ଉତ୍ତର ଚେନ୍ନାଇର ତିରୁବାଲ୍ଲୁର ଜିଲ୍ଲା ସଂଲଗ୍ନ ଉପକୂଳବର୍ତ୍ତୀ ଗାଁଗୁଡ଼ିକର ସୀମାକୁ ସୁରକ୍ଷିତ ରଖନ୍ତି କାନ୍ନିସାମି। ମତ୍ସ୍ୟଜୀବୀ ସଂପ୍ରଦାୟର ଏହି ଇଷ୍ଟଦେବତାଙ୍କ ରୂପ, ସେମାନଙ୍କ ସଂପ୍ରଦାୟର ଜଣେ ସାଧାରଣ ବ୍ୟକ୍ତି ଭଳି: ସେ ଉଜ୍ଜ୍ୱଳ ରଙ୍ଗର ଶାର୍ଟ ପିନ୍ଧିଥାଆନ୍ତି, ଏବଂଭେଟି ପିନ୍ଧିବା ସହିତ ମୁଣ୍ଡରେ ଟୋପି ଲଗାଇଥାଆନ୍ତି। ସମୁଦ୍ର ଭିତରକୁ ଯିବା ପୂର୍ବରୁ, ନିରାପଦରେ ଫେରି ଆସିବା କାମନା କରି ମତ୍ସ୍ୟଜୀବୀମାନେ ତାଙ୍କ ପାଖରେ ପ୍ରାର୍ଥନା ଅର୍ପଣ କରିଥାଆନ୍ତି ।
ମାଛଧରାଳି ପରିବାରର ଲୋକେ କାନ୍ନିସାମିଙ୍କୁ ଭିନ୍ନ ଭିନ୍ନ ଅବତାରରେ ପୂଜା କରନ୍ତି ଏବଂ ଉତ୍ତର ଚେନ୍ନାଇରୁ ପାଲଭରକାଦୁ (ପୁଲିକଟ ଭାବରେ ସୁପରିଚିତ) ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳରେ ଏହି ପୂଜାନୀତି ଖୁବ୍ ଲୋକପ୍ରିୟ ।
କାନ୍ନିସାମିଙ୍କ ମୂର୍ତ୍ତି କିଣିବା ଲାଗି ଏନ୍ନୁର କୁପ୍ପମର ମତ୍ସ୍ୟଜୀବୀମାନେ ପାଖାପାଖି ସାତ କିଲୋମିଟର ଦୂର ଆତିପାଟ୍ଟୁକୁ ଯାତ୍ରା କରିଥାଆନ୍ତି। ଜୁନ୍ ମାସରେ ପାଳିତ ହେଉଥିବା ଏହି ପର୍ବ ଏକ ବାର୍ଷିକ ଉତ୍ସବ ଏବଂ ଏହା ଏକ ସପ୍ତାହ ଧରି ଚାଲେ। ୨୦୧୯ରେ ମୁଁ ଏହି ଗାଁର ଗୋଟିଏ ମତ୍ସ୍ୟଜୀବୀ ଗୋଷ୍ଠୀ ସହିତ ସେଠାକୁ ଯାତ୍ରା କରିଥିଲି । ଆମେମାନେ ଉତ୍ତର ଚେନ୍ନାଇର ଥର୍ମାଲ ପ୍ଲାଣ୍ଟ ନିକଟ କୋଷାସ୍ତାଲାୟାର ନଦୀକୂଳରେ ଏକତ୍ର ହୋଇଥିଲୁ ଏବଂ ତା’ପରେ ଆତିପାଟ୍ଟୁ ଗାଁ ଅଭିମୁଖେ ଚାଲି ଚାଲି ଯାଇଥିଲୁ।
ଆମେ ଗୋଟିଏ ଦୁଇ ମହଲା ଘର ପାଖରେ ପହଞ୍ଚିଥିଲୁ ଏବଂ ସେହି ଘରର ଚଟାଣରେ କାନ୍ନିସାମିଙ୍କ ଅନେକଗୁଡ଼ିଏ ମୂର୍ତ୍ତି ଗୋଟିଏ ଧାଡ଼ିରେ ରହିଥିଲା । ସବୁ ମୂର୍ତ୍ତି ଧଳା କପଡ଼ାରେ ଗୁଡ଼ା ହୋଇଥିଲା। ଧଳା ଗାରଗାରିଆ ଶାର୍ଟ ସହିତ ଭେଟି ପିନ୍ଧିଥିବା ଏବଂ ମୁଣ୍ଡରେ ତିରୁନୀର (ପବିତ୍ର ବିଭୂତି) ଲଗାଇଥିବା ୪୦ ବର୍ଷରୁ ଅଧିକ ବୟସର ଜଣେ ବ୍ୟକ୍ତି କର୍ପୂର ଜଳାଇ ମୂର୍ତ୍ତିଗୁଡ଼ିକ ଆଗରେ ଠିଆ ହୋଇଥିଲେ । ପ୍ରତି ମତ୍ସ୍ୟଜୀବୀଙ୍କ କାନ୍ଧରେ ସେଥିରୁଗୋଟିଏ ଲେଖାଏଁ ମୂର୍ତ୍ତି ରଖିବା ପୂର୍ବରୁ ସେ ପୂଜାଇ ରୀତିନୀତି ପାଳନ କରୁଥିଲେ।



































