କାମ ଅଧା ହୋଇଥିଲେ ହେଁ ଧୀରେ ଧୀରେ ସେ ସମଗ୍ର ଜମିକୁ ଫଳବଗିଚାର ରୂପ ଦେଉଛନ୍ତି । କେତେକ ଗଛ ପୂରା ବଡ଼ ହୋଇଗଲେଣି, ଆଉ କେତେକ ଏବେ ଏବେ ଲଗାଯାଇଛି । ଆକାର ଓ ପ୍ରକାର ଭିତ୍ତିରେ ଡାଳିମ୍ବଗୁଡ଼ିକୁ ଭିନ୍ନ ଭିନ୍ନ ପ୍ଲାଷ୍ଟିକ୍ ଝୁଡ଼ିରେ ସୁନ୍ଦର ଭାବେ ସଜାଇ ରଖନ୍ତି ଜଗତାପ ପରିବାର । ବ୍ୟବସାୟୀମାନେ ତାଙ୍କ ବଗିଚାକୁ ଆସି ଡାଳିମ୍ବ କିଣି ନିଅନ୍ତି ।
ମହାରାଷ୍ଟ୍ରର ବିଭିନ୍ନ ବଜାର ଏବଂ ଚେନ୍ନାଇ, ବାଙ୍ଗାଲୋର ଓ କୋଲକାତା ଭଳି ଦୂର ଜାଗାର ବଜାରରେ ତାଙ୍କ ଡାଳିମ୍ବ ପହଞ୍ଚେ ।
ଫଳ ବଗିଚାରୁ ତାଙ୍କୁ ବାର୍ଷିକ ୪୫ ଲକ୍ଷ ଟଙ୍କା ମିଳେ । ସବୁ ଖର୍ଚ୍ଚକୁ ବାଦ ଦେଲେ ତାଙ୍କର ପ୍ରାୟ ୨୪ ଲକ୍ଷ ଟଙ୍କା ଲାଭ ହୁଏ । ଜଗତାପ କହନ୍ତି, “ଗତ ତିନି ବର୍ଷ ହେଲା ମୋର ଉତ୍ପାଦନ ଖର୍ଚ୍ଚର ବେଶୀ ଭାଗ ପାଣି ପାଇଁ ହୋଇଛି ।
ଘରୋଇ ଟ୍ୟାଙ୍କରରୁ ସେ ପାଣି କିଣି ଆସୁଛନ୍ତି କିମ୍ବା ନଳକୂଅ କି ପୋଖରୀ ଖୋଳି ବିଫଳ ହୋଇଛନ୍ତି । ଦୁଇ ବର୍ଷ ହେଲା ଆଦୌ ବର୍ଷା ହୋଇନାହିଁ ।
ସେ କହନ୍ତି, “ମୋର ଦରକାର, ଅଧିକ କିଛି ମାସ ପାଇଁ ପାଣି ରହୁଥିବା ଗୋଟିଏ ଭଲ ଭୂତଳ ଜଳ ଉତ୍ସ ।” ସେ ଏକଥା ବି ଜାଣନ୍ତି ଯେ ସେତିକି ଗଭୀରରୁ ପାଣି ପାଇବାକୁ ହେଲେ ତାଙ୍କୁ ସରକାରୀ ନୀତି ନିୟମ ଉଲ୍ଲଂଘନ କରିବାକୁ ପଡ଼ିବ । “ହେଲେ ମୁଁ ମୋ ଗଛଗୁଡ଼ିକ ଶୁଖି ମରିଯିବାକୁ ଦେବିନାହିଁ ।”
ଏ ଅଞ୍ଚଳରେ ପାଣି ପାଇଁ ଏକୁଟିଆ ଜଗତାପ ଗାତ ଖୋଳୁନାହାନ୍ତି ।
କେନ୍ଦ୍ରୀୟ ମହାରାଷ୍ଟ୍ରର ହଜାର ହଜାର କୃଷକ ନିଜ ନିଜର ଫଳନ୍ତି କ୍ଷେତ ଓ ଫଳବଗିଚାକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି । ଫଳ ଭିତରେ ରହିଛି ବାତାପି, ଡାଳିମ୍ବ, ସପେଟା ଏବଂ ଅମୃତଭଣ୍ଡା ।
ଏବେ ଫେବ୍ରୁଆରୀ ମାସ ଏବଂ ସେମାନଙ୍କ ମଧ୍ୟରୁ ଅନେକ ପାଣିର ଆଶା ଛାଡ଼ି ଦେଲେଣି । ଚାଷଜମି ଓ ଫଳବଗିଚା କଥା ଛାଡ଼ନ୍ତୁ, ଏବେ ପିଇବା ପାଣି ମିଳିବା ଉପରେ ସମସ୍ତଙ୍କର ନଜର ।
