‘‘ଯଦି ପାନ୍ (ପାନ ପତ୍ର) ବଞ୍ଚିଥା’ନ୍ତା, ତା’ହେଲେ ସେଥିରୁ (୨୦୨୩ରେ) ମୁଁ ଅତିକମ୍ରେ ଦୁଇ ଲକ୍ଷ ଟଙ୍କା ରୋଜଗାର କରିପାରିଥାନ୍ତି,’’ ଦେଉରୀ ଗାଁର ୨୯ ବର୍ଷ ବୟସ୍କା ମହିଳା ଚାଷୀ କରୁଣା ଦେବୀ ଦୁଃଖ ଓ ନିରାଶାପୂର୍ଣ୍ଣ ସ୍ୱରରେ କୁହନ୍ତି। ବିହାର ନୱାଦା ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ କାରଣରୁ ଜୁନ୍ ୨୦୨୩ରେ କରୁଣା ଦେବୀଙ୍କ ଫସଲ ନଷ୍ଟ ହୋଇଯାଇଥିଲା। ଏକଦା ସବୁଜିମା ପରିପୂର୍ଣ୍ଣ ରହୁଥିବା ତାଙ୍କର ବରେଜା (ବରଜ)ର ଜାଲି ଏକଦା ପ୍ରସିଦ୍ଧ ମଗହୀ ପାନର ଉଜ୍ଜ୍ୱଳ ପତ୍ରରେ ଭରି ରହୁଥିଲା, ଏବେ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ସେ ଅନ୍ୟମାନଙ୍କ ବରେଜା ରେ କାମ କରିବାକୁ ବାଧ୍ୟ ହୋଇଥିଲେ।
ନୱାଦା ସମେତ ଏକ ଡଜନରୁ ଅଧିକ ଜିଲ୍ଲାରେ ଅନେକ ଦିନ ପର୍ଯ୍ୟନ୍ତ ଭୀଷଣ ଗ୍ରୀଷ୍ମପ୍ରବାହ ଲାଗି ରହିଥିଲା। ସେହି ବର୍ଷର ଗ୍ରୀଷ୍ମପ୍ରବାହ ସମ୍ପର୍କରେ ସେ କୁହନ୍ତି, ‘‘ଲଗତା ଥା କି ଆସ୍ମାନ୍ ସେ ଆଗ୍ ବରସ୍ ରହା ହୈ ଔର୍ ହମ୍ ଲୋଗ୍ ଜଲ୍ ଜାଏଙ୍ଗେ। ଦୋପହର୍ କୋ ତୋ ଗାଓଁ ଏକଦମ୍ ସୁନ୍ସାନ୍ ହୋ ଯାତା ଥା, ଜୈସେ କର୍ଫ୍ୟୁ ଲଗ୍ ଗୟା ହୈ (ଲାଗୁଥିଲା ଯେମିତି ଆକାଶରୁ ନିଆଁ ଖସୁଛି ଏବଂ ଆମେ ସମସ୍ତେ ଏଥିରେ ଜଳିଯିବୁ। ମଧ୍ୟାହ୍ନ ବେଳକୁ ଗାଁ ସମ୍ପୂର୍ଣ୍ଣ ଶୂନ୍ଶାନ୍ ହୋଇଯାଉଥିଲା, ଯେମିତି କର୍ଫ୍ୟୁ ଲାଗିଛି ।)’’ ଜିଲ୍ଲାର ୱାରିସଲିଗଞ୍ଜ ପାଣିପାଗ କେନ୍ଦ୍ରରେ ସର୍ବାଧିକ ତାପମାତ୍ରା ୪୫.୯ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିଲା। ଏହାପରେ ୧୮ ଜୁନ୍ ୨୦୨୩ରେ ଦ ହିନ୍ଦୁରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଲଗାତାର ଗ୍ରୀଷ୍ମପ୍ରବାହ କାରଣରୁ ବିହାର ଏବଂ ଉତ୍ତର ପ୍ରଦେଶରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।
ଭୀଷଣ ଗ୍ରୀଷ୍ମପ୍ରବାହ ସତ୍ତ୍ୱେ କରୁଣା ଦେବୀ କୁହନ୍ତି, ‘‘ଆମେ ବରେଜାକୁ ଯାଉଥିଲୁ।’’ ଛଅ କଟ୍ଠା (ପ୍ରାୟ ୮,୦୦୦ ବର୍ଗଫୁଟ) ଜମିରେ ମଗହୀ ପାନ ଚାଷ କରିବା ଲାଗି ଏକ ଲକ୍ଷ ଟଙ୍କା ଋଣ ନେଇଥିବା କାରଣରୁ ସେମାନଙ୍କ ପରିବାର କୌଣସି ବିପଦ ମୁଣ୍ଡାଇବାକୁ ଚାହୁଁନଥିଲା।





















