ଅସଗର୍ କୁହନ୍ତି, ‘‘ମୁଁ ଆଠରୁ ୧୦ ଘଣ୍ଟା ଦୋକାନରେ କାମ କରିବା ପରେ ତିନୋଟି ଶାଢ଼ିରେ ଛାପା କାମ ସାରିଥାଏ। ଏହି କାମରୁ ଦିନକୁ ମୁଁ ପ୍ରାୟ ୫୦୦ ଟଙ୍କା ରୋଜଗାର କରିଥାଏ, କିନ୍ତୁ ଏହା କେବଳ ତିନିରୁ ଚାରି ମାସ ପର୍ଯ୍ୟନ୍ତ ଉପଲବ୍ଧ ଥାଏ। କୌଣସି ଛାପା କାମ ନଥିଲେ, ମୁଁ ନିର୍ମାଣ ସ୍ଥଳୀରେ କାମ କରିଥାଏ।’’
ଅସଗର ବିହାରଶରିଫ ସହରରେ ରୁହନ୍ତି। ଏଠାରୁ ଗୋଟିଏ କିଲୋମିଟର ଦୂରରେ ଥିବା ନିଜ ୱର୍କଶପ୍ରେ ସେ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ କାମ କରନ୍ତି। ‘‘ଟଙ୍କା ବଞ୍ଚାଇବା ପାଇଁ, ମୋ ପୁଅ ମଧ୍ୟାହ୍ନ ସମୟରେ ଘରେ ପ୍ରସ୍ତୁତ ହୋଇଥିବା କିଛି ଖାଦ୍ୟ ନେଇ ଆସେ,’’ ସେ କୁହନ୍ତି।
ପାଞ୍ଚ ବର୍ଷ ପାଇଁ ସେ ଦିଲ୍ଲୀ ଚାଲି ଯାଇଥିଲେ ଏବଂ ସେଠାରେ ବିଭିନ୍ନ ନିର୍ମାଣ ସ୍ଥଳୀରେ କାମ କରିଥିଲେ। ଏବେ ସେ ଏଠାରେ ନିଜ ପତ୍ନୀ ଓ ୧୪ ଓ ୧୬ ବର୍ଷର ଦୁଇ ପୁଅଙ୍କ ସହ ରହୁଛନ୍ତି। ତାଙ୍କ ପୁଅମାନେ ଏବେ ସ୍କୁଲ୍ରେ ପଢ଼ୁଛନ୍ତି। ଅସଗର କୁହନ୍ତି ସେ ବିହାରଶରିଫରେ ନିଜ ରୋଜଗାରକୁ ନେଇ ସନ୍ତୁଷ୍ଟ ଏବଂ ପରିବାର ସହ ରହିବା ତାଙ୍କ ପାଇଁ ବୋନସ୍ ଭଳି। ‘‘ୟହାଁ ଭି କାମ ହୋଇଏ ରହା ହୈ ତୋ କାହେ ଲା ବାହାର୍ ଜାଏଙ୍ଗେ (ଏଠି ତ’ କାମ ମିଳି ଯାଉଛି, ତା’ହେଲେ ବାହାରକୁ କାହିଁକି ଯିବି)?’’ ସେ ଏହି ରିପୋର୍ଟରଙ୍କୁ କହିଥିଲେ।
ପପ୍ପୁଙ୍କ ଦୋକାନରେ ଜଣେ ଛାପା କାରୀଗର ଭାବେ ମହମ୍ମଦ ରିୟାଜ କାମ କରନ୍ତି। ବର୍ଷସାରା ଜୀବିକା ସୁନିଶ୍ଚିତ କରିବା ଲାଗି ସେ ଅନ୍ୟ କୌଶଳ ଶିଖିଛନ୍ତି : ‘‘ଛାପା କାମ ନଥିଲେ, ମୁଁ ଏକ (ସଙ୍ଗୀତ) ବ୍ୟାଣ୍ଡରେ କାମ କରେ। ଏହାଛଡ଼ା, ପାଣିପାଇପ୍ ମିସ୍ତ୍ରୀ କାମ ମଧ୍ୟ ଜାଣେ। ଏହି କାମ ମୋତେ ବର୍ଷ ସାରା କାମ ଦେଇଥାଏ।’’
ପପ୍ପୁ କୁହନ୍ତି ଏ କାମରୁ ହେଉଥିବା ରୋଜଗାର ଯଥେଷ୍ଟ ନୁହେଁ । ଏଥିରେ ପରିବାର ଚଳାଇବା କଷ୍ଟକର। ତାଙ୍କ ପରିବାରରେ ପତ୍ନୀ ଏବଂ ୭ରୁ ୧୬ ବର୍ଷ ବୟସ୍କ ତିନି ଜଣ ପିଲା ରହିଛନ୍ତି। ‘‘ଏଥିରୁ ହେଉଥିବା ରୋଜଗାର ସାମାନ୍ୟ କିମ୍ବା ଆଦୌ ନାହିଁ କହିଲେ ଚଳେ। ବର୍ତ୍ତମାନ ସୁଦ୍ଧା ଗୋଟିଏ ଛାପା ପୋଷାକରୁ ମୁଁ କେତେ ଟଙ୍କା ଲାଭ ପାଉଛି ତାହା ହିସାବ କରିପାରୁନାହିଁ। ଯାହା ଯେମିତି ହେଉ, ମୁଁ ମୋ ପରିବାର ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ ସକ୍ଷମ ହୋଇପାରୁଛି,’’ ସେ କୁହନ୍ତି।
ସେ ନିଜ ପୁଅମାନଙ୍କୁ ଏହି ହସ୍ତଶିଳ୍ପ ଶିଖାଇବାକୁ ଚାହୁଁନାହାନ୍ତି ଯେଉଁଥିରେ ରୋଜଗାରର କୌଣସି ଠିକ୍ ଠିକଣା ନାହିଁ। ‘‘ହମ୍ ପାଗଲ ନହିଁ ହୈ ଜୋ ଚାହେଙ୍ଗେ ମେରେ ବେଟେ ଇସ୍ ଲାଇନ୍ ମେ ଆଏ। (ମୋର କ’ଣ ମୁଣ୍ଡ ଖରାପ ହୋଇଯାଇଛି ଯେ ମୋ ପିଲାମାନଙ୍କୁ ମଧ୍ୟ ଏ ବେଉସାକୁ ଆଣିବି)’’