୧୯୭୨ରେ ମହାରାଷ୍ଟ୍ରରେ ଉତ୍କଟ ମରୁଡ଼ି ଦେଖାଦେଇଥିଲା । ଏହା ଲୋକଙ୍କ ଅର୍ଥନୈତିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲା ଏବଂ ପ୍ରତ୍ୟେକ କ୍ଷେତ୍ରରେ ସମୃଦ୍ଧ ସମବାୟ ଅର୍ଥନୀତିର ପୁନର୍ଗଠନ ଦିଗରେ ଲୋକେ ସାମୂହିକ ଉଦ୍ୟମ ଆରମ୍ଭ କରିଥିଲେ ।
ଏଠି ହେଉ କି ସେଠି, ରାଜ୍ୟର ଅନେକ ଭାଗରେ ପ୍ରାୟ ସବୁ ବର୍ଷ ମରୁଡ଼ି ଓ ବର୍ଷାଭାବ ଲାଗି ରହିଛି । କିନ୍ତୁ, ଏହି ପ୍ରାକୃତିକ ପ୍ରକ୍ରିୟାକୁ ବର୍ଷ ବର୍ଷ ଧରି ଅଙ୍ଗେ ନିଭାଇଥିବା ଅନେକଙ୍କ ମତରେ ଏଥରର ସ୍ଥିତି ସବୁଠାରୁ ଅଧିକ ଗୁରୁତର ।
ନିକଟରେ ନାଗପୁର ଗସ୍ତରେ ଥିବା ସମୟରେ କେନ୍ଦ୍ର କୃଷି ମନ୍ତ୍ରୀ ଶରଦ ପାୱାର ଏହି ସାମ୍ବାଦିକଙ୍କୁ କହିଥିଲେ, “ଆମର ଖାଦ୍ୟ ଅଛି, ଆମ ପାଖରେ ଅର୍ଥ ଅଛି, ଲୋକଙ୍କୁ ଯୋଗାଇ ଦେବା ପାଇଁ ଆମ ପାଖରେ କାମ ଅଛି, କିନ୍ତୁ ଆମ ପାଖରେ ପାଣି ନାହିଁ।”୧୯୭୨ର ମରୁଡ଼ି ସମୟରେ ଲୋକଙ୍କ ପାଖରେ ଖାଦ୍ୟ କି କାମ ନଥିଲା, କିନ୍ତୁ ସେମାନଙ୍କ ପାଖରେ ପାଣି ଥିଲା ।
ଅଧିକାଂଶ ଅଞ୍ଚଳରେ ବୃଷ୍ଟିପାତ ହାର ହ୍ରାସ ପାଇବା ସହିତ ଗତ ଅକ୍ଟୋବର ମାସରୁ ହିଁ ଏହି ଜଳ ସଂକଟର କଳାବାଦଲ ଘୋଟି ଆସିଥିଲା । ଅକ୍ଟୋବର ଶେଷ ଭାଗରେ ମୌସୁମୀ ଛାଡ଼ି ଆସିବା ବେଳକୁ ରାଜ୍ୟର ୧୨୩ଟି ତହସିଲରେ ମରୁଡ଼ି-ସଦୃଶ ସ୍ଥିତି ଉପୁଜିଛି ବୋଲି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ପୃଥ୍ଵିରାଜ ଚୌହ୍ଵାନ ବାଧ୍ୟ ହୋଇଥିଲେ ।
ଆର୍ଥିକ ସହାୟତା ପାଇଁ ଗତ ନଅ ମାସ ଭିତରେ ମହାରାଷ୍ଟ୍ର ତିନି ଥର କେନ୍ଦ୍ର ସରକାରଙ୍କ ଦ୍ଵାରସ୍ଥ ହୋଇଛି । ପ୍ରଭାବିତ ଅଞ୍ଚଳରେ କ୍ରମାଗତ ତିନି ବର୍ଷ ଧରି ବୃଷ୍ଟିପାତ ହାର ଦୀର୍ଘକାଳୀନ ହାରାହାରି ବୃଷ୍ଟିପାତ ପରିମାଣର ୫୦ ପ୍ରତିଶତରୁ କମ୍ ରହିଛି, ବିକ୍ଷିପ୍ତ ଓ ଅନିୟମିତ ବର୍ଷା ହୋଇଛି ।
ମହାରାଷ୍ଟ୍ରର ଏକ ତୃତୀୟାଂଶ ଛାୟା ବୃଷ୍ଟି ଜୋନ୍ ରୂପେ ପରିଚିତ ଅଞ୍ଚଳରେ, ଯେଉଁଠି ବୃଷ୍ଟିପାତ ଉପରେ ଭରସା କରିହୁଏ ନାହିଁ ଏବଂ ହାରାହାରି ୫୦୦ମି.ମି. କିମ୍ବା ତା’ଠାରୁ କମ୍ ବର୍ଷା ହୋଇଥାଏ । ପାଣିର ଆବଶ୍ୟକତା ପୂରଣ ପାଇଁ ଲୋକେ ଗଭୀର ଗାତ ଖୋଳୁଥିବାରୁ ଏ ଅଞ୍ଚଳର ଭୂତଳ ଜଳ ସାରଣୀ କେଇ ମିଟର ତଳକୁ ଖସିଯାଇଛି ।
ନିକଟରେ ମରାଠୀ ଖବରକାଗଜ ଲୋକମତରେ ଅହମଦ ନଗରର ଲୋକସଭା ସଦସ୍ୟ ବିଠଲ ଗଦାଖ ଲେଖିଥିଲେ ଯେ, ଏହି ମରୁଡ଼ିର ଦୀର୍ଘକାଳୀନ ଏବଂ ବହୁବିଧ ପରିଣତି ଭୋଗିବାକୁ ପଡ଼ିବ ଏବଂ ଏହା ଫଳରେ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ହେବ। କାରଣ, ଏ ବର୍ଷର ପ୍ରାରମ୍ଭରୁ ଉପୁଜିଥିବା ଦୁଃସ୍ଥିତିର ପରିଣାମ ପିଢ଼ି ପରେ ପିଢ଼ି ଧରି ଅନୁଭୂତ ହେବ । ତାଙ୍କ ଜିଲ୍ଲାର ଜିଲ୍ଲା ପରିଷଦ ସଦସ୍ୟ ଥିବା ବେଳେ ଗଦାଖ ୧୯୭୨ର ମରୁଡ଼ି ଦେଖିଥିଲେ । ସେତେବେଳେ ଲୋକେ ଓ ଗୃହପାଳିତ ପଶୁ ମାସ ମାସ ଧରି ଅନାହାରରେ ରହିଥିଲେ ।
ଏକ ଆକଳନ ଅନୁସାରେ ମରୁଡ଼ି ଯୋଗୁଁ ମହାରାଷ୍ଟ୍ର ପ୍ରାୟ ୫ ଲକ୍ଷ ହେକ୍ଟର ଫଳ ବଗିଚା ହରାଇବ ଏବଂ ବ୍ୟକ୍ତିଗତ ଭାବେ ଚାଷୀମାନଙ୍କର ଏହି କ୍ଷତି ପରବର୍ତ୍ତୀ ବର୍ଷଗୁଡ଼ିକରେ ବି ଅନୁଭୂତ ହେବ । କାରଣ, ଡାଳିମ୍ବ କିମ୍ବା ବାତାପି ବଗିଚାରୁ ଆୟ କରିବା ଲାଗି ପ୍ରାୟ ଚାରିରୁ ନଅ ବର୍ଷ ଲାଗିଯାଏ । ଅନେକ ଅଞ୍ଚଳରେ ପାଣି ଅଭାବରୁ ବହୁ ଅଙ୍ଗୁର ବଗିଚା ପୋଡ଼ି ନଷ୍ଟ ହୋଇଯାଇଛି ।
ଶୁଷ୍କ ଜମିରେ ଏବଂ ଜୀବନ ଧାରଣ ପାଇଁ ଚାଷ କରୁଥିବା ଚାଷୀମାନଙ୍କ ଅବସ୍ଥା ଆହୁରି ଶୋଚନୀୟ । ଖରିଫ ଓ ରବି ଚାଷ ଉଭେଇ ଯାଇଛି । ଖାଦ୍ୟ ଶସ୍ୟ ଅମଳ ଠପ୍ ହୋଇଯାଇଛି । ଗୋଖାଦ୍ୟ ଅଭାବ ଯୋଗୁଁ ଗୃହପାଳିତ ପଶୁମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି ।