ଅହରୱାନିରେ ପହଞ୍ଚିବା କ୍ଷଣି ରାମ ଅବତାର କୁଶୱାହା କାଦୁଅ ଭର୍ତ୍ତି ସଡ଼କରେ ସନ୍ତୁଳନ ବଜାୟ ରଖିବା ପାଇଁ ନିଜ ମୋଟର ସାଇକେଲର ଗତିକୁ ଧିମେଇ ଦେଇଥାନ୍ତି। ସେ ଖାଲ ଢିପ ଭର୍ତ୍ତି ବସ୍ତିର କେନ୍ଦ୍ର ସ୍ଥଳରେ ପହଞ୍ଚିବା ପରେ ନିଜ ୧୫୦ ସିସି ବାଇକର ଇଞ୍ଜିନକୁ ବନ୍ଦ କରି ଦିଅନ୍ତି ।
ପାଖାପାଖି ୫ ମିନିଟ୍ ମଧ୍ୟରେ ଛୋଟ ପିଲା, ମାଧ୍ୟମିକ ସ୍କୁଲ୍ ଛାତ୍ରଛାତ୍ରୀ ଓ କିଶୋରମାନେ ତାଙ୍କ ଚାରିପାଖରେ ଏକତ୍ରିତ ହୋଇଯାଆନ୍ତି । ସହରିୟା ଆଦିବାସୀ ପିଲାମାନଙ୍କ ଦଳ ଧୈର୍ଯ୍ୟର ସହିତ ଅପେକ୍ଷା କରିଥାନ୍ତି, ହାତରେ ଖୁଚୁରା ମୁଦ୍ରା ଓ ୧୦ ଟଙ୍କାର ନୋଟ୍ ଧରି ସେମାନେ ପରସ୍ପର ସହ କଥା ହୋଇଥାନ୍ତି । ସେମାନେ ସମସ୍ତେ ଗୋଟିଏ ପ୍ଲେଟ୍ ଚାଓମିନ୍ କିଣିବା ପାଇଁ ଅପେକ୍ଷା କରିଛନ୍ତି ଯାହାକି ଭଜା ହୋଇଥିବା ପନିପରିବା ଓ ନୁଡଲ୍ସରେ ପ୍ରସ୍ତୁତ ଏକ ବ୍ୟଞ୍ଜନ।
ଭଲ ବ୍ୟବହାର କରୁଥିବା ଏହି ଭୋକିଲା ଗ୍ରାହକଙ୍କ ବ୍ୟସ୍ତତାକୁ ଧ୍ୟାନରେ ରଖି ମୋଟର ସାଇକେଲ ବିକାଳୀ ଜଣଙ୍କ ଶୀଘ୍ର ଶୀଘ୍ର ନିଜର ଜିନିଷପତ୍ର ଖୋଲି ଦିଅନ୍ତି । ସେଥିରେ ବେଶି କିଛି ନାହିଁ - ରାମ ଅବତାର ଦୁଇଟି ପ୍ଲାଷ୍ଟିକ ବୋତଲ ବାହାର କରନ୍ତି । ସେ କୁହନ୍ତି, ‘‘ଗୋଟିଏରେ ଲାଲ ସସ୍ (ଲଙ୍କା) ଏବଂ ଅନ୍ୟଟି କଳା ସସ୍ (ସୋୟା) ଅଛି ।’’ ଅନ୍ୟ ସାମଗ୍ରୀ ମଧ୍ୟରେ ରହିଛି ବନ୍ଧାକୋବି, କଟା ପିଆଜ, ସବୁଜ ସିମଲା ଲଙ୍କା ଏବଂ ସିଝା ହୋଇଥିବା ନୁଡଲ୍ସ। ‘‘ମୁଁ ନିଜର ସବୁ ସାମଗ୍ରୀ ବିଜୟପୁର (ସହର)ରୁ କିଣିଥାଏ।’’
ସନ୍ଧ୍ୟା ପ୍ରାୟ ୬ଟା ବାଜିଛି ଏବଂ ରାମ ଅବତାର ଆଜି ଏହାକୁ ମିଶାଇ ୪ଟି ଗାଁ ବୁଲିସାରିଲେଣି। ସେ ଅନ୍ୟ ବସ୍ତି ଓ ଗାଁର ନାଁ ମଧ୍ୟ କୁହନ୍ତି, ଯେଉଁଠାକୁ ସେ ନିୟମିତ ଭାବେ ଯାଇଥାନ୍ତି । ସେଗୁଡ଼ିକ ହେଲା ଲାଡର, ପଣ୍ଡରୀ, ଖଜୁରି କଲାଁ, ସିଲପାରା, ପାରୋଣ୍ଡ। ଏ ସବୁ ସ୍ଥାନ ସୁତେପୁରାରେ ଥିବା ତାଙ୍କ ଘରଠାରୁ ପ୍ରାୟ ୩୦ କିଲୋମିଟର ପରିଧି ମଧ୍ୟରେ ରହିଛି, ଯାହାକି ବିଜୟପୁର ତହସିଲର ଗୋପାଳପୁରା ଗାଁକୁ ଲାଗି ଏକ ଛୋଟ ଗ୍ରାମ । ଏସବୁ ବସ୍ତି ଓ ଛୋଟ ଗାଁରେ ପ୍ରସ୍ତୁତ ସ୍ନାକ୍ସ (ଜଳଖିଆ) ନାଁରେ ଚିପ୍ସ ପ୍ୟାକେଟ୍ ଓ ବିସ୍କୁଟ୍ ମିଳିଥାଏ।
ସେ ସପ୍ତାହକୁ ଅତିକମରେ ଦୁଇ ତିନି ଥର ପ୍ରାୟ ୫୦୦ ଜନସଂଖ୍ୟା ବିଶିଷ୍ଟ ଏହି ଆଦିବାସୀ ବହୁଳ ବସ୍ତି ଅହରୱାନିକୁ ଆସିଥାନ୍ତି । ଅହରୱାନି ଏକ ନୂଆ ଜନବସତି। କୁନୋ ଜାତୀୟ ଉଦ୍ୟାନକୁ ସିଂହମାନଙ୍କର ଦ୍ୱିତୀୟ ବାସସ୍ଥଳୀରେ ପରିଣତ କରିବା ଲାଗି ୧୯୯୯ରେ ଏମାନଙ୍କୁ ବିସ୍ଥାପିତ କରାଯାଇଥିଲା । ପଢ଼ନ୍ତୁ : କୁନୋରେ: ଚିତା ଆସିଲେ, ଆଦିବାସୀ ବିଦା । ସିଂହ ତ’ ଆସିଲେ ନାହିଁ କିନ୍ତୁ ସେପ୍ଟେମ୍ବର ୨୦୨୨ରେ ଆଫ୍ରିକୀୟ ଚିତାମାନଙ୍କୁ ଏହି ଜାତୀୟ ଉଦ୍ୟାନକୁ ଅଣାଗଲା।






