ଏହି ଶୋଭାଯାତ୍ରା ନମ୍ମା ପ୍ରାଇଡ ଓ ସେଭେନ ରେନବୋଜ ନାମକ ଲୈଙ୍ଗିକ ବୈଶିଷ୍ଟ୍ୟ ବା ଟ୍ରାନ୍ସ ସମୁଦାୟ ସହ କାମ କରୁଥିବା ଦୁଇଟି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିଲା। ‘‘ଏ ବର୍ଷ ଦ୍ଵିତୀୟ ଶୋଭାଯାତ୍ରା ପାଇଁ ପୋଲିସ ଅନୁମତି ମାତ୍ର ଗୋଟିଏ ଦିନରେ ମିଳିଥିବା ବେଳେ ପୂର୍ବ ବର୍ଷ ଏଥି ପାଇଁ ଦୁଇ ସପ୍ତାହ ଲାଗିଥିଲା”, କହନ୍ତି ପ୍ରଣତୀ ଆମ୍ମା, ଏହି ସମୁଦାୟରେ ସମସ୍ତେ ତାଙ୍କୁ ସମ୍ମାନର ସହ ଏହି ନାଁରେ ଡାକନ୍ତି। ସେ ହେଉଛନ୍ତି ସେଭେନ ରେନବୋଜ ସଂସ୍ଥାର ପ୍ରତିଷ୍ଠାତା, ଓ ବିଗତ ୩୭ ବର୍ଷ ଧରି ସେ ସାରା ଭାରତରେ ଲୈଙ୍ଗିକ ଓ ଯୌନତା କ୍ଷେତ୍ରରେ କାମ କରିଛନ୍ତି।
ପୋଲିସ ସହ ଉତ୍ତମ ଯୋଗାଯୋଗ ରକ୍ଷା କରିବା ଆମେ ଶିଖୁଛୁ। ମହୀଶୂରରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଆମକୁ ଗ୍ରହଣ କରନ୍ତି ନାହିଁ ଓ ଆମେ ଏଠାରୁ ଉଭାନ ହେଇଯାଉ ବୋଲି ସେମାନେ ଚାହାନ୍ତି, କିନ୍ତୁ ଆମେ ଆଶା ରଖିଛୁ ଯେ ଏହାର (ସ୍ୱାଭିମାନ ଶୋଭାଯାତ୍ରାର) ଆକାର ଓ ବିବିଧତାକୁ ପ୍ରତି ବର୍ଷ ପ୍ରସାରିତ କରିବୁ, ସେ କହନ୍ତି।
ଗୋଟିଏ କି.ମି. ଲମ୍ବର ଏହି ଶୋଭାଯାତ୍ରା ସହରର ସର୍ବାଧିକ ଜନଗହଳିପୂର୍ଣ୍ଣ ମାର୍କେଟ ଅଞ୍ଚଳରେ ଯାଇଥିଲା। ଏହି ଉତ୍ସବକୁ ସହଜରେ ହେବା ପାଇଁ ସ୍ଥାନୀୟ ପୋଲିସ ଯାନବାହାନ ଚଳାଚଳକୁ ଖୁବ ଚଳଚଞ୍ଚଳ ହୋଇ ନିୟନ୍ତ୍ରଣ କରିଥିଲା। “ଆମେ ଏହି ସମୁଦାୟକୁ ସମ୍ମାନ କରୁ। ସେମାନଙ୍କର ଯେମିତି କିଛି ଅସୁବିଧା ନହେଉ ସେଥି ପାଇଁ ଆମେ ସେମାନଙ୍କ ସହ ଚାଲିଥିଲୁ। ଆମେ ସେମାନଙ୍କୁ (ଟ୍ରାନ୍ସଜେଣ୍ଡରମାନଙ୍କୁ) ସମର୍ଥନ କରୁଛୁ”, କହନ୍ତି ବିଜୟେନ୍ଦ୍ର ସିଂହ, ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର।
“ଭାରତରେ ଲୈଙ୍ଗିକ ବୈଶିଷ୍ଟ୍ୟ ବିଶିଷ୍ଟ (ଟ୍ରାନ୍ସଜେଣ୍ଡର) ମହିଳାମାନଙ୍କ ସ୍ଥିତି ଅତି ସଙ୍କଟଜନକ। ପୌରାଣିକ ତତ୍ତ୍ଵ ଆଧାରରେ ସେମାନଙ୍କ ପାଖରେ କିଛି ଯାଦୁଗରୀ କ୍ଷମତା ରହିଥିବା କାରଣରୁ ସେମାନଙ୍କୁ କିଛିଟା ସାଂସ୍କୃତିକ ସୁରକ୍ଷା ମିଳେ, କିନ୍ତୁ ସେମାନଙ୍କୁ ଭେଦଭାବ ଓ ଲାଞ୍ଛନା ଦିଆଯାଏ”, କହନ୍ତି ଦୀପକ ଧନଞ୍ଜୟ ଯେ କି ଜଣେ ମାନସିକ ସ୍ଵାସ୍ଥ୍ୟ ପେଷାଦାର ଓ ନିଜକୁ ସମଲିଙ୍ଗି ବୋଲି ମନେ କରନ୍ତି।
ସ୍ୱାଭିମାନ ଶୋଭାଯାତ୍ରାରେ ଭାଗ ନେଇଥିବା ୩୧-ବର୍ଷୀୟ ପ୍ରିୟଙ୍କ ଆଶା ସୁକାନନ୍ଦ କହନ୍ତି, “ମୁଁ ବିଶ୍ୱବିଦ୍ୟାଳୟରେ ପଢୁଥିବା ବେଳେ ଭେଦଭାବ ଓ ଲାଞ୍ଛନାର ଶିକାର ହୋଇଛି, ଏବଂ ତେଣୁ ନିଷ୍ପତିମୂଳକ ଭାବେ ମୁଁ ମୋର ଅଧିକାର ସାବ୍ୟସ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି। ମୁଁ ଯୋଗ ଦେଇଥିବା ପ୍ରତ୍ୟେକ ସ୍ୱାଭିମାନ ଶୋଭାଯାତ୍ରା ମୋତେ ଓ ମୋ ଭଳି ଅନ୍ୟ ଯେଉଁମାନେ ସମସ୍ତଙ୍କୁ ଆମର ସଂଗ୍ରାମକୁ ମନେ ପକେଇ ଦିଏ ଓ ତେଣୁ ମୁଁ ଶୋଭାଯାତ୍ରାରେ ଚାଲେ”। ବେଙ୍ଗାଲୁରୁଠାରେ ଅବସ୍ଥିତ ଜଣେ ପାଚକ ଓ ସ୍ଵତନ୍ତ୍ର ଶିକ୍ଷକ ପ୍ରିୟଙ୍କ ଆହୁରି କହନ୍ତି, “ଆମେ ମହୀଶୂରର ଏଲଜିବିଟି ସମୁଦାୟର ପ୍ରକୃତ ଶକ୍ତି ଦେଖିବାକୁ ପାଇଲୁ ଓ ତାହା ଖୁବ ଆଶ୍ଵସ୍ତ କଲା”।