ଗୀଦା ୱଡ଼ଚଲ କୁହନ୍ତି, ‘‘ଚଳିତ ବଜେଟ୍ ଆମ ଅସ୍ଥିତ୍ୱର କୌଣସି ଗୋଟିଏ ସମସ୍ୟାର ସମାଧାନ କରୁନାହିଁ। ଲାଗୁଛି ଯେମିତି ଏହା ମୁଖ୍ୟତଃ ମଧ୍ୟବିତ୍ତ ବର୍ଗ, ବିଶେଷ କରି ବେତନଭୋଗୀ ବ୍ୟକ୍ତିଙ୍କ ସହ ଜଡ଼ିତ।’’
ଅତି ଆପଦଗ୍ରସ୍ତ ଆଦିବାସୀ ସମ୍ପ୍ରଦାୟ (ପିଭିଟିଜି) ରୂପରେ ବର୍ଗୀକୃତ କାଡ଼ର ସମ୍ପ୍ରଦାୟର ସଦସ୍ୟ ହୋଇଥିବା ୩୬ ବର୍ଷୀୟ ଗୀଦା କେରଳର ତ୍ରିଶୁର ଜିଲ୍ଲାରେ ପ୍ରସ୍ତାବିତ ଆଦିରପିଲ୍ଲୀ ଜଳବିଦ୍ୟୁତ ପ୍ରକଳ୍ପର ଜଳଗ୍ରହଣ କ୍ଷେତ୍ରରେ ରହିଥା’ନ୍ତି।
ଏହି ନଦୀବନ୍ଧ ଚାଳାକୁଡ଼ି ନଦୀ ଉପତ୍ୟାକାରେ ଅବସ୍ଥିତ ଏବଂ ଏହାର କାରଣରୁ ସେମାନଙ୍କ ସମ୍ପ୍ରଦାୟକୁ ଚତୁର୍ଥ ଥର ପାଇଁ ବିସ୍ଥାପିତ ହେବାକୁ ପଡ଼ିବ। ନଦୀବନ୍ଧ ବିରୋଧରେ ଜନ ଆନ୍ଦୋଳର ଚେହେରା ପାଲଟିଥିବା ଗୀଦା କୁହନ୍ତି, ‘‘ସାରା ଦେଶରେ ବ୍ୟାପକ ଆକାରରେ ମୌଳିକ ଭିତ୍ତିଭୂମି ପ୍ରକଳ୍ପ କାରଣରୁ ଆମକୁ ଅଧିକ ପରିମାଣରେ ବିସ୍ଥାପନର ସାମ୍ନା କରିବାକୁ ପଡ଼ୁଛି। ଏହାବ୍ୟତୀତ ଆମ ଜଙ୍ଗଲ, ଜମି ଏବଂ ସମ୍ବଳ ଉପରେ କମ୍ପାନୀଗୁଡ଼ିକର ଅଧିଗ୍ରହଣ ବିଷୟରେ କୌଣସି ଉଲ୍ଲେଖ କରାଯାଉନାହିଁ।’’
କେରଳର ଏକମାତ୍ର ଆଦିବାସୀ ମହିଳା ମୁଖିଆ ଗୀଦା କୁହନ୍ତି, ‘‘ଜଙ୍ଗଲରେ ରହୁଥିବା ଆଦିବାସୀ ସମ୍ପ୍ରଦାୟ ପାଇଁ ଜଳବାୟୁ ପରିବର୍ତ୍ତନ ଅଭୂତପୂର୍ବ ଅସ୍ତିତ୍ୱର ଆହ୍ୱାନ ସୃଷ୍ଟି କରିଥାଏ। ଆମେ ପ୍ରତିକୂଳ ପାଣିପାଗ, ନଷ୍ଟ ହୋଇ ଚାଲିଥିବା ଜଙ୍ଗଲ ଏବଂ ସୀମିତ ଜୀବିକା ବିକଳ୍ପର ସାମ୍ନା କରୁଛୁ।




