ଜିଲ୍ଲା ଉଦ୍ୟୋଗ ପ୍ରୋତ୍ସାହନ ଏବଂ ଉଦ୍ୟୋଗୀ ବିକାଶ କେନ୍ଦ୍ର (ଡିଆଇପିଇଡିସି)ର ଆକଳନ ଅନୁଯାୟୀ, ମେରଠରେ ୩୪୭ କ୍ରିକେଟ୍ ବଲ୍ ତିଆରି କାରଖାନା ରହିଛି। ଏଥିମଧ୍ୟରେ ମେରଠ ଜିଲ୍ଲାର ଶିଳ୍ପାଞ୍ଚଳରେ ଥିବା ବଡ଼ କାରଖାନା ଏବଂ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଆବାସିକ କ୍ଷେତ୍ରରେ ଥିବା ଛୋଟ ଛୋଟ ୟୁନିଟ୍ ସାମିଲ ରହିଛି।
ତେବେ ଏହି ସଂଖ୍ୟାରେ, ଏଣେ ତେଣେ ଅଲଗା ହୋଇ ରହିଥିବା ଅସଂଗଠିତ ଉତ୍ପାଦନ କେନ୍ଦ୍ର ଏବଂ ଘରୋଇ ୟୁନିଟ୍ ଗୁଡ଼ିକୁ ସାମିଲ କରାଯାଇନାହିଁ, ଏସବୁ ୟୁନିଟ୍ରେ ସମ୍ପୂର୍ଣ୍ଣ ବଲ୍ ତିଆରି କରାଯାଏ କିମ୍ବା କୌଣସି ନିର୍ଦ୍ଦିଷ୍ଟ କାମ ହୋଇଥାଏ। ମେରଠ ଜିଲ୍ଲାର ଉପକଣ୍ଠରେ ଥିବା ଜଙ୍ଗେଠୀ, ଗଗୌଲ ଏବଂ ଭାବନପୁର ଭଳି ଗାଁରେ ଏପରି କାରଖାନା ଦେଖିବାକୁ ମିଳିଥାଏ। ମଦନ କୁହନ୍ତି, ‘‘ଆଜ୍ ଗାଓଁ କେ ବିନା ବିଲକୁଲ୍ ପୂର୍ତ୍ତି ନହିଁ ହୋଗି ମେରଠରେ (ଆଜି ମେରଠର ଗାଁଗୁଡ଼ିକୁ ବାଦ୍ ଦେଲେ ଆଦୌ କ୍ରିକେଟ୍ ବଲ୍ର ଯୋଗାଣ କରାଯାଇପାରିବ ନାହିଁ)’’।
ସେ କୁହନ୍ତି, ‘‘ବଲ୍ ତିଆରିରେ ଚମଡ଼ା ବ୍ୟବହାର କରାଯାଉଥିବାରୁ ଗାଁ ଓ ସହରର ଅଧିକାଂଶ କାରଖାନାରେ ଜାଟବମାନେ କାମ କରନ୍ତି।’’ ୧୯୦୪ ମସିହାର ଜିଲ୍ଲା ଗେଜଟ୍ଟିୟରରେ ଥିବା ତଥ୍ୟ ଅନୁଯାୟୀ, ଜାଟବ ବା ଚମାର ସମୁଦାୟ (ୟୁପିରେ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ)ର ଲୋକମାନେ ମେରଠ ଚମଡ଼ା ଉଦ୍ୟୋଗରେ ସବୁଠୁ ବଡ଼ ଶ୍ରମିକ ସମୂହ ଭାବେ କାମ କରିଥାନ୍ତି। ସେ ଆହୁରି କହିଛନ୍ତି, ‘‘ଚମଡ଼ାରେ ତିଆରି କ୍ରିକେଟ୍ ବଲ୍କୁ ଖେଳିବାରେ ଲୋକମାନଙ୍କର କୌଣସି ସମସ୍ୟା ନଥାଏ, କିନ୍ତୁ ଏହି କାମ କରିବା କଥା ଉଠିଲେ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ।’’
ତାଙ୍କ ପରିବାର ମାଲିକାନାରେ ଶୋଭାପୁରଠାରେ ଏକ ଚମଡ଼ା କାରଖାନା ମଧ୍ୟ ରହିଛି। ଏହା ହିଁ ଏକମାତ୍ର ସ୍ଥାନ ଯେଉଁଠାରେ କ୍ରିକେଟ୍ ବଲ୍ ଉଦ୍ୟୋଗ ପାଇଁ ଫିଟକିରି ଘସି ଚମଡ଼ାକୁ ବିଶୋଧନ କରାଯାଏ। (ପଢ଼ନ୍ତୁ : ମିରଟର ଚମଡ଼ା କାରିଗର: ସଂଘର୍ଷ ଅବ୍ୟାହତ)। ସେ କୁହନ୍ତି, ‘‘ଫିଟକିରୀ ସହାୟତାରେ ଚମଡ଼ା ବିଶୋଧନର ଚାହିଦାକୁ ଦେଖି ମୋତେ ଲାଗିଲା ଯେ କ୍ରିକେଟ୍ ବଲ୍ର ଚାହିଦା କେବେ କମିବ ନାହିଁ।’’ ବଜାରର ଭଲ ସ୍ଥିତିକୁ ଦେଖି ୨୦ ବର୍ଷ ପୂର୍ବରୁ ସେ ମେସର୍ସ ବି.ଡି. ଏଣ୍ଡ ସନ୍ସ କମ୍ପାନୀ ଆରମ୍ଭ କରିଥିଲେ। ଏହା ସ୍ଥାନୀୟ ଅଞ୍ଚଳରେ କ୍ରିକେଟ୍ ବଲ୍ ତିଆରି କରୁଥିବା ଦୁଇଟି ଉଦ୍ୟୋଗ ମଧ୍ୟରୁ ଅନ୍ୟତମ।
ଗୋଟିଏ ବଲ୍ ତିଆରି କରିବା ପାଇଁ ସଠିକ୍ ଭାବେ କେତେ ସମୟ ଲାଗିଥାଏ ତାହା କହିବା ମୁସ୍କିଲ୍, କାରଣ ଏକାଧିକ ପ୍ରକ୍ରିୟା ଏକ ସମୟରେ ଚାଲିଥାଏ। ଆହୁରି ପାଣିପାଗ ଓ ଚମଡ଼ାର ଗୁଣବତ୍ତା ମଧ୍ୟ ଏଥିପାଇଁ ଲାଗୁଥିବା ସମୟକୁ ପ୍ରଭାବିତ କରିଥାଏ। ସେ କୁହନ୍ତି, ‘‘ଦୋ ହଫତେ ଲଗତେ ହେଁ ଏକ ଗେନ୍ଦ କୋ ତୟାର ହୋନେ ମେଁ କମ୍ ସେ କମ୍ (ଗୋଟିଏ ବଲ୍ ତିଆରି କରିବା ପାଇଁ ଅତି କମ୍ରେ ଦୁଇ ସପ୍ତାହ ଲାଗିଥାଏ)।’’
ମଦନଙ୍କ କାରଖାନାର କର୍ମଚାରୀ ପ୍ରଥମେ ଚମଡ଼ାକୁ ଫିଟକିରୀରେ ବିଶୋଧନ କରିଥାନ୍ତି, ଲାଲ ରଙ୍ଗ ଦେଇଥାନ୍ତି, ଖରାରେ ଶୁଖାଇଥାନ୍ତି, ତେଲ କିମ୍ବା ପଶୁଙ୍କ ଚର୍ବି ସହାୟତାରେ ଚିକ୍କଣ କରିଥାନ୍ତି ଏବଂ ତା’ପରେ ଏହାକୁ ନରମ କରିବା ଲାଗି କାଠର ହାତୁଡ଼ିରେ ପିଟିଥାନ୍ତି। ମଦନ କୁହନ୍ତି, ‘‘ଧଳା ବଲ୍ ପାଇଁ କୌଣସି ରଙ୍ଗ ଦେବା ଦରକାର ହୋଇନଥାଏ, କାରଣ ଫିଟକିରୀରେ ବିଶୋଧନ ହେବା ପରେ ଚମଡ଼ା ଧଳା ହୋଇଯାଏ। ତେବେ ଏହାକୁ ଚିକ୍କଣ କରିବା ଲାଗି ଗାଈ କ୍ଷୀରରେ ପ୍ରସ୍ତୁତ ଦହି ଉପଯୋଗ କରାଯାଏ।’’