ଢମ-ଢମ-ଢମ... ଢମ-ଢମ -ଢମ...! ଶାନ୍ତି ନଗର ବସ୍ତିରେ ତିଆରି ହୋଇ ଟିୟୁନ ଓ ଟୋନ ହେଉଥିବା ଢୋଲକଗୁଡ଼ିକର ମନମତାଣିଆ ଏହି ଶବ୍ଦ ଆପଣ ସେଠାକର ଯେଉଁ ଗଳି କି ଉପଗଳିରେ ଯିବେ ଆପଣଙ୍କୁ ଅନୁଧାବନ କରିବ। ୩୭-ବର୍ଷ ବୟସ୍କ ଇରଫାନ ଶେଖଙ୍କ ସହ ଆମେ ଚାଲୁଛୁ। ମୁମ୍ବାଇର ଉତ୍ତର ସବର୍ବରେ ଥିବା ପ୍ରବାସୀମାନଙ୍କ ଏହି ବସ୍ତିରେ ରହୁଥିବା ଅନ୍ୟ କାରିଗରମାନଙ୍କ ସହ ସେ ଆମକୁ ପରିଚୟ କରାଇ ଦେବେ।
ଏଠାକାର ରହୁଥିବା ପ୍ରାୟ ସବୁ କାରିଗର ସେମାନଙ୍କ ପୂର୍ବପୁରୁଷମାନଙ୍କ ମୂଳ ଉତ୍ତର ପ୍ରଦେଶର ବାରବାଙ୍କିଠାରେ ବୋଲି ଜାଣନ୍ତି। ସେମାନଙ୍କ ଭିତରୁ ପ୍ରାୟ ୫୦ ଜଣ ଏହି ବ୍ୟବସାୟ କରନ୍ତି। “ଆପଣ ଯେଉଁଆଡେ ଚାହିଁବେ ଆମ ବିରାଦରୀର [ଗୋଷ୍ଠୀର] ଲୋକ ଏହି ବାଦ୍ୟଯନ୍ତ୍ର ତିଆରି କରୁଥିବାର ଦେଖିବେ”, ସେ ସଗର୍ବରେ କହନ୍ତି, ଯାହାର ଘୋଷିତ ମର୍ମ ହେଉଛି କି ଏଠାରେ ହିଁ ଢୋଲକସବୁ ପ୍ରସ୍ତୁତ ହୋଇ ସାରା ମୁମ୍ବାଇ ଓ ରାଜ୍ୟର ଅନ୍ୟ ଭାଗକୁ ଯାଏ। (ବିରାଦରୀର ଆକ୍ଷରିକ ଅର୍ଥ ଭାତୃଭାବ ହୋଇଥିଲେ ବି ଅଧିକାଂଶତଃ ଏହାକୁ ବଂଶ, ଗୋଷ୍ଠୀ ଓ ଭାତୃତ୍ଵ ଭାବେ ବ୍ୟବହାର କରାଯାଏ।)






