଇବା ଲାଗି ଆବଶ୍ୟକ (ରାଗୀ) ମିଳିଯାଉଛି ଏବଂ ବେଳେବେଳେ ସେତିକି ସୁଦ୍ଧା ମିଳୁନାହିଁ,’’ ସେ ପରୀକୁ କହିଥିଲେ। ସେ ନିଜର ଦୁଇ ଏକର ଜମିରେ ବିନ୍ସ ଓ ବାଇଗଣ ଭଳି ପରିବା ସହିତ ମାଣ୍ଡିଆ ଉତ୍ପାଦନ ଅଦଳବଦଳ କରି ଜାରି ରଖିଛନ୍ତି ।
ଅନ୍ୟ ଚାଷୀମାନେ ମଧ୍ୟ ପରିବର୍ତ୍ତନ ଦେଖିଛନ୍ତି । ମାରି (କେବଳ ନିଜର ପ୍ରଥମ ନାଁ ବ୍ୟବହାର କରନ୍ତି) କୁହନ୍ତି ତାଙ୍କ ବାପା ୧୦-୨୦ ବସ୍ତା ମାଣ୍ଡିଆ ଉତ୍ପାଦନ କରୁଥିଲେ। କିନ୍ତୁ ଏହି ୪୫ ବର୍ଷ ବୟସ୍କ ଚାଷୀ କୁହନ୍ତି ଯେ ତାଙ୍କୁ ନିଜର ଦୁଇ ଏକର ଜମିରୁ ମାତ୍ର ୨-୩ ବସ୍ତା ମିଳିପାରୁଛି।
ନାଗରାଜ ଓ ମାରିଙ୍କ ଅଭିଜ୍ଞତା ସରକାରୀ ତଥ୍ୟରେ ମଧ୍ୟ ପ୍ରତିଫଳିତ ହୋଇଥାଏ, ଯାହା ଦର୍ଶାଇଥାଏ ଯେ ନୀଳଗିରିରେ ରାଗୀ ଚାଷ ୧୯୪୮-୪୯ରେ ୧,୩୬୯ ହେକ୍ଟରରୁ ହ୍ରାସ ପାଇ ୧୯୯୮-୯୯ରେ ୮୬ ହେକ୍ଟରରେ ପହଞ୍ଚିଛି ।
ଶେଷ ଜନଗଣନା (୨୦୧୧)ର ତଥ୍ୟ ଅନୁଯାୟୀ ଜିଲ୍ଲାରେ ମାତ୍ର ଗୋଟିଏ ହେକ୍ଟର ଜମିରେ ମିଲେଟ୍ ଚାଷ ହେଉଛି ।











