“ଏହି ମଜାର (ସମାଧି) ହେଉଛି ଆମେ ଗଢ଼ିଥିବା ଏକ ଅସ୍ଥାୟୀ ବ୍ୟବସ୍ଥା । ସାବଲା ପୀରର ମୂଳ ପୂଜାପୀଠ ରଣନୀତି ଭିତ୍ତିକ ଦୃଷ୍ଟିକୋଣରୁ ଭାରତ-ପାକିସ୍ତାନ ସାମୁଦ୍ରିକ ସୀମାରେ ଅବସ୍ଥିତ,” ଫକିରାନୀ ଜାଟମାନଙ୍କର ଆଧ୍ୟାତ୍ମିକ ଗୁରୁ ୭୦ ବର୍ଷୀୟ ଆଗା ଖାନ୍ ସାବଲାନି କହନ୍ତି । ଯେଉଁ ଅସ୍ଥାୟୀ ନିର୍ମାଣ ସନ୍ଦର୍ଭରେ ସେ ଏହା କହନ୍ତି, ତାହା ହେଉଛି ଲଖପତ ତାଲୁକା ଅନ୍ତର୍ଗତ ପିପର ପଲ୍ଲୀ ଗାଁ ନିକଟବର୍ତ୍ତୀ ଏକ ବିରାଟ ଖୋଲା ପଡ଼ିଆରେ ଦଣ୍ଡାୟମାନ ଏକ କ୍ଷୁଦ୍ର, ନିଃସଙ୍ଗ, ହାଲୁକା ସବୁଜ ରଙ୍ଗର ଏକ ସାଧାରଣ ସମାଧିପୀଠ; ଯେଉଁଠାରେ କି ଆଉ କିଛି ଘଣ୍ଟା ଭିତରେ ସାବଲା ପୀର ଉତ୍ସବ ପାଳନ କରିବାକୁ ଆସିଥିବା ଲୋକଙ୍କ ଭିଡ଼ ଜମିଯିବ ।
ଗୋଟିଏ ଦ୍ୱୀପରେ ଅବସ୍ଥିତ ମୂଳ ପୂଜାପୀଠ ସୁରକ୍ଷା କାରଣରୁ ୨୦୧୯ରୁ ବନ୍ଦ ରହିଛି । ଏବେ ସେହି ସ୍ଥାନରେ ରହିଛି ସୀମା ସୂରକ୍ଷା ବଳ (ବିଏସଏଫ୍)ର ଏକ ଶିବିର । ଗୋଟିଏ ସଂପ୍ରଦାୟର ସାଂସ୍କୃତିକ ଜୀବନଧାରା ସମ୍ବଳିତ ବିଧି ବ୍ୟବସ୍ଥା ଦସ୍ତାବିଜରେ ଉଲ୍ଲେଖ ରହିଛି ଯେ, “ସ୍ୱାଧୀନତା ପୂର୍ବରୁ କୋଟେଶ୍ୱର ସଂଲଗ୍ନ କୋରି କ୍ରିକର ଏହି ଦ୍ୱୀପରେ ସାବଲା ପୀରଙ୍କ ନିବାସସ୍ଥଳୀ ରହିଥିଲା । ସେ ସମୟରେ, ବର୍ତ୍ତମାନ ପାକିସ୍ତାନରେ ରହିଥିବା ସିନ୍ଧରେ ବସବାସ କରୁଥିବା ଜାଟ୍ ପଶୁପାଳକମାନେ ପ୍ରାର୍ଥନା କରିବା ଲାଗି ଏଠାକୁ ଡଙ୍ଗାରେ ଆସୁଥିଲେ ।”
ଏ ଅଞ୍ଚଳରେ ପ୍ରଚଳିତ ପରମ୍ପରା ଅନୁସାରେ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ସବୁ ଜାତିର ଲୋକେ ଏହି ମେଳାରେ ଭାଗ ନେବା ଏବଂ ପ୍ରାର୍ଥନା କରିବା ଲାଗି ଏଠାକୁ ଆସିଥାଆନ୍ତି । ଏହି ସଂପ୍ରଦାୟ ଦ୍ୱାରା ଆୟୋଜିତ ଏହି ମେଳା, ଗୁଜରାଟୀ କ୍ୟାଲେଣ୍ଡର ଅନୁସାରେ ପ୍ରତି ବର୍ଷ ଚୈତ୍ର ମାସର ତୃତୀୟ ଏବଂ ଚତୁର୍ଥ ଦିନରେ, ଅର୍ଥାତ୍ ପ୍ରାୟ ମାର୍ଚ୍ଚ ଓ ଏପ୍ରିଲ ମାସରେ ପଡୁଥିବା ଏକ ବାର୍ଷିକ ପର୍ବ ।
“ସାବଲା ପୀରଙ୍କ ପୀଠରେ ପ୍ରାର୍ଥନା କରିବା ଲାଗି ସମସ୍ତଙ୍କୁ ସ୍ୱାଗତ କରାଯାଏ; କୌଣସି ଭେଦଭାବ ନଥାଏ । ଯେ କେହି ଏଠାକୁ ଆସି ନିଜ ନିଜର ମଙ୍ଗଳ କାମନା କରିପାରନ୍ତି । ଆପଣ ସନ୍ଧ୍ୟା ଯାଏଁ ଅପେକ୍ଷା କରନ୍ତୁ ଏବଂ ଏଠି କେମିତିକା ଭିଡ଼ ଜମେ ନିଜେ ଦେଖି ନିଅନ୍ତୁ,” ବୟସର ୪୦ ଦଶକର ଶେଷ ଭାଗରେ ଉପନୀତ କଚ୍ଛର ଏକ ପଲ୍ଲୀ ଗାଁ ପିପର ନିବାସୀ ସୋନୁ ଜାଟ କହନ୍ତି । ଏହି ପଡ଼ା ଗାଁରେ ପ୍ରାୟ ୫୦ରୁ ୮୦ ଜାଟ ପରିବାର ରହନ୍ତି ।


















