ଏବେ ଆମେ ପହଞ୍ଚି ଯାଇଛୁ ଲତାବୁଦାରେ ପରିପୂର୍ଣ୍ଣ ଏକ ଜଙ୍ଗଲରେ, ଆଉ ଏଠାରେ ଖୋଜିବାରେ ଲାଗିଛୁ ‘ଦାନବର ମେରୁଦଣ୍ଡ’। ହଁ, ଏଠାରେ ପିରାନ୍ଦାଇ ବା ଉଦ୍ଭିଦ ବିଜ୍ଞାନ ଭାଷାରେ ସାଇସସ୍ କ୍ୱାଡ୍ରାଙ୍ଗୁଲାରିସ୍ (Cissus quadrangularis)କୁ ତାହା ହିଁ କହନ୍ତି। ରଥୀ ଓ ମୁଁ ଖୋଜୁଥିବା ଏହି ବର୍ଗାକାର ବୃନ୍ତ ବିଶିଷ୍ଟ ଲତାର ଅନେକ ଉତ୍କୃଷ୍ଟ ଓ ଉପକାରୀ ଗୁଣ ରହିଛି। ହେଲେ, ସାଧାରଣତଃ ଏହି କୋମଳ ଲତାକୁ ତୋଳି, ସଫା କରିବା ପରେ ଏଥିରେ ନାଲି ଲଙ୍କା ଗୁଣ୍ଡ, ଲୁଣ ଓ ରାଶି ତେଲ ଦେଇ ସାଇତି ରଖାଯାଏ। ଉପଯୁକ୍ତ ଢଙ୍ଗରେ ପ୍ରସ୍ତୁତ ହୋଇଥିଲେ ଏହି ଆଚାର ନଷ୍ଟ ନ ହୋଇ ଗୋଟିଏ ବର୍ଷ ରହିପାରେ। ଆଉ ଭାତ ସାଙ୍ଗରେ ଏହା ଖୁବ୍ ବଢ଼ିଆ ଲାଗେ।
ଜାନୁଆରୀ ମାସର ଏକ ଉଷ୍ମ ଅପରାହ୍ଣରେ, ଏକ ଶୁଷ୍କ ପାହାଡ଼ିଆ ଝରଣା କୂଳେ କୂଳେ ଆଗକୁ ବଢ଼ିଥିବା ରାସ୍ତା ଦେଇ ଆମେ ଜଙ୍ଗଲ ଅଭିମୁଖେ ବାହାରିଥାଉ। ତାମିଲ ଭାଷାରେ ଏହି ଝରଣାର ନାଁ ଏଲ୍ଲାଇଆଥାଆମ୍ମାନ ଓଡ଼ାଇ। ଏହାର ଆକ୍ଷରିକ ଅର୍ଥ ହେଉଛି ‘ସୀମା ବିହୀନ ଠାକୁରାଣୀ’। ଏହି ପଦକରେ ହିଁ ଦେହରେ ଶିହରଣ ଖେଳିଯାଏ। ଏବଂ ବାଲି ଓ ପଥରର ଏହି ରାସ୍ତା- କେଉଁଠି ଓସାରିଆ ତ ଆଉ କେଉଁଠି ଓଦାଳିଆ – ଦେଇ ଯିବା ବେଳେ ମୋ ଦେହ ଆହୁରି ଶୀତେଇ ଉଠେ।
ଆମେ ଚାଲି ଚାଲି ଯାଉଥିବା ବେଳେ ରଥୀ ମୋତେ କେତେକ କାହାଣୀ ଶୁଣାନ୍ତି। ସେଥିରୁ ଅଳ୍ପ କେତେକ କାଳ୍ପନିକ ଓ ମଜାଦାର – ଯେମିତି କି କମଳା ଓ ପ୍ରଜାପତି ସଂପର୍କିତ କାହାଣୀ। ହେଲେ, ଅନେକଟା ବାସ୍ତବିକ ଏବଂ ଲୋମଟାଙ୍କୁରା – ଖାଦ୍ୟକୁ ନେଇ ରାଜନୀତି, ନବେ ଦଶକରେ ସଂଘଟିତ ଜାତିଆଣ ସଂଘର୍ଷର କାହାଣୀ, ତାଙ୍କ ହାଇସ୍କୁଲ ପଢ଼ା ବେଳର କାହାଣୀ। “ମୋ ପରିବାର ତୁତୁକୁଡ଼ିକୁ ପଳାଇ ଗଲେ...”
ଦୁଇ ଦଶନ୍ଧି ପରେ, ଜଣେ ପେସାଦାର କଥାବାଚକ, ପାଠାଗାର ପରାମର୍ଶଦାତା ଏବଂ କଣ୍ଢେଇ ନୃତ୍ୟଶିଳ୍ପୀ ଭାବରେ ରଥୀ ତାଙ୍କ ଗାଁକୁ ଫେରିଛନ୍ତି। ସେ ଧୀରେ ଧୀରେ କଥା କହନ୍ତି; ଶୀଘ୍ର ଶୀଘ୍ର ପଢ଼ନ୍ତି। “କୋଭିଡ୍ ବିଶ୍ୱ ମହାମାରୀ ସମୟରେ, ସାତ ମାସ ଭିତରେ ମୁଁ ଛୋଟବଡ଼ କରି ପିଲାମାନଙ୍କର ୨୨,୦୦୦ ବହି ପଢ଼ିଥିଲି। ସବୁଦିନ, କୌଣସି ନା କୌଣସି ସମୟରେ ବହିପଢ଼ା ବନ୍ଦ କରିବା ଲାଗି ମୋ ସହକାରୀ ମୋତେ ଅନୁରୋଧ କରନ୍ତି। ଅନ୍ୟଥା, ମୁଁ ତ ସଂଳାପ ଭଳି କଥା କହିବା ଆରମ୍ଭ କରିଦେଇଥିଲି।” ଏତିକି କହି ସେ ହସନ୍ତି।
ତାଙ୍କ ହସ ବି ସେଇ ନଈର କୁଳୁକୁଳୁ ନାଦ ଭଳି, ଯାହା ଅନୁସାରେ ତାଙ୍କର ନାମକରଣ ହୋଇଛି: ଭାଗୀରଥୀ। ଏହି ନାଁର ସଂକ୍ଷିପ୍ତ ରୂପରେ ତାଙ୍କର ପରିଚୟ: ରଥୀ। ଏବଂ ସେ ରହନ୍ତି, ସେହି ହିମାଳୟ ପର୍ବତମାଳାରୁ ୩,୦୦୦ କିଲୋମିଟର ଦକ୍ଷିଣରେ, ଯେଉଁଠି ତାଙ୍କ ନାଁର ସେହି ନଦୀଟି ଗଙ୍ଗା ନାମରେ ପରିଚିତ। ତାଙ୍କ ଗାଁ, ତାମିଲନାଡୁର ତିରୁନେଲବେଲି ଜିଲ୍ଲାର ତେଙ୍କଳମକୁ ଚାରିପଟୁ ଘେରି ରହିଛି ପାହାଡ଼ ଓ ବୁଦୁବୁଦୁକିଆ ଜଙ୍ଗଲ। ସେ ସେହି ସବୁ ପାହାଡ଼ ଓ ଜଙ୍ଗଲକୁ ଭଲ ଭାବରେ ଜାଣନ୍ତି, ଠିକ୍ ସେମିତି, ଯେମିତି ତାଙ୍କ ଗାଁର ସବୁ ଲୋକେ ତାଙ୍କୁ ଜାଣନ୍ତି।
“ତୁମେମାନେ ଜଙ୍ଗଲକୁ କାହିଁକି ଯାଉଛ?” କେତେକ ମହିଳା ଶ୍ରମିକ ପଚାରନ୍ତି। “ଆମେ ପିରାନ୍ଦାଇ ଖୋଜିବାକୁ ଯାଉଛୁ,” ରଥୀ ଉତ୍ତର ଦିଅନ୍ତି। “ତୁମ ସାଙ୍ଗରେ ସେହି ମହିଳା ଜଣକ କିଏ ? ତୁମ ସାଙ୍ଗ?”, ଗାଈ ଚରାଳି ଜଣକ ଜାଣିବାକୁ ଚାହାନ୍ତି। “ହଁ ହଁ”, ରଥୀ ହସି ହସି କହନ୍ତି। ମୁଁ ସେମାନଙ୍କ ଆଡ଼କୁ ଚାହିଁ ହାତ ହଲାଏ ଏବଂ ଆମେ ଆଗକୁ ଆଗେଇ ଯାଉ....

















