ସେ ମତେ ମାରନ୍ତି ବିନା ଅପରାଧରେ । ତାଙ୍କ ମନ ସନ୍ଦେହ ଆଚ୍ଛନ୍ନ।
ମୋ ଗ୍ରାମୀଣ ମାଲିକ ମାରନ୍ତି ମତେ ବିନା ଦୋଷ ରେ।

ଗୋଟିଏ ଲୋକଗୀତର ଆରମ୍ଭରେ ଏପରି ଧାଡ଼ି ନିଶ୍ଚୟ ଅତି ଚମକପ୍ରଦ। ତେବେ, ଗୁଜରାଟର କଚ୍ଛ ଅଞ୍ଚଳର ଏହି ଲୋକଗୀତଟି  ସ୍ଥାନୀୟ ସୀମା ଡେଇଁ ଯେଉଁ ନିଷ୍ଠୁର ବାସ୍ତବତାର ବର୍ଣ୍ଣନା କରେ ତାହା ଅତ୍ୟଧିକ ଭାବେ ସତର୍କ କରାଏ।

ସ୍ତ୍ରୀଙ୍କୁ ମାରିବା ସମେତ ଅନ୍ତରଙ୍ଗ ସାଥୀଙ୍କ ହିଂସ୍ରତା ଏହା ଭିତରେ ଏକ ବୈଶ୍ୱିକ ସମସ୍ୟାରେ ପରିଣତ ହୋଇଛି। ଏହା ଉଭୟ ମହିଳାଙ୍କର ମାନବିକ ଅଧିକାର ଉଲ୍ଲଂଘନ, ଓ ଜନସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ। ମହିଳାଙ୍କ ପ୍ରତି ହିଂସ୍ର ଆଚରଣ ବାବଦରେ ୟୁଏନର ଗ୍ଲୋବାଲ ଡାଟାବେସ ( UN’s global database ) ଅନୁଯାୟୀ, ପ୍ରତି ତିନି ଜଣ ମହିଳାଙ୍କ ମଧ୍ୟରୁ ଜଣେ ନିଜ ସାଥୀଙ୍କ ଦ୍ଵାରା ଶାରୀରିକ ଓ ଯୌନଗତ ହିଂସାର ଶିକାର ହେଉଛନ୍ତି।

ସ୍ଵାମୀଙ୍କର ନିଜ ସ୍ତ୍ରୀଙ୍କୁ ମାରିବା ପିଟିବା କେତେ ଯୁକ୍ତିଯୁକ୍ତ?

ଏ ସମ୍ପର୍କରେ ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ଭେ ୨୦୧୯-୨୧ରେ ( NFHS 5 ) ପ୍ରଦତ୍ତ ପ୍ରଶ୍ନାବଳୀର ୩୦ ପ୍ରତିଶତରୁ ଅଧିକ ମହିଳା ଓ ୨୮ ପ୍ରତିଶତରୁ ଅଧିକ ପୁରୁଷ ସମ୍ମତିସୂଚକ ଉତ୍ତର ଦେଇଥିଲେ। କ’ଣ ପାଇଁ ଏହି ଉତ୍ତରଦାତାମାନେ ସ୍ତ୍ରୀଙ୍କୁ ପିଟିବାର ଯଥେଷ୍ଟ କାରଣ ରହିଛି ବୋଲି ମନେ କରନ୍ତି? ଏକାଧିକ କାରଣ ମଧ୍ୟରେ ରହିଛି, ଅବିଶ୍ୱସ୍ତତାର ସନ୍ଦେହ, ଯୁକ୍ତିତର୍କ କରିବା, ସମ୍ଭୋଗ ପାଇଁ ରାଜି ନହେବା, ସ୍ୱାମୀଙ୍କୁ ନଜଣାଇ ବାହାରକୁ ଯିବା, ଘରର କାମଦାମ ପ୍ରତି ଧ୍ୟାନ ନଦେବା ଓ ଭଲ ଖାଦ୍ୟ ରାନ୍ଧି ନପାରିବା, ଇତ୍ୟାଦି।

