“ଆମେ ଚିନ୍ତିତ ଥିଲୁ ଯେ ମୃତ୍ୟୁ ପରେ ଆମ ବାପାଙ୍କୁ ଶେଷ ସମ୍ମାନ ମିଳିପାରିବ ନାହିଁ”
