‘‘ସେଦିନ ରାତିରେ ଯେତେବେଳେ ମୋ’ ଗର୍ଭରୁ ପାଣି ବୋହିଗଲା, ମୋତେ ଖୁବ୍ ଯନ୍ତ୍ରଣା ହୋଇଥିଲା। ଗତ ତିନି ଦିନ ଧରି ବରଫପାତ ହେଉଥିଲା। ଯେତେବେଳେ ଏପରି ହୋଇଥାଏ ଏବଂ ଅନେକ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଆଲୋକ ପଡ଼େ ନାହିଁ, ଆମର ସୌର ପାନେଲ ଚାର୍ଜ ହୁଏ ନାହିଁ।’’ ୨୨ ବର୍ଷୀୟା ଶମିନା ବେଗମ ଜାମ୍ମୁ ଓ କାଶ୍ମୀରର ବାନ୍ଦିପୋର ଜିଲ୍ଲାର ୱଜିରିଥାଲ ଗ୍ରାମରେ ନିଜର ଦ୍ୱିତୀୟ ଶିଶୁ ଜନ୍ମ ସମୟ ବିଷୟରେ ଆଲୋଚନା କରୁଛନ୍ତି । ଏହା ଏମିତି ଏକ ଗ୍ରାମ ଯେଉଁଠି ସୂର୍ଯ୍ୟାଲୋକ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିନଥାଏ, କିମ୍ବା ଏପରିକି ନିୟମିତ ସୂର୍ଯ୍ୟ ଦେଖାଯାଆନ୍ତି ନାହିଁ । ହେଲେ ଗାଁର ଅଧିକାଂଶ ଲୋକ ନିଜ ଇନ୍ଧନର ଏକମାତ୍ର ଉତ୍ସ ଭାବେ ସୌର ଶକ୍ତି ଉପରେ ଭରସା କରିଥାନ୍ତି ।
‘‘ଆମ ଘର ଅଧିକାଂଶ ସମୟରେ ଅନ୍ଧାର ରହିଥାଏ କିନ୍ତୁ ଏକ କିରୋସିନୀ ଲଣ୍ଠନ ପାଇଁ,’’ ଶମିନା ଆଗକୁ କହିବା ଜାରି ରଖିଲେ। ‘‘ତେଣୁ, ମୋ ପଡ଼ୋଶୀମାନେ ସେଦିନ ସନ୍ଧ୍ୟାରେ ଏକାଠି ହୋଇ ଆସିଲେ, ସମସ୍ତଙ୍କ ହାତରେ ନିଜର ଲଣ୍ଠନ ଥିଲା। ସେହି କୋଠରୀରେ ପାଞ୍ଚଟି ଉଜ୍ଜ୍ୱଳ ଅଗ୍ନିଶିଖା ଆଲୋକିତ ହୋଇ ଉଠିଲା, ମୋ ମା’ କୌଣସି ପ୍ରକାର ରଶିଦାଙ୍କୁ ଜନ୍ମ ଦେବାରେ ମୋତେ ସହାୟତା କରିଥିଲେ।’’ ତାହା ଥିଲା ୨୦୨୨ ଏପ୍ରିଲ ମାସର ଗୋଟିଏ ରାତି ।
