“ସେମାନେ କହନ୍ତି କି ଏ ଜାଗାରୁ ଦୁର୍ଗନ୍ଧ ବାହାରୁଛି, ଅପରିଷ୍କାର ଦେଖାଯାଉଛି, ଆବର୍ଜନା ଭରି ରହିଛି,” ରାସ୍ତାର ଦୁଇ କଡ଼ରେ ଧାଡ଼ି ଧାଡ଼ି କରି ରଖା ଯାଇଥିବା ମାଛ ବାକ୍ସ ଓ ସେଠାରେ ବସିଥିବା ମାଛ ବିକାଳିଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ ଉତ୍ତେଜିତ କଣ୍ଠରେ କହନ୍ତି ଏନ୍. ଗୀତା। “ଏହି ଆବର୍ଜନା ହିଁ ଆମ ସଂପତ୍ତି; ଏହି ଦୁର୍ଗନ୍ଧ ହିଁ ଆମର ଜୀବିକା। ଆମେ ଏହାକୁ ଛାଡ଼ି କେଉଁଠିକି ବା ଯିବୁ?” ଏହି ୪୨ ବର୍ଷୀୟା ମହିଳା ଜଣକ ପଚାରନ୍ତି।
ଆମେ ଠିଆ ହୋଇଛୁ ମରିନା ବିଚ୍ କଡ଼େ କଡ଼େ ୨.୫ କିଲୋମିଟର ଯାଏଁ ଲମ୍ବିଥିବା ନୋଚିକୁପ୍ପମର ଅସ୍ଥାୟୀ ମାଛ ବଜାରରେ। ସହରର ସୌନ୍ଦର୍ଯ୍ୟକରଣ ଦୃଷ୍ଟିରୁ ଏହି ମାଛ ବିକାଳିମାନେ ଏଠାରୁ ଚାଲି ଯାଆନ୍ତୁ ବୋଲି ଯେଉଁମାନେ ଚାହାଁନ୍ତି, ସେହି ‘ସେମାନେ’ ହେଲେ ଏଠାକାର ଅଭିଜାତ ବର୍ଗର ଆଇନ ପ୍ରଣେତାମାନେ ଏବଂ ସରକାରୀ କର୍ତ୍ତୃପକ୍ଷ। କିନ୍ତୁ ଗୀତାଙ୍କ ଭଳି ମତ୍ସ୍ୟଜୀବୀଙ୍କ ପାଇଁ ନୋଚିକୁପ୍ପମ ହେଉଛି ସେମାନଙ୍କର ଉରୁ (ଗାଁ)। ବିଭିନ୍ନ ସମୟରେ ସୁନାମି ଓ ବାତ୍ୟା ସତ୍ତ୍ୱେ ଯେଉଁଠାରେ ସେମାନେ ରହିଆସିଛନ୍ତି।
ବଜାରରେ ଭିଡ଼ ଲାଗିବା ପୂର୍ବରୁ ଗୀତା ତାଙ୍କ ମାଛ ଷ୍ଟଲ୍କୁ ପ୍ରସ୍ତୁତ କରି ନେଉଛନ୍ତି। ଓଲଟା ରଖାଯାଇଥିବା କେତେକ ମୁହଁଖୋଲା ବାକ୍ସ ଉପରେ ପଡ଼ିଥିବା ଗୋଟିଏ ପ୍ଲାଷ୍ଟିକ୍ ପଟା ଉପରେ ପାଣି ଛିଞ୍ଚି ଦେଉଛନ୍ତି। ଅପରାହ୍ଣ ୨ଟା ଯାଏଁ ସେ ଏହି ଷ୍ଟଲ୍ରେ ରହିବେ। ଦୁଇ ଦଶନ୍ଧି ତଳେ ସେ ବାହା ହେବା ପରଠାରୁ ଏହି ସ୍ଥାନରେ ହିଁ ମାଛ ବିକି ଆସୁଛନ୍ତି।
କିନ୍ତୁ ପ୍ରାୟ ବର୍ଷେ ତଳେ, ୨୦୨୩ ଏପ୍ରିଲ ୧୧ ତାରିଖ ଦିନ, ସେ ଓ ଲୁପ୍ ରୋଡ୍ରେ ମାଛ ବିକ୍ରି କରିଆସୁଥିବା ତାଙ୍କ ଭଳି ଅନ୍ୟ ପ୍ରାୟ ତିନି ଶହ ମାଛ ବିକାଳିଙ୍କୁ ଗ୍ରେଟର ଚେନ୍ନାଇ କର୍ପୋରେସନ୍ (ଜିସିସି) ତରଫରୁ ଜବରଦଖଲ ଉଚ୍ଛେଦ ସକାଶେ ଏକ ନୋଟିସ୍ ମିଳିଲା। ମାଡ୍ରାସ୍ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶ ପାଳନ କରିବାକୁ ଯାଇ ସପ୍ତାହକ ଭିତରେ ଏହି ରାସ୍ତାକୁ ଦଖଲମୁକ୍ତ କରିବା ଲାଗି ଜିସିସି ଏହି ନୋଟିସ୍ ଜାରି କରିଥିଲା।
“ଆଇନଗତ ପ୍ରକ୍ରିୟା ଅନୁସରଣ ପୂର୍ବକ ଗ୍ରେଟର ଚେନ୍ନାଇ କର୍ପୋରେସନ୍ ଲୁପ୍ ରୋଡ୍ରୁ ସମସ୍ତ ଜବରଦଖଲ (ମାଛ ବିକାଳି, ଷ୍ଟଲ୍, ପାର୍କିଂ କରାଯାଇଥିବା ଯାନବାହନ) ହଟାଇବ। ରାସ୍ତା ଏବଂ ଫୁଟ୍ପାଥର ସବୁ ଅଂଶରୁ ଜବରଦଖଲ ହଟାଇ ଏହାକୁ ଯାନବାହନ ଏବଂ ପଦଚାରୀମାନଙ୍କ ଅବାଧ ଯାତାୟାତ ନିମନ୍ତେ ଉପଲବ୍ଧ କରାଇବାରେ କର୍ପୋରେସନକୁ ପୋଲିସ ସହାୟତା ପ୍ରଦାନ କରିବ,” ହାଇକୋର୍ଟଙ୍କ ଆଦେଶରେ ଉଲ୍ଲେଖ କରାଯାଇଥିଲା।






















