ଦୀପିକା କମାନଙ୍କ ଆଖି ଏତେ ଅଭ୍ୟସ୍ତ ଯେ ସମ୍ପୂର୍ଣ୍ଣ ଏକା ଭଳି ଦିଶୁଥିବା ଅଣ୍ଡିରା ଓ ମାଈ ଏଣ୍ଡି ପୋକକୁ ସେ ଅଲଗା ଅଲଗା କରି ଦେଇ ପାରନ୍ତି। “ସେମାନେ ଏକା ପରି ଦିଶନ୍ତି, କିନ୍ତୁ ଗୋଟିଏ ଅନ୍ୟଠାରୁ ଅଧିକ ଲମ୍ବା। ସେଇଟା ହେଉଛି ଅଣ୍ଡିରା”, ମାଟିଆସିଆ ପ୍ରାୟ ୧୩ ସେ. ମି. ଲମ୍ବ ଡେଣା ଥିବା ପୋକ ଆଡ଼କୁ ଦେଖେଇ ସେ କହନ୍ତି। “ଛୋଟ ଓ ମୋଟା ପୋକଗୁଡ଼ିକ ହେଉଛନ୍ତି ମାଈ”।

ଦୀପିକା ହେଉଛନ୍ତି ଆସାମର ମଜୁଲି ଜିଲ୍ଲା ଅନ୍ତର୍ଗତ ବରୁନ ଚିତାଦାର ଚୁକ ଗାଁର ଅଧିବାସୀ ଓ ସେ ଗତ ତିନି ବର୍ଷ ହେଲା ସିଲ୍‌କ ସୂତା ତିଆରି କରୁଥିବା ଏଣ୍ଡି ପୋକ (ଏରି ପୋକ / ସାମିଆ ରିସିନି) ପାଳିବା ଆରମ୍ଭ କରିଛନ୍ତି। ସେ ତାଙ୍କ ମା’ ଓ ଜେଜେ ମା’ଙ୍କଠାରୁ ଏହା ଶିଖିଛନ୍ତି।

ବ୍ରହ୍ମପୁତ୍ର ଉପତ୍ୟକାର ଆସାମ ଓ ନିକଟବର୍ତ୍ତୀ ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ ଓ ନାଗାଲାଣ୍ଡ ଆଦି ରାଜ୍ୟରେ ‘ଏରି ସିଲ୍‌କ’ ଚାଷ କରାଯାଏ। ପାରମ୍ପରିକ ଭାବେ ମିଜିଙ୍ଗ (ମିସିଙ୍ଗ ମଧ୍ୟ କୁହାଯାଏ) ସମୁଦାୟ ସିଲ୍‌କ ପୋକ ପାଳୁଥିଲେ ଓ ନିଜ ବ୍ୟବହାର ପାଇଁ ‘ଏରି କପଡ଼ା’ ତିଆରି କରୁଥିଲେ, କିନ୍ତୁ ଏହି ଗୋଷ୍ଠୀ ମଧ୍ୟରେ ବ୍ୟବସାୟିକ ଭାବେ ସିଲ୍‌କ ବୁଣିବା କାମ ବହୁତ ଅଳ୍ପ ଦିନ ହେଲା ଚାଲିଛି।

“ଏବେ ସମୟ ବଦଳି ଯାଇଛି”, ୨୮ ବର୍ଷ ବୟସର ଦୀପିକା କହନ୍ତି। “ଏପରିକି ଅଳ୍ପ ବୟସର ଝିଅମାନେ ମଧ୍ୟ ଆଜିକାଲି ସିଲ୍‌କ ପୋକ ପାଳିବା ଶିଖୁଛନ୍ତି ଓ କରୁଛନ୍ତି”।

PHOTO • Prakash Bhuyan

ଦୀପିକା କମାନ ଏଣ୍ଡି ପୋକ ପାଳିବା କାମ କଲାବେଳେ... ସେ ଖାଦ୍ୟ ପାତ୍ର ସଫା କରିବା ସହ ପୁଣି ଏଣ୍ଡି ପୋକ ଖାଇବା ପାଇଁ ସେଥିରେ ଜଡ଼ା ପତ୍ର ଭରୁଛନ୍ତି

ସିଲ୍‌କ ପୋକ ପାଳିବା ପାଇଁ ଲୋକେ ମଜୁଲିଠାରେ ଥିବା ସେରିକଲ୍ଚର ବିଭାଗରୁ କେତେକ ନିର୍ଦ୍ଦିଷ୍ଟ ପ୍ରକାରର ପୋକ ଡିମ୍ବ ପ୍ୟାକେଟ ପିଛା ୪୦୦ ଟଙ୍କା  ଦେଇ କିମ୍ବା ଆଖପାଖ ଗାଁରେ ଏହି ଚାଷ କରୁଥିବା ଲୋକଙ୍କଠାରୁ ପୋକର ଡିମ୍ବ ବିନା ଦେୟରେ ସଂଗ୍ରହ କରି ପାରିବେ। ଦୀପିକା ଓ ତାଙ୍କ ସ୍ୱାମୀ ଉଦୟ ଆଖପାଖ ଗାଁର ଚାଷୀଙ୍କଠାରୁ ଏହା ମାଗଣାରେ ମିଳୁଥିବାରୁ, ସେଠାରୁ ଏହି ଡିମ୍ବ ସଂଗ୍ରହ କରନ୍ତି। ଥରକରେ ସେମାନେ ତିନି ଯୋଡ଼ା ପୋକ ରଖନ୍ତି କାରଣ ଅଧିକ ପୋକ ରଖିଲେ ସେମାନଙ୍କ ଲାର୍ଭାଙ୍କୁ ଖୁଆଇବାକୁ ଅଧିକ ପାଟ ବା ଜଡ଼ା ପତ୍ର ଦରକାର। ଯେହେତୁ କଅଁଳ ଜଡ଼ା ପତ୍ର ପାଇବାକୁ ସେମାନଙ୍କର ଏରା ବାଡ଼ି ବା ଜଡ଼ା ବଗିଚା ନାହିଁ, ସେମାନେ ତାହାକୁ ସଂଗ୍ରହ କରି ରଖନ୍ତି।

“ଏଥି ପାଇଁ ବହୁତ କାମ କରିବାକୁ ପଡ଼େ। ଯେହେତୁ ଛୋଟ ଜମିରେ ଜଡ଼ା ଚାଷ କରି ହୁଏ ନାହିଁ, ଛେଳି ପଶି ବଗିଚା ନଷ୍ଟ ନକରିବା ପାଇଁ ଆମକୁ ବାଉଁଶ ବାଡ଼ କରିବାକୁ ପଡ଼େ”, ସେ ବୁଝେଇକି କହନ୍ତି।

ଜଡ଼ା ପତ୍ର ସଁବାଳୁଆମାନେ ଖାଇବାକୁ ଭଲ ପାଆନ୍ତି ଓ ସେଥିପାଇଁ ସେହି ପୋକଙ୍କୁ ଖୁଆଇବା ପାଇଁ ଜଡ଼ା ପତ୍ର ପାଇବା କଷ୍ଟକର ହୁଏ। “ଆମକୁ ରାତି ଥାଉ ଥାଉ ଉଠି ପୋକମାନଙ୍କୁ ଖୁଆଇବାକୁ ପଡ଼େ। ସେମାନେ ଯେତେ ଅଧିକ ଖାଇବେ ସେତେ ଅଧିକ ସିଲ୍‌କ ପ୍ରସ୍ତୁତ କରିବେ”। ଉଦୟ ଏହା ମଧ୍ୟ କହନ୍ତି ଯେ ସେମାନେ କେଶେରୁ (ହେଟେରୋପାନାକସ ସୁଗନ୍ଧ) ପତ୍ର ମଧ୍ୟ ଖାଆନ୍ତି। କିନ୍ତୁ ଏଇଟା ନହେଲେ ସେଇଟା। “ସେମାନେ ତାଙ୍କ ଜୀବନକାଳରେ ଯେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ପତ୍ର ହିଁ ଖାଇ ଥାଆନ୍ତି”।

ଯେତେବେଳେ ସେମାନେ ଖୋଷା ତିଆରି କରିବାକୁ ପ୍ରସ୍ତୁତ ହେଇ ଯାଆନ୍ତି, ପକା ପୋଲୁ (ସଁବାଳୁଆ ପ୍ରଜାତି) ଉପଯୁକ୍ତ ଜାଗା ଖୋଜିବା ପାଇଁ ଏଣେତେଣେ ଚାଲିବା ଆରମ୍ଭ କରନ୍ତି। ସେଗୁଡ଼ିକୁ କଦଳୀ ପତ୍ର ଉପରେ ରଖି ସେମାନଙ୍କ ରୂପାନ୍ତର ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଏ। “ଯେତେବେଳେ ସେମାନେ ସୂତା ତିଆରି କରିବା ଆରମ୍ଭ କରନ୍ତି, ସେମାନଙ୍କୁ ପ୍ରାୟ ପରବର୍ତ୍ତୀ ଦୁଇ ଦିନ ପର୍ଯ୍ୟନ୍ତ ଦେଖିବାକୁ ମିଳେ। ତା’ ପରେ ସେମାନେ ଖୋଷା ଭିତରେ ଲୁଚି ଯାଆନ୍ତି”, କହନ୍ତି ଦୀପିକା।

PHOTO • Prakash Bhuyan
PHOTO • Prakash Bhuyan

ବାମରେ: ଦୀପିକା ଓ ଉଦୟଙ୍କ ଘରର କାନ୍ଥରେ ଏରି ସିଲ୍‌କ ଖୋଷାଗୁଡ଼ିକ ଝୁଲି ରହିଛି। ମାଈ ପୋକଙ୍କ ଖୋଷାଗୁଡ଼ିକ ଅଣ୍ଡିରା ପୋକଙ୍କ ଖୋଷାଗୁଡ଼ିକଠାରୁ ଆକାରରେ ବଡ଼। ଡାହାଣରେ: ଗୋଟିଏ ଥାଳିଆରେ ଏଣ୍ଡି ପୋକଗୁଡ଼ିକୁ ରଖି ଖାଇବାକୁ ଦିଆଯାଏ

*****

ଖୋଷା ପକେଇବାର ପ୍ରାୟ ଦଶ ଦିନ ପରେ ସିଲ୍‌କ ସୂତା ବାହାର କରିବା ଆରମ୍ଭ କରାଯାଏ। “ଆମେ ଯଦି ତା’ଠାରୁ ଅଧିକ ସମୟ ରଖିବା ତେବେ ପୋକଗୁଡ଼ିକର ଡେଣା ବାହାରି ସେମାନେ ଉଡ଼ିଯିବେ”, କହନ୍ତି ଦୀପିକା।

ସିଲ୍‌କ ସୂତା ବାହାର କରିବାର ଦୁଇଟି ଉପାୟ ଅଛି: ପକ୍ଷୀଲାଗି ପୋକଗୁଡ଼ିକର ସମ୍ପୂର୍ଣ୍ଣ ରୂପାନ୍ତର ହେବା ପରେ ସେମାନେ କୋଷାରୁ ବାହାରି ଉଡ଼ିଯିବା ପୂର୍ବରୁ  କିମ୍ବା ପାରମ୍ପରିକ ମିଜିଙ୍ଗ ଉପାୟରେ ଖୋଷାଗୁଡ଼ିକୁ ସିଝାଇ ସୂତା ବାହାର କରାଯାଏ।

ଦୀପିକା କହନ୍ତି କି ଖୋଷାଗୁଡ଼ିକୁ ନସିଝେଇ ସୂତା ବାହାର କରିବା ଭାରି କଷ୍ଟକର କାମ। ଖୋଷା କାଟି ପୋକ ବାହାରି ଗଲେ ସୂତା ନଷ୍ଟ ହୋଇଯାଏ। ଉଦୟ କହନ୍ତି, “ଖୋଷାଗୁଡ଼ିକୁ ସିଝେଇଲା ବେଳେ ସେଗୁଡ଼ିକ ନରମ ହେଲା କି ନାହିଁ ତାହାକୁ ବାରମ୍ବାର ହାତରେ ଛୁଇଁ ଦେଖିବାକୁ ପଡ଼େ। ନିଆଁରେ ପାଣି ବସେଇ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଖୋଷାଗୁଡ଼ିକୁ ସିଝେଇବାକୁ ପଡ଼େ”।

