ବଙ୍ଗଳା ଖୋଲ୍ ତୁଳନାରେ ଅହମୀୟା ଖୋଲ୍ ବାଜାରୁ କମ୍ ଶବ୍ଦ ବାହାରିଥାଏ। ନେଗେଡ଼ା ତୁଳନାରେ ଢ଼ୋଲ ରୁ ଅଧିକ ଶବ୍ଦ ଉତ୍ପନ୍ନ ହୁଏ। ଗିରିପଡ ବାଡ୍ୟୋକର ଏହାକୁ ଭଲ ଭାବେ ଜାଣନ୍ତି । ସେ ଜଣେ ବାଜା ନିର୍ମାତା ହୋଇଥିବାରୁ ନିଜର ଦୈନନ୍ଦିନ କାର୍ଯ୍ୟରୁ ଏହି ଜ୍ଞାନ ହାସଲ କରିଛନ୍ତି ।
‘‘ଯୁବକମାନେ ମୋତେ ସେମାନଙ୍କର ସ୍ମାର୍ଟଫୋନ୍ ଦେଖାଇ ଏକ ନିର୍ଦ୍ଦିଷ୍ଟ ସ୍କେଲ୍ରେ ତାଳକୁ ଆଡଜଷ୍ଟ କରିବା ଲାଗି କୁହନ୍ତି,’’ ଆସାମ ମାଜୁଲିରେ ରହୁଥିବା ଏହି ବରିଷ୍ଠ କାରୀଗର ଜଣଙ୍କ କୁହନ୍ତି । ‘‘ଆମକୁ ଆପ୍ ଦରକାର ନାହିଁ।’’
ଗିରିପଡ କୁହନ୍ତି ଯେ, ଗୋଟିଏ ଟ୍ୟୁନର୍ ଆପ୍ରେ କରାଯାଉଥିବା ଏହି ପ୍ରକ୍ରିୟା ପରୀକ୍ଷାମୂଳକ ଓ ତ୍ରୁଟିପୂର୍ଣ୍ଣ ହୋଇପାରେ। ବାଦ୍ୟଯନ୍ତ୍ରର ଚମଡ଼ା କୋଷାବରଣକୁ ଠିକ୍ ଭାବେ ଲଗାଇବା ଏବଂ ଭିଡ଼ିବା ଉପରେ ଏହା ନିର୍ଭର କରିଥାଏ। ‘‘ତା’ପରେ ଯାଇ ଟ୍ୟୁନର୍ ଆପ୍ ଠିକ୍ ଭାବେ କାମ କରିଥାଏ।’’
ଗିରିପଡ ଓ ତାଙ୍କ ପୁଅ ପଡୁମ୍ ବଂଶାନୁକ୍ରମିକ ଭାବେ ବାଡ୍ୟୋକର (ବା ବାଦ୍ୟକର) କାମ କରି ଆସୁଛନ୍ତି । ସଙ୍ଗୀତ ବାଦ୍ୟଯନ୍ତ୍ର ଓ ମରାମତି କରିବା ଲାଗି ପରିଚିତ ଥିବା ଏହି ସମ୍ପ୍ରଦାୟ ଧୁଲି ବା ଶବ୍ଦକାର ନାମରେ ମଧ୍ୟ ପରିଚିତ। ଏମାନେ ତ୍ରିପୁରା ରାଜ୍ୟରେ ଅନୁସୂଚିତ ଜାତି ଭାବେ ମାନ୍ୟତା ଲାଭ କରିଛନ୍ତି ।
ପଡୁମ୍ ଓ ଗିରିପଡ ମୁଖ୍ୟତଃ ଢୋଲ୍, ଖୋଲ୍ ଓ ଟବ୍ଲା ତିଆରି କରନ୍ତି। ‘‘ହତ୍ର ଆୟୋଜନ ହେଉଥିବାରୁ ଆମକୁ ବର୍ଷସାରା କାମ ମିଳିଥାଏ,’’ ପଡୁମ୍ କୁହନ୍ତି । ‘‘ଆମେ ପେଟ ପୋଷିବା ଲାଗି ଯଥେଷ୍ଟ ରୋଜଗାର କରିପାରିବୁ।’’













