ଏକଦା ଏକ ସମୟରେ, ଲାଲାଲାଦେଶର ସାମ୍ରାଜ୍ୟରେ ଦେବତା-ତୁଲ୍ୟ-ରାଜା ଗଣଗଣେନ୍ଦ୍ର ଦିଗୋ ଲୌହ ଅଂଶ ଅଭାବଜନିତ ଦୃଢ (ଦୁର୍ବଳ) ଶାସନ କରୁଥିଲେ। ସେ ନିଜେ କିଛି ଖାଉ ନଥିଲେ କି କାହାକୁ କିଛି ଖାଇବାକୁ ସୁଯୋଗ ଦେଉ ନଥିଲେ, ତେଣୁ ତାଙ୍କର ଥିଲା ଉଦାର ଅକାର୍ଯ୍ୟ - ଦକ୍ଷତା (ଅପାରଗତା)। କ’ଣ ହେଲା? ଅର୍ଥ ବିପରୀତ? ଓଃ... ହଁ, ପଶ୍ଚିମାଞ୍ଚଳର ବାମନାକୃତି ବିଶିଷ୍ଟ ମହାଭାଗ ମୌତନ ଦାଦାନି ତାକୁ ନିଲାମରେ ଉଠେଇ ନେଲେ।

ଦିନେ ମହାଭାଗ ନଟଖଟ ପଣ୍ଡିତ ଭ୍ରମିତବୁଦ୍ଧି ବାହା ଦୁଃସ୍ଵପ୍ନ ଦେଖିଲେ କି ପାହାଡୀ ହୁଲାର ଣ୍ଡିଗା ଆସି ତାଙ୍କ ଦେଶର ସିଂହାସନରେ ବସୁଛି। ତାହା ନିଶ୍ଚୟ ଏକ ଆସନ୍ନ ବିପଦର ଚେତାବନୀ ଥିଲା, କାରଣ ଗଣତନ୍ତ୍ର ଓ ସେହିଭଳି ଅନ୍ୟାନ୍ୟ ବହୁ ଲୋକମୁଖୀ ପରମ୍ପରା ରହିଥିବା ହୁଲାରିଆମାନେ ଥିଲେ ଅତି ଅସଭ୍ୟ।  ତୁରନ୍ତ ବିଚକ୍ଷଣ ପାରିଷଦମାନଙ୍କ ବୈଠକ ବସିଲା। ତା’ ପରେ କ’ଣ ହେଲା ଦେଖ! ସେମାନେ ଚମତ୍କାର ସମାଧାନଟିଏ ବାହାର କଲେ। ରୂପକଥାର ବନ୍ଧନ ପରୀ ଦେବୀ ଗୋତାମାଙ୍କ ଶୁଦ୍ଧ ଗୋବରରେ ଶହେ ଆଠ ଫୁଟିଆ ଧୂପକାଠିଟିଏ ତିଆରି କରିବାକୁ ନିଷ୍ପତ୍ତି ନେଲେ।