ଖାଇବାକୁ ଭଲ ଲାଗୁଥିବାରୁ ସିଝା ଖୋଷାଗୁଡ଼ିକରୁ ସେମାନଙ୍କୁ ବାହାର କରି ଲୋକେ ଖାଆନ୍ତି। “ଏହା ଖାଇବାକୁ ମାଂସ ପରି ଲାଗେ। ଏହାକୁ ଭାଜିକି ନଚେତ ଯେ କୌଣସି ପନିପରିବା, ମାଂସ କିମ୍ବା ମାଛ ସହ ମିଶେଇ କଦଳୀ ପତ୍ରରେ ବାନ୍ଧି ଚୁଲିରେ ପୋଡ଼ି ପାଟୋଟ ଡିଆ ଭାବେ ଖିଆଯାଏ”, କହନ୍ତି ଦୀପିକା।

ସୂତା ବାହାର କରିବା ପରେ ତାକୁ ଧୁଆଯାଏ, କପଡ଼ାରେ ଗୁଡ଼େଇ ଛାଇରେ ଶୁଖାଯାଏ। ତା’ପରେ ସୂତା ସବୁକୁ ଟାକୁରି ବା ପପିରେ ଗୁଡ଼େଇ ଦିଆଯାଏ। “ଏସବୁ କରି ୨୫୦ ଗ୍ରାମ ଏରି ସୂତା ପାଇବା ପାଇଁ ତିନିରୁ ଚାରି ଦିନ ଲାଗେ”, ପ୍ରତି ଦିନର ଘରକରଣା କାମ ସାରି ସୂତା ଗୁଡ଼ାଉଥିବା ଦୀପିକା କହନ୍ତି। ହଳେ ପାରମ୍ପରିକ ସଦୋର-ମେଖେଳା (ଦୁଇ ଖଣ୍ଡ ପୋଷାକ) ତିଆରି କରିବା ପାଇଁ ପ୍ରାୟ ୧ କେ. ଜି. ସୂତା ଲାଗେ।

PHOTO • Prakash Bhuyan
PHOTO • Prakash Bhuyan

ବାମରେ: ମାଈ ପ୍ରଜାପତି ଅଣ୍ଡା ଦିଏ। ଯେତେବେଳେ ପୋକଗୁଡ଼ିକ ପ୍ରଜାପତି ହେଇ ଖୋଷା ଭିତରୁ ବାହାରନ୍ତି ସେଗୁଡ଼ିକ ପୂର୍ଣ୍ଣାଙ୍ଗ ହୋଇ ସାରିଥାନ୍ତି, ଶାରୀରିକ ସଙ୍ଗମିତ ହୋଇ ପ୍ରଜନନ କରିବାକୁ ପ୍ରସ୍ତୁତ ହୋଇ ସାରିଥାନ୍ତି। ଡାହାଣରେ: ଏରି ସିଲ୍‌କ କୋଷାରୁ ପୋକସବୁ ପ୍ରଜାପତି ହୋଇ ବାହାରୁଛନ୍ତି। ଏରି ସିଲ୍‌କ ପୋକଗୁଡ଼ିକ ଅଣ୍ଡାରୁ ବାହାରିବାର ତିନିରୁ ଚାରି ସପ୍ତାହ ପରେ ଖୋଷା ପକେଇବା ଆରମ୍ଭ କରନ୍ତି। ଏହି ସମୟ ଭିତରେ ସିଲ୍‌କ ପୋକଗୁଡ଼ିକ ସେମାନଙ୍କର ଚତୁର୍ଥ ଓ ଶେଷ ଚର୍ମସ୍ତର ଖସାଇ ସାରିଥାଏ ଓ ପ୍ରଜାପତିକୁ ରୂପାନ୍ତରିତ ହେବାକୁ ପ୍ରସ୍ତୁତ ହୋଇ ସାରିଥାଏ। ଏହି ପ୍ରକ୍ରିୟା ପାଇଁ ସିଲ୍‌କ ପୋକ ନିଜ ଲାଳର ତନ୍ତୁରେ ଖୋଷା ତିଆରି କରିବା ଆରମ୍ଭ କରେ। ଖୋଷା ତିଆରି କରିବାକୁ ପ୍ରାୟ ଦୁଇ-ତିନି ଦିନ ଲାଗେ। ସିଲ୍‌କ ପୋକ ସେହି ଖୋଷା ଭିତରେ ପରବର୍ତ୍ତୀ ତିନି ସପ୍ତାହ ପର୍ଯ୍ୟନ୍ତ ରହେ ଯେତେବେଳେ କି ତାହାର ସମ୍ପୂର୍ଣ୍ଣ ରୂପାନ୍ତରଣ ହୋଇ ସେ ପ୍ରଜାପତି ହୋଇଯାଏ

