ଗଣେଶ ସିନ୍ଧେଙ୍କର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ଗୋଟିଏ ନାଲି ରଙ୍ଗର ଟ୍ରାକ୍ଟର। ୨୦୨୨ ମସିହାରେ ସେ ଏହି ଟ୍ରାକ୍ଟରଟି କିଣିଥିଲେ। ମହାରାଷ୍ଟ୍ରର ପର୍ବଣୀ ଜିଲ୍ଲାର ଖଲ୍ଲୀ ଗାଁର କପା ଚାଷୀ ଗଣେଶ ନିଜର ଦୁଇ ଏକର ଜମିରେ ଚାଷ ବାସ କରନ୍ତି। କିନ୍ତୁ ଦୁଇ ବର୍ଷ ଧରି କପାର ମୂଲ୍ୟରେ ତୀବ୍ର ହ୍ରାସ କାରଣରୁ ସିନ୍ଧେ ବାଧ୍ୟ ହୋଇ ଆୟର ଅତିରିକ୍ତ ଉତ୍ସ ଖୋଜିଥିଲେ – ତେଣୁ ଏକ ପବ୍ଲିକ୍ ସେକ୍ଟର ବ୍ୟାଙ୍କରୁ ୮ ଲକ୍ଷ ଟଙ୍କା ଋଣ ନେଇ ଏକ ଟ୍ରାକ୍ଟର କିଣିଲେ।
୪୪ ବର୍ଷ ବୟସର ଏହି କୃଷକ କହନ୍ତି ‘‘ମୁଁ ମୋ ଘରଠାରୁ ୧୦ କିଲୋମିଟର ଦୂରରେ ଥିବା ଗଙ୍ଗାଖେଡ଼ ସହରକୁ ଟ୍ରାକ୍ଟର ଚଳାଇଯାଏ ଏବଂ ଛକରେ ଅପେକ୍ଷା କରେ’’। ‘‘ଲୋକେ ଆଖପାଖ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ କିମ୍ବା ବାଲିପରି ସାମଗ୍ରୀ ପରିବହନ ପାଇଁ ଆବଶ୍ୟକତା ଥିଲେ ଭଡ଼ା ଦେଇ ମତେ ଡାକିଥାନ୍ତେ।’’ ଏଥିରୁ ଦିନକୁ ମୁଁ ପ୍ରାୟ ୫୦୦ରୁ ୮୦୦ ଟଙ୍କା ପାଇଥାଏ।’’ ସକାଳୁ ଗଙ୍ଗାଖେଡ଼ ଯିବା ପୂର୍ବରୁ ଗଣେଶ ତାଙ୍କ ଜମିରେ ଅତିକମ୍ରେ କିଛି ଘଣ୍ଟା କାମ କରିଥାନ୍ତି।
ସେ ଆଗ୍ରହର ସହ ୨୦୨୫ର କେନ୍ଦ୍ର ବଜେଟ୍ ଅନୁଧ୍ୟାନ କରିଛନ୍ତି। ସିନ୍ଧେ କହନ୍ତି ଯେ, ତାଙ୍କର ବହୁତ ବଡ଼ ଆଶା ଅଛି ବୋଲି ସେ ବଜେଟ୍ ବିଷୟରେ ଜାଣିବାକୁ ଚାହୁଁଥିଲେ ସେ କଥା ନୁହେଁ କାରଣ ଟ୍ରାକ୍ଟର ଭଡ଼ା ଲଗାଇବା ପାଇଁ ଲୋକଙ୍କୁ ଅପେକ୍ଷା କରିବା ସହିତ ବଜେଟର ବିଶେଷ ସମ୍ପର୍କ ନାହିଁ ‘‘ଏହି ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ସୁନିଶ୍ଚିତ ଯୋଜନା ଆଇନ , ୨୦୦୫) ପାଇଁ ନ୍ୟସ୍ତକରଣ ସମାନ ରହିଛି। ଖଲିର ପୂର୍ବତନ ସରପଞ୍ଚ ସିନ୍ଧେ କହନ୍ତି ଯେ ମନରେଗାରେ ପ୍ରକୃତରେ କାର୍ଯ୍ୟସ୍ଥଳରେ ଖୁବ୍ କମ୍ ପରିବର୍ତ୍ତନ ହୋଇଛି। ‘‘ଏହି ଟଙ୍କା କ୍ୱଚିତ ନିଯୁକ୍ତି ଉତ୍ପନ୍ନ ପାଇଁ ବ୍ୟବହାର କରାଯାଇଥାଏ। ଏସବୁ କେବଳ କାଗଜରେ ହୋଇଥାଏ’’।



