‘‘ସେଦିନ ରାତିରେ ଯେତେବେଳେ ମୋ’ ଗର୍ଭରୁ ପାଣି ବୋହିଗଲା, ମୋତେ ଖୁବ୍‌ ଯନ୍ତ୍ରଣା ହୋଇଥିଲା। ଗତ ତିନି ଦିନ ଧରି ବରଫପାତ ହେଉଥିଲା। ଯେତେବେଳେ ଏପରି ହୋଇଥାଏ ଏବଂ ଅନେକ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଆଲୋକ ପଡ଼େ ନାହିଁ, ଆମର ସୌର ପାନେଲ ଚାର୍ଜ ହୁଏ ନାହିଁ।’’ ୨୨ ବର୍ଷୀୟା ଶମିନା ବେଗମ ଜାମ୍ମୁ ଓ କାଶ୍ମୀରର ବାନ୍ଦିପୋର ଜିଲ୍ଲାର ୱଜିରିଥାଲ ଗ୍ରାମରେ ନିଜର ଦ୍ୱିତୀୟ ଶିଶୁ ଜନ୍ମ ସମୟ ବିଷୟରେ ଆଲୋଚନା କରୁଛନ୍ତି । ଏହା ଏମିତି ଏକ ଗ୍ରାମ ଯେଉଁଠି ସୂର୍ଯ୍ୟାଲୋକ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିନଥାଏ, କିମ୍ବା ଏପରିକି ନିୟମିତ ସୂର୍ଯ୍ୟ ଦେଖାଯାଆନ୍ତି ନାହିଁ । ହେଲେ ଗାଁର ଅଧିକାଂଶ ଲୋକ ନିଜ ଇନ୍ଧନର ଏକମାତ୍ର ଉତ୍ସ ଭାବେ ସୌର ଶକ୍ତି ଉପରେ ଭରସା କରିଥାନ୍ତି ।

‘‘ଆମ ଘର ଅଧିକାଂଶ ସମୟରେ ଅନ୍ଧାର ରହିଥାଏ କିନ୍ତୁ ଏକ କିରୋସିନୀ ଲଣ୍ଠନ ପାଇଁ,’’ ଶମିନା ଆଗକୁ କହିବା ଜାରି ରଖିଲେ। ‘‘ତେଣୁ, ମୋ ପଡ଼ୋଶୀମାନେ ସେଦିନ ସନ୍ଧ୍ୟାରେ ଏକାଠି ହୋଇ ଆସିଲେ, ସମସ୍ତଙ୍କ ହାତରେ ନିଜର ଲଣ୍ଠନ ଥିଲା। ସେହି କୋଠରୀରେ ପାଞ୍ଚଟି ଉଜ୍ଜ୍ୱଳ ଅଗ୍ନିଶିଖା ଆଲୋକିତ ହୋଇ ଉଠିଲା, ମୋ ମା’ କୌଣସି ପ୍ରକାର ରଶିଦାଙ୍କୁ ଜନ୍ମ ଦେବାରେ ମୋତେ ସହାୟତା କରିଥିଲେ।’’ ତାହା ଥିଲା ୨୦୨୨ ଏପ୍ରିଲ ମାସର ଗୋଟିଏ ରାତି ।

ବଡ଼ୁଗାମ୍‌ ଗ୍ରାମ ପଞ୍ଚାୟତ ଅଧୀନରେ ସବୁଠୁ ସୁନ୍ଦର ଗାଁ ମଧ୍ୟରୁ ଗୋଟିଏ ହେଉଛି ୱଜିରିଥାଲ। ଶମିନାଙ୍କ ଘର ପାଖରେ ପହଞ୍ଚିବା ଲାଗି ଶ୍ରୀନଗରଠାରୁ ଗାଡ଼ିରେ ୧୦ ଘଣ୍ଟା ଯାତ୍ରା କରିବାକୁ ପଡ଼େ। ଏହାପରେ ଗୁରେଜ ଉପତ୍ୟାକା ଦେଇ ରାଜଦାନ ପାସ ନିକଟରୁ କଚ୍ଚା ସଡ଼କରେ ସାଢ଼େ ଚାରି ଘଣ୍ଟା ଯାତ୍ରା ଏବଂ ଅଧା ଡଜନ ଚେକ୍‌ ପୋଷ୍ଟ ଅତିକ୍ରମ କରିବା ପରେ ଶେଷକୁ ୧୦ ମିନିଟ ପାଦରେ ଚାଲି ଚାଲି ଗଲେ ଯାଇ ଶମିନାଙ୍କ ଘର ପାଖରେ ପହଞ୍ଚି ହୁଏ। ଏହା ହିଁ ଏକମାତ୍ର ମାର୍ଗ ।

ଗୁରେଜ ଉପତ୍ୟାକାରେ ଥିବା ଏହି ଗାଁ ନିୟନ୍ତ୍ରଣ ରେଖାଠାରୁ ମାତ୍ର ଅଳ୍ପ କେତେ ମାଇଲ ଦୂରରେ ରହିଛି । ଗାଁରେ ୨୪ଟି ପରିବାର ରୁହନ୍ତି। ସମସ୍ତଙ୍କ ଘର ଦେଓଦର କାଠରେ ତିଆରି ଏବଂ ସେଥିରେ ତାପଜ ଇନସୁଲେସନ ପାଇଁ କାଦୁଅ ପରସ୍ତ ଲିପା ହୋଇଛି। ଚମରି ଗାଈର ପୁରୁଣା ଶିଂଘ, କିଛି ଅସଲି, ଆଉ କିଛି ସବୁଜ ରଙ୍ଗ ଦିଆଯାଇଥିବା କାଠର ପ୍ରତିକୃତି, ଏଠାରେ ଘରର ମୁଖ୍ୟ ଦ୍ୱାରରେ ଟଙ୍ଗା ହୋଇଛି । ଅଧିକାଂଶ ଘରର ଝରକାଗୁଡ଼ିକୁ ଖୋଲିଲେ ସୀମା ଆରପଟେ ଥିବା ଦୃଶ୍ୟ ଦେଖିବାକୁ ମିଳିଥାଏ।

ଶମିନା ନିଜ ଘର ବାହାରେ ପଡ଼ିଥିବା କାଠ ଗଦା ଉପରେ ନିଜର ଦୁଇ ପିଲା – ୨ ବର୍ଷ ବୟସ୍କ ଫରହାଜ୍‌ ଏବଂ ଚାରି ମାସର ରାଶିଦା (ଛଦ୍ମନାମ)ଙ୍କ ସହିତ ବସି ସନ୍ଧ୍ୟାର ଶେଷ ସୂର୍ଯ୍ୟ କିରଣରୁ ଉତ୍ତାପ ନେବାକୁ ଚେଷ୍ଟା କରୁଛନ୍ତି । ‘‘ମୋ ମା’ ମୋତେ କହିଛନ୍ତି ମୋ ଭଳି ପ୍ରସୂତୀ ମା’ମାନେ ନିଜର ନବଜାତ ଶିଶୁ ସହ ସକାଳ ଓ ସନ୍ଧ୍ୟାରେ ଖରାରେ ବସିବା ଉଚିତ,’’ ସେ କୁହନ୍ତି। ଏହା ଅଗଷ୍ଟ ମାସର ସମୟ। ସମ୍ପୂର୍ଣ୍ଣ ଉପତ୍ୟାକାରେ ଏବେ ସୁଦ୍ଧା ତୁଷାରପାତ ହେବାକୁ ଆହୁରି କିଛିଦିନ ବାକି ରହିଛି । କିନ୍ତୁ ବାଦଲ ଘେରା ଦିନ, ସାମୟିକ ବର୍ଷା ଏବଂ ଦିନେ ଦିନେ ବିନା ସୂର୍ଯ୍ୟୋଦୟ, ବିନା ବିଦ୍ୟୁତରେ ଲୋକମାନଙ୍କୁ ରହିବାକୁ ପଡ଼ୁଛି।

Shameena with her two children outside her house. Every single day without sunlight is scary because that means a night without solar-run lights. And nights like that remind her of the one when her second baby was born, says Shameena
PHOTO • Jigyasa Mishra

ଶମିନା ତାଙ୍କର ଦୁଇ ପିଲାଙ୍କ ସହିତ ନିଜ ଘର ବାହାରେ ବସିଛନ୍ତି । ସୂର୍ଯ୍ୟାଲୋକ ପଡ଼ୁନଥିବା ଦିନଗୁଡ଼ିକୁ ବିତାଇବା ବେଶ୍‌ କଷ୍ଟକର ହୋଇଥାଏ , କାରଣ ବିନା ସୌର ଲାଇଟରେ ଅନ୍ଧାର ରାତି ବିତାଇବାକୁ ପଡ଼େ । ଆଉ ଏଭଳି ରାତି ତାଙ୍କୁ ନିଜ ଦ୍ୱିତୀୟ ପିଲା ଜନ୍ମ ରାତି କଥା ସ୍ମରଣ କରାଇ ଦେଇଥାଏ , ଶମିନା କୁହନ୍ତି

‘‘ମାତ୍ର ଦୁଇ ବର୍ଷ ପୂର୍ବରୁ ୨୦୨୦ରେ ବ୍ଲକ୍‌ ଅଫିସ ମାଧ୍ୟମରେ ଆମେ ସୌର ପାନେଲ ପାଇଥିଲୁ। ସେତେବେଳକୁ ଆମ ପାଖରେ କେବଳ, ବ୍ୟାଟେରୀ ପରିଚାଳିତ ଲାଇଟ ଏବଂ ଲଣ୍ଠନ ଥିଲା। କିନ୍ତୁ ଏସବୁ (ସୌର ପାନେଲ) ଆମ ସମସ୍ୟା ସମାଧାନ କରିପାରିନାହିଁ,’’ ୱଜିରିଥାଲର ଜଣେ ବାସିନ୍ଦା ୨୯ ବର୍ଷ ବୟସ୍କ ମହମ୍ମଦ ଆମିନ କୁହନ୍ତି ।

‘‘ବଡ଼ଗାମ୍‌ ବ୍ଲକର ଅନ୍ୟ ଗ୍ରାମରେ ଜେନେରେଟର ମାଧ୍ୟମରେ ସାତ ଘଣ୍ଟା ବିଦ୍ୟୁତ ସଂଯୋଗ ମିଳିଥାଏ ଏବଂ ଏଠାରେ ଆମ ପାଖରେ ୧୨ ଭୋଲ୍ଟର ବ୍ୟାଟେରୀ ଅଛି ଯାହାକି ସୌର ପ୍ୟାନେଲ ମାଧ୍ୟମରେ ପରିଚାଳିତ ହୋଇଥାଏ। ଏହା ଆମକୁ ଦୁଇଟି ଲାଇଟ ବଲ୍‌ବ୍‌ ଜଳାଇବାରେ ସହାୟକ ହୋଇଥାଏ ଏବଂ ସର୍ବାଧିକ ଦୁଇ ଦିନ ପାଇଁ ପ୍ରତି ଘରେ ଗୋଟିଏ ଦୁଇଟି ଫୋନ ଚାର୍ଜ ହୋଇଥାଏ। ଏହାର ଅର୍ଥ ହେଉଛି, ଯଦି ଲଗାତାର ଦୁଇ ଦିନ ପର୍ଯ୍ୟନ୍ତ ଅଧିକ ବର୍ଷା କିମ୍ବା ତୁଷାରପାତ ହେଉଛି, ତା’ହେଲେ ସୂର୍ଯ୍ୟଙ୍କ ଆଲୋକ ପଡ଼େ ନାହିଁ – ଆଉ ଏହି କାରଣରୁ ଆମେ (ବିଦ୍ୟୁତ) ଆଲୋକରୁ ବଞ୍ଚିତ ରହିଥାଉ,’’ ଆମିନ କୁହନ୍ତି ।

