‘‘ମୁଁ ପ୍ରାୟ ୪୫୦ ପକ୍ଷୀଙ୍କ କଳରବ ଜାଣିଛି।’’
ଏହା ମିକା ରାୟଙ୍କର ଏକ ମହତ୍ୱପୂର୍ଣ୍ଣ କୌଶଳ। ଜଙ୍ଗଲର ଜଣେ ଫଟୋଗ୍ରାଫର୍ ଭାବେ ବିରଳ ପକ୍ଷୀ ଓ ପ୍ରାଣୀମାନଙ୍କର ଫଟୋ କ୍ୟାମେରାରେ ଉଠାଇବା ପାଇଁ ଅନେକ ସମୟ ଧରି ଅପେକ୍ଷା କରିବାକୁ ହୋଇଥାଏ, ଆଉ ଏଥିରେ ସ୍ୱରଗୁଡ଼ିକୁ ଚିହ୍ନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଫରକ ଆଣିପାରେ।
ପର ଥିବା ପ୍ରାଣୀଙ୍କଠାରୁ ଆରମ୍ଭ କରି ଲୋମଶ ସ୍ତନ୍ୟପାୟୀଙ୍କ ପର୍ଯ୍ୟନ୍ତ, ମିକା ବିଗତ କିଛି ବର୍ଷ ମଧ୍ୟରେ ପ୍ରାୟ ୩୦୦ ଭିନ୍ନ ପ୍ରଜାତିଙ୍କର ଫଟୋ ଉଠାଇଛନ୍ତି । ଏଥିରେ ତାଙ୍କୁ ବ୍ଲିଥ୍ସ୍ ଟ୍ରାଗୋପାନ୍ (ଟ୍ରାଗୋପାନ୍ ବ୍ଲିଥି) ନାମକ ଗୋଟିଏ ପକ୍ଷୀର ଫଟୋ ଉଠାଇବା ଲାଗି ବେଶ୍ କଷ୍ଟ କରିବାକୁ ପଡ଼ିଛି, ଏହାକୁ ଦେଖିବା ଅତ୍ୟନ୍ତ ବିରଳ।
ମିକା ଅକ୍ଟୋବର ୨୦୨୦ରେ ସିଗ୍ମା ୧୫୦ ଏମଏମ-୬୦୦ ଏମଏମ୍ ଟେଲିଫଟୋ ଲେନ୍ସ କିଣିଥିଲେ। ଏହି ଶକ୍ତିଶାଳୀ ଲେନ୍ସକୁ ନେଇ ସେ ଟ୍ରାଗୋପାନ୍ର ଫଟୋ ଉଠାଇବା ଲାଗି ଦୃଢ଼ ସଂକଳ୍ପବଦ୍ଧ ଥିଲେ। ‘‘ କାଫି ଦିନ୍ ସେ ଆୱାଜ୍ ତୋ ସୁନାଇ ଦେ ରହାଥା (ଅନେକ ଦିନରୁ ମୁଁ ତା’ର ସ୍ୱର ଶୁଣିପାରୁଥିଲି)।’’ ଦୀର୍ଘ ଦିନ ଧରି ଏପରି ଚେଷ୍ଟା କରିବା ସତ୍ତ୍ୱେ କୌଣସି ଫଟୋ ମିଳି ପାରିନଥିଲା।
ଶେଷରେ ମଇ ୨୦୨୧ରେ ମିକା ପୁଣିଥରେ ଯେତେବେଳେ ଅରୁଣାଚଳ ପ୍ରଦେଶର ଇଗଲନେଷ୍ଟ ବନ୍ୟପ୍ରାଣୀ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ବ୍ଲିଥ୍ ଟ୍ରାଗୋପାନ୍ର ସ୍ୱରକୁ ଅନୁସରଣ କରିବା ସମୟରେ, ଏହି ମାୟାବୀ ଜୀବ ସ୍ପଷ୍ଟ ରୂପେ ଦେଖାଗଲା। ସେ ନିଜ ନିକନ୍ ଡି ୭୨୦୦ କ୍ୟାମେରାର ୧୫୦ ଏମଏମ-୬୦୦ ଏମଏମ ଟେଲିଫଟୋ ଜୁମ୍ ଲେନ୍ସ ଧରି ପ୍ରସ୍ତୁତ ହୋଇ ରହିଥିଲେ। କିନ୍ତୁ ଅତ୍ୟନ୍ତ ଅଧୀର ହୋଇପଡ଼ୁଥିଲେ। ‘‘ମୁଁ ଗୋଟିଏ ଅସ୍ପଷ୍ଟ ଫଟୋ ଉଠାଇଲି। ତାହା ଏତେ ଭଲ ନଥିଲା,’’ ସେ ମନେ ପକାଇ କୁହନ୍ତି ।
ଦୁଇ ବର୍ଷ ପରେ, ୱେଷ୍ଟ କାମେଙ୍ଗରେ ବୋମ୍ପୁ କ୍ୟାମ୍ପ ନିକଟରେ, ସେହି ମାୟାବୀ ପକ୍ଷୀ ଦେଖାଦେଲା। ଉଜ୍ୱଳ କଳଙ୍କି ରଙ୍ଗର ସେହି ପକ୍ଷୀ ପିଠିରେ ଛୋଟ ଧଳା ବିନ୍ଦୁ ଥିଲା ଯାହାକି ପତ୍ର ଗହଳରେ ଆଂଶିକ ରୂପେ ଲୁଚି ରହିଥିଲା। ଏଥର ମିକା ବିଫଳ ହେଲେ ନାହିଁ। ୩୦-୪୦ ସଟ୍ସ୍ର ଗୋଟିଏ ଝଟ୍କାରେ ସେ ୧-୨ଟି ଭଲ ଫଟୋ ଉଠାଇବାରେ ସଫଳ ହେଲେ। ଏହା ପ୍ରଥମ ଥର ପରୀରେ ପ୍ରକାଶ ପାଇଥିଲା, ଅରୁଣାଚଳର ପକ୍ଷୀ, ବିପଦରେ କଳରବ ।
ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାର ପୂର୍ବ ହିମାଳୟ ପର୍ବତରେ ପକ୍ଷୀଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଅଧ୍ୟୟନ କରିବା ଲାଗି ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସସି)ର ବୈଜ୍ଞାନିକମାନଙ୍କୁ ସହାୟତା କରିବା ଲାଗି ସ୍ଥାନୀୟ ଲୋକଙ୍କ ଏକ ଦଳରେ ମିକା ସାମିଲ ଥିଲେ।
ପକ୍ଷୀ ବିଜ୍ଞାନୀ ଡକ୍ଟର ଉମେଶ ଶ୍ରୀନିବାସ କୁହନ୍ତି, ‘‘ମିକାଙ୍କ ଭଳି ଲୋକ ଇଗଲନେଷ୍ଟରେ ଆମ କାମର ଆଧାର। ଏହି ଅଞ୍ଚଳରେ କାମ କରିବା ଏବଂ ଆମର ଯେମିତି ତଥ୍ୟ ଆବଶ୍ୟକ ସେସବୁ ସଂଗ୍ରହ କରିବା (ତାଙ୍କ ବିନା) ଅସମ୍ଭବ।’’
ପକ୍ଷୀଙ୍କ ପ୍ରତି ମିକାଙ୍କ ଆଗ୍ରହ ବୈଜ୍ଞାନିକ ଦୃଷ୍ଟିକୋଣଠାରୁ ଊର୍ଦ୍ଧ୍ୱରେ । ଆଶୀର୍ବାଦ ଦେଉଥିବା ପକ୍ଷୀକୁ ନେଇ ସେ ଗୋଟିଏ ନେପାଳୀ କାହାଣୀ ଶୁଣାଇଥା’ନ୍ତି । ‘‘ସାବତ ମା’ର କ୍ରୁରତାରେ ପୀଡ଼ିତ ଜଣେ ଲୋକ ଜଙ୍ଗଲରେ ଶରଣ ନେଲା ଓ ଜଙ୍ଗଲୀ କଦଳୀ ଖାଇ ପ୍ରାଣ ବଞ୍ଚାଇଲା। ଧୀରେ ଧୀରେ ସେ ଗୋଟିଏ ପକ୍ଷୀରେ ରୂପାନ୍ତରିତ ହୋଇଗଲା। ଏହି ରଙ୍ଗୀନ ନିଶାଚର ପ୍ରାଣୀ ନେପାଳୀ ପରମ୍ପରାରେ ମନୁଷ୍ୟ ଓ ପ୍ରାକୃତିକ ଦୁନିଆ ମଧ୍ୟରେ ସ୍ଥାୟୀ ଓ ରହସ୍ୟପୂର୍ଣ୍ଣ ସମ୍ପର୍କର ପ୍ରତୀକ ଅଟେ।’’ ମିକା କୁହନ୍ତି, ସେହି ପକ୍ଷୀ ଆଉ କେହି ନୁହେଁ ବରଂ ମାୟାବୀ ମାଉଣ୍ଟେନ୍ ସ୍କପ୍ସ ପେଚା ଅଟେ, ଯାହାକୁ ଅନେକ ଲୋକ ଆଶୀର୍ବାଦ ଦେଉଥିବା ପକ୍ଷୀର ପ୍ରତୀକ ବୋଲି ବିବେଚନା କରିଥା’ନ୍ତି । ଏହାର ଦୁର୍ଲଭତା ହିଁ କାହାଣୀର ରହସ୍ୟମୟ ସାରାଂଶ।
ଏହି ଜଙ୍ଗଲରେ ପକ୍ଷୀଙ୍କୁ ଅନୁସରଣ କରିବା ସମୟରେ, ମିକା ଓ ଅନ୍ୟ ଲୋକମାନେ ଚାରି ପାଦ ବିଶିଷ୍ଟ ପ୍ରାଣୀଙ୍କ ସାମ୍ନାସାମ୍ନୀ ହୋଇଥା’ନ୍ତି, ବିଶେଷ କରି ଦୁନିଆର ସବୁଠୁ ବଡ଼, ଉଚ୍ଚ ଏବଂ ଓଜନିଆ ଗୋଜାତୀୟ ପ୍ରାଣୀ ଜଙ୍ଗଲୀ ଗୌର (ଗୟଳ)କୁ ଭେଟିଥା’ନ୍ତି ଯାହାକୁ ଭାରତୀୟ ବାଇସନ୍ ବୋଲି ମଧ୍ୟ କୁହାଯାଏ।
ଗୋଟିଏ ରାତିର ବର୍ଷା ପରେ ମିକା ଓ ଅନ୍ୟ ଦୁଇ ବନ୍ଧୁ ମିଶି ଆବର୍ଜନା ସଫା କରିବାକୁ ଆସିଥିଲେ। ତିନି ଜଣ ମାତ୍ର ୨୦ ମିଟର ଦୂରରେ ଗୋଟିଏ ଶକ୍ତିଶାଳୀ ବାଇସନ୍କୁ ଦେଖିଲେ। ‘‘ମୁଁ ବଡ଼ ପାଟି କଲି ଏବଂ ମିଥୁନ୍ (ଗୟଳ) ଆମ ଆଡ଼କୁ ଆକ୍ରମଣ ମୁଦ୍ରାରେ ଦ୍ରୁତ ଗତିରେ ଦୌଡ଼ି ଆସିଲା!’’ ମିକା ହସି ହସି କୁହନ୍ତି କିପରି ତାଙ୍କ ସାଙ୍ଗ ଗୟଳ ଆସୁଥିବା ଦେଖି ପାଗଳଙ୍କ ଭଳି ଗୋଟିଏ ଗଛ ଉପରକୁ ଚଢ଼ିଗଲା, ସେ ଓ ଅନ୍ୟତମ ସାଙ୍ଗ ପଳାୟନ କରିବାକୁ ସକ୍ଷମ ହେଲେ ଏବଂ ନିରାପଦ ସ୍ଥାନକୁ ଚାଲିଗଲେ।
ସେ କୁହନ୍ତି, ଇଗଲନେଷ୍ଟ ଜଙ୍ଗଲରେ ତାଙ୍କର ପ୍ରିୟ ପ୍ରାଣୀ ହେଉଛି ଗୋଟିଏ ମଧ୍ୟମ ଆକାରର ଜଙ୍ଗଲୀ ବିଲେଇ ଯାହାକୁ ଏସିଆନ୍ ଗୋଲ୍ଡେନ୍ କ୍ୟାଟ୍ (କ୍ୟାଟୋପୁମେଟେମିଙ୍କି) କୁହାଯାଏ, ଯାହାକି ଇଗଲନେଷ୍ଟ ଜଙ୍ଗଲରେ ଦେଖିବାକୁ ମିଳିଥାଏ। ସେ ବୋମ୍ପୁ କ୍ୟାମ୍ପକୁ ଫେରିବା ସମୟରେ ଗୋଧୂଳି ବେଳାରେ ବିଲେଇକୁ ଦେଖିଲେ। ‘‘ମୋ ପାଖରେ ଗୋଟିଏ କ୍ୟାମେରା (ନିକନ୍ ଡି ୭୨୦୦) ଥିଲା ଏବଂ ମୁଁ ତା’ର ଫଟୋ ଉଠାଇନେଲି,’’ ସେ ଖୁସିର ସହିତ କହିଥା’ନ୍ତି। ‘‘କିନ୍ତୁ ମୁଁ ତା’କୁ ଆଉ କେବେ ଦେଖିନାହିଁ।’’
*****
ମିକା ପଶ୍ଚିମ କାମେଙ୍ଗର ଦିରାଙ୍ଗରେ ଜନ୍ମ ଗ୍ରହଣ କରିଥିଲେ ଏବଂ ସେହି ଜିଲ୍ଲାର ରାମଲିଙ୍ଗମ୍ ଗ୍ରାମକୁ ନିଜ ପରିବାର ସହ ଚାଲି ଆସିଥିଲେ। ‘‘ସମସ୍ତେ ମୋତେ ମିକା ରାୟ ଡାକନ୍ତି। ଇନଷ୍ଟାଗ୍ରାମ ଓ ଫେସବୁକ୍ରେ ମୋ ନାଁ ମିକା ରାୟ ଅଛି। କାଗଜପତ୍ରରେ ‘ଶମ୍ବୁ ରାୟ,’’ ୨୯ ବର୍ଷୀୟ ଏହି ଯୁବକ ଜଣଙ୍କ କୁହନ୍ତି । ସେ ପଞ୍ଚମ ଶ୍ରେଣୀ ପରେ ସ୍କୁଲ୍ ପଢ଼ା ଛାଡ଼ି ଦେଇଥିଲେ, କାରଣ ‘‘ଆର୍ଥିକ ସମସ୍ୟା ଥିଲା ଏବଂ ମୋ ଭାଇଭଉଣୀଙ୍କୁ ମଧ୍ୟ ପଢ଼ିବାର ଥିଲା।’’
ପରବର୍ତ୍ତୀ କିଛି ବର୍ଷ ତାଙ୍କୁ ଏକାଧିକ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା - ଦିରାଙ୍ଗରେ ରାସ୍ତା ନିର୍ମାଣ କାମ ଏବଂ ଇଗଲନେଷ୍ଟ ଅଭୟାରଣ୍ୟରେ ଥିବା ବୋମ୍ପୁ କ୍ୟାମ୍ପ ଓ ସିଙ୍ଗଚୁଙ୍ଗବୁଗୁନ୍ ଗ୍ରାମ୍ୟ ଗୋଷ୍ଠୀ ସଂରକ୍ଷିତ ଜଙ୍ଗଲ (ଏସ୍ବିଭିସିଆର୍)ରେ ଥିବା ଲାମା କ୍ୟାମ୍ପରେ ତାଙ୍କୁ ରୋଷେୟା ଭାବେ କାମ କରିବାକୁ ପଡ଼ିଥିଲା।
କିଶୋରାବସ୍ଥାର ମଧ୍ୟ ଭାଗରେ, ମିକା ଶେଷରେ ରାମଲିଙ୍ଗମ୍ ଫେରିଥିଲେ। ‘‘ମୁଁ ଘରେ ମୋ ବାପା-ମା’ଙ୍କ ସହିତ ଥିଲି ଏବଂ ସେମାନଙ୍କୁ ଚାଷ କାମରେ ସହଯୋଗ କରୁଥିଲି।’’ ତାଙ୍କ ପରିବାର ମୂଳତଃ ନେପାଳୀ ଥିଲେ ଏବଂ ବୁଗୁନ୍ ସମ୍ପ୍ରଦାୟଠାରୁ ୪-୫ ବିଘା ଜମି ଭାଗରେ ନେଇ ସେଥିରେ କୋବି ଓ ଆଳୁ ଚାଷ କରୁଥିଲେ। ଏହାପରେ ଚାରି ଘଣ୍ଟା ଯାତ୍ରା କରି ଆସାମର ତେଜପୁରରେ ସେଗୁଡ଼ିକୁ ବିକ୍ରି କରୁଥିଲେ।
ଥରେ ବେଙ୍ଗାଲୁରରେ ଥିବା ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସସି)ସ୍ଥିତ ପରିବେଶ ବିଜ୍ଞାନ କେନ୍ଦ୍ରର ପରିବେଶ ବିଭାଗ ଅତିରିକ୍ତ ପ୍ରାଧ୍ୟାପକ ଓ ପକ୍ଷୀ ବିଜ୍ଞାନୀ ଡକ୍ଟର ଉମେଶ ଶ୍ରୀନିବାସନ ରାମଲିଙ୍ଗମ୍କୁ ଆସିଲେ। ପକ୍ଷୀଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଧ୍ୟାନ କରିବା ଲାଗି ସେ କ୍ଷେତ୍ର କର୍ମଚାରୀ ହିସାବରେ ୨-୩ ଜଣ ସ୍ଥାନୀୟ ଯୁବକଙ୍କ ସହଯୋଗ ଲୋଡ଼ିଲେ। ସ୍ଥିର ରୋଜଗାର ସୁଯୋଗର ଲାଭ ଉଠାଇବାକୁ ଆଗେଇ ଆସିଲେ। ଜାନୁଆରୀ ୨୦୧୧ରେ ୧୬ ବର୍ଷ ବୟସ୍କ ମିକା ଶ୍ରୀନିବାସନଙ୍କ ଦଳରେ କ୍ଷେତ୍ର କର୍ମଚାରୀ ଭାବେ କାମ ଆରମ୍ଭ କଲେ।
