୨୦୨୪ ଫେବୃୟାରୀ ୧୮ ତାରିଖ ଦିନ ଅପରାହ୍ନ ୩ଟାରେ ଖରାବେଳର ସୂର୍ଯ୍ୟତାପ ସତ୍ତ୍ୱେ ରଙ୍ଗୀନ ପୋଷାକ ପିନ୍ଧି ପ୍ରାୟ ୪୦୦ ଅଂଶଗ୍ରହଣକାରୀ ସହରର ଦ୍ଵିତୀୟ ସ୍ୱାଭିମାନ ଶୋଭାଯାତ୍ରାରେ ସବରଠାରୁ ମହୀଶୂର ଟାଉନ ହଲ୍ ପର୍ଯ୍ୟନ୍ତ ଯାଇଥିଲେ।
“ମୁଁ ଏଠାରେ (ଶୋଭାଯାତ୍ରାରେ) ଯୋଗ ଦେଇଥିବାରୁ ଗର୍ବିତ। ମହୀଶୂର ବହୁତ ବଦଳି ଯାଇଛି,” କହନ୍ତି ସୈକଜାରା, ଯେ କି ଏହି ସହରରେ ପିଲାଦିନୁ ବଢିଥିଲେ। “ଗତ ପାଞ୍ଚ ଛ’ ବର୍ଷ ଧରି ମୁଁ କ୍ରସ-ଡ୍ରେସିଂ କରୁଥିବାରୁ ଲୋକେ ସେମାନଙ୍କ ରାୟ ଦେଉଛନ୍ତି, କହୁଛନ୍ତି, “କାହିଁକି ପୁଅଟେ ହେଇ ଝିଅଙ୍କ ପୋଷାକ ପିନ୍ଧୁଛି?” କିନ୍ତୁ ଏବେ ଲୋକମାନେ ଅଧିକ ଗ୍ରହଣ କଲେଣି। ମୁଁ ଯାହା ସେଥି ପାଇଁ ଗର୍ବିତ”, କହନ୍ତି ୨୪-ବର୍ଷୀୟ ବେଙ୍ଗାଲୁରୁରେ ଗୋଟିଏ କଲ୍ ସେଣ୍ଟରରେ କାମ କରୁଥିବା ଯୁବକ। ସୈକଜାରାଙ୍କ ଭଳି ଅନ୍ୟ ବହୁତ ଜଣ କର୍ଣ୍ଣାଟକ, ଗୋଆ ଓ ତାମିଲନାଡୁ ଆଦି ଅନ୍ୟ ପ୍ରଦେଶରୁ ଏହି ଉତ୍ସବରେ ଯୋଗ ଦେବାକୁ ଆସିଥିଲେ।
ୟେଲମା ଠାକୁରାଣୀଙ୍କ (ବା ରେଣୁକା) ସୁବର୍ଣ୍ଣ ପ୍ରତିମା ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ। ପ୍ରାୟ ୧୦ କିଗ୍ରା ଓଜନର ଏହି ପ୍ରତିମାକୁ ଅଂଶଗ୍ରହଣକାରୀମାନେ ସେମାନଙ୍କ ମୁଣ୍ଡରେ ଧରି ବାଜା ବଜାଇ ଓ ନୃତ୍ୟ କରି କରି ଶୋଭାଯାତ୍ରାରେ ଯାଇଥିଲେ।
ଏହି ଶୋଭାଯାତ୍ରା ନମ୍ମା ପ୍ରାଇଡ ଓ ସେଭେନ ରେନବୋଜ ନାମକ ଲୈଙ୍ଗିକ ବୈଶିଷ୍ଟ୍ୟ ବା ଟ୍ରାନ୍ସ ସମୁଦାୟ ସହ କାମ କରୁଥିବା ଦୁଇଟି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିଲା। ‘‘ ଏ ବର୍ଷ ଦ୍ଵିତୀୟ ଶୋଭାଯାତ୍ରା ପାଇଁ ପୋଲିସ ଅନୁମତି ମାତ୍ର ଗୋଟିଏ ଦିନରେ ମିଳିଥିବା ବେଳେ ପୂର୍ବ ବର୍ଷ ଏଥି ପାଇଁ ଦୁଇ ସପ୍ତାହ ଲାଗିଥିଲା”, କହନ୍ତି ପ୍ରଣତୀ ଆମ୍ମା, ଏହି ସମୁଦାୟରେ ସମସ୍ତେ ତାଙ୍କୁ ସମ୍ମାନର ସହ ଏହି ନାଁରେ ଡାକନ୍ତି। ସେ ହେଉଛନ୍ତି ସେଭେନ ରେନବୋଜ ସଂସ୍ଥାର ପ୍ରତିଷ୍ଠାତା, ଓ ବିଗତ ୩୭ ବର୍ଷ ଧରି ସେ ସାରା ଭାରତରେ ଲୈଙ୍ଗିକ ଓ ଯୌନତା କ୍ଷେତ୍ରରେ କାମ କରିଛନ୍ତି।
ପୋଲିସ ସହ ଉତ୍ତମ ଯୋଗାଯୋଗ ରକ୍ଷା କରିବା ଆମେ ଶିଖୁଛୁ। ମହୀଶୂରରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଆମକୁ ଗ୍ରହଣ କରନ୍ତି ନାହିଁ ଓ ଆମେ ଏଠାରୁ ଉଭାନ ହେଇଯାଉ ବୋଲି ସେମାନେ ଚାହାନ୍ତି, କିନ୍ତୁ ଆମେ ଆଶା ରଖିଛୁ ଯେ ଏହାର (ସ୍ୱାଭିମାନ ଶୋଭାଯାତ୍ରାର) ଆକାର ଓ ବିବିଧତାକୁ ପ୍ରତି ବର୍ଷ ପ୍ରସାରିତ କରିବୁ, ସେ କହନ୍ତି।
ଗୋଟିଏ କି.ମି. ଲମ୍ବର ଏହି ଶୋଭାଯାତ୍ରା ସହରର ସର୍ବାଧିକ ଜନଗହଳିପୂର୍ଣ୍ଣ ମାର୍କେଟ ଅଞ୍ଚଳରେ ଯାଇଥିଲା। ଏହି ଉତ୍ସବକୁ ସହଜରେ ହେବା ପାଇଁ ସ୍ଥାନୀୟ ପୋଲିସ ଯାନବାହାନ ଚଳାଚଳକୁ ଖୁବ ଚଳଚଞ୍ଚଳ ହୋଇ ନିୟନ୍ତ୍ରଣ କରିଥିଲା। “ଆମେ ଏହି ସମୁଦାୟକୁ ସମ୍ମାନ କରୁ। ସେମାନଙ୍କର ଯେମିତି କିଛି ଅସୁବିଧା ନହେଉ ସେଥି ପାଇଁ ଆମେ ସେମାନଙ୍କ ସହ ଚାଲିଥିଲୁ। ଆମେ ସେମାନଙ୍କୁ (ଟ୍ରାନ୍ସଜେଣ୍ଡରମାନଙ୍କୁ) ସମର୍ଥନ କରୁଛୁ”, କହନ୍ତି ବିଜୟେନ୍ଦ୍ର ସିଂହ, ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର।
“ଭାରତରେ ଲୈଙ୍ଗିକ ବୈଶିଷ୍ଟ୍ୟ ବିଶିଷ୍ଟ (ଟ୍ରାନ୍ସଜେଣ୍ଡର) ମହିଳାମାନଙ୍କ ସ୍ଥିତି ଅତି ସଙ୍କଟଜନକ। ପୌରାଣିକ ତତ୍ତ୍ଵ ଆଧାରରେ ସେମାନଙ୍କ ପାଖରେ କିଛି ଯାଦୁଗରୀ କ୍ଷମତା ରହିଥିବା କାରଣରୁ ସେମାନଙ୍କୁ କିଛିଟା ସାଂସ୍କୃତିକ ସୁରକ୍ଷା ମିଳେ, କିନ୍ତୁ ସେମାନଙ୍କୁ ଭେଦଭାବ ଓ ଲାଞ୍ଛନା ଦିଆଯାଏ”, କହନ୍ତି ଦୀପକ ଧନଞ୍ଜୟ ଯେ କି ଜଣେ ମାନସିକ ସ୍ଵାସ୍ଥ୍ୟ ପେଷାଦାର ଓ ନିଜକୁ ସମଲିଙ୍ଗି ବୋଲି ମନେ କରନ୍ତି।
ସ୍ୱାଭିମାନ ଶୋଭାଯାତ୍ରାରେ ଭାଗ ନେଇଥିବା ୩୧-ବର୍ଷୀୟ ପ୍ରିୟଙ୍କ ଆଶା ସୁକାନନ୍ଦ କହନ୍ତି, “ମୁଁ ବିଶ୍ୱବିଦ୍ୟାଳୟରେ ପଢୁଥିବା ବେଳେ ଭେଦଭାବ ଓ ଲାଞ୍ଛନାର ଶିକାର ହୋଇଛି, ଏବଂ ତେଣୁ ନିଷ୍ପତିମୂଳକ ଭାବେ ମୁଁ ମୋର ଅଧିକାର ସାବ୍ୟସ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି। ମୁଁ ଯୋଗ ଦେଇଥିବା ପ୍ରତ୍ୟେକ ସ୍ୱାଭିମାନ ଶୋଭାଯାତ୍ରା ମୋତେ ଓ ମୋ ଭଳି ଅନ୍ୟ ଯେଉଁମାନେ ସମସ୍ତଙ୍କୁ ଆମର ସଂଗ୍ରାମକୁ ମନେ ପକେଇ ଦିଏ ଓ ତେଣୁ ମୁଁ ଶୋଭାଯାତ୍ରାରେ ଚାଲେ”। ବେଙ୍ଗାଲୁରୁଠାରେ ଅବସ୍ଥିତ ଜଣେ ପାଚକ ଓ ସ୍ଵତନ୍ତ୍ର ଶିକ୍ଷକ ପ୍ରିୟଙ୍କ ଆହୁରି କହନ୍ତି, “ଆମେ ମହୀଶୂରର ଏଲଜିବିଟି ସମୁଦାୟର ପ୍ରକୃତ ଶକ୍ତି ଦେଖିବାକୁ ପାଇଲୁ ଓ ତାହା ଖୁବ ଆଶ୍ଵସ୍ତ କଲା”।
ଅନୁବାଦ : ଓଡ଼ିଶାଲାଇଭ୍