PHOTO • Prakash Bhuyan
PHOTO • Prakash Bhuyan

ବାମରେ: କୋଷାଗୁଡ଼ିକରୁ ଏରି ସିଲ୍‌କ ସୂତା ବାହାର କରି ଗୁଡ଼େଇ ରଖିବା ପାଇଁ ଏହି ସବୁ ପାରମ୍ପରିକ ଯନ୍ତ୍ର ବ୍ୟବହାର କରାଯାଏ: ଏରି ସିଲ୍‌କ ସୂତାକୁ ଘୂରେଇବା ସହ ଗୁଡ଼େଇବା ପାଇଁ ଟାକୁରି ବ୍ୟବହାର କରାଯାଉଥିଲା ବେଳେ ପପି ଏହାର ଓଜନରେ ଝୁଲି ରହି ଘୂରେଇବାରେ ସାହାଯ୍ୟ କରେ। ଏକାଠି ଏକାଧିକ ତନ୍ତୁ ଖିଅକୁ ଗୁଡ଼େଇ ସୂତା ତିଆରି କରିବା ପାଇଁ ପପି ବ୍ୟବହାର କରାଯାଏ। ଡାହାଣରେ: ଗୋଟିଏ ଗିନାରେ ଖାଇବାକୁ ବଢ଼ା ଯାଇଥିବା ସିଲ୍‌କ ପୋକ ଭଜା। ଭାରତର ଉତ୍ତର-ପୂର୍ବାଞ୍ଚଳରେ ରହୁଥିବା ମିଶିଙ୍ଗ ଓ ଅନ୍ୟାନ୍ୟ ବହୁ ସମ୍ପ୍ରଦାୟର ଲୋକଙ୍କ ପାଇଁ ସିଲ୍‌କ ପୋକ ଅତ୍ୟନ୍ତ ସୁସ୍ଵାଦୁ ଖାଦ୍ୟ

ପ୍ରଥମେ ବାହାର କଲାବେଳେ ଏହି ସୂତା ଧଳା ଦେଖା ଯାଉଥାଏ, କିନ୍ତୁ ପରବର୍ତ୍ତୀ ସମୟରେ ବାରମ୍ବାର ଧୋଇବା ପରେ ଏରି ସୂତାର ସ୍ଵତନ୍ତ୍ର ହାଲକା ହଳଦିଆ ରଙ୍ଗ ବାହାରେ।

“ଯଦି ସକାଳୁ ଶୀଘ୍ର କାମ ଆରମ୍ଭ କରି ଦିନ ସାରା ଲାଗି ରହିବ ତେବେ ଦିନକୁ ଏକ ମିଟର ଏରି ସିଲ୍‌କ କପଡ଼ା ତିଆରି କରିହୁଏ”, ଦୀପିକା କହନ୍ତି।