ଅରୁଣାଚଳ ପ୍ରଦେଶର ଜଙ୍ଗଲରେ ତାଙ୍କର ପ୍ରକୃତ ଶିକ୍ଷା ଆରମ୍ଭ ହୋଇଥିଲା ବୋଲି ସେ ଖୁସିର ସହିତ ସ୍ୱୀକାର କରିଥା’ନ୍ତି। ସେ କୁହନ୍ତି, ‘‘ମୁଁ ପଶ୍ଚିମ କାମେଙ୍ଗ ଜିଲ୍ଲାରେ ପକ୍ଷୀଙ୍କ ସ୍ୱରକୁ ସବୁଠୁ ଅଧିକ (ସହଜରେ) ଚିହ୍ନି ପାରିଥାଏ। ତାଙ୍କର ପ୍ରିୟ ପକ୍ଷୀ ହେଉଛି ସିକ୍କିମ ୱେଜ୍ ବିଲ୍ଡ୍ ବବଲର୍। ଦେଖିବାକୁ ଏହା ବହୁତ ସୁନ୍ଦର ନୁହେଁ କିନ୍ତୁ ଏହାର ଶୈଳୀକୁ ମୁଁ ପସନ୍ଦ କରିଥାଏ,’’ ପକ୍ଷୀର ନିଆରା ଥଣ୍ଟ ଏବଂ ଧଳା ରଙ୍ଗରେ ଘେରି ରହିଥିବାର ତା’ର ଆଖିକୁ ବିଷୟରେ ଉଲ୍ଲେଖ କରି ସେ କହିଥାନ୍ତି। ଏହା ଏକ ଦୁର୍ଲଭ ପ୍ରାଣୀ, ଯାହା କେବଳ କିଛି ସ୍ଥାନ - ଏଠି ଅରୁଣାଚଳ ପ୍ରଦେଶରେ, ସୁଦୂର-ପୂର୍ବ ନେପାଳ, ସିକ୍କିମ ଏବଂ ପୂର୍ବ ଭୂଟାନରେ ଦେଖିବାକୁ ମିଳିଥାଏ ।
‘‘ନିକଟରେ ମୁଁ ପ୍ରାୟ ୨,୦୦୦ ମିଟର ଉଚ୍ଚତାରେ ଥିବା ହ୍ୱାଇଟ୍-ରମ୍ପଡ୍ ଶମା (କୋପ୍ସିଚୁସ୍ମୈଲାବ୍ୟାରିକସ୍)ର ଏକ ଫଟୋ ଉଠାଇଥିଲି। ଏହା ଏକ ବିରଳ ସଂଯୋଗ କାରଣ ଏହି ପକ୍ଷୀ ସାଧାରଣତଃ ୯୦୦ ମିଟର କିମ୍ବା ତା’ଠାରୁ ନିମ୍ନ ଉଚ୍ଚତାରେ ରହିଥାଏ। ଉତ୍ତାପ କାରଣରୁ ପକ୍ଷୀମାନେ ସେମାନଙ୍କର ସ୍ଥାନ ପରିବର୍ତ୍ତନ କରିବାରେ ଲାଗିଛନ୍ତି,’’ ମିକା କୁହନ୍ତି।
ବୈଜ୍ଞାନିକ ଶ୍ରୀନିବାସନ କୁହନ୍ତି, ‘‘ପୂର୍ବ ହିମାଳୟ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଜୈବବିବିଧତାପୂର୍ଣ୍ଣ କ୍ଷେତ୍ର ଏବଂ ଏଠାରେ ଦେଖିବାକୁ ମିଳୁଥିବା ଅଧିକାଂଶ ପ୍ରଜାତିର ଜୀବନ ତାପମାତ୍ରା ପ୍ରତି ଅଧିକ ମାତ୍ରାରେ ସମ୍ବେଦନଶୀଳ। ସେଥିପାଇଁ ଏଠାରେ ଜଳବାୟୁ ପରିବର୍ତ୍ତନ କାରଣରୁ ପୃଥିବୀ ପ୍ରଜାତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି ।’’ ସେ କୁହନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ରହୁଥିବା ସ୍ଥାନୀୟ ପକ୍ଷୀମାନେ ଏବେ ଧୀରେ ଧୀରେ ନିଜର ଅବସ୍ଥିତିକୁ ବଦଳାଉଛନ୍ତି ବୋଲି ତାଙ୍କର ଅଧ୍ୟୟନରୁ ସେ ଜାଣିପାରିଛନ୍ତି । ପଢ଼ନ୍ତୁ : ଅରୁଣାଚଳର ପକ୍ଷୀ : ବିପଦରେ କଳରବ ।
