“ଆମ ଗାଁରେ ୫୦ଟି ଗୋଣ୍ଡ ପରିବାର ରହନ୍ତି । ବାକି ସମସ୍ତେ ହିନ୍ଦୁ, ମୁସଲମାନ ଏବଂ ‘ଜୟ ଭୀମ’ (ଦଳିତ) । ସେମାନେ ସମସ୍ତେ ସେଠାରେ ରହନ୍ତି,” ଅମଜାଦ କହନ୍ତି । “ଆମକୁ ଛାଡ଼ି ବାକି ଏହି ସବୁ ସଂପ୍ରଦାୟରେ ଆପଣ ଶିକ୍ଷିତ ଲୋକ ପାଇବେ । କିନ୍ତୁ ମୋ ପୁତୁରା ପାଠ ପଢ଼ିଛି । ତା’ର ନାଁ ଶିବ ।” ସେନାରେ ଯୋଗ ଦେବାକୁ ଚାହୁଁଥିବା ଶିବ ୧୫ କି ୧୬ ବର୍ଷ ବୟସ ପର୍ଯ୍ୟନ୍ତ ପାଠ ପଢ଼ିଲା, କିନ୍ତୁ ସେନାରେ ନିଯୁକ୍ତି ପାଇପାରିଲା ନାହିଁ । ଏବେ ସେ ପୋଲିସ ଚାକିରି ପାଇଁ ଚେଷ୍ଟା କରୁଛି, ସେ କହନ୍ତି । ଅନ୍ତତଃ ଅମଜାଦଙ୍କ ପରିବାରର କେହି ଜଣେ ଯୁବକ ଶିକ୍ଷା ଓ ଭବିଷ୍ୟତ ଗଢ଼ିବା କଥା ଚିନ୍ତା କରୁଛନ୍ତି ।
ଅମଜାଦଙ୍କର ରହିଛି ଏକ ନିଜସ୍ୱ ବୃତ୍ତିଗତ ଜୀବନ । “ଆମର ଗୋଟିଏ ଦଳ ଅଛି, ‘କେଜିଏନ୍ କବ୍ବାଲି ପାର୍ଟି’ ।” ଇଂଲିଶରେ କେଜିଏନ୍, ଅର୍ଥାତ୍ ଖ୍ୱାଜା ଗରୀବ ନୱାଜ । ସେ ତାଙ୍କ ଭାଇମାନଙ୍କ ସହିତ ଏହାକୁ ଆରମ୍ଭ କରିଥିଲେ । ସେମାନେ ବିବାହ ଏବଂ ଅନ୍ୟାନ୍ୟ ଉତ୍ସବରେ ସଙ୍ଗୀତ ପରିବେଷଣ କରୁଥିଲେ । “ସେଥିରୁ ଆପଣ କେତେ ରୋଜଗାର କରନ୍ତି ?” ମୁଁ ପଚାରେ । “ଏହା ଆୟୋଜକଙ୍କ ଉପରେ ନିର୍ଭର କରେ । ଆମେ ୫,୦୦୦ରୁ ୧୦,୦୦୦ ଟଙ୍କା ଯାଏଁ ପାଉ । ଦର୍ଶକମାନେ ବି କିଛି ଟଙ୍କା ଦିଅନ୍ତି । ସବୁ ମିଶି ଆମେ ଗୋଟିଏ କାର୍ଯ୍ୟକ୍ରମରୁ ୧୫,୦୦୦ରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ପାଇଥାଉ,” ଅମଜାଦ କହନ୍ତି । ଏହି ଟଙ୍କାକୁ ସମସ୍ତଙ୍କ ଭିତରେ ଭାଗ ବାଣ୍ଟି ଦିଆଯାଏ ଏବଂ କେହି ହେଲେ ୨,୦୦୦- ୩,୦୦୦ ଟଙ୍କାରୁ ଅଧିକ ପାଆନ୍ତି ନାହିଁ । ବିବାହ ଋତୁ ସରିଗଲା ପରେ ଆଉ କୌଣସି କାର୍ଯ୍ୟକ୍ରମ ନଥାଏ ଏବଂ ତା’ପରେ ଅମଜାଦ ପୁଣେକୁ ଚାଲି ଆସନ୍ତି।
