ଏକଦା ଏକ ସମୟରେ, ଲାଲାଲାଦେଶର ସାମ୍ରାଜ୍ୟରେ ଦେବତା-ତୁଲ୍ୟ-ରାଜା ଗଣଗଣେନ୍ଦ୍ର ଦିଗୋ ଲୌହ ଅଂଶ ଅଭାବଜନିତ ଦୃଢ (ଦୁର୍ବଳ) ଶାସନ କରୁଥିଲେ। ସେ ନିଜେ କିଛି ଖାଉ ନଥିଲେ କି କାହାକୁ କିଛି ଖାଇବାକୁ ସୁଯୋଗ ଦେଉ ନଥିଲେ, ତେଣୁ ତାଙ୍କର ଥିଲା ଉଦାର ଅକାର୍ଯ୍ୟ-ଦକ୍ଷତା (ଅପାରଗତା)। କ’ଣ ହେଲା? ଅର୍ଥ ବିପରୀତ? ଓଃ... ହଁ, ପଶ୍ଚିମାଞ୍ଚଳର ବାମନାକୃତି ବିଶିଷ୍ଟ ମହାଭାଗ ମୌତନ ଦାଦାନି ତାକୁ ନିଲାମରେ ଉଠେଇ ନେଲେ।
ଦିନେ ମହାଭାଗ ନଟଖଟ ପଣ୍ଡିତ ଭ୍ରମିତବୁଦ୍ଧି ବାହା ଦୁଃସ୍ଵପ୍ନ ଦେଖିଲେ କି ପାହାଡୀ ହୁଲାର ଣ୍ଡିଗା ଆସି ତାଙ୍କ ଦେଶର ସିଂହାସନରେ ବସୁଛି। ତାହା ନିଶ୍ଚୟ ଏକ ଆସନ୍ନ ବିପଦର ଚେତାବନୀ ଥିଲା, କାରଣ ଗଣତନ୍ତ୍ର ଓ ସେହିଭଳି ଅନ୍ୟାନ୍ୟ ବହୁ ଲୋକମୁଖୀ ପରମ୍ପରା ରହିଥିବା ହୁଲାରିଆମାନେ ଥିଲେ ଅତି ଅସଭ୍ୟ। ତୁରନ୍ତ ବିଚକ୍ଷଣ ପାରିଷଦମାନଙ୍କ ବୈଠକ ବସିଲା। ତା’ ପରେ କ’ଣ ହେଲା ଦେଖ! ସେମାନେ ଚମତ୍କାର ସମାଧାନଟିଏ ବାହାର କଲେ। ରୂପକଥାର ବନ୍ଧନ ପରୀ ଦେବୀ ଗୋତାମାଙ୍କ ଶୁଦ୍ଧ ଗୋବରରେ ଶହେ ଆଠ ଫୁଟିଆ ଧୂପକାଠିଟିଏ ତିଆରି କରିବାକୁ ନିଷ୍ପତ୍ତି ନେଲେ।
ତେଣୁ ନିଷ୍କାସିତ କରାଗଲା ଗୋତାମାଙ୍କ ଅନ୍ତଃନଳୀ ଓ ଆବଶ୍ୟକ ମୁତାବକ ସମସ୍ତ ବନ୍ଧନର ଗୋବରକୁ ସଂଗ୍ରହ କରାଗଲା, ଏବଂ ଶେଷରେ ତହିଁରୁ ତିଆରି ଧୂପକାଠିଟିକୁ ଜଳେଇ ଦିଆଗଲା। କିନ୍ତୁ କି ଗନ୍ଧ! ଓଃ ମିଠା ମିଠା ଚାଷୀ-ବିରୋଧୀ ଓ ସର୍ବବ୍ୟାପୀ ଗନ୍ଧ!! ଶୁଣିବାକୁ ମିଳେ ଯେ ସେହି ସର୍ବନାଶୀ ଧୂଆଁ ଯେତେବେଳେ କ୍ଷୁଧିତ ଆକାଶମୁହାଁ ହୋଇ ବ୍ୟାପିବାରେ ଲାଗିଲା ସେତେବେଳେ ରାଜା ଗଣଗଣେନ୍ଦ୍ର, ମୌତନ ଓ ଭ୍ରମିତବୁଦ୍ଧିଙ୍କ ସହ ନୃତ୍ୟରତ ଥିଲେ। ସେ ଯାହା ବି ହେଉ, ସେତେବେଳେ ସେହି ବିପଦ ହୁଏତ ଟଳିଗଲା, ହୁଏତ ଟଳିଲା ନାହିଁ, କିଏ ଜାଣେ? ମୋଟାମୋଟି ଆମେ ଯାହା ଜାଣୁ, ତା’ପରେ ଲାଲାଲାଦେଶ (ଅ)ଚିରକାଳ ପାଇଁ ଖୁସିରେ ରହିଲା!