ଜଳବାୟୁ ପରିବର୍ତ୍ତନ ପ୍ରତି ଆଗ୍ରହୀ ଥିବା ଜଣେ ସହଯୋଗୀ ଫଟୋଗ୍ରାଫର୍ ଭାବେ ମୁଁ ଦେଖିଥାଏ ଯେ ମିକା ନିଜ ଫୋନ୍କୁ ସ୍ୱାଇପ୍ କରି ପକ୍ଷୀମାନଙ୍କର ଫଟୋ ଦେଖାଉଛନ୍ତି, ଯାହାକୁ ସେ ବର୍ଷ ବର୍ଷ ଧରି କାମ କରିବା ପରେ ଉଠାଇଛନ୍ତି। ସେ ଏହାକୁ ସହଜ କରି ଦେଇଛନ୍ତି, କିନ୍ତୁ ଏଠାରେ ମୋର ଅନୁଭବ ମୋତେ କହୁଛି ଯେ ସଠିକ୍ ଫଟୋ ଉଠାଇବା ଲାଗି କଠିନ ପରିଶ୍ରମ, ସମର୍ପଣ ଓ ଅନ୍ତହୀନ ଧୈର୍ଯ୍ୟର ଆବଶ୍ୟକତା ହୋଇଥାଏ।
*****
ଏହି ଦଳର ଶିବିର ସ୍ଥଳ ବୋମ୍ପୁ କ୍ୟାମ୍ପରେ ରହିଛି ଯାହାକି ଇଗଲନେଷ୍ଟ ଅଭୟାରଣ୍ୟ ଭିତରେ ପଡ଼ିଥାଏ। ଏହି ସ୍ଥାନ ସାରା ବିଶ୍ୱର ସମର୍ପିତ ପକ୍ଷୀ ପ୍ରେମୀଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ର ବିନ୍ଦୁ। ଏହା କାଠ ଜାଲି ଏବଂ ତିରପାଲରେ ତିଆରି ଏକ ଅସ୍ଥାୟୀ ଘର ଅଟେ ଯାହାକୁ ଭଙ୍ଗା କଂକ୍ରିଟ୍ ଢାଞ୍ଚାର ଚାରି ପାଖରେ ଭିଡ଼ି ବାନ୍ଧି ଦିଆଯାଇଛି । ଗବେଷଣା ଦଳରେ ପଶ୍ଚିମ କାମେଙ୍ଗ ଜିଲ୍ଲାର ବୈଜ୍ଞାନିକ, ଜଣେ ପ୍ରଶିକ୍ଷାର୍ଥୀ ଓ କ୍ଷେତ୍ରରେ କର୍ମଚାରୀ ସାମିଲ ରହିଛନ୍ତି । ଡକ୍ଟର ଉମେଶ ଶ୍ରୀନିବାସନଙ୍କ ନେତୃତ୍ୱରେ ଏହି ଦଳରେ ମିକା ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ।
ମିକା ଓ ମୁଁ ଗବେଷଣା କୁଟୀର ବାହାରେ ଛିଡ଼ା ହୋଇଛୁ ଏବଂ ପବନ ଆମ ଚାରି ପାଖରେ ବୋହୁଛି। ଆଖପାଖର ପାହାଡ଼ ମୁଣ୍ଡିଆଗୁଡ଼ିକ ଧୂସର ବାଦଲର ମୋଟା ମାଳା ମଧ୍ୟରେ ଉଙ୍କି ମାରୁଛି । ମୁଁ ତାଙ୍କ ଠାରୁ ପରିବର୍ତ୍ତିତ ଜଳବାୟୁ ସମ୍ପର୍କରେ ତାଙ୍କର ଅଭିଜ୍ଞତା ବିଷୟରେ ଶୁଣିବା ଲାଗି ଆଗ୍ରହୀ ଥିଲି।
‘‘କମ୍ ଉଚ୍ଚତାରେ ଅଧିକ ଗରମ ଅନୁଭୂତ ହେଲେ, ପାହାଡ଼ିଆ ଅଞ୍ଚଳରେ ଏହା ଦ୍ରୁତ ଗତିରେ ବଢ଼ିଥାଏ। ପାହାଡ଼ରେ ଗରମ ବଢ଼ିଚାଲିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ଆମେ ଏହା ମଧ୍ୟ ଜାଣିଛୁ ଯେ ମୌସୁମୀ ଓଲଟା ଦିଗରେ ଗତି କରୁଛି,’’ ସେ ମୋତେ କୁହନ୍ତି । ‘‘ପୂର୍ବରୁ, ଲୋକମାନେ ପାଣିପାଗର ସ୍ଥିତି ଜାଣିପାରୁଥିଲେ। ବୟସ୍କ ଲୋକମାନେ ମନେ ପକାଇ କୁହନ୍ତି ଯେ ଫେବୃଆରୀ ମାସରେ ଥଣ୍ଡା ପଡ଼ୁଥିଲା ଓ ଆକାଶରେ ବାଦଲ ଭରି ରହୁଥିଲା।’’ ଏବେ ଫେବୃଆରୀ ମାସରେ, ଅଦିନିଆ ବର୍ଷା ଚାଷୀ ଓ ସେମାନଙ୍କ ଫସଲ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି ।
ପକ୍ଷୀଙ୍କ କଳରବରେ ଘେରି ରହିଥିବା, ଉଚ୍ଚ ଉଚ୍ଚ ଏଲ୍ଡର, ମ୍ୟାପଲ୍ ଏବଂ ଓକ୍ ଗଛରେ ଘେରି ରହିଥିବା ଇଗଲନେଷ୍ଟ ଅଭୟାରଣ୍ୟର ଘନସବୁଜ ଜଙ୍ଗଲରେ ଜଳବାୟୁ ପରିବର୍ତ୍ତନର ଗୁରୁତର ପ୍ରଭାବ ସମ୍ପର୍କରେ ଅନୁମାନ ଲଗାଇବା କଷ୍ଟକର। ଭାରତର ଏହି ପୂର୍ବାଞ୍ଚଳରେ ଶୀଘ୍ର ସୂର୍ଯ୍ୟ ଉଦୟ ହୁଅନ୍ତି ଏବଂ କର୍ମଚାରୀମାନେ ଭୋର୍ ସାଢ଼େ ୩ଟାରୁ ଉଠିସାରିଛନ୍ତି, ଉଜ୍ଜ୍ୱଳ ନୀଳ ଆକାଶ ତଳେ କଠିନ ପରିଶ୍ରମ କରୁଛନ୍ତି । ବଡ଼ ବଡ଼ ଧଳା ବାଦଲ ପୁଞ୍ଜ ଧୀରେ ଧୀରେ ଉଡ଼ି ଚାଲିଛି।
