କାଶ୍ମୀରର ଉଚ୍ଚ ପାର୍ବତ୍ୟାଞ୍ଚଳରେ ଚାରଣ ଭୂମି ସନ୍ଧାନରେ ରାଜୌରି ଜିଲ୍ଲାର ପରି ଗାଁ ଛାଡ଼ି ବାହାରିଲେ ଅବଦୁଲ ଲତିଫ ବଜରନ। ତାଙ୍କ ସାଙ୍ଗରେ ଥିଲେ ୧୫୦ଟି ପୋଷା ପ୍ରାଣୀ - ମେଣ୍ଢା, ଛେଳି, ଘୋଡ଼ା ଏବଂ ଗୋଟିଏ କୁକୁର। ସେ ତାଙ୍କ ପୁଅ ତାରିକ୍ ଏବଂ ଅନ୍ୟ କେତେ ଜଣଙ୍କୁ ସାଙ୍ଗରେ ନେଇଯାଇଥିଲେ। ଜମ୍ମୁର ଏହି ୬୫ ବର୍ଷୀୟ ପଶୁପାଳକ ଜଣକ କହନ୍ତି, “ମୁଁ ଗୋଟିଏ ମିନି-ଟ୍ରକ୍ରେ ମୋ ପରିବାର (ସ୍ତ୍ରୀ ଏବଂ ବୋହୂ) ସହିତ କେତେକ ଦୁର୍ବଳ ପୋଷା ପ୍ରାଣୀ, ଖାଦ୍ୟ, ଆଶ୍ରୟସ୍ଥଳୀ ନିମନ୍ତେ ସାମଗ୍ରୀ ଏବଂ ଅନ୍ୟ ଦରକାରୀ ଜିନିଷପତ୍ର ପଠାଇ ଦେଲି।”
କିନ୍ତୁ, ଦୁଇ ସପ୍ତାହ ପରେ, ସେ କହନ୍ତି, “ସେମାନଙ୍କୁ ରାସ୍ତାରେ (ୱେୟିଲ ଗାଁରେ) ଦେଖି ମୁଁ ଚମକି ପଡ଼ିଲି।” ସେମାନେ ନିଜ ଲକ୍ଷ୍ୟସ୍ଥଳ, (ଭାରତ-ପାକିସ୍ତାନ ସୀମା ନିକଟ) ମିନିମର୍ଗରେ ପହଞ୍ଚି ସେଠାରେ ଗ୍ରୀଷ୍ମକାଳୀନ ଶିବିର ସ୍ଥାପନ କରିସାରିଥିବେ ବୋଲି ସେ ଆଶା କରୁଥିଲେ।
ସେଠାରେ ପହଞ୍ଚିବା ପରିବର୍ତ୍ତେ, ସେମାନେ ସେହି ସ୍ଥାନଠାରୁ ଆହୁରି ୧୫ ଦିନର ରାସ୍ତା ଦୂରରେ ଥିଲେ। ସେ କହନ୍ତି ଯେ, ସେମାନେ ପାଣିପାଗ କାରଣରୁ ଅଟକି ଯାଇଥିଲେ। ମିନିମର୍ଗରେ ପହଞ୍ଚିବାକୁ ହେଲେ ଜୋଜିଲା ଘାଟି ଅତିକ୍ରମ କରିବାକୁ ପଡ଼ିବ ଏବଂ ସେହି ଘାଟିରେ ପଡ଼ିଥିବା ବରଫ ତରଳିବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରୁଥିଲେ।
ପ୍ରତି ବର୍ଷ ଜମ୍ମୁ ଅଞ୍ଚଳରେ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ ପଡ଼ିଆରେ ଘାସର ଅଭାବ ଦେଖାଦିଏ ଏବଂ ଭଲ ଚାରଣ ଭୂମି ଖୋଜିବା ଲାଗି ଯାଯାବର ରୂପେ ଜୀବନଯାପନ କରୁଥିବା ବକରୱାଲ ଭଳି କେତେକ ପଶୁପାଳକ ସଂପ୍ରଦାୟର ଲୋକେ କାଶ୍ମୀର ଉପତ୍ୟକାକୁ ପଳାଇ ଯାଆନ୍ତି। ଅକ୍ଟୋବର ମାସ ବେଳକୁ ସେଠାରେ ଥଣ୍ଡା ପଡ଼ି ଆସିବା ସମୟରେ ସେମାନେ ପୁଣି ଜମ୍ମୁକୁ ଫେରି ଆସନ୍ତି।
କିନ୍ତୁ ଏଥର ବିଭିନ୍ନ ଉଚ୍ଚ ସ୍ଥାନରେ ଥିବା ଚାରଣ ଭୂମି ବରଫରେ ଢାଙ୍କି ହୋଇ ରହିଥିଲା ଏବଂ ଅବଦୁଲଙ୍କ ଭଳି ପଶୁପାଳକମାନେ ଏମିତି ଏକ ଦୋଛକିରେ ଅଟକି ରହିଥିଲେ। ସେମାନେ ତଳକୁ ଓହ୍ଲାଇ ନିଜ ଗାଁକୁ ଫେରିଆସି ପାରୁ ନଥିଲେ, କାରଣ, ସେଠାରେ ପଶୁମାନେ ଚରିବା ଲାଗି କିଛି ନଥିଲା ଏବଂ ଉପରେ ଥିବା ତୃଣଭୂମି ଆଡ଼କୁ ବି ଆଗେଇ ପାରୁ ନଥିଲେ।