ପ୍ରାୟତଃ ରାଷ୍ଟ୍ରୀୟ ପରିସଂଖ୍ୟାନଗତ ସର୍ଭେ ପରି, କିନ୍ତୁ ଅଧିକ ଆକର୍ଷଣୀୟ ଭାବେ ଲୋକଗୀତଗୁଡ଼ିକ ଆମକୁ ମନସ୍ତାତ୍ତ୍ଵିକ ବିଶ୍ଳେଷଣ ଯୋଗାଏ। ଏହା ମହିଳାମାନଙ୍କର ଅନ୍ତର୍ନିହିତ ଦୁନିଆର ଜଟିଳ ଆବେଗିକ ଓ ଭାବନାତ୍ମକ ସ୍ଥିତି, ତଥା ସେମାନଙ୍କ ଗୋଷ୍ଠୀର କାର୍ଯ୍ୟକଳାପ ବାବଦରେ ଜଣାଇଥାଏ।

ଏହି ଗୀତଗୁଡିକୁ ପୀଡ଼ିତମାନଙ୍କ ସମ୍ପର୍କରେ ଦସ୍ତାବିଜ ବୋଲି ଆପଣ ହୁଏତ କହି ପାରନ୍ତି ବା କହି ନପାରନ୍ତି। ଉଦାହରଣ ସ୍ଵରୂପ, ଏଠାରେ ଉପସ୍ଥାପିତ ଗୀତଟି ବାବଦରେ ଆମେ ନିଶ୍ଚିତ ନୁହଁ ଯେ ଗୀତଟିର ମିଠାମିଠା ନାରୀ ସ୍ଵର କେବଳ ଧୂର୍ତ୍ତ ଅପବାଦ ପାଇଁ ପାଦ ଚିପିଚିପି ପଶି ଆସୁଛି, ନା ଏକ ପାରମ୍ପରିକ ପଦାବୃତ୍ତିର ଉପସ୍ଥାପନା। କିମ୍ବା ଆମେ ନିଶ୍ଚିତ ଭାବେ କହି ପାରିବା କି ଯେ ସେ ସ୍ଵାମୀଙ୍କୁ “ମାଳାଧାରୀ ରାଣୋ” ବୋଲି ସମ୍ବୋଧନ କଲାବେଳେ ତାହା ସମ୍ମାନସୂଚକ, ନା ତାହା ତାଙ୍କ ଭିତରେ ଲୁକ୍କାୟିତ ବିରୋଧର ସୂଚନା।

ମହିଳାଙ୍କୁ ନ୍ୟାୟ ଦେବାକୁ ବା ପ୍ରଭାବଶାଳୀ ସାମାଜିକ ଭିତ୍ତିକୁ ଦୋହଲାଇ ଦେବା କ୍ଷମତା ଗୀତଟିର ନଥାଇପାରେ। କିନ୍ତୁ ଏଭଳି ଗୀତଗୁଡ଼ିକ ଜଣେ ନାରୀ ବିତାଉଥିବା ଦୈନନ୍ଦିନ ଜୀବନର ଭୟଙ୍କର ବାସ୍ତବତା ବାବଦରେ କହିବା ପାଇଁ ସୁଯୋଗ ଦେଉଛି। ସେହି ଗୀତଗୁଡ଼ିକର କ୍ଷମତାପନ୍ନ, ସ୍ପଷ୍ଟ, ସାଙ୍ଗୀତିକ ଧାରା ମାଧ୍ୟମରେ ଜଣେ ନାରୀ ଅନ୍ୟ କାହାକୁ କହି ପାରୁନଥିବା କଠିନ କଷ୍ଟକୁ ପ୍ରକାଶ କରିଦେଇ ପାରେ। ଗୋଟିଏ ପରିଚିତ ସ୍ଵରର ଆଶ୍ଵସ୍ତି ଓ ଉଷ୍ମତା ମଧ୍ୟରେ ସେ ହୁଏତ ତା’ ଜୀବନର ଅସହ୍ୟ ସତ୍ୟକୁ ବାନ୍ଧି ଦେଇପାରେ ଓ ତାକୁ କୌଣସି ସୌହାର୍ଦ୍ଦ୍ୟ ମିଳୁ ନଥିବା ସମାଜରେ ଆଉ ଗୋଟିଏ ଦିନ ବଞ୍ଚିବାର ଶକ୍ତି ସଂଗ୍ରହ କରିପାରେ।