ଶ୍ରୀନିବାସନଙ୍କ ମାର୍ଗଦର୍ଶନରେ, ମିକା ‘ମିଷ୍ଟ ନେଟିଂ’ ଶିଖିଛନ୍ତି। ଏହା ହେଉଛି ମାଟିରେ ପୋତା ହୋଇଥିବା ଦୁଇଟି ବାଉଁଶ ଖୁଣ୍ଟ ମଧ୍ୟରେ ନାୟଲନ୍ କିମ୍ବା ପଲିଷ୍ଟର୍ରେ ତିଆରି ପତଳା ଜାଲକୁ ବିସ୍ତାର କରି ପକ୍ଷୀଙ୍କୁ ଧରିବାର ଏକ ପ୍ରକ୍ରିୟା। ଥରେ ଧରିବା ପରେ, ପକ୍ଷୀଙ୍କୁ ଗୋଟିଏ ଥଳୀରେ ରଖାଯାଥାଏ। ପକ୍ଷୀଙ୍କୁ ଧୀରେ ଧୀରେ ଛୋଟ ଥଳୀରୁ ବାହାର କରି, ମିକା ସେହି ପ୍ରାଣୀଙ୍କୁ ଶ୍ରୀନିବାସନଙ୍କୁ ହସ୍ତାନ୍ତର କରିଥା’ନ୍ତି ।
ଦ୍ରୁତ ଗତିରେ କାମ କରିବା ସହିତ ପକ୍ଷୀଙ୍କ ଓଜନ, ଡେଣାର ବିସ୍ତାର, ଗୋଡ଼ର ଲମ୍ବକୁ ଗୋଟିଏ ମିନିଟ୍ରୁ କମ୍ ସମୟରେ ମାପିବାକୁ ହୋଇଥାଏ। ଗୋଡ଼ରେ ଏକ ପରିଚୟ ରିଂ ଲଗାଇବା ପରେ ପକ୍ଷୀଗୁଡ଼ିକୁ ଛାଡ଼ି ଦିଆଯାଏ। ମିଷ୍ଟ ନେଟିଂ ପ୍ରକ୍ରିୟାରେ ପକ୍ଷୀଙ୍କୁ ଧରିବା, ଅସ୍ଥାୟୀ ଟେବୁଲ ଆଣିବା, ମାପିବା ଏବଂ ତା’ପରେ ଛାଡ଼ି ଦେବାର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ ୧୫-୨୦ ମିନିଟ୍ ଲାଗିଥାଏ। ପାଗ ଉପରେ ନିର୍ଭର କରି ପ୍ରତି ୨୦ ମିନିଟ୍ କିମ୍ବା ଅଧ ଘଣ୍ଟାରେ ଧରି ଦଳକୁ ଏହି ଅଭ୍ୟାସ କରିବାକୁ ପଡ଼ିଥାଏ। ଆଉ ମିକା ପ୍ରାୟ ୧୩ ବର୍ଷ ହେବ ଏହି କାମ କରି ଆସୁଛନ୍ତି ।
‘‘ଆମେ ଯେତେବେଳେ ପ୍ରଥମେ ପକ୍ଷୀ ଧରିବା ଆରମ୍ଭ କଲୁ, ହ୍ୱାଇଟ୍ ସ୍ପେକ୍ଟାଲଡ୍ ୱାର୍ବଲର୍ (ସିସରକ୍ୟୁସଫିନିସ୍) ଭଳି ନାମର ଉଚ୍ଚାରଣ କରିବା କଷ୍ଟକର ଥିଲା। ଏହାକୁ କହିବା କଷ୍ଟକର ଥିଲା କାରଣ ଆମେ ଇଂରାଜୀରେ କଥା ହେବାରେ ଅଭ୍ୟସ୍ତ ନଥିଲୁ। ଆମେ ଏସବୁ ଶବ୍ଦ କେବେ ଶୁଣିନଥିଲୁ,’’ ମିକା କୁହନ୍ତି।
ଇଗଲନେଷ୍ଟ ଅଭୟାରଣରେ ନିଜର ପକ୍ଷୀ ବିଜ୍ଞାନ କୌଶଳକୁ ଦକ୍ଷ କରିବା ପାଇଁ ମିକାଙ୍କୁ ପଡ଼ୋଶୀ ରାଜ୍ୟ ମେଘାଳୟ ଯାତ୍ରା କରିବାର ସୁଯୋଗ ମିଳିଥିଲା, ଯେଉଁଠି ଜଙ୍ଗଲର ବଡ଼ ବଡ଼ ଭାଗକୁ କାଟି ଦିଆଯାଇଥିବା ସେ ଦେଖିଥିଲେ। ‘‘ଆମେ (୨୦୧୨ରେ) ୧୦ ଦିନ ପର୍ଯ୍ୟନ୍ତ ଚେରାପୁଞ୍ଜିରେ ବୁଲିଲୁ ଏବଂ ପକ୍ଷୀମାନଙ୍କର ୨୦ଟି ପ୍ରଜାତି ସୁଦ୍ଧା ପାଇଲୁ ନାହିଁ। ତା’ପରେ ମୁଁ ଅନୁଭବ କଲି ଯେ ମୁଁ ଇଗଲନେଷ୍ଟରେ କାମ କରିବାକୁ ଚାହୁଁଛି କାରଣ ସେଠାରେ ଅନେକଗୁଡ଼ିଏ ପକ୍ଷୀ ପ୍ରଜାତି ରହିଛି। ଆମେ ବୋମ୍ପୁରେ ଅନେକ ପକ୍ଷୀଙ୍କୁ ଦେଖୁଥିଲୁ।’’
