ସୁଶୀଳାଙ୍କ ପାଞ୍ଚ ସଦସ୍ୟ ବିଶିଷ୍ଟ ପରିବାର ନିଜର ଛୋଟ ଘର ବାରଣ୍ଡାରେ ବସିଛନ୍ତି। ସେ ତାଙ୍କ ବେତନ ଦେଖାଇବାକୁ ସେମାନେ ଅପେକ୍ଷା କରି ରହିଛନ୍ତି। ଦୁଇଟି ଘରେ ଘରୋଇ ସହାୟିକା ଭାବେ ସେ ୫ ହଜାର ଟଙ୍କା ରୋଜଗାର କରନ୍ତି। ଅପରାହ୍ଣ ୨ଟା ବେଳେ ୪୫ ବର୍ଷ ବୟସ୍କା ସୁଶୀଳା ଉତ୍ତର ପ୍ରଦେଶର ବାରାଣାସୀର କାଶୀ ବିଦ୍ୟାପୀଠ ବ୍ଲକର ଅମାରା ପଡ଼ାରେ ଥିବା ନିଜ ଘରେ ପାଦ ଦିଅନ୍ତି।
‘‘ଦୁଇଟି ଘରେ ବାସନ ମାଜି ଏବଂ ଚଟାଣ ପୋଛି ମା’ ମାସିକ ୫,୦୦୦ ଟଙ୍କା ରୋଜଗାର କରନ୍ତି,’’ ତାଙ୍କର ୨୪ ବର୍ଷ ବୟସ୍କ ପୁଅ ବିନୋଦ କୁମାର ଭାରତୀ କୁହନ୍ତି। ‘‘ଆଜି ଅର୍ଥାତ୍ ପ୍ରତ୍ୟେକ ମାସର ପ୍ରଥମ ଦିନରେ ତାଙ୍କୁ ଏହି ପାରିଶ୍ରମିକ ମିଳିଥାଏ। ବାପା ୱେରିଂ, ଜଣେ ଇଲେକ୍ଟ୍ରିସିଆନ ସହାୟକ ଭାବେ କାମ କରନ୍ତି, ଦିନ ଭଲ ଥିଲେ ତାଙ୍କୁ କାମ ମିଳେ। ଅନ୍ୟଥା ଆମ ପାଖରେ କୌଣସି ସ୍ଥିର ଆୟ ଉତ୍ସ ନାହିଁ। ମୁଁ ମଜୁରି ଖଟିଥାଏ। ଆମେ ସାମୂହିକ ଭାବେ ପ୍ରତ୍ୟେକ ମାସରେ ୧୦-୧୨,୦୦୦ ଟଙ୍କା ରୋଜଗାର କରିଥାଉ। ବଜେଟରେ ୧୨ ଲକ୍ଷ ଟଙ୍କାର ଆୟକର ଛାଡ଼ ସୀମା ଦ୍ୱାରା ଆମକୁ କୌଣସି ଫରକ ପଡ଼ିବ ନାହିଁ।
‘‘ଆମେ କିଛି ବର୍ଷ ପୂର୍ବେ ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ, ୨୦୦୫) ଅଧୀନରେ କାମ କରୁଥିଲୁ। କିନ୍ତୁ ଏବେ ସେମାନେ କହୁଛନ୍ତି ଯେ କୌଣସି କାମ ନାହିଁ।’’ ସୁଶୀଳା ଆମକୁ ତାଙ୍କର କାର୍ଡ ଦେଖାନ୍ତି ଯେଉଁଥିରେ ୨୦୨୧ ଅର୍ଥାତ୍ ଡିଜିଟାଲ ଆଡ଼କୁ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ଏଣ୍ଟ୍ରି ରହିଛି । ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ।