ଜୁମା ବାଘେର ଗାଇଥିବା ଗୀତଟିକୁ ଶୁଣନ୍ତୁ:

કરછી

રે ગુનો જો મારે મૂ મે ખોટા વેમ ધારે,
મુંજા માલધારી રાણા મૂકે રે ગુનો જો મારે

રે ગુનો જો મારે મૂ મે ખોટા વેમ ધારે,
મુંજા માલધારી રાણા મૂકે રે ગુનો જો મારે

કડલા પૅરીયા ત છોરો આડી નજર નારે (૨),
આડી નજર નારે મૂ મેં વેમ ખોટો ધારે
મૂજો માલધારી રાણૂ મૂકે રે ગુનો જો મારે (2)
રે ગુનો જો મારે મૂ મેં ખોટા વેમ ધારે
મૂજો માલધારી રાણૂ મૂકે રે ગુનો જો મારે

બંગલી પૅરીયા ત મૂંજે હથેં સામૂં  નારે (૨)
હથેં સામૂં નારે મૂ મેં વેમ ખોટો ધારે
રે ગુનો જો મારે મૂ મેં ખોટા વેમ ધારે
મૂજો માલધારી રાણૂ મૂકે રે ગુનો જો મારે
માલધારી રાણા મૂકે રે ગુનો જો મારે (2)
રે ગુનો જો મારે મૂ મેં ખોટા વેમ ધારે
મૂજો માલધારી રાણૂ મૂકે રે ગુનો જો મારે

હારલો પૅરીયા ત મૂંજે મોં કે સામૂં નારે (૨)
મોં કે સામૂં નારે મૂ મેં ખોટા વેમ ધારે,
રે ગુનો જો મારે મૂ મેં ખોટા વેમ ધારે
મૂજો માલધારી રાણૂ મૂકે રે ગુનો જો મારે (2)
રે ગુનો જો મારે મૂ મેં વેમ ખોટો ધારે,
મૂજો માલધારી રાણૂ મૂકે રે ગુનો જો મારે

નથડી પૅરીયા ત મૂંજે મોં કે સામૂં નારે (૨)
મોં કે સામૂં નારે મૂ મેં વેમ ખોટો ધારે,
મૂજા માલધારી રાણૂ મૂકે રે ગુનો જો મારે (2)
રે ગુનો જો મારે મૂ મેં વેમ ખોટો ધારે,
માલધારી રાણૂ મૂકે રે ગુનો જો મારે

ଓଡ଼ିଆ

ସେ ମତେ ମାରନ୍ତି ବିନା ଅପରାଧରେ।
ତାଙ୍କ ମନରେ ସନ୍ଦେହ ବୁଣନ୍ତି।
ମୋ ଗ୍ରାମୀଣ ମାଲିକ ମାରନ୍ତି
ମତେ ବିନା ଦୋଷରେ।

ସେ ମତେ ମାରନ୍ତି ବିନା ଅପରାଧରେ।
ତାଙ୍କ ମନରେ ସନ୍ଦେହ ବୁଣନ୍ତି।
ମୋ ଗ୍ରାମୀଣ ମାଲିକ ମାରନ୍ତି
ମତେ ବିନା ଦୋଷରେ।

ମୁଁ ଯଦି ପାଉଁଜି ପିନ୍ଧେ,
ସେ ମତେ ଅନାନ୍ତି, କ୍ରୂର ଦୃଷ୍ଟିରେ,
ଚାହିଁ ରହନ୍ତି ସେହି ଭଳି
ଓ ମନରେ ବୁଣି ଚାଲନ୍ତି ସନ୍ଦେହ,
ସେ ମତେ ବିଶ୍ଵାସ କରନ୍ତି ନାହିଁ, ମୋର ଗ୍ରାମୀଣ ମାଲିକ।
ସେ ମତେ ମାରନ୍ତି ବିନା ଅପରାଧରେ।
ତାଙ୍କ ମନରେ ସନ୍ଦେହ ବୁଣନ୍ତି।

ମୁଁ ଯଦି ପିନ୍ଧେ ଚୁଡ଼ି,
କ୍ରୂର ଭାବେ ସେ ଚାହାନ୍ତି ମୋ ହାତକୁ,
ଓ ସନ୍ଦେହରେ ଭରନ୍ତି ମନକୁ ତାଙ୍କର,
ସେ ମତେ ବିଶ୍ଵାସ କରନ୍ତି ନାହିଁ, ମୋର ଗ୍ରାମୀଣ ମାଲିକ।
ସେ ମତେ ମାରନ୍ତି ବିନା ଅପରାଧରେ।
ତାଙ୍କ ମନରେ ସନ୍ଦେହ ବୁଣନ୍ତି।

ମୁଁ ଯଦି ପିନ୍ଧେ ହାରଟିଏ,
କ୍ରୂର ଭାବେ ସେ ଚାହାନ୍ତି ମୋ ମୁହଁକୁ,
ମୁହଁକୁ ଚାହିଁ ରହନ୍ତି,
ଓ ମନରେ ସନ୍ଦେହ ବୁଣିଚାଲନ୍ତି,
ସେ ମତେ ବିଶ୍ଵାସ କରନ୍ତି ନାହିଁ, ମୋର ଗ୍ରାମୀଣ ମାଲିକ।
ସେ ମତେ ମାରନ୍ତି ବିନା ଅପରାଧରେ।
ତାଙ୍କ ମନରେ ସନ୍ଦେହ ବୁଣନ୍ତି।

ମୁଁ ଯଦି ପିନ୍ଧେ ଚେନ୍‌ ଲଗା ନାକଫୁଲଟିଏ,
କ୍ରୂର ଭାବେ ସେ ଚାହାନ୍ତି, ମୋ ମୁହଁକୁ ଚାହିଁ ରହନ୍ତି,
ମୋ ମୁହଁକୁ ଚାହିଁ ରହନ୍ତି,
ଓ ମନରେ ସନ୍ଦେହ ବୁଣିଚାଲନ୍ତି,
ସେ ମତେ ବିଶ୍ଵାସ କରନ୍ତି ନାହିଁ, ମୋର ଗ୍ରାମୀଣ ମାଲିକ।
ସେ ମତେ ମାରନ୍ତି ବିନା ଅପରାଧରେ।
ତାଙ୍କ ମନରେ ସନ୍ଦେହ ବୁଣନ୍ତି।