‘‘ କ୍ୟାମେରା କା ଇଣ୍ଟ୍ରେଷ୍ଟ ୨୦୧୨ରେ ସୁରୁ ହୁଆ (୨୦୧୨ରେ କ୍ୟାମେରା ପ୍ରତି ଆଗ୍ରହ ସୃଷ୍ଟି ହେଲା),’’ ମିକା କୁହନ୍ତି । ସେ ଆଗନ୍ତୁକ ବୈଜ୍ଞାନିକ ନନ୍ଦିନୀ ଭେଲୋହ୍ଙ୍କ ଠାରୁ କ୍ୟାମେରା ମାଗି ଆଣୁଥିଲେ: ‘‘ଗ୍ରୀନ୍-ଟେଲ୍ଡ୍ ସନ୍ବାର୍ଡ ( ଏଥୋପାଇଗା ନିପଲେନ୍ସିସ୍) ଗୋଟିଏ ସାଧାରଣ ପକ୍ଷୀ। ମୁଁ ଅଭ୍ୟାସ ବଶତଃ ଏହାର ଫଟୋ ଉଠାଇବା ଆରମ୍ଭ କଲି।’’
କିଛି ବର୍ଷ ପରେ, ମିକା କେତେ ଜଣ ପର୍ଯ୍ୟଟକଙ୍କୁ ପକ୍ଷୀ ଦେଖିବାର ଅଭିଯାନରେ ନେଇଯିବା ଓ ସେମାନଙ୍କର ମାର୍ଗଦର୍ଶନ କରିବା ଆରମ୍ଭ କଲେ। ୨୦୧୮ରେ, ମୁମ୍ବାଇର ଏକ ଦଳ ବିଏନଏଚଏସ୍ (ବମ୍ବେ ନେଚୁରାଲ୍ ହିଷ୍ଟ୍ରୀ ସୋସାଇଟୀ)ରୁ ଆସିଥିଲେ। ଅନୁରୋଧ କ୍ରମେ ସେମାନଙ୍କର ଫଟୋ ସେ ଉଠାଇଥିଲେ। ଫଟୋ ଉଠାଇବାକୁ ନେଇ ତାଙ୍କର ଖୁସିକୁ ଦେଖିପାରେ, ଦଳର ଜଣେ ସଦସ୍ୟ ତାଙ୍କୁ ଗୋଟିଏ ନିକନ୍ ପି୯୦୦୦ କ୍ୟାମେରା ଦେଲେ। ‘‘ସାର୍, ମୁଁ ଗୋଟିଏ ଡିଏସ୍ଏଲ୍ଆର୍ (ଡିଜିଟାଲ ସିଙ୍ଗଲ ଲେନ୍ସ ରିଫ୍ଲେକ୍ସ) ମଡେଲ୍ କିଣିବାକୁ ଚାହୁଁଛି । ଆପଣ ଦେଉଥିବା କ୍ୟାମେରା ମୋର ଦରକାର ନାହିଁ,’’ ସେ ସେମାନଙ୍କୁ କହିଥିଲେ।
ସେହି ଦଳର ଚାରି ଜଣ ସଦସ୍ୟଙ୍କଠାରୁ ଉଦାରତାପୂର୍ଣ୍ଣ ଆର୍ଥିକ ସହଯୋଗ, ତାଙ୍କର କ୍ଷେତ୍ରସ୍ତରୀୟ କାମ ଏବଂ ପକ୍ଷୀ ପର୍ଯ୍ୟଟକ ଗାଇଡ୍ ଭାବେ କରିଥିବା ସଞ୍ଚୟକୁ ମିଶାଇ ‘‘ମୁଁ ୫୦,୦୦୦ ଟଙ୍କା ଏକାଠି କଲି ଏବଂ କ୍ୟାମେରା ଦାମ୍ ୫୫,୦୦୦ ଟଙ୍କା ଥିଲା। ତେଣୁ ମୋ ମାଲିକ(ଉମେଶ) କହିଲେ ସେ ଅବଶିଷ୍ଟ ଟଙ୍କା ଦେବେ ।’’ ୨୦୧୮ରେ, ମିକା ଶେଷରେ ତାଙ୍କର ପ୍ରଥମ ଡିଏସଏଲଆର କ୍ୟାମେରା କିଣିଲେ । ଯାହାକି ଥିଲା ୧୮-୫୫ ଏମଏମ ଜୁମ୍ ଲେନ୍ସ ସହିତ ଏକ ନିକନ୍ ଡି ୭୨୦୦ କ୍ୟାମେରା।
‘‘୨-୩ ବର୍ଷ ଧରି ଛୋଟ ୧୮-୫୫ ଏମଏମ ଜୁମ୍ ଲେନ୍ସ ସହିତ ମୁଁ ଘର ଚାରି ପାଖରେ ଥିବା ଫୁଲଗୁଡ଼ିକର ଫଟୋ ଉଠାଉଥିଲି।’’ ଅଧିକ ଦୂରରେ ଥିବା ପକ୍ଷୀଙ୍କ କ୍ଲୋଜ୍-ଅପ୍ ସଟ୍ ବା ପାଖ ଫଟୋ ଉଠାଇବା ପାଇଁ ଅଧିକ ଲମ୍ବା ଓ ଶକ୍ତିଶାଳୀ ଟେଲିଫଟୋ ଲେନ୍ସ ଆବଶ୍ୟକ। ‘‘କିଛି ବର୍ଷ ପରେ ମୁଁ ଭାବିଲି ଯେ ମୋର ୧୫୦-୬୦୦ ମିମି ସିଗ୍ମା ଲେନ୍ସ କିଣିବା ଦରକାର।’’ କିନ୍ତୁ ଲେନ୍ସ ର ବ୍ୟବହାର କରିବା ମିକାଙ୍କ ପାଇଁ କଷ୍ଟକର ସାବ୍ୟସ୍ତ ହେଲା। ସେ କ୍ୟାମେରାରେ ଆପାର୍ଚର, ଶଟର୍ ସ୍ପିଡ୍ ଏବଂ ଆଇଏସ୍ଓ ମଧ୍ୟରେ ରହିଥିବା ସମ୍ପର୍କକୁ ବୁଝିପାରିଲେ ନାହିଁ। ‘‘ମୁଁ ବହୁତ ଖରାପ ଫଟୋ ଉଠାଇଥିଲି,’’ ସେ ମନେ ପକାଇ କୁହନ୍ତି। ସିନେମାଟୋଗ୍ରାଫର ଏବଂ ମିକାଙ୍କର ଭଲ ବନ୍ଧୁ ରାମ ଅଲ୍ଲୁରୀ ତାଙ୍କୁ ଡିଏସ୍ଏଲ୍ଆର୍ କ୍ୟାମେରା ବ୍ୟବହାର ର କୌଶଳ ଶିଖାଇଥିଲେ। ‘‘ସେ ମୋତେ ସେଟିଂସ୍ ବ୍ୟବହାର କରିବା ଶିଖାଇଲେ ଏବଂ ଏବେ ମୁଁ କେବଳ ମାନୁଆଲ୍ (ସେଟିଂସ୍) ବ୍ୟବହାର କରୁଛି,’’ ସେ ଆଗକୁ କୁହନ୍ତି ।
କିନ୍ତୁ କେବଳ ପକ୍ଷୀମାନଙ୍କର ଚମତ୍କାର ଫଟୋ ଉଠାଇବା ଯଥେଷ୍ଟ ନଥିଲା। ପରବର୍ତ୍ତୀ ପଦକ୍ଷେପ ଥିଲା ଫଟୋସପ୍ ସଫ୍ଟୱେରରେ କିଭଳି ଫଟୋଗୁଡ଼ିକୁ ଏଡିଟ୍ କରାଯିବ । ୨୦୨୧ରେ, ମିକା ଫଟୋସପ୍ରେ ଫଟୋ ଏଡିଟ୍ ଶିଖିବା ଲାଗି ଜଣେ ସ୍ନାତକୋତ୍ତର ଛାତ୍ର ସିଦ୍ଧାର୍ଥ ଶ୍ରୀନିବାସନଙ୍କ ସହାୟତା ନେଲେ।
ଖୁବ୍ଶୀଘ୍ର ଜଣେ ଫଟୋଗ୍ରାଫର୍ ଭାବେ ତାଙ୍କର ଦକ୍ଷତାର ଖବର ଚାରି ଆଡ଼େ ବ୍ୟାପିଗଲା ଏବଂ ତାଙ୍କୁ ହିମାଳୟର କାହାଣୀ ପାଇଁ ସମର୍ପିତ ଗୋଟିଏ ୱେବସାଇଟ୍ ଦ ଥାର୍ଥ ପୋଲ୍ରେ ଲେଖାଯାଇଥିବା ଏକ ସ୍ତମ୍ଭ ‘ଲକଡାଉନ୍ ବ୍ରିଙ୍ଗସ୍ ହାର୍ଡସିପ୍ ଟୁ ବାର୍ଡର୍ସ ପାରାଡାଇଜ୍ ଇନ୍ ଇଣ୍ଡିଆ’ (ଭାରତରେ ପକ୍ଷୀପ୍ରେମୀଙ୍କ ପାଇଁ ସ୍ୱର୍ଗରେ ଲକଡାଉନ୍ ଆଣିଲା ଦୁର୍ଦ୍ଦଶା) ପାଇଁ ଫଟୋ ଉଠାଇବାର ସୁଯୋଗ ମିଳିଲା। ‘‘ସେମାନେ ମୋର ୭ଟି ଫଟୋ (ସେହି ସ୍ତମ୍ଭରେ ବ୍ୟବହାର କରିବା ଲାଗି) ନେଲେ। ପ୍ରତ୍ୟେକ ଫଟୋ ପାଇଁ ମୋତେ ଟଙ୍କା ମିଳିଲା ଓ ବହୁତ ଖୁସି ଲାଗିଲା,’’ ସେ କୁହନ୍ତି। କ୍ଷେତ୍ର କର୍ମଚାରୀ ଭାବେ ତାଙ୍କର ଦୃଢ଼ ଯୋଗଦାନ କାରଣରୁ ମିକାଙ୍କୁ ଅନେକ ବୈଜ୍ଞାନିକ ନିବନ୍ଧରେ ସହ-ଲେଖକ ଭାବେ ମାନ୍ୟତା ମିଳିଲା।
ମିକା ଜଣେ ବହୁପ୍ରତିଭାଧାରୀ ମଣିଷ। ଜଣେ ସତର୍କ କ୍ଷେତ୍ର କର୍ମଚାରୀ, ଉତ୍ସାହୀ ଫଟୋଗ୍ରାଫର ଏବଂ ପକ୍ଷୀ ଗାଇଡ୍ ବ୍ୟତୀତ ସେ ଦକ୍ଷ ଭାବେ ଗିଟାର୍ ମଧ୍ୟ ବଜାଇପାରନ୍ତି । ଚିତ୍ରେ ବସ୍ତି (ସେରିଂ ପାମ୍ ନାମରେ ପରିଚିତ)ରେ ଥିବା ଚର୍ଚ୍ଚକୁ ଯାଇ ମୁଁ ମିକାଙ୍କ ସଂଗୀତଜ୍ଞ ଅବତାର ଦେଖିଲି। ସେ ଧୀରେ ଧୀରେ ଗିଟାର୍ ବଜାଉଥିଲେ ଏବଂ ତାଙ୍କ ଚାରି ପାଖରେ ତିନି ଜଣ ମହିଳା ଗୀତ ବୋଲି ନାଚୁଥିଲେ। ଜଣେ ସ୍ଥାନୀୟ ପାଦ୍ରୀଙ୍କ ଝିଅ ବାହାଘର ସମାରୋହ ପାଇଁ ସେମାନେ ଗୋଟିଏ ଗୀତର ଅଭ୍ୟାସ କରୁଥିଲେ। ଗିଟାର୍ ଉପରେ ତାଙ୍କର ଆଙ୍ଗୁଠି ଜୋର୍ ଜୋର୍ରେ ଚାଲୁଥିବା ସମୟରେ, ମୋତେ ଜଙ୍ଗଲରେ ମିଷ୍ଟ ନେଟିଂସ ଭଳି ପ୍ରକ୍ରିୟାରେ ଜାଲରୁ ପକ୍ଷୀଙ୍କୁ ବାହାର କରିବାରେ ତାଙ୍କ ଆଙ୍ଗୁଠିର ନିପୁଣତା ବିଷୟରେ ମନେ ପଡ଼ିଗଲା।
ବିଗତ ଚାରି ଦିନ ମଧ୍ୟରେ ସେ ଯେଉଁ ପକ୍ଷୀଙ୍କୁ ମାପିଛନ୍ତି, ଟ୍ୟାଗ୍ କରିଛନ୍ତି ଏବଂ ପରେ ଛାଡ଼ି ଦେଇଛନ୍ତି, ସେସବୁ ପକ୍ଷୀ ଉଡ଼ି ଯାଇଥିଲେ ମଧ୍ୟ ଏକ ପରିବର୍ତ୍ତିତ ଜଳବାୟୁ ସଂକଟର ବାର୍ତ୍ତା ଦେଇ ଯାଇଛନ୍ତି।
ଅନୁବାଦ : ଓଡ଼ିଶାଲାଇଭ୍