ସିଲ୍‌କ ସୂତାରେ କପା ସୂତା ମିଶେଇ ମଧ୍ୟ ବୁଣା ଯାଏ। ଦୀପିକାଙ୍କ କହିବା ଅନୁଯାୟୀ ଏହି ସୂତାରେ ସାର୍ଟ, ଶାଢ଼ି ଓ ସ୍ତ୍ରୀ ଲୋକମାନେ ପିନ୍ଧୁଥିବା ପାରମ୍ପରିକ ପୋଷାକ ତିଆରି କରାଯାଏ। ନୂଆ ଟ୍ରେଣ୍ଡ ବା ଧାରା ଅନୁଯାୟୀ କେବଳ ଏରି ସିଲ୍‌କ ସୂତାରେ ମଧ୍ୟ ଶାଢ଼ି ବୁଣା ଯାଉଛି।

ନୂଆ ଟ୍ରେଣ୍ଡ ବା ଧାରା ସୃଷ୍ଟି ହେଉଥିବା ସତ୍ତ୍ୱେ ସିଲ୍‌କ ବ୍ୟବସାୟ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼େ। “ସିଲ୍‌କ ପୋକ ପାଳିବା ଓ ତା’ ପରେ କପଡ଼ା ବୁଣିବା ପାଇଁ ବହୁତ ସମୟ ଲାଗେ”, କହନ୍ତି ସିଲ୍‌କ ଚାଷରୁ ସାମୟିକ ଅବ୍ୟାହତି ନେଇଥିବା ଦୀପିକା। ଘର କାମ, ସମୟ ଅନୁଯାୟୀ କୃଷି କାମ ଓ ଚାରି-ବର୍ଷ ବୟସର ପୁଅର ଯତ୍ନ ନେବା ପରେ ଏଥି ପାଇଁ ହାତରେ ଆଦୌ ସମୟ ରହୁ ନାହିଁ।

*****

ଚାଳିଶି ବର୍ଷରୁ ଅଧିକ ଯାମିନୀ ପାଏଙ୍ଗ କ୍ରାଫ୍ଟ କାଉନସିଲ ଅଫ ଇଣ୍ଡିଆ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଜଣେ ବରିଷ୍ଠ ଓ ମାଷ୍ଟର ବୁଣାକାର। ପ୍ରାୟ ଏକ ଦଶନ୍ଧି ହେଲା ସେ ଏରି ସିଲ୍‌କ ସୂତାରେ କପଡ଼ା ବୁଣୁଛନ୍ତି, ତେବେ ଏହି କ୍ରାଫ୍ଟ ବା କାରୁକଳା ପ୍ରତି କମି ଯାଉଥିବା ଆଗ୍ରହ ତାଙ୍କୁ ବ୍ୟତିବ୍ୟସ୍ତ କରେ। “ଆମ ଭିତରେ ଏମିତି ଲୋକ ଅଛନ୍ତି ଯେଉଁମାନେ ତନ୍ତ ଛୁଇଁ ନାହାନ୍ତି। ପ୍ରକୃତ ଏରି କ’ଣ ତାହା ସେମାନେ ବାରି ପାରିବେ ନାହିଁ। ଅବସ୍ଥା ଆଜି ଆସି ଏଠି ପହଞ୍ଚିଛି”।

ଦଶମ ଶ୍ରେଣୀରେ ପଢୁଥିଲା ବେଳେ ଯାମିନୀ ବସ୍ତ୍ର ଓ ବୁଣାକାମ ବିଷୟରେ ପାଠ ପଢ଼ିବାକୁ ବାଛିଥିଲେ। କେତେ ବର୍ଷ ଧରି ସେ ଏହି କାମ କରିବା ପରେ କଲେଜରେ ଯୋଗ ଦେବା ପାଇଁ ଛାଡ଼ିଥିଲେ। ସ୍ନାତକ ହେବା ପରେ ସେ ଗୋଟିଏ ଅଣ-ସରକାରୀ ଅନୁଷ୍ଠାନରେ ଯୋଗ ଦେଇ ମଜୁଲିର ଗାଁ ଗାଁ ବୁଲି ପାରମ୍ପରିକ ସିଲ୍‌କ ବୁଣା କାମ ଦେଖାଶୁଣା କରୁଥିଲେ।

PHOTO • Prakash Bhuyan
PHOTO • Prakash Bhuyan

ବାମରେ: ଯାମିନୀ ପାଏଙ୍ଗ ଆସାମର ମଜୁଲି ଜିଲ୍ଲା ଅନ୍ତର୍ଗତ କମଳାବାଡ଼ିଠାରେ ଥିବା ତାଙ୍କ ବିକ୍ରୟ ସଂସ୍ଥାନରେ ଫଟୋ ଉଠାଇବା ବେଳେ... ଡାହାଣରେ: ତନ୍ତ ପ୍ରସ୍ତୁତ ଏରି ଚାଦର ବା ସାଲ

PHOTO • Prakash Bhuyan
PHOTO • Prakash Bhuyan

ଯାମିନୀ ପାଏଙ୍ଗଙ୍କ କର୍ମସ୍ଥଳରେ ବୁଣାକାମ ଯନ୍ତ୍ରପାତି

“ଯେଉଁ ଘରଗୁଡ଼ିକରେ ଏରି ପୋକ ପାଳୁଛନ୍ତି, ସେସବୁ ଘରର ପିଲାମାନେ ସେମାନଙ୍କ ମା’ଙ୍କଠାରୁ ତାହା ଶିଖୁଛନ୍ତି,” କହନ୍ତି ମଜୁଲିର ଯାମିନୀ। “ମତେ ଟାଟ-ବଟି ବା ବୁଣାକାମ କିମ୍ବା ବବିନ ଘୂରେଇବା କାମ କେହି ଶିଖେଇ ନଥିଲେ। ମୋ ମା’ଙ୍କୁ କାମ କଲାବେଳେ ଦେଖି ଦେଖି ମୁଁ ଶିଖିଥିଲି”।

ସେ କହନ୍ତି, “ଆଜିକାଲି ମେସିନ ତିଆରି ପୋଷାକ ଯେତେ ପରିମାଣରେ ମିଳୁଛି ଆଗରୁ ସେମିତି ନଥିଲା, ତେବେ ଅଧିକାଂଶ ସ୍ତ୍ରୀଲୋକ ଏବେ ବି ସିଲ୍‌କ ପୋଷାକ ପିନ୍ଧୁଛନ୍ତି। ସ୍ତ୍ରୀଲୋକମାନେ ଏରି, ନୁଣି ଓ ମୁଗା ସିଲ୍‌କରେ ପ୍ରସ୍ତୁତ ସଦର-ମେଖେଳା ପିନ୍ଧନ୍ତି”। “ସ୍ତ୍ରୀ ଲୋକମାନେ ଯୁଆଡ଼େ  ଯାଉଛନ୍ତି, ସାଙ୍ଗରେ ଟାକୁରି (ସ୍ପିଣ୍ଡଲ୍) ନେଉଛନ୍ତି”।

ତେଣୁ ଯାମିନୀ ଉତ୍ସାହିତ ହେଲେ। “ମୁଁ ଏରି ସିଲ୍‌କ ପୋକ ପାଳିବି ଓ ଏହାକୁ କିପରି କରିବାକୁ ହେବ ଅନ୍ୟମାନଙ୍କୁ ଶିଖେଇବି”। ବର୍ତ୍ତମାନ ସେ ମଜୁଲିର ପ୍ରାୟ ୨୫ ଜଣ ମହିଳାଙ୍କୁ ବୁଣିବା ଓ କପଡ଼ା ତିଆରି କାମରେ ପ୍ରଶିକ୍ଷଣ ଦେଉଛନ୍ତି। ଦେଶ ଭିତରେ ଓ ବାହାରେ ତାଙ୍କ କାମ ପ୍ରଦର୍ଶିତ ହେଉଛି, ଏପରିକି ବ୍ରିଟିଶ ମିଉଜିୟମରେ ମଧ୍ୟ ତାଙ୍କ ଦ୍ଵାରା ପ୍ରସ୍ତୁତ କାମ ରହିଛି।

