“ମୋ ମାଆ ଗାଉଥିବା ଗୀତରୁ ମୁଁ ଦୁଇ-ତିନିଟି ଶବ୍ଦ ଯାହା ମନେ ରଖିଛି,” ହୌସାବାଇ ଦିଘେ କହିଲେ। ସେ ବର୍ଷ ଥିଲା ୧୯୯୫ ଏବଂ ସେ କଥାବାର୍ତ୍ତା କରୁଥିଲେ ହେମା ରାଇକର ଏବଂ ଗି ପୋଇଟବନଙ୍କ ସହିତ। ୧୯୮୦ ଦଶକର ଶେଷ ଭାଗରେ ଗ୍ରାଇଣ୍ଡମିଲ୍ ସଙ୍ଗସ ପ୍ରୋଜେକ୍ଟ (GSP)ର ଅୟମାରମ୍ଭ କରିଥିବା ପୁଣେର ଏହି ସମାଜ ବିଜ୍ଞାନୀ ଏବଂ ସାମାଜିକ କର୍ମୀ ଦୁହେଁ ସେମାନଙ୍କ ଟିମ୍ ସହିତ ‘ଗ୍ରାଇଣ୍ଡମିଲ ସଙ୍ଗସ’ ବା ପେଷଣା ଚକି ଗୀତର ମହିଳା ପରିବେଷଣକାରୀମାନଙ୍କ ସହିତ ବାର୍ତ୍ତାଳାପ କରିବା ଲାଗି ମୁଲଶି ତାଲୁକାର ଭାମ୍ବାର୍ଡେ ଗାଁରେ ପହଞ୍ଚି ଥିଲେ।
ଆଗକୁ ହୌସବାଇ କହିଲେ, “ମୁଁ କ୍ଷେତରେ କାମ କରି ଘରକୁ ଫେରିବା ବେଳକୁ ଦେଖେ ଯେ ଘରେ ଅଟା ନାହିଁ, ଏବଂ ମୁଁ ପେଷଣା ଚକି ଧରି ବସିପଡ଼େ ଏବଂ କାମ କରିବା ସହିତ ଗୀତ ଗାଉଥାଏ। ଏହି ଗୀତ ବ୍ୟତୀତ ଆମର ଦିନ ଅପୂର୍ଣ୍ଣ ରହିଯାଏ। ମୁଁ ଗୀତର ଶବ୍ଦଗୁଡ଼ିକ ମନେ ରଖିଥିବାରୁ ଗୀତର ଧାରା ଆପେ ଆପେ ଛୁଟିଯାଏ। କେବଳ ମୁଁ ମରିଯିବା ପରେ ହିଁ ଏହି ଗୀତ ଗାଇବା ବନ୍ଦ ହେବ। ସେ ପର୍ଯ୍ୟନ୍ତ, ମୁଁ ସେଗୁଡ଼ିକୁ ମନେ ରଖିବି।” ତାଙ୍କର ଏହି ଶବ୍ଦଗୁଡ଼ିକରେ ରହିଛି ଅନେକ ଗ୍ରାମୀଣ ମହିଳା ଗାୟକଙ୍କ ମନର କଥା, ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଚାଷୀ, କୃଷି ଶ୍ରମିକ, ମତ୍ସ୍ୟଜୀବୀ, କୁମ୍ଭାର ଓ ମାଳି ପ୍ରଭୃତି ଅନେକ ସଂପ୍ରଦାୟର ମହିଳା। ପ୍ରତିଦିନ ଘଣ୍ଟା ଘଣ୍ଟା ଧରି କାମ କରୁଥିବା ଏହି ମହିଳାମାନେ ସୂର୍ଯ୍ୟୋଦୟର ବହୁ ଆଗରୁ ଉଠି ଘରକାମ ସାରିବା ପରେ କ୍ଷେତକୁ କାମ କରିବାକୁ ଯାଆନ୍ତି।
ଆଉ ପ୍ରାୟ ସବୁଦିନ, ଅଟା ପେଷିବା ଲାଗି ପଥର ଚକିରେ ବସିବା ପାଖରୁ ହିଁ ଦିନଯାକର କାମ ଆରମ୍ଭ ହୁଏ। ସେମାନେ କାମ କଲା ବେଳେ ଗୀତ ଗାଆନ୍ତି। ରନ୍ଧାଘରର କୋଣ କିମ୍ବା ବାରଣ୍ଡା ହିଁ ସେମାନଙ୍କ ପାଇଁ ଥିଲା ଆରାମଦାୟକ ସ୍ଥାନ, ଯେଉଁଠି ସେମାନେ ନିଜ ନିଜର ସଂଘର୍ଷ, ଆନନ୍ଦ, ଦୁଃଖ ଏବଂ ସଫଳତା ସଂପର୍କରେ ଗୀତ ମାଧ୍ୟମରେ ଭାବ ବିନିମୟ କରୁଥିଲେ।
ଏହା କରିବା ଅବସରରେ, ସେମାନେ ମଧ୍ୟ ସାରା ବିଶ୍ୱ, ସେମାନଙ୍କ ଗାଁରେ ଜୀବନ ଓ ସମାଜ, ପାରିବାରିକ ସମ୍ବନ୍ଧ, ଧର୍ମ ଏବଂ ତୀର୍ଥଯାତ୍ରା, ଜାତିଭିତ୍ତିକ ଶୋଷଣ ଏବଂ ପୁରୁଷ ପ୍ରଧାନ ବ୍ୟବସ୍ଥା, ବାବାସାହେବ ଆମ୍ବେଦକରଙ୍କ କାର୍ଯ୍ୟଧାରା ଏବଂ ଆହୁରି ଅନ୍ୟାନ୍ୟ ପ୍ରସଙ୍ଗରେ ନିଜ ନିଜର ମତ ଉପସ୍ଥାପନ କରୁଥିଲେ। ଏହି ଭିଡିଓରେ, ଏ ସଂପର୍କରେ କହନ୍ତି ପୁଣେର ମୁଲଶି ତାଲୁକା ଅନ୍ତର୍ଗତ ଖଡ଼କୱାଡ଼ି ବସ୍ତିର ତାରାବାଇ ଉଭେ।