ଏଠାରେ ଛଅ ମାସ ଲମ୍ବା ଶୀତ ଋତୁ ସମୟରେ ଭାରୀ ବରଫପାତ ହୋଇଥାଏ, ଏବଂ ସ୍ଥାନୀୟ ପରିବାରମାନେ ଅକ୍ଟୋବର ଏବଂ ଏପ୍ରିଲ ମାସ ମଧ୍ୟରେ ୧୨୩ କିଲୋମିଟର ଦୂର ଗାନ୍ଦରବଲ ଏବଂ ପାଖାପାଖି ୧୦୮ କିଲୋମିଟର ଦୂର ଶ୍ରୀନଗର ଜିଲ୍ଲାକୁ ପଳାୟନ କରିବାକୁ ବାଧ୍ୟ ହୋଇଥାନ୍ତି । ଶମିନାଙ୍କ ପଡ଼ୋଶୀ ଆଫରୀନ ବେଗମ ଏହାକୁ ମୋ ପାଇଁ ସ୍ପଷ୍ଟ ଭାବେ କହିଥାନ୍ତି : ‘‘ଆମେ ଅକ୍ଟୋବର ମଧ୍ୟ ଭାଗ କିମ୍ବା ଶେଷ ବେଳକୁ ଗାଁ ଛାଡ଼ିବା ଆରମ୍ଭ କରିଦେଇଥାଉ। ନଭେମ୍ବର ମାସ ପରେ ଏଠାରେ ରହିବା କଷ୍ଟକର ହୋଇଯାଏ। ଆପଣ ଯେଉଁ ସ୍ଥାନରେ ଛିଡ଼ା ହୋଇଛନ୍ତି, ସେହି ସ୍ଥାନ ଏପର୍ଯ୍ୟନ୍ତ ବରଫରେ ଢାଙ୍କି ହୋଇଯାଏ,’’ ସେ ମୋ ମୁଣ୍ଡ ଆଡ଼କୁ ଇସାରା କରି କୁହନ୍ତି ।

ଏହାର ଅର୍ଥ ହେଉଛି, ପ୍ରତି ଛଅ ମାସରେ ଥରେ ଘରଠାରୁ ଦୂର କୌଣସି ଏକ ନୂଆ ସ୍ଥାନରେ ଯାଇ ରହିବା ଏବଂ ଶୀତ ଋତୁ ସରିବା ପରେ ପୁଣି ଘରକୁ ଫେରିବା। କିଛି ଲୋକଙ୍କ ସମ୍ପର୍କୀୟମାନେ ସେଠାରେ (ଗାନ୍ଦରବାଲ କିମ୍ବା ଶ୍ରୀନଗର) ଅଛନ୍ତି, ଅନ୍ୟ କିଛି ଲୋକ ଛଅ ମାସ ପାଇଁ ଘର ଭଡ଼ା ନେଇ ରହିଥାନ୍ତି,’’ ଖଇରୀ ରଙ୍ଗର ଫେରାନ ପିନ୍ଧିଥିବା ଶମିନା କୁହନ୍ତି । ଫେରାନ ହେଉଛି ଏକ ଉଲରେ ବୁଣା ହୋଇଥିବା ପୋଷାକ ଯାହା କାଶ୍ମୀରୀମାନଙ୍କୁ ଗରମ ରଖିଥାଏ। ‘‘ଦଶ ଫୁଟ ଉଚ୍ଚ ବରଫ ବ୍ୟତୀତ ଆଉ କିଛି ଦେଖାଦିଏ ନାହିଁ । ବର୍ଷର ସେହି ସମୟ ନଆସିବା ପର୍ଯ୍ୟନ୍ତ, ଆମେ ଗାଁରୁ ପ୍ରାୟତଃ ବାହାରି ନଥାଉ।’’

ଶମିନାଙ୍କର ୨୫ ବର୍ଷୀୟ ସ୍ୱାମୀ ଗୁଲାମ ମୁସା ଖାନ ଦିନ ମଜୁରିଆ ଭାବେ କାମ କରନ୍ତି । ଶୀତ ଦିନରେ ସେ ପ୍ରାୟତଃ ହାତ ବାନ୍ଧି ବସିଥାନ୍ତି । ‘‘ଆମେ ଏଠି ୱଜିରିଥାଲରେ ଥିବା ସମୟରେ ସେ, ବଦୁଗାମ ନିକଟରେ କିମ୍ବା ବାନ୍ଦିପୋରା ସହରରେ କାମ କରିଥାନ୍ତି । ସେ ମୁଖ୍ୟତଃ ସଡ଼କ ନିର୍ମାଣ ପ୍ରକଳ୍ପରେ କାମ କରନ୍ତି, କିନ୍ତୁ ବେଳେ ବେଳେ ତାଙ୍କୁ ନିର୍ମାଣସ୍ଥଳୀରେ ମଧ୍ୟ କାମ ମିଳିଯାଏ। କାମ ମିଳିଲେ ସେ ପ୍ରତିଦିନ ପାଖାପାଖି ୫୦୦ ଟଙ୍କା ରୋଜଗାର କରିଥାନ୍ତି । କିନ୍ତୁ ମାସରେ ହାରାହାରୀ ପାଞ୍ଚ କିମ୍ବା ଛଅ ଦିନ ବର୍ଷା ହେବା କାରଣରୁ ତାଙ୍କୁ ଘରେ ବସିବାକୁ ପଡ଼ିଥାଏ,’’ ଶମିନା କୁହନ୍ତି । କାମ ମିଳିବା ଉପରେ ନିର୍ଭର କରି, ଗୁଲାମ ମୁସା ମାସିକ ପ୍ରାୟ ୧୦,୦୦୦ ଟଙ୍କା ରୋଜଗାର କରିଥାନ୍ତି ବୋଲି ସେ କୁହନ୍ତି ।

‘‘କିନ୍ତୁ ଆମେ ଯେତେବେଳେ ଗାନ୍ଦରବଲ ଯାଇଥାଉ, ସେ ଅଟୋ ରିକ୍ସା ଚଳାଇଥାନ୍ତି । ସେ ଏହାକୁ ଶ୍ରୀନଗର ନେଇ ଭଡ଼ାରେ ଲଗାଇଥାନ୍ତି । ସେଠାକାର ଶୀତଋତୁ ସାରା ଦୁନିଆରୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ସେଠି ମଧ୍ୟ ସେ ଅଳ୍ପ ବହୁତ ସେତିକି (ମାସିକ ୧୦,୦୦୦ ଟଙ୍କା) ରୋଜଗାର କରିଥାନ୍ତି, କିନ୍ତୁ ସେଠାରେ ଆମେ କିଛି ଟଙ୍କା ସଞ୍ଚୟ କରିପାରିନଥାଉ, ସେ କୁହନ୍ତି । ୱଜିରିଥାଲ ଅପେକ୍ଷା ଗାନ୍ଦରବଲରେ ଭଲ ପରିବହନ ସୁବିଧା ରହିଛି ।