“ଏରି ପୋଷାକର ଚାହିଦା ବହୁତ, କିନ୍ତୁ ଆମେ ଏହାକୁ ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ କରୁ”, କହନ୍ତି ଯାମିନୀ। ଅନ୍ୟ ସ୍ଥାନରେ ମେସିନ ଦ୍ଵାରା ଏରି କପଡ଼ା ବୁଣାଯାଉଛି, ଓ ବିହାରର ଭାଗଲପୁରରେ ତିଆରି ସିଲ୍‌କ ପୋଷାକରେ ଆସାମର ବଜାର ଭରି ହେଇ ଯାଇଛି।

ହାତ ତିଆରି ବସ୍ତ୍ରର ମୂଲ୍ୟ ସୂତାର ପ୍ରକାର, ପ୍ରସ୍ତୁତି କୌଶଳ ଓ ଡିଜାଇନର ସୂକ୍ଷ୍ମତା ନିର୍ଭର କରେ। ପାରମ୍ପରିକ ଡିଜାଇନର ଗୋଟିଏ ହାତ ବୁଣା ଏରି ଶାଢ଼ୀ ୩,୫୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହୋଇ ପାରିବ। ସ୍ଥାନୀୟ ବଜାରରେ ଗୋଟିଏ ହାତ ବୁଣା ‘ ସଦର-ମେଖେଳା ‘ ଶାଢୀ ୮,୦୦୦ରୁ ଆରମ୍ଭ କରି ୧୫,୦୦୦ରୁ ୨୦,୦୦୦ ପର୍ଯ୍ୟନ୍ତ ଦାମ୍‌ରେ ବିକ୍ରି ହେଉଛି।

“ଆଗରୁ ଆସାମର ଝିଅମାନେ ସେମାନଙ୍କ ପ୍ରିୟତମଙ୍କ ପାଇଁ ଗାମୁଛା, ରୁମାଲ ଓ ତକିଆ ଖୋଳ ଆଦି ତିଆରି କରୁଥିଲେ ଓ ଆମ ମିଜିଙ୍ଗ ଝିଅମାନେ ଗାଲୁକ ବୁଣୁଥିଲେ”, ସେ କହନ୍ତି। ଯାମିନୀଙ୍କ ମତରେ ଲୋକମାନେ ଯଦି ଏହି ପରମ୍ପରାକୁ ପୁନଃର୍ଜୀବିତ କରି ଆଗାମୀ ପୀଢି ପାଇଁ ଛାଡ଼ି ଯିବେ ନାହିଁ, ତେବେ ଏହି ସମୃଦ୍ଧ ସାଂସ୍କୃତିକ ବିଭବ ନିଶ୍ଚୟ ଦିନେ ହଜିଯିବ। “କେବଳ ସେଇଥିପାଇଁ ହିଁ ମୁଁ ଯେତିକି ପାରୁଛି କରିବା ଜାରି ରଖିଛି, ଏହାକୁ ମୋର ଦାୟିତ୍ଵ ବୋଲି ଧରି ନେଇଛି”।

ଏହି ଲେଖାଟିକୁ ପ୍ରସ୍ତୁତ କରିବା ପାଇଁ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Prakash Bhuyan

ପ୍ରକାଶ ଭୂୟାଁ ଆସାମର ଜଣେ କବି ଓ ଫଟୋଗ୍ରାଫର। ସେ ୨୦୨୨-୨୩ର ଜଣେ MMF-PARI ଫେଲୋ ଯେ କି ଆସାମର ମାଜୁଲିରେ କଳା ଓ ହସ୍ତଶିଳ୍ପ ପରମ୍ପରା ସଂପର୍କରେ ରିପୋର୍ଟ କରିଥିଲେ

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Prakash Bhuyan
Editor : Swadesha Sharma

ସ୍ୱଦେଶା ଶର୍ମା ଜଣେ ଗବେଷିକା ଏବଂ ପିପୁଲସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର କଣ୍ଟେଣ୍ଟ ଏଡିଟର। PARIର ପାଠାଗାର ନିମନ୍ତେ ସମ୍ବଳ ନିୟୋଜନ ସକାଶେ ସେ ସ୍ୱେଚ୍ଛାସେବୀମାନଙ୍କ ସହିତ ମଧ୍ୟ କାର୍ଯ୍ୟ କରନ୍ତି

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Swadesha Sharma
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE