ଯୁବତୀମାନେ ନାଚୁଥିବା ଅସ୍ଥାୟୀ ମଞ୍ଚ ଉପରକୁ ସେହି ଯୁବକ ଚଢ଼ିଗଲା ଏବଂ ସେ ୧୯ ବର୍ଷୀୟା ମୁସ୍କାନଙ୍କ ହାତ ଧରି ଟାଣିଲା। ‘‘ଅଭିଏ ଗୋଲି ମାର୍ ଦେଙ୍ଗେ, ତୋ ତୁରତ ନାଚନେ ଲଗୋଗି (ଯଦି ମୁଁ ଏବେ ଗୁଳି ମାରିଦେବି, ତୁମେ ତୁରନ୍ତ ନାଚିବା ଆରମ୍ଭ କରିଦେବ),’’ ସେ କହିଲା।
ସେ ମୁସ୍କାନକୁ ଧମକ ଦେଉଥିବା ସମୟରେ ଅନ୍ୟ ଦର୍ଶକମାନେ ତାଳି ମାରି ତା’ର ମନୋବଳ ବଢ଼ାଉଥିଲେ। ସେହି ଯୁବ ନର୍ତ୍ତକୀ ଜଣଙ୍କ କେବଳ ଅଶ୍ଳୀଳ ଭୋଜପୁରୀ ଗୀତରେ ନାଚିବା ପାଇଁ ମନା କରି ଦେଇଥିଲେ। କାରଣ ବିହାର ଚମ୍ପାରଣ ଜିଲ୍ଲାର ଏହି ସ୍ଥାନରେ ଅଭୋଦ୍ରଚିତ ଆଚରଣ କରୁଥିବା ଏକ ହଜାରରୁ ଅଧିକ ଦର୍ଶକଙ୍କ ସାମ୍ନାରେ ଏଭଳି ନାଚିବା ପାଇଁ ତାଙ୍କୁ ଅସହଜ ବୋଧ ହେଉଥିଲା।
ରୁନାଲି ଅର୍କେଷ୍ଟା ଗ୍ରୁପରେ ସଦସ୍ୟା ଥିବା ସାତ ଜଣ ନର୍ତ୍ତକୀଙ୍କ ମଧ୍ୟରୁ ମୁସ୍କାନ୍ ଅନ୍ୟତମ ଥିଲେ। ସେମାନେ ଏକ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରୁଥିଲେ ଯାହାକୁ ସ୍ଥାନୀୟ ଅଞ୍ଚଳରେ ‘‘ଅର୍କେଷ୍ଟ୍ରା’’ କୁହାଯାଏ। ଚିରୈୟା ବ୍ଲକ୍ରେ ଦୁର୍ଗାପୂଜା ସମାରୋହର ଅଂଶବିଶେଷ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା।
‘‘ଆମ ଭଳି ନାଚବାଲୀଙ୍କ ପାଇଁ ଏଭଳି ଧମକ ମିଳିବା ସାଧାରଣ କଥା,’’ ମୁସ୍କାନ୍ କୁହନ୍ତି। ସେ ଗତ ତିନି ବର୍ଷ ହେବ ଏଭଳି ଅର୍କେଷ୍ଟ୍ରା କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରି ଆସୁଛନ୍ତି ।
ତେବେ, ଧମକ ଦେବା ଆଳରେ ଏହି ନର୍ତ୍ତକୀଙ୍କ ଇଚ୍ଛା ବିରୋଧରେ ସେମାନଙ୍କର ଶାରୀରିକ ଶୋଷଣ କରାଯାଇଥାଏ। ‘‘କମର୍ ପର୍ ହାତ୍ ରଖନା ୟା ବ୍ଲାଉଜ୍ ମେ ହାତ୍ ଘୁସାନେ କି କୋଶିସ୍ କରନା ୟାହାଁ ମର୍ଦ୍ଦୋ କି ରୋଜମରା କି ହରକତେ ହେଁ (ପୁରୁଷମାନେ ଆମ ଅଣ୍ଟାକୁ ଛୁଇଁବା କିମ୍ବା ଆମ ବ୍ଲାଉଜ୍ ଭିତରେ ଜବରଦସ୍ତି ହାତ ପୂରାଇବାକୁ ଚେଷ୍ଟା କରିବା ଭଳି କୁକାର୍ଯ୍ୟ କରିବା ଏଠାରେ ସାଧାରଣ କଥା),’’ ଅନ୍ୟ ଜଣେ ନର୍ତ୍ତକୀ ରାଧା କୁହନ୍ତି।