ଏଠାରେ, ଖେଡ଼ ଶିବପୁରର ହଜରତ କମର ଅଲି ଦୁର୍ବେଶ ଦରଗାହରେ ସବୁ ସମୟରେ ସେ କିଛି ଟଙ୍କା ପାଇଯାଆନ୍ତି । ସେ ଭୂତଳ ଘରେ ରାତିରେ ରହନ୍ତି । “ଉପରୱାଲା ଭୁଖା ନହିଁ ସୁଲାତା! (ସର୍ବଶକ୍ତିମାନ ଈଶ୍ପର କାହାରିକୁ ଭୋକରେ ଶୋଇବାକୁ ଦିଅନ୍ତିନି)” ମାନସିକ ପୂରଣ ହେଲେ ଅନେକ ଲୋକ ଭୋଜି ଦେଇଥାଆନ୍ତି । ସେ ଏଠାରେ ସପ୍ତାହକ ପାଇଁ ରହନ୍ତି, ତାଙ୍କ କବ୍ବାଲି ପରିବେଷଣ କରନ୍ତି ଏବଂ ଯାହା କିଛି ରୋଜଗାର କରିପାରନ୍ତି, ତାକୁ ଧରି ଗାଁକୁ ଫେରି ଯାଆନ୍ତି । ଏହା ତାଙ୍କର ନିୟମିତ କାର୍ଯ୍ୟଧାରା । ଏଠାରେ କେତେ ରୋଜଗାର କରନ୍ତି ବୋଲି ପଚାରିବାରୁ ଅମଜାଦ କହନ୍ତି, ଏମିତି ଏହା ୧୦,୦୦୦ରୁ ୨୦,୦୦୦ ଟଙ୍କା ଭିତରେ ରହେ । “କିନ୍ତୁ କେହି ଅଧିକ ଲୋଭ କରିବା ଉଚିତ ନୁହେଁ । ଏବଂ ଯଦିବା ଆପଣ ଅଧିକ ରୋଜଗାର କରିବେ, ତେବେ ଏତେ ସବୁ ଟଙ୍କା କେଉଁଠି ରଖିବେ ? ତେଣୁ, ମୁଁ ଯାହା ପାଏ, ସେତିକି ଧରି ଘରକୁ ଫେରିଯାଏ !” ସେ ମୋତେ କହନ୍ତି ।
“ଏତିକି କ’ଣ ଚଳିବା ପାଇଁ ଯଥେଷ୍ଟ ହୁଏ?” ମୁଁ ପଚାରେ । “ହାଁ, ଚଲ ଯାତା ହୈ ! (ହଁ, ଚଳିଯାଏ)। ଗାଁକୁ ଫେରିଗଲେ ମୁଁ ବି ସେଠାରେ କାମ କରେ,” ସେ କହନ୍ତି । ତାଙ୍କର କୌଣସି ଜମିବାଡ଼ି କି ଅନ୍ୟ କୌଣସି ସଂପତ୍ତି ନଥିବା ବେଳେ ସେ କି କାମ କରନ୍ତି ବୋଲି ଭାବି ମୁଁ ବିସ୍ମିତ ହୁଏ ।
ମୋ ପ୍ରଶ୍ନର ସମାଧାନ କରନ୍ତି ଅମଜାଦ । “ରେଡିୟମ କାମ । ମୁଁ ଆରଟିଓ (ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ)କୁ ଯାଏ ଏବଂ ଗାଡ଼ିମଟରରେ ନାଁ ଓ ନମ୍ବର ପ୍ଲେଟ୍ ରଙ୍ଗ କରେ,” ଅମଜାଦ ବୁଝାଇ ଦିଅନ୍ତି । “କବ୍ବାଲି କାର୍ଯ୍ୟକ୍ରମ ବହୁ ଦୂରରେ ଏବଂ ସମୟ ବ୍ୟବଧାନରେ ହୁଏ । ତେଣୁ ମୁଁ ଅନ୍ୟ କୌଣସି କାମ ଖୋଜିବାକୁ ଠିକ୍ କଲି । ମୁଁ ମୋ ବ୍ୟାଗ ଧରିଲି ଏବଂ କିଛି ରେଡିୟମ ରଙ୍ଗ କିଣିଲି । ଯିବା ବାଟରେ ମୁଁ ଗୋଟିଏ ଗାଡ଼ି ପାଖରେ ଅଟକିଲି ଏବଂ ତାକୁ କନ୍ୟା ଭଳି ସଜେଇ ଦେଲି ।” ଏହା ତାଙ୍କର ଅତିରିକ୍ତ ବ୍ୟବସାୟ, ଯେଉଁଥିରେ କଳାର ଉପଯୋଗ କରାଯାଏ, ଯାହା ରାସ୍ତାଘାଟରେ ହୁଏ, ଏବଂ ଯେଉଁଥିରୁ ତାଙ୍କୁ ଅଳ୍ପ କିଛି ଟଙ୍କା ବି ମିଳେ ।