ଦୀପିକା କମାନଙ୍କ ଆଖି ଏତେ ଅଭ୍ୟସ୍ତ ଯେ ସମ୍ପୂର୍ଣ୍ଣ ଏକା ଭଳି ଦିଶୁଥିବା ଅଣ୍ଡିରା ଓ ମାଈ ଏଣ୍ଡି ପୋକକୁ ସେ ଅଲଗା ଅଲଗା କରି ଦେଇ ପାରନ୍ତି। “ସେମାନେ ଏକା ପରି ଦିଶନ୍ତି, କିନ୍ତୁ ଗୋଟିଏ ଅନ୍ୟଠାରୁ ଅଧିକ ଲମ୍ବା। ସେଇଟା ହେଉଛି ଅଣ୍ଡିରା”, ମାଟିଆସିଆ ପ୍ରାୟ ୧୩ ସେ. ମି. ଲମ୍ବ ଡେଣା ଥିବା ପୋକ ଆଡ଼କୁ ଦେଖେଇ ସେ କହନ୍ତି। “ଛୋଟ ଓ ମୋଟା ପୋକଗୁଡ଼ିକ ହେଉଛନ୍ତି ମାଈ”।
ଦୀପିକା ହେଉଛନ୍ତି ଆସାମର ମଜୁଲି ଜିଲ୍ଲା ଅନ୍ତର୍ଗତ ବରୁନ ଚିତାଦାର ଚୁକ ଗାଁର ଅଧିବାସୀ ଓ ସେ ଗତ ତିନି ବର୍ଷ ହେଲା ସିଲ୍କ ସୂତା ତିଆରି କରୁଥିବା ଏଣ୍ଡି ପୋକ (ଏରି ପୋକ / ସାମିଆ ରିସିନି) ପାଳିବା ଆରମ୍ଭ କରିଛନ୍ତି। ସେ ତାଙ୍କ ମା’ ଓ ଜେଜେ ମା’ଙ୍କଠାରୁ ଏହା ଶିଖିଛନ୍ତି।
ବ୍ରହ୍ମପୁତ୍ର ଉପତ୍ୟକାର ଆସାମ ଓ ନିକଟବର୍ତ୍ତୀ ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ ଓ ନାଗାଲାଣ୍ଡ ଆଦି ରାଜ୍ୟରେ ‘ଏରି ସିଲ୍କ’ ଚାଷ କରାଯାଏ। ପାରମ୍ପରିକ ଭାବେ ମିଜିଙ୍ଗ (ମିସିଙ୍ଗ ମଧ୍ୟ କୁହାଯାଏ) ସମୁଦାୟ ସିଲ୍କ ପୋକ ପାଳୁଥିଲେ ଓ ନିଜ ବ୍ୟବହାର ପାଇଁ ‘ଏରି କପଡ଼ା’ ତିଆରି କରୁଥିଲେ, କିନ୍ତୁ ଏହି ଗୋଷ୍ଠୀ ମଧ୍ୟରେ ବ୍ୟବସାୟିକ ଭାବେ ସିଲ୍କ ବୁଣିବା କାମ ବହୁତ ଅଳ୍ପ ଦିନ ହେଲା ଚାଲିଛି।
“ଏବେ ସମୟ ବଦଳି ଯାଇଛି”, ୨୮ ବର୍ଷ ବୟସର ଦୀପିକା କହନ୍ତି। “ଏପରିକି ଅଳ୍ପ ବୟସର ଝିଅମାନେ ମଧ୍ୟ ଆଜିକାଲି ସିଲ୍କ ପୋକ ପାଳିବା ଶିଖୁଛନ୍ତି ଓ କରୁଛନ୍ତି”।