ତେଣୁ ନିଷ୍କାସିତ କରାଗଲା ଗୋତାମାଙ୍କ ଅନ୍ତଃନଳୀ ଓ ଆବଶ୍ୟକ ମୁତାବକ ସମସ୍ତ ବନ୍ଧନର ଗୋବରକୁ ସଂଗ୍ରହ କରାଗଲା, ଏବଂ ଶେଷରେ ତହିଁରୁ ତିଆରି ଧୂପକାଠିଟିକୁ ଜଳେଇ ଦିଆଗଲା। କିନ୍ତୁ କି ଗନ୍ଧ! ଓଃ ମିଠା ମିଠା ଚାଷୀ-ବିରୋଧୀ ଓ ସର୍ବବ୍ୟାପୀ ଗନ୍ଧ!! ଶୁଣିବାକୁ ମିଳେ ଯେ ସେହି ସର୍ବନାଶୀ ଧୂଆଁ  ଯେତେବେଳେ କ୍ଷୁଧିତ ଆକାଶମୁହାଁ ହୋଇ ବ୍ୟାପିବାରେ ଲାଗିଲା ସେତେବେଳେ ରାଜା ଗଣଗଣେନ୍ଦ୍ର, ମୌତନ ଓ ଭ୍ରମିତବୁଦ୍ଧିଙ୍କ ସହ ନୃତ୍ୟରତ ଥିଲେ। ସେ ଯାହା ବି ହେଉ, ସେତେବେଳେ ସେହି ବିପଦ ହୁଏତ ଟଳିଗଲା, ହୁଏତ ଟଳିଲା ନାହିଁ, କିଏ ଜାଣେ? ମୋଟାମୋଟି ଆମେ ଯାହା ଜାଣୁ, ତା’ପରେ ଲାଲାଲାଦେଶ (ଅ)ଚିରକାଳ ପାଇଁ ଖୁସିରେ ରହିଲା!

ଯୋଶୁଆ ବୋଧିନେତ୍ରଙ୍କ କବିତା ଆବୃତ୍ତି ଶୁଣନ୍ତୁ

ମହାରାଜାଙ୍କ ଜୟ!

1)
କେଉଁ ସ୍ଵରର ଗୀତ କାମକୁ ପଛରେ ଛାଡ଼େ, କିନ୍ତୁ ନାଁରେ ଛିଡ଼େ
ଲାଳିକା? ମାଳିକା ନା ଶୋକଗୀତ ସ୍ଵରରେ?
ଗୋବର ଖତ,
ବନ୍ଦ ଇଭିଏମ ମତ,
ଶହେ ଆଠ ଫୁଟିଆ ଧୂପକାଠିର ଧୂଆଁ ଆକାଶେ ଉଡ଼େ।

2)
କୋଟି କୋଟି ସମ୍ମତି, ଅଳ୍ପ କିଛି ନା-ର ବିପତ୍ତି
ଜଳୁଛି, ଜଳୁଥିବ ଅନେକ ଦିନ ପୋଡିପୋଡି ଦେଶର ସମ୍ପତ୍ତି
ଠାକୁର ନିରୁତ୍ତର
ବିଶ୍ୱାସ ପବିତ୍ର
ଶୂଦ୍ର ଶମ୍ବୁକ ମୁଣ୍ଡହାଣ ଅବସ୍ଥାରେ ଜୀବନ ତା’ର ଯାଏ ବିତି।

3)
ବାବ୍ରି ଗମ୍ବୁଜର ଧ୍ଵଂସାବଶେଷ ଉପରେ ସାମ୍ରାଜ୍ୟ ବଢୁଛି
ହ୍ୱାଟ୍ସଆପ, ଗୋମାତା ଓ ବଜରଙ୍ଗୀ ଭାଇଙ୍କ ପତାକା ଉଡୁଛି
କିନ୍ତୁ କ’ଣ ସେ ଦୁର୍ଗନ୍ଧ, ଆସେ କେଉଁଠାରୁ?
କଳ୍ପିତ ସ୍ଵର୍ଗରୁ ନା ପ୍ରକୃତ ନର୍କରୁ?
ଜବାବ ଦିଅ, ଦିଅ ଜବାବ ଏ ଦେଶ ଜାଣିବାକୁ ଚାହୁଁଛି।

4)
ଶହେ ଆଠ ଫୁଟିଆ ନାରଙ୍ଗି ଦଣ୍ଡା
ଆମେ ଜଣେ ରାଜାକୁ ଦିଅନ୍ତି ଭୋଟ, ଧୋବ ଧଉଳିଆ ଗୁଣ୍ଡା
କୁମ୍ଭୀର ତା’ର ପୋଷା,
ଫୋଟୋ ଉଠେ ସହସା!
ଶହେ ଆଠ ଫୁଟ ଲମ୍ବର ମଜବୁତିଆ ଷଣ୍ଢା।

5)
ଚାଷୀ ପେଟ ଭୋକିଲା, ଫତୱା ହେଲା ଜାରି
ଓ ଲାଲାଲାଦେଶରେ ଦଙ୍ଗା ଗଲା ବଢି,
ଧୂପ ଆଉ ନିଆଁ କେଉଁ କିମିଆ କଲା –
ବସ୍ତି ଉପରେ ବୁଲଡୋଜ ଚଢିଲା –
କମୁନିଷ୍ଟିଆ କି କଂଗ୍ରେସିଆ, କେବେ ବୁଝିଲେନି କିଛି।


ଓଡ଼ିଆ ଭାବାନୁବାଦ: କପିଳାସ ଭୂୟାଁ

Poems and Text : Joshua Bodhinetra

ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆ (ପରୀ) ରେ ଭାରତୀୟ ଭାଷା କାର୍ଯ୍ୟକ୍ରମ, ପରୀଭାଷାର ବିଷୟବସ୍ତୁ ପରିଚାଳକ ଜୋଶୁଆ ବୋଧିନେତ୍ର। ସେ କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରୁ ତୁଳନାତ୍ମକ ସାହିତ୍ୟରେ ଏମଫିଲ କରିଛନ୍ତି ଏବଂ ଜଣେ ବହୁଭାଷୀ କବି, ଅନୁବାଦକ, କଳା ସମାଲୋଚକ ଏବଂ ସାମାଜିକ କର୍ମୀ ଅଟନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Joshua Bodhinetra
Editor : Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ପରୀରେ କାର୍ଯ୍ୟରତ ଜଣେ ବରିଷ୍ଠ ସମ୍ପାଦିକା ଯେଉଁଠି ସେ ପରୀର ସୃଜନଶୀଳ ଲେଖା ବିଭାଗର ନେତୃତ୍ୱ ନେଇଥାନ୍ତି। ସେ ମଧ୍ୟ ପରୀ ଭାଷା ଦଳର ଜଣେ ସଦସ୍ୟ ଏବଂ ଗୁଜରାଟୀ ଭାଷାରେ କାହାଣୀ ଅନୁବାଦ କରିଥାନ୍ତି ଓ ଲେଖିଥାନ୍ତି। ସେ ଜଣେ କବି ଏବଂ ଗୁଜରାଟୀ ଓ ଇଂରାଜୀ ଭାଷାରେ ତାଙ୍କର କବିତା ପ୍ରକାଶ ପାଇଛି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Pratishtha Pandya
Illustration : Atharva Vankundre

ଅଥର୍ବ ବନକୁନ୍ଦ୍ରେ ମୁମ୍ବାଇର ଜଣେ ଚିତ୍ରକର ଏବଂ କାହାଣୀକାର। ସେ ଜୁଲାଇରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ PARIରେ ଇଣ୍ଟର୍ନ ଭାବେ କାର୍ଯ୍ୟ କରିସାରିଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Atharva Vankundre
Translator : Kapilas Bhuyan

କପିଳାସ ଭୂୟାଁ ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ ଓ ୨୦୦୬ରେ ଜାତୀୟ ଚଳଚିତ୍ର ପୁରସ୍କାର ରଜତ କମଳ ପ୍ରାପ୍ତ ନିର୍ଦ୍ଦେଶକ। ଏହା ବ୍ୟତୀତ ସେ ୨୦୦୪ରେ ଫେଷ୍ଟିଭାଲ ଡୁ ସିନେମା ଡେ ପ୍ୟାରିସଠାରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର ପୁରସ୍କାର ଓ ନ୍ୟୁୟର୍କ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଜୁରୀଙ୍କ ସ୍ୱତନ୍ତ୍ର ଉଲ୍ଲେଖ ପାଇଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Kapilas Bhuyan