ଗୋଟିଏ ପଟୁଆର ଆସୁଛି, ହର୍ଷୋଲ୍ଲାସ ଓ କଳରବ, ଯାହାକି ଏକାନ୍ତରେ ରହିଥିବା ବୌଦ୍ଧଧର୍ମୀ ପଡ଼ା ଗାଁ ମାଲିଆମାର ଅନ୍ୟ ଏକ ଶାନ୍ତ ଅପରାହ୍ନକୁ ଆନ୍ଦୋଳିତ କରୁଛି। ହଁ, ଏଇଟା ଅକ୍ଟୋବର ମାସ, କିନ୍ତୁ ପୂଜା ନାହିଁ କି ପେଣ୍ଡାଲ ନାହିଁ। ମୋଂପାର ୨ ରୁ ୧୧ ବର୍ଷ ବୟସର ଆଠ ଦଶ ଜଣ ପିଲାଙ୍କ ପଟୁଆର, ଯେଉଁମାନେ ସ୍କୁଲରେ ଦୂର୍ଗାପୂଜା ଛୁଟି ହେଇଥିବାରୁ ଘରେ ରହୁଛନ୍ତି।
ଅନ୍ୟ କେଉଁ ଦିନ ହେଇଥିଲେ ସ୍କୁଲ ଘଣ୍ଟା ସେମାନଙ୍କ ଖେଳ ସମୟ ଜଣାଇ ଦେଇଥାନ୍ତା। ଏଠାରୁ ପ୍ରାୟ ୭ରୁ ୧୦ କିଲୋମିଟର ଦୂରରେ ଦିରାଙ୍ଗରେ ଦୁଇଟି ଘରୋଇ ବିଦ୍ୟାଳୟ ଓ ଗୋଟିଏ ସରକାରୀ ବିଦ୍ୟାଳୟ ରହିଛି। ଏବଂ ସମସ୍ତ ବିଦ୍ୟାଳୟକୁ ପିଲାମାନେ ପ୍ରତିଦିନ ଚାଲିଚାଲି ଯାଆନ୍ତି, ଯାହାକି ପ୍ରାୟ ଦଶ ଦିନ ପାଇଁ ବନ୍ଦ ରହିଛି। ପାଖାପାଖି ସ୍ଵାଧୀନତାର ଏହି ସମୟରେ ପିଲାମାନେ କେତେବେଳେ ଖେଳିବା ସମୟ ଆପଣା ଛାଏଁ ଜାଣିଥାନ୍ତି। ତାହା ଅପରାହ୍ନ ୨ ଟା, ମଧ୍ୟାହ୍ନ ଖାଇବା ପରେ। ଏଭଳି ଏକ ସମୟ ଯେତେବେଳେ ସମୁଦ୍ରପତନଠାରୁ ୧୮୦୦ ମିଟର ଊର୍ଦ୍ଧ୍ଵରେ ଥିବା ଏହି ପଡ଼ା ଗାଁରେ ଇଣ୍ଟରନେଟ ସଂଯୋଗ କ୍ଵଚିତ ରହେ ସେତେବେଳେ ସେମାନେ ବାପା ମା’ଙ୍କୁ ମୋବାଇଲ ଫୋନ ଫେରାଇ ଦିଅନ୍ତି। ତାହା ସେମାନଙ୍କ ପାଇଁ ମୁଖ୍ୟ ରାସ୍ତାକୁ ଆସି ଅଗଣିତ ଥର ମଂଖା ଲାଇଦା (ଆକ୍ଷରିକ ଅର୍ଥରେ ‘ଅଖରୋଟ ଖେଳ) ଖେଳିବାର ସମୟ।
ଏହି ପଡ଼ା ଗାଁର ଚତୁର୍ଦ୍ଦିଗରେ ଥିବା ଜଙ୍ଗଲରେ ପ୍ରଚୁର ପରିମାଣରେ ଅଖରୋଟ ମିଳେ। ଏହି ଶୁଖିଲା ଫଳ ମିଳିବାରେ ଅରୁଣାଚଳ ପ୍ରଦେଶର ସ୍ଥାନ ହେଉଛି ଭାରତରେ ଚତୁର୍ଥ। ବିଶେଷତଃ ପଶ୍ଚିମ କାମେଙ୍ଗ ଜିଲ୍ଲାରେ ମିଳୁଥିବା ଅଖରୋଟ ତାହାର ‘ରପ୍ତାନି’ ଗୁଣ ପାଇଁ ଜଣାଶୁଣା। କିନ୍ତୁ ଏହି ପଡ଼ା ଗାଁରେ କେହି ଏହାକୁ ଚାଷ କରନ୍ତି ନାହିଁ। ପିଲାମାନେ ସେଗୁଡ଼ିକୁ ଜଙ୍ଗଲରୁ ପାଇଥାନ୍ତି। ମାଲିଆମାରେ ରହୁଥିବା ୧୭ ରୁ ୨୦ ପରିବାର ତିବ୍ଦତରୁ ଆସିଥିବା ପାରମ୍ପରିକ ଗ୍ରାମୀଣ ପଶୁପାଳକ ଓ ଶିକାରୀ-ସଂଗ୍ରହକାରୀ ଗୋଷ୍ଠୀର, ଯେଉଁମାନେ ଘରେ ବ୍ୟବହାର କରିବା ପାଇଁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରନ୍ତି। “ଗାଁ ଲୋକମାନେ ଦଳଦଳ ହୋଇ ପ୍ରତି ସପ୍ତାହରେ ଜଙ୍ଗଲ ଭିତରକୁ ଯାଆନ୍ତି ଓ ଛତୁ, ମଞ୍ଜି, କୋଳି, ଜାଳେଣି କାଠ ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଆଣନ୍ତି”, କହନ୍ତି ୫୩-ବର୍ଷୀୟ ରିଂଚିନ ଜୋମ୍ବା। ପ୍ରତି ଦିନ ଦିପହରେ ରାସ୍ତାକୁ ଆସିବା ପୂର୍ବରୁ ପିଲାମାନେ ସେମାନଙ୍କ ହାତମୁଠାରେ ଓ ପକେଟରେ ଅଖରୋଟ ଭର୍ତ୍ତିକରି ଆଣନ୍ତି।