ଗୀତର ପ୍ରକାର : ପାରମ୍ପରିକ ଲୋକଗୀତ

ଧରଣ : ସଚେତନତାର ଗୀତ

ଗୀତ : ୧୪

ଗୀତର ଶୀର୍ଷକ : ମୁ ଜୋ ମାଳଧାରୀ ରାଣୋ ମୁକେ ଜେ ଗୁଣୋ ଜୋ ମାରେ

ସ୍ଵରକାର : ଦେବଲ ମେହଟା

ଗାୟିକା : ମୁନ୍ଦ୍ରା ତାଲୁକା ଅନ୍ତର୍ଗତ ଭଦ୍ରେଶ୍ଵର ଗାଁର ଜୁମା ବାଘେର

ବ୍ୟବହୃତ ବାଦ୍ୟଯନ୍ତ୍ର : ଢୋଲକ, ହାରମୋନିୟମ, ବେଞ୍ଜୋ

ରେକର୍ଡିଂ ବର୍ଷ : ୨୦୧୨, କେଏମଭିଏସ ଷ୍ଟୁଡିଓ

ଗୋଟିଏ ଗୋଷ୍ଠୀ-ପରିଚାଳିତ ରେଡିଓ ‘ସୁରବାଣୀ’ ଦ୍ଵାରା ରେକର୍ଡିଂ ହୋଇଥିବା ଏହିଭଳି ସମୁଦାୟ ୩୪୧ଟି ଗୀତ ‘କଚ୍ଛ ମହିଳା ବିକାଶ ସଂଗଠନ’ (କେଏମଭିଏସ) ମାଧ୍ୟମରେ ‘ପରୀ’ ନିକଟକୁ ଆସିଛି। ଏହି ଗୀତଗୁଡିକୁ ଜାଣିବା ପାଇଁ ଯାଆନ୍ତୁ: ରଣ୍‌ ର ସଙ୍ଗୀତ : କଚ୍ଛୀ ଲୋକଗୀତର ସଂଗ୍ରହ

ସହଯୋଗ ପାଇଁ ପ୍ରୀତି ସୋନି , କେଏମଭିଏସର ସଚିବ ଅରୁଣା ଢୋଲକିୟା ଏବଂ କେଏମଭିଏସର ପ୍ରକଳ୍ପ ସଂଯୋଜକ ଅମଦ ସମେଜାଙ୍କୁ ବିଶେଷ କୃତଜ୍ଞତା ତଥା ଭାରତୀବେନ ଗୋରଙ୍କୁ ତାଙ୍କର ମୂଲ୍ୟବାନ ସହାୟତା ପାଇଁ ଧନ୍ୟବାଦ

ଓଡ଼ିଆ ଅନୁବାଦ : କପିଳାସ ଭୂୟାଁ

Series Curator : Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ପରୀରେ କାର୍ଯ୍ୟରତ ଜଣେ ବରିଷ୍ଠ ସମ୍ପାଦିକା ଯେଉଁଠି ସେ ପରୀର ସୃଜନଶୀଳ ଲେଖା ବିଭାଗର ନେତୃତ୍ୱ ନେଇଥାନ୍ତି। ସେ ମଧ୍ୟ ପରୀ ଭାଷା ଦଳର ଜଣେ ସଦସ୍ୟ ଏବଂ ଗୁଜରାଟୀ ଭାଷାରେ କାହାଣୀ ଅନୁବାଦ କରିଥାନ୍ତି ଓ ଲେଖିଥାନ୍ତି। ସେ ଜଣେ କବି ଏବଂ ଗୁଜରାଟୀ ଓ ଇଂରାଜୀ ଭାଷାରେ ତାଙ୍କର କବିତା ପ୍ରକାଶ ପାଇଛି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Pratishtha Pandya
Illustration : Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Labani Jangi
Translator : Kapilas Bhuyan

କପିଳାସ ଭୂୟାଁ ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ ଓ ୨୦୦୬ରେ ଜାତୀୟ ଚଳଚିତ୍ର ପୁରସ୍କାର ରଜତ କମଳ ପ୍ରାପ୍ତ ନିର୍ଦ୍ଦେଶକ। ଏହା ବ୍ୟତୀତ ସେ ୨୦୦୪ରେ ଫେଷ୍ଟିଭାଲ ଡୁ ସିନେମା ଡେ ପ୍ୟାରିସଠାରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର ପୁରସ୍କାର ଓ ନ୍ୟୁୟର୍କ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଜୁରୀଙ୍କ ସ୍ୱତନ୍ତ୍ର ଉଲ୍ଲେଖ ପାଇଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Kapilas Bhuyan