ଗୁଲମର୍ଗର ବରଫାବୃତ ଗଡ଼ାଣୀରେ ନିଜ ସ୍ଲେଜ୍ (ଟଣା ଗାଡ଼ି)କୁ ନେଇଯିବା ଲାଗି ପ୍ରସ୍ତୁତ ଥିଲେ ଅବଦୁଲ୍ ୱହାବ୍ ଥୋକର। ତେବେ ୧୪ ଜାନୁଆରୀ ୨୦୨୪ରେ ଥୋକର ନିରାଶ ହୋଇ ନିଜ ଗାଡ଼ି ଉପରେ ବସିଗଲେ। ତାଙ୍କ ଆଖି ଆଗରେ ଏକ ବିନାଶକାରୀ ଦୃଶ୍ୟ ଥିଲା । ସେ ଏକ ବାଦାମୀ ଓ ଟାଙ୍ଗରା ଭୂଇଁକୁ ଦେଖୁଥିଲେ।
‘‘ଏହା ଚିଲ୍ଲା-ଏ-କଲାଁ (ଚରମ ସ୍ଥିତିରେ ଶୀତ ଋତୁ) ଏବଂ ଗୁଲମର୍ଗରେ ବରଫ ନାହିଁ,’’ ୪୩ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ଆଶ୍ଚର୍ଯ୍ୟର ସହ କହିଥା’ନ୍ତି। ୨୫ ବର୍ଷ ଧରି ସ୍ଲେଜ୍ ଟାଣୁଥିବା ଥୋକର କୁହନ୍ତି ଯେ ସେ ଏପରି ପୂର୍ବରୁ କେବେ ଦେଖିନଥିଲେ ଏବଂ ଭୟଭୀତ ଅଛନ୍ତି : ‘‘ଯଦି ଏଭଳି ସ୍ଥିତି ଜାରି ରହିବ, ତା’ହେଲେ ଆମେ ଯଥାଶୀଘ୍ର ଋଣରେ ବୁଡ଼ଯିବୁ।’’
କେନ୍ଦ୍ର ଶାସିତ ପ୍ରଦେଶ ଜାମ୍ମୁ କାଶ୍ମୀର (ଜେଏଣ୍ଡକେ) ବାରାମୁଲା ଜିଲ୍ଲାର ଏକ ପ୍ରସିଦ୍ଧ ଶୈଳ ନିବାସ ଗୁଲମର୍ଗ ପ୍ରତ୍ୟେକ ବର୍ଷ ସାରା ବିଶ୍ୱରୁ ଲକ୍ଷାଧିକ ଲୋକଙ୍କୁ ଆକୃଷ୍ଟ କରିଥାଏ। ଏହି ପର୍ଯ୍ୟଟନ ହିଁ ପ୍ରାୟ ୨,୦୦୦ ଲୋକ (ଜନଗଣନା ୨୦୧୧) ଙ୍କୁ ନେଇ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଥୋକରଙ୍କ ଭଳି ଅନ୍ୟ ଲୋକମାନେ ମଧ୍ୟ ଏଠାକୁ କାମ କରିବା ପାଇଁ ଆସନ୍ତି ।
ବାରାମୁଲାରେ କଲନ୍ତାରା ଗାଁର ବାସିନ୍ଦା କାମ ଖୋଜିବା ଆଶାରେ ସ୍ଥାନୀୟ ପରିବହନ ମାଧ୍ୟମ ଉପଯୋଗ କରି ପ୍ରତ୍ୟେକ ଦିନ ୩୦ କିଲୋମିଟର ଯାତ୍ରା କରି ଗୁଲମର୍ଗ ଆସିଥା’ନ୍ତି। ‘‘ବର୍ତ୍ତମାନ, ମୋତେ ଜଣେ ଗ୍ରାହକ ମିଳିଲେ ମଧ୍ୟ ମୁଁ ମାତ୍ର ୧୫୦-୨୦୦ ଟଙ୍କା ରୋଜଗାର କରିପାରୁଛି କାରଣ ଏବେ ସବାରୀ କରିବା ପାଇଁ ଆଉ ବରଫ ନାହିଁ । ଏବେ ଆମେ କେବଳ ଗ୍ରାହକମାନଙ୍କୁ ଥଣ୍ଡା ପାଣି (ପୂର୍ବରୁ ତରଳି ଯାଇଥିବା ବରଫ)ରେ ବୁଲାଇ ପାରିବୁ,’’ ସେ କୁହନ୍ତି।
ଜାମ୍ମୁ ଓ କାଶ୍ମୀରର ସରକାରୀ ୱେବସାଇଟ୍ରେ ସୂଚନା ଦିଆଯାଇଛି, ‘‘ଶୀତ ଋତୁରେ ଗୁଲମର୍ଗ ଏକ ‘ଚମତ୍କାର ଅନୁଭବ’ ଦେଇଥାଏ, ‘ସମ୍ପୂର୍ଣ୍ଣ ଭାବେ ବରଫ ଚାଦରରେ ଢାଙ୍କି ହୋଇଥିବା ଏହି ସ୍ଥାନ ସ୍କିୟର୍ (ବରଫରେ କ୍ରୀଡ଼ା କରୁଥିବା ଲୋକ)ଙ୍କ ପାଇଁ ସ୍ୱର୍ଗ ପାଲଟିଯାଇଥାଏ।’’ ଏଠାକାର ପ୍ରାକୃତିକ ଗଡ଼ାଣୀଗୁଡ଼ିକ ଅସ୍ପୃଶ୍ୟ ହୋଇ ରହିଛି ଏବଂ ଅଗ୍ରଣୀ ସ୍କିୟରଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଥାଏ!’ ’’