Houses in the village made of deodar wood
PHOTO • Jigyasa Mishra
Yak horns decorate the main entrance of houses in Wazirithal, like this one outside Amin’s house
PHOTO • Jigyasa Mishra

ବାମ : ଗାଁର ଘରଗୁଡ଼ିକ ଦେଓଦର କାଠରେ ତିଆରି । ଡାହାଣ : ଆମିନଙ୍କ ଘର ବାହାରେ ଯେମିତି ଗୋଟିଏ ରହିଛି , ସେହିପରି ଚମରି ଗାଈଙ୍କ ଆଳଙ୍କରିକ ଶିଂଘ ଘରର ମୁଖ୍ୟ ପ୍ରବେଶପଥରେ ଲାଗିଥାଏ

‘‘ଆମ ପିଲାମାନେ କେବଳ ସେଠାରେ (ଗାନ୍ଦରବାଲରେ) ରହିବାକୁ ଚାହାନ୍ତି,’’ ଶମିନା କୁହନ୍ତି, ‘‘ସେମାନେ ଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ପାଆନ୍ତି । ବିଦ୍ୟୁତ ସମସ୍ୟା ମଧ୍ୟ ସେଠି ନାହିଁ । କିନ୍ତୁ ସେଠାରେ ଆମକୁ ଭଡ଼ା ଦେବାକୁ ପଡ଼ିଥାଏ। ଆମେ ଏଠାରେ (ୱଜିରିଥାଲ)ରେ ରହୁଥିବା ସମୟରେ କିଛି ଟଙ୍କା ସଞ୍ଚୟ କରିପାରିଥାଉ।’’ ଗାନ୍ଦରବାଲରେ ସେମାନଙ୍କୁ ସଉଦା କିଣିବା ପାଇଁ ଅତିରିକ୍ତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। କିନ୍ତୁ ୱଜିରିଥାଲରେ, ଶମିନା ଅତି କମ୍‌ରେ ବାଡ଼ିରେ ନିଜ ପରିବାର ଚଳିବା ପାଇଁ କିଛି ପନିପରିବା ଚାଷ କରିପାରନ୍ତି । ତା’ଛଡ଼ା ସେମାନେ ନିଜ ଘରେ ହିଁ ରହିଥାନ୍ତି। କିନ୍ତୁ ଗାନ୍ଦରବାଲରେ ସେମାନେ ରହୁଥିବା ଘର ଭଡ଼ା ବାବଦରେ ମାସିକ ୩,୦୦୦ରୁ ୩,୫୦୦ ଟଙ୍କା ପାଖାପାଖି ଦେବାକୁ ହୋଇଥାଏ।

‘‘ନିଶ୍ଚିତ ଭାବେ ସେଠାରେ ଆମେ ରହୁଥିବା ଘରଗୁଡ଼ିକ ଏଠାକାର ଘର ଭଳି ସେତେ ବଡ଼ ନୁହେଁ, କିନ୍ତୁ ସେଠି ଭଲ ଡାକ୍ତରଖାନା ଅଛି ସଡ଼କ ମଧ୍ୟ ଆହୁରି ଭଲ ସ୍ଥିତିରେ ରହିଛି । ସେଠି ସବୁକିଛି ଉପଲବ୍ଧ କିନ୍ତୁ ସେଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ ହୁଏ। ସବୁପରେ, ତାହା ଆମର ନିଜ ଘର ନୁହେଁ,’’ ଶମିନା ପରୀକୁ କହିଥିଲେ । ଏହି ଖର୍ଚ୍ଚ କାରଣରୁ, ଗତ ଲକଡାଉନ ସମୟରେ ଶମିନାଙ୍କ ପ୍ରଥମ ଗର୍ଭାବସ୍ଥାର ଅନ୍ତିମ ତିନି ମାସ ସେହି ପରିବାରକୁ ୱଜିରିଥାଲରେ ରହିବାକୁ ବାଧ୍ୟ ହେବାକୁ ପଡ଼ିଥିଲା।

ମାର୍ଚ୍ଚ ୨୦୨୦ରେ ଯେତେବେଳେ ଲକଡାଉନ ଆରମ୍ଭ ହେଲା, ମୁଁ ସେତେବେଳେ ସାତ ମାସର ଗର୍ଭବତୀ ଥିଲି, ପେଟରେ ଫରହାଜ୍‌ ବଢ଼ୁଥିଲା। ସେ ମହାମାରୀର ଉତ୍ପାଦ,’’ ସ୍ମିତ ହସି ଶମିନା କୁହନ୍ତି । ‘‘ଏପ୍ରିଲ ଦ୍ୱିତୀୟ ସପ୍ତାହରେ, ଆମେ ଏକ ଗାଡ଼ି ଭଡ଼ା କରି ଘରକୁ ଚାଲି ଆସିଲୁ କାରଣ ବିନା ଆୟରେ ଗାନ୍ଦରବାଲରେ ରହିବା କଷ୍ଟକର ହୋଇପଡ଼ିଥିଲା। ଆମେ ଘରଭଡ଼ା ଓ ଖାଇବା ପାଇଁ ଟଙ୍କା ଖର୍ଚ୍ଚ କରିପାରୁନଥିଲୁ,’’ ସେ କୁହନ୍ତି ।

‘‘କେହି ଜଣେ ହେଲେ ପର୍ଯ୍ୟଟକ ନଥିଲେ। ମୋ ସ୍ୱାମୀ କିଛି ରୋଜଗାର କରିପାରୁନଥିଲେ। ନିଜ ଔଷଧ ଏବଂ ତେଜରାତି ସାମଗ୍ରୀ କିଣିବା ଲାଗି ଆମେ ସମ୍ପର୍କୀୟଙ୍କଠାରୁ କିଛି ଟଙ୍କା ଉଧାର ନେଲୁ। ଅବଶ୍ୟ ଆମେ ସେମାନଙ୍କୁ ସେହି ଉଧାର ପରିଶୋଧ କରିସାରିଛୁ । ଆମ ଘର ମାଲିକଙ୍କ ପାଖରେ ନିଜର ଗାଡ଼ି ଥିଲା ଏବଂ ମୋ ଅବସ୍ଥା ଦେଖି ସେ ୧୦୦୦ ଟଙ୍କା ସହିତ ତେଲ ଖର୍ଚ୍ଚ ରଖି ଆମକୁ ତାଙ୍କ ଗାଡ଼ିରେ ଯିବାକୁ ଦେଇଥିଲେ। ଏପରି ଭାବେ ଆମେ ଘରକୁ ଫେରିବାରେ ସକ୍ଷମ ହେଲୁ।’’

