"ଲଙ୍କା, ରସୁଣ, ଅଦା... ଲାଉ ପତ୍ର, କଲରା... ଗୁଡ଼ ।"
ଏଠାରେ ଲଙ୍କା, ରସୁଣ, ଅଦା, କଲରା ଆଦି ଏକ ଖାଦ୍ୟ ରେସିପି ନୁହେଁ... ବରଂ ଜୈବିକ ଚାଷୀ ଗୁଲାବରାଣୀଙ୍କ ଶକ୍ତିଶାଳୀ ସାର ଏବଂ କୀଟନାଶକ, ଯାହା ସେ ପାନ୍ନା ବ୍ୟାଘ୍ର ସଂରକ୍ଷଣ କଡ଼ରେ ଥିବା ଚୁଙ୍ଗୁନା ଗାଁରେ ତିଆରି କରନ୍ତି ।
53 ବର୍ଷୀୟା ଏହି ମହିଳା ଜଣକ ମନେପକାନ୍ତି ଯେ ପ୍ରଥମ ଥର ଏପରି ତାଲିକା ଶୁଣି ଜୋରରେ ହସି ଉଠିଥିଲେ । ସେ କୁହନ୍ତି, ‘‘ମୁଁ ଭାବିଥିଲି, ମୁଁ ଏସବୁ କେଉଁଠାରୁ ପାଇବି? କିନ୍ତୁ ତା'ପରେ ମୁଁ ଜଙ୍ଗଲରେ ହେଉଥିବା ଲାଉ ପାଇଲି ... ।’’ ଗୁଡ଼ ଭଳି ଅନ୍ୟାନ୍ୟ ସାମଗ୍ରୀ ତାଙ୍କୁ ବଜାରରୁ କିଣିବାକୁ ପଡ଼ିଲା।
ସନ୍ଦେହୀ ପଡ଼ୋଶୀମାନେ ଏଥିରେ ତାଙ୍କୁ ସାହାଯ୍ୟ କରିନଥିଲେ, ସେ କ'ଣ ତିଆରି କରୁଛନ୍ତି ଜାଣିବାକୁ ଉତ୍ସୁକ ଥିଲେ। କିନ୍ତୁ ଅନ୍ୟ ଲୋକମାନେ କ’ଣ ଭାବୁଛନ୍ତି, ତାକୁ କେବେ ଗୁରୁତ୍ୱ ଦିଅନ୍ତି ନାହିଁ ଗୁଲାବରାଣୀ - ଏହା ଆଶ୍ଚର୍ଯ୍ୟଜନକ କଥା ନୁହେଁ ଯେ ସେ ପ୍ରାୟ 500 ଲୋକସଂଖ୍ୟା ବିଶିଷ୍ଟ ଗାଁର ପ୍ରଥମ ବ୍ୟକ୍ତି ଥିଲେ ଯିଏ ଜୈବିକ ଚାଷ ଆଡକୁ ଆଗକୁ ବଢୁଥିଲେ।
"ଆମେ ବଜାରରୁ କିଣୁଥିବା ଖାଦ୍ୟରେ ବିଭିନ୍ନପ୍ରକାର ଔଷଧ ଥାଏ ଏବଂ ଏଥିରେ ସମସ୍ତ ପ୍ରକାରର ରାସାୟନିକ ପଦାର୍ଥ ମିଶାଯାଇଥାଏ, ତେଣୁ ଆମେ ଭାବିଲୁ ଯେ ଏଗୁଡ଼ିକୁ କାହିଁକି ଖାଇବା," ଚାରି ବର୍ଷ ପୂର୍ବେ ତାଙ୍କ ଘରେ ହୋଇଥିବା ଏହି କଥାବାର୍ତ୍ତାକୁ ମନେ ପକାଇ କୁହନ୍ତି ଗୁଲାବରାଣୀ।
"ମୋ ପରିବାର ଲୋକ ଭାବିଥିଲେ ଯେ ଜୈବିକ ଉପାୟରେ ଚାଷ କରିବା ଏକ ଭଲ ବିଚାର। ଆମେ ସମସ୍ତେ ଭାବୁଥିଲୁ ଯେ ଯଦି ଆମେ ଜୈବିକ (ଜୈବିକ ଭାବରେ ଚାଷ କରାଯାଇଥିବା) ଖାଦ୍ୟ ଖାଇବୁ, ତେବେ ଆମର ସ୍ୱାସ୍ଥ୍ୟ ଭଲ ରହିବ। ଜୈବିକ ସାର ଦ୍ୱାରା କୀଟପତଙ୍ଗର ସ୍ୱାସ୍ଥ୍ୟ ଖରାପ ହୁଏ, ଆମର ଭଲ ରୁହେ!" ସେ ମଜାରେ ମଜାରେ ଏପରି କହିଛନ୍ତି।
