ବଡ଼ୁଗାମ୍ ଗ୍ରାମ ପଞ୍ଚାୟତ ଅଧୀନରେ ସବୁଠୁ ସୁନ୍ଦର ଗାଁ ମଧ୍ୟରୁ ଗୋଟିଏ ହେଉଛି ୱଜିରିଥାଲ। ଶମିନାଙ୍କ ଘର ପାଖରେ ପହଞ୍ଚିବା ଲାଗି ଶ୍ରୀନଗରଠାରୁ ଗାଡ଼ିରେ ୧୦ ଘଣ୍ଟା ଯାତ୍ରା କରିବାକୁ ପଡ଼େ। ଏହାପରେ ଗୁରେଜ ଉପତ୍ୟାକା ଦେଇ ରାଜଦାନ ପାସ ନିକଟରୁ କଚ୍ଚା ସଡ଼କରେ ସାଢ଼େ ଚାରି ଘଣ୍ଟା ଯାତ୍ରା ଏବଂ ଅଧା ଡଜନ ଚେକ୍ ପୋଷ୍ଟ ଅତିକ୍ରମ କରିବା ପରେ ଶେଷକୁ ୧୦ ମିନିଟ ପାଦରେ ଚାଲି ଚାଲି ଗଲେ ଯାଇ ଶମିନାଙ୍କ ଘର ପାଖରେ ପହଞ୍ଚି ହୁଏ। ଏହା ହିଁ ଏକମାତ୍ର ମାର୍ଗ ।
ଗୁରେଜ ଉପତ୍ୟାକାରେ ଥିବା ଏହି ଗାଁ ନିୟନ୍ତ୍ରଣ ରେଖାଠାରୁ ମାତ୍ର ଅଳ୍ପ କେତେ ମାଇଲ ଦୂରରେ ରହିଛି । ଗାଁରେ ୨୪ଟି ପରିବାର ରୁହନ୍ତି। ସମସ୍ତଙ୍କ ଘର ଦେଓଦର କାଠରେ ତିଆରି ଏବଂ ସେଥିରେ ତାପଜ ଇନସୁଲେସନ ପାଇଁ କାଦୁଅ ପରସ୍ତ ଲିପା ହୋଇଛି। ଚମରି ଗାଈର ପୁରୁଣା ଶିଂଘ, କିଛି ଅସଲି, ଆଉ କିଛି ସବୁଜ ରଙ୍ଗ ଦିଆଯାଇଥିବା କାଠର ପ୍ରତିକୃତି, ଏଠାରେ ଘରର ମୁଖ୍ୟ ଦ୍ୱାରରେ ଟଙ୍ଗା ହୋଇଛି । ଅଧିକାଂଶ ଘରର ଝରକାଗୁଡ଼ିକୁ ଖୋଲିଲେ ସୀମା ଆରପଟେ ଥିବା ଦୃଶ୍ୟ ଦେଖିବାକୁ ମିଳିଥାଏ।
ଶମିନା ନିଜ ଘର ବାହାରେ ପଡ଼ିଥିବା କାଠ ଗଦା ଉପରେ ନିଜର ଦୁଇ ପିଲା – ୨ ବର୍ଷ ବୟସ୍କ ଫରହାଜ୍ ଏବଂ ଚାରି ମାସର ରାଶିଦା (ଛଦ୍ମନାମ)ଙ୍କ ସହିତ ବସି ସନ୍ଧ୍ୟାର ଶେଷ ସୂର୍ଯ୍ୟ କିରଣରୁ ଉତ୍ତାପ ନେବାକୁ ଚେଷ୍ଟା କରୁଛନ୍ତି । ‘‘ମୋ ମା’ ମୋତେ କହିଛନ୍ତି ମୋ ଭଳି ପ୍ରସୂତୀ ମା’ମାନେ ନିଜର ନବଜାତ ଶିଶୁ ସହ ସକାଳ ଓ ସନ୍ଧ୍ୟାରେ ଖରାରେ ବସିବା ଉଚିତ,’’ ସେ କୁହନ୍ତି। ଏହା ଅଗଷ୍ଟ ମାସର ସମୟ। ସମ୍ପୂର୍ଣ୍ଣ ଉପତ୍ୟାକାରେ ଏବେ ସୁଦ୍ଧା ତୁଷାରପାତ ହେବାକୁ ଆହୁରି କିଛିଦିନ ବାକି ରହିଛି । କିନ୍ତୁ ବାଦଲ ଘେରା ଦିନ, ସାମୟିକ ବର୍ଷା ଏବଂ ଦିନେ ଦିନେ ବିନା ସୂର୍ଯ୍ୟୋଦୟ, ବିନା ବିଦ୍ୟୁତରେ ଲୋକମାନଙ୍କୁ ରହିବାକୁ ପଡ଼ୁଛି।