କିନ୍ତୁ ଏଠି ୱଜିରିଥାଲରେ, କେବଳ ଅନିୟମିତ ବିଦ୍ୟୁତ ଯୋଗାଣ ଏକ ସମସ୍ୟା ନୁହେଁ ବରଂ ଗାଁ ଏବଂ ଆଖପାଖ ଅଞ୍ଚଳର ସଡ଼କ ଏବଂ ଚିକିତ୍ସା ସୁବିଧାର ଅଭାବ ରହିଛି। ୱଜିରିଥାଲଠାରୁ ପାଞ୍ଚ କିଲୋମିଟର ଦୂରରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି) ରହିଛି । କିନ୍ତୁ ସେଠି ସାଧାରଣ ପ୍ରସବ ଭଳି ମାମଲା ପରିଚାଳନା କରିବା ଲାଗି ସ୍ୱାସ୍ଥ୍ୟ କର୍ମୀଙ୍କର ଅଭାବ ରହିଛି ।

‘‘ବଡ଼ଗାମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କେବଳ ଜଣେ ନର୍ସ ଅଛନ୍ତି । ସେମାନେ କେଉଁଠି ପ୍ରସବ କରାଇବେ?’’ ୱଜିରିଥାଲରେ ଜଣେ ଅଙ୍ଗନୱାଡ଼ି କର୍ମୀ ରାଜା ବେଗମ (୫୪) ପ୍ରଶ୍ନ କରିଥାନ୍ତି । ‘‘ଏହା ଏକ ଜରୁରି ପରିସ୍ଥିତି ହୋଇଥାଉ, କିମ୍ବା ଏକ ଗର୍ଭପାତ, ପୁଣି ପିଲା ନଷ୍ଟ ହୋଇଯିବା ସମସ୍ୟା (ମିସକ୍ୟାରେଜ), ପ୍ରତ୍ୟେକ ମାମଲାରେ ଗୁରେଜ ପର୍ଯ୍ୟନ୍ତ ଦୌଡ଼ିବାକୁ ପଡ଼ିଥାଏ। କୌଣସି ମାମଲାରେ ଅସ୍ତ୍ରୋପଚାର ଆବଶ୍ୟକ ହେଲେ, ସେମାନଙ୍କୁ ଶ୍ରୀନଗରର ଲାଲ୍ ଡେଡ୍ ଡାକ୍ତରଖାନାକୁ ଯିବାକୁ ପଡ଼ିଥାଏ। ଅର୍ଥାତ୍‌ ଗୁରେଜ ଠାରୁ ୧୨୫ କିଲୋମିଟର ଦୂର ଯିବାକୁ ପଡ଼ିଥାଏ ଏବଂ ଏହି କଠିନ ପାଗରେ ସେଠାକୁ ଯିବା ଲାଗି ୯ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିପାରେ ।’’

Shameena soaking in the mild morning sun with her two children
PHOTO • Jigyasa Mishra
Raja Begum, the anganwadi worker, holds the information about every woman in the village
PHOTO • Jigyasa Mishra

ବାମ : ସକାଳର ହାଲୁକା ଖରାରେ ଶମିନା ନିଜ ଦୁଇ ପିଲାଙ୍କ ସହିତ ଘର ବାହାରେ ଖରା ଖାଉଛନ୍ତି । ଡାହାଣ : ଅଙ୍ଗନୱାଡ଼ି କର୍ମୀ ରାଜା ବେଗମଙ୍କ ପାଖରେ ଗାଁର ପ୍ରତି ମହିଳାଙ୍କ ବିଷୟରେ ସୂଚନା ରହିଛି

ଶମିନା କୁହନ୍ତି ଯେ, ଗୁରେଜ ସିଏଚସି ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଅତି ଖରାପ। ଶମିନା ୨୦୨୦ରେ ନିଜ ଗର୍ଭାବସ୍ଥାର ଅନୁଭୂତିକୁ ବର୍ଣ୍ଣନା କରି କହିଥାନ୍ତି, ‘‘ଡାକ୍ତରଖାନାକୁ ଯିବା ଏବଂ ଫେରିବା ଲାଗି ଦୁଇ ପଟରୁ ଦୁଇ ଘଣ୍ଟା ଲେଖାଏଁ ସମୟ ଲାଗିଥାଏ। ଆହୁରି ଡାକ୍ତରଖାନା (ସିଏଚସି)ରେ ମୋ ସହ ଯେମିତି ବ୍ୟବହାର କରାଗଲା...! ଜଣେ ସଫେଇ କର୍ମୀ ହିଁ ପିଲା ଜନ୍ମ କରାଇବାରେ ମୋତେ ସହାୟତା କରିଥିଲେ। ପ୍ରସବ ସମୟରେ କିମ୍ବା ପ୍ରସବ ପରେ କୌଣସି ଡାକ୍ତର ମୋତେ ଦେଖିବାକୁ ଆସିଲେ ନାହିଁ।’’

ଗୁରେଜସ୍ଥିତ ପିଏଚସି ଏବଂ ସିଏଚସି ଉଭୟ ସ୍ଥାନରେ ଦୀର୍ଘ ସମୟ ଧରି ସାଧାରଣ ଚିକିତ୍ସକ, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଏବଂ ଶିଶୁ-ରୋଗ ବିଶେଷଜ୍ଞଙ୍କ ଭଳି ଡାକ୍ତର ପଦବୀ ଖାଲି ପଡ଼ିଛି। ରାଜ୍ୟର ଗଣମାଧ୍ୟମରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ହୋଇଛି। ରାଜା ବେଗମ କୁହନ୍ତି ଯେ, ପିଏଚସିରେ କେବଳ ପ୍ରାଥମିକ ଚିକିତ୍ସା ଏବଂ ଏକ୍ସ-ରେ ସୁବିଧା ରହିଛି। ଏହାଠାରୁ ଅଧିକ କିଛି ହୋଇଥିଲେ ଏଠାରୁ ୩୨ କିଲୋମିଟର ଦୂର ଗୁରେଜ ସିଏଚସିକୁ ଯିବା ଲାଗି ରୋଗୀଙ୍କୁ ପରାମର୍ଶ ଦିଆଯାଏ।

କିନ୍ତୁ ଗୁରେଜ ସିଏଚସିର ଅବସ୍ଥା ମଧ୍ୟ ଦୟନୀୟ ସ୍ଥିତିରେ ରହିଛି । ବ୍ଲକ୍‌ ଚିକିତ୍ସା ଅଧିକାରୀଙ୍କ ରିପୋର୍ଟ (ସେପ୍ଟେମ୍ବର ୨୦୨୨ରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ)ରେ କୁହାଯାଇଛି ଯେ, ବ୍ଲକରେ ୧୧ ଜଣ ଚିକିତ୍ସା ଅଧିକାରୀ, ୩ ଜଣ ଦନ୍ତ ଚିକିତ୍ସକ, ୩ ସାଧାରଣ ଚିକିତ୍ସକ ସହିତ ବିଶେଷଜ୍ଞ, ଜଣେ ଶିଶୁ ରୋଗ ବିଶେଷ ଡାକ୍ତର ଏବଂ ଜଣେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ରହିଛି । ଖାଲି ଥିବା ପଦବୀ ପୂରଣ କରିବା ପ୍ରକ୍ରିୟାରେ ସୁଧାର ଆସିଛି ବୋଲି ନୀତି ଆୟୋଗଙ୍କ ହେଲଥ ଇଣ୍ଡେକ୍ସ ରିପୋର୍ଟରେ ଦିଆଯାଇଥିବା ତଥ୍ୟକୁ ଏହା ଖଣ୍ଡନ କରୁଛି।

ଶମିନାଙ୍କ ଘର ଠାରୁ ୫-୬ଟି ଘର ଛାଡ଼ି ଆଫରିନ (୪୮) ରୁହନ୍ତି, ତାଙ୍କର ନିଜର ମଧ୍ୟ ଏକ କାହାଣୀ ରହିଛି। ‘‘ମେ ୨୦୧୬ରେ ଯେତେବେଳେ ମୋତେ ପିଲା ଜନ୍ମ କରିବା ଲାଗି ଗୁରେଜ ସିଏଚସିକୁ ଯିବାକୁ ପଡ଼ିଲା, ମୋ ସ୍ୱାମୀ ମୋତେ ନିଜ ପିଠିରେ ବସାଇ ଗାଡ଼ି ପର୍ଯ୍ୟନ୍ତ ନେଇ ଯାଇଥିଲେ। ଅବଶ୍ୟ ମୋ ମୁହଁ ବିପରୀତ ଦିଗକୁ ଥିଲା। ମୋ ପାଖରେ ସେଠାରୁ ୩୦୦ ମିଟର ଦୂରରେ ଛିଡ଼ା ହୋଇଥିବା ସୁମୋ ଗାଡ଼ି ପର୍ଯ୍ୟନ୍ତ ଯିବାକୁ ଅନ୍ୟ କୌଣସି ରାସ୍ତା ନଥିଲା। ଆମେ ଏ ଗାଡ଼ିକୁ ଭଡ଼ାରେ ଆଣିଥିଲୁ,’’ ସେ ଊର୍ଦ୍ଦୁ ମିଶା କାଶ୍ମୀରୀ ଭାଷାରେ ମୋତେ କହିଥିଲେ । ‘‘ଏହା ପାଞ୍ଚ ବର୍ଷ ପୁରୁଣା କଥା, କିନ୍ତୁ ଏବେ ସେମିତି ପରିସ୍ଥିତି ନାହିଁ । ଏବେ ତ’ ଆମ ଧାଈଙ୍କୁ ମଧ୍ୟ ବୟସ ହୋଇଗଲାଣି ଏବଂ ସେ ଅଧିକାଂଶ ସମୟରେ ଅସୁସ୍ଥ ରହୁଛନ୍ତି।’’

ଆଫରୀନ ଯେଉଁ ଧାଈଙ୍କ କଥା କହୁଛନ୍ତି ସେ ଶମିନାଙ୍କ ମା’। ଶମିନା ଜଣେ ବୃଦ୍ଧା ମହିଳାଙ୍କ ଆଡ଼କୁ ଇସାରା କରନ୍ତି, ଯିଏକି ଆମ ଠାରୁ ୧୦୦ ମିଟର ଦୂରରେ ରହି ନିଜ କୋଳରେ ଏକ ଛୋଟ ଶିଶୁକୁ ଧରି ଗୀତ ଗାଉଛନ୍ତି। ‘‘ପ୍ରଥମ ପିଲାକୁ ଜନ୍ମ ଦେବା ପରେ ମୁଁ ଭାବି ନେଇଥିଲି ଯେ ଭବିଷ୍ୟତରେ କେବଳ ଘରେ ହିଁ ପିଲାଙ୍କୁ ଜନ୍ମ ଦେବି,’’ ଶମିନା କହିଥିଲେ । ସେ ଆହୁରି କହିଥିଲେ, ‘‘ଆଉ ଯଦି ମୋ ମା’ ନଥାନ୍ତେ, ତା’ହେଲେ ଦ୍ୱିତୀୟ ଗର୍ଭ ସମୟରେ ମୋତେ ଯେତେବେଳେ ପ୍ରସବ ଯନ୍ତ୍ରଣା ହେଲା ସେ ସମୟରେ ମୋର ବଞ୍ଚିବା ମଧ୍ୟ କଷ୍ଟକର ହୋଇଯାଇଥିଲା। ସେ ଜଣେ ଧାଈ ହୋଇଥିବାରୁ ଗାଁର ଅନ୍ୟ ମହିଳାମାନଙ୍କ ସହ ମିଶି ମୋର ସହାୟତା କରିଥିଲେ ।

Shameena with her four-month-old daughter Rashida that her mother, Jani Begum, helped in birthing
PHOTO • Jigyasa Mishra
Jani Begum, the only midwife in the village, has delivered most of her grand-children. She sits in the sun with her grandchild Farhaz
PHOTO • Jigyasa Mishra

ବାମ : ଶମିନା ନିଜର ଚାରି ମାସର ଝିଅ ରଶିଦା ସହିତ , ଯାହାକୁ ଜନ୍ମ ଦେବାରେ ତାଙ୍କ ମା ଜାନୀ ବେଗମ ସହାୟତା କରିଥିଲେ । ଡାହାଣ : ଜାନୀ ବେଗମ , ଗାଁର ଏକମାତ୍ର ଧାଈ । ସେ ନିଜର ଅଧିକାଂଶ ନାତିନାତୁଣୀଙ୍କ ପ୍ରସବ ନିଜେ ହିଁ କରାଇଛନ୍ତି । ସେ ନିଜ ନାତି ଫରହାଜଙ୍କ ସହିତ ଖରା ପୋଉଁଛନ୍ତି

ଶମିନାଙ୍କ ମା’ ଜାନୀ ବେଗମ (୭୧ ବର୍ଷୀୟା) ବାଦାମୀ ରଙ୍ଗର ଫେରାନ ପିନ୍ଧି ଘର ବାହାରେ ବସିଛନ୍ତି ଏବଂ ଗାଁର ଅନ୍ୟ ମହିଳାଙ୍କ ଭଳି ତାଙ୍କ ମୁଣ୍ଡରେ ମଧ୍ୟ ଓଢ଼ଣୀ ରହିଛି। ତାଙ୍କ ମୁଖମଣ୍ଡଳରେ ଥିବା ଦାଗ, ତାଙ୍କ ଅଭିଜ୍ଞତାକୁ ପରିପ୍ରକାଶ କରୁଛି। ‘‘ଗତ ୩୫ ବର୍ଷ ଧରି ମୁଁ ଏହି କାମ କରି ଆସୁଛି। ଅନେକ ବର୍ଷ ପୂର୍ବରୁ, ମୋ ମା’ ଯେତେବେଳେ ଅନ୍ୟ ମହିଳାଙ୍କର ପ୍ରସବ କରାଇବାକୁ ଯାଉଥିଲେ, ମୁଁ ତାଙ୍କୁ ସହାୟତା କରିବାକୁ ସାଥୀରେ ଯାଉଥିଲି। ତେଣୁ, ସବୁ ଦେଖି, ଅଭ୍ୟାସ କରି ମୁଁ ଏହି କାମ ଶିଖିପାରିଛି । ସହାୟତା କରିବାକୁ ସକ୍ଷମ ହେବା ସମ୍ମାନର ବିଷୟ।’’

ଜାନୀ ନିଜର ଜୀବନ କାଳ ମଧ୍ୟରେ ଏଠାରେ ହେଉଥିବା ଧୀର ପରିବର୍ତ୍ତନକୁ ଦେଖିଛନ୍ତି, କିନ୍ତୁ ଏହା ଯଥେଷ୍ଟ ନୁହେଁ। ‘‘ଆଜିକାଲି ପ୍ରସବରେ ବିପଦ କମ୍‌ ରହିଥାଏ, କାରଣ ଏବେ ମହିଳାମାନଙ୍କୁ ଆଇରନ ବଟିକା ଏବଂ ଅନ୍ୟ ଜରୁରି ପୋଷକ ଆହାର ଦିଆଯାଉଛି, କିନ୍ତୁ ପୂର୍ବରୁ ଏମିତି ନଥିଲା।’’ ‘‘ହଁ, ଏବେ ସାମାନ୍ୟ ପରିବର୍ତ୍ତନ ଆସିଛି, କିନ୍ତୁ ଏବେ ସୁଦ୍ଧା ଅନ୍ୟ ଗାଁ ଭଳି ସ୍ଥିତି ଏଠାରେ ନାହିଁ । ଆମ ଝିଅମାନେ ଏବେ ପାଠ ପଢ଼ୁଛନ୍ତି, କିନ୍ତୁ ଆଜି ବି ଭଲ ଚିକିତ୍ସା ସୁବିଧା ଆମ ପାଖରେ ପହଞ୍ଚି ପାରି ନାହିଁ । ଆମ ପାଖରେ ଡାକ୍ତରଖାନା ଅଛି, କିନ୍ତୁ ଜରୁରିକାଳୀନ ପରିସ୍ଥିତିରେ ସେଠାରେ ଶୀଘ୍ର ପହଞ୍ଚିବା ଲାଗି ରାସ୍ତା ନାହିଁ’’, ସେ କୁହନ୍ତି ।

ଜାନୀ କୁହନ୍ତି, ଗୁରେଜ ସିଏଚସି ବେଶ ଦୂରରେ ରହିଛି, ସେଠାକୁ ଯିବାକୁ ହେଲେ ୫ କିଲୋମିଟର ରାସ୍ତା ଚାଲି ଚାଲି ଯିବାକୁ ପଡ଼ିଥାଏ। ୫ କିଲୋମିଟର ଯିବା ପରେ, ସେଠାରେ ପହଞ୍ଚିବାକୁ ସାଧାରଣ ପରିବହନ ସୁବିଧା ମିଳିଥାଏ। ଆପଣ ମାତ୍ର ଅଧା କିଲୋମିଟର ଦୂର ଚାଲି ଚାଲି ଯିବା ପରେ, ଘରୋଇ ଗାଡ଼ି ପାଇଯିବେ, କିନ୍ତୁ ତା’ର ଖର୍ଚ୍ଚ ଖୁବ୍‌ ଅଧିକ ହୋଇଥାଏ।

‘‘ଶମିନା ନିଜର ଦ୍ୱିତୀୟ ଗର୍ଭର ଶେଷ ତିନି ମାସରେ ଖୁବ୍‌ ଅଧିକ ଦୁର୍ବଳ ହୋଇଯାଇଥିଲା,’’ ଜାନୀ କୁହନ୍ତି । ‘‘ଆମ ଅଙ୍ଗନୱାଡ଼ି କର୍ମୀଙ୍କ ପରାମର୍ଶକ୍ରମେ ଆମେ ତାଙ୍କୁ ଡାକ୍ତରଖାନା ନେଇଯିବାକୁ ଭାବୁଥିଲୁ, କିନ୍ତୁ ଏହି ସମୟରେ ମୋର ଜ୍ୱାଇଁ କାମ ସନ୍ଧାନରେ ବାହାରକୁ ଯାଇଥିଲା। ଏଠାରୁ କୌଣସି ଗାଡ଼ି ମିଳିବା ଅତି କଷ୍ଟ ଥିଲା। ଯଦିଓ ଆମକୁ କୌଣସି ଗାଡ଼ି ମିଳି ମଧ୍ୟ ଯାଉଥିଲା, ତଥାପି ସେଠାରେ ପହଞ୍ଚିବାକୁ ହେଲେ ଗର୍ଭବତୀ ମହିଳାଙ୍କୁ କୋଳରେ ଉଠାଇ ନେବାକୁ ପଡ଼ିଥାନ୍ତା,’’ ସେ କୁହନ୍ତି ।

ଜାନୀଙ୍କ ଉଦାହରଣ ଦେଇ ଆଫରୀନ ବଡ଼ ପାଟିରେ କୁହନ୍ତି, ‘‘ସେ ଚାଲି ଯିବା ପରେ ଆମ ଗାଁର ମହିଳାଙ୍କ ଅବସ୍ଥା କ’ଣ ହେବ? ଏହାପରେ ଆମେ କାହା ଭରସାରେ ରହିବୁ?’’ ସନ୍ଧ୍ୟା ସମୟ। ରାତ୍ରି ଭୋଜନ ପ୍ରସ୍ତୁତ କରିବା ଲାଗି ଶମିନା ନିଜ ଘର ବାହାର ବୁଦାରେ ଅଣ୍ଡା ଖୋଜୁଛନ୍ତି । ସେ କୁହନ୍ତି, ‘‘ମାଈ କୁକୁଡ଼ାମାନେ ସେମାନଙ୍କ ଅଣ୍ଡା ଲୁଚାଇ ଦିଅନ୍ତି । ଅଣ୍ଡା ତରକାରୀ କରିବା ଲାଗି ମୋତେ ସେସବୁ ଖୋଜିବାକୁ ପଡ଼ିବ, ନହେଲେ ଆଜି ରାତିରେ ପୁଣିଥରେ ରାଜମା-ଭାତ ଖାଇବାକୁ ହେବ । ଏ ଗାଁ ଦୂରରୁ ଖୁବ୍‌ ସୁନ୍ଦର ଦେଖାଯାଏ, କାରଣ ଏଠାରେ ଜଙ୍ଗଲ ମଝିରେ ଘର ତିଆରି ହୋଇଛି, କିନ୍ତୁ ପାଖକୁ ଆସି ଦେଖିଲେ ଆମ ଜୀବନ ପ୍ରକୃତରେ କେତେ ଦୟନୀୟ ତାହା ଜଣାପଡ଼ିଥାଏ!’’

ପପୁଲେସନ ଫାଉଣ୍ଡେସନ ଅ ଫ୍‌ ଇଣ୍ଡିଆ ସହଯୋଗରେ ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟ ଦ୍ୱାରା କିଶୋରୀ ଏବଂ ଯୁବ ମହିଳାଙ୍କ ଉପରେ ରାଷ୍ଟ୍ରବ୍ୟାପୀ ଖବର ସଂଗ୍ରହ ପ୍ରକଳ୍ପ ଜାରି ରହିଛି। ଏହାର ଉଦ୍ଦେଶ୍ୟ ହେଉଛି , ସମାଜର ଏହି ବଞ୍ଚିତ ତଥାପି ଗୁରୁତ୍ୱପୂର୍ଣ୍ଣ ସମୁଦାୟଙ୍କ କଥା ଶୁଣିବା ଏବଂ ସାଧାରଣ ଜନତାଙ୍କ ଅନୁଭୂତି ଜାଣିବା ଜରିଆରେ ସେମାନଙ୍କ ସ୍ଥିତିକୁ ସାମ୍ନାକୁ ଆଣିବା ।

ଏହି ସ୍ତମ୍ଭକୁ ପୁନଃପ୍ରକାଶ କରିବାକୁ ଚାହୁଁଛନ୍ତି କି? ଦୟାକରି [email protected] , ଏବଂ [email protected] ଠିକଣାରେ ଇମେଲ କରନ୍ତୁ

ଅନୁବାଦ: ଓଡ଼ିଶାଲାଇଭ୍‍

Jigyasa Mishra

ଜିଜ୍ଞାସା ମିଶ୍ର, ଉତ୍ତର ପ୍ରଦେଶ ଚିତ୍ରକୂଟର ଜଣେ ସ୍ଵାଧୀନ ସାମ୍ବାଦିକ । ସେ ମୁଖ୍ୟତଃ ଗ୍ରାମାଞ୍ଚଳ ପ୍ରସଙ୍ଗରେ, ଭାରତର ବିଭିନ୍ନ ଭାଗରେ ପ୍ରଚଳିତ କଳା ଓ ସଂସ୍କୃତି ଉପରେ ରିପୋର୍ଟ ଦିଅନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Jigyasa Mishra
Editor : Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ପରୀରେ କାର୍ଯ୍ୟରତ ଜଣେ ବରିଷ୍ଠ ସମ୍ପାଦିକା ଯେଉଁଠି ସେ ପରୀର ସୃଜନଶୀଳ ଲେଖା ବିଭାଗର ନେତୃତ୍ୱ ନେଇଥାନ୍ତି। ସେ ମଧ୍ୟ ପରୀ ଭାଷା ଦଳର ଜଣେ ସଦସ୍ୟ ଏବଂ ଗୁଜରାଟୀ ଭାଷାରେ କାହାଣୀ ଅନୁବାଦ କରିଥାନ୍ତି ଓ ଲେଖିଥାନ୍ତି। ସେ ଜଣେ କବି ଏବଂ ଗୁଜରାଟୀ ଓ ଇଂରାଜୀ ଭାଷାରେ ତାଙ୍କର କବିତା ପ୍ରକାଶ ପାଇଛି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Pratishtha Pandya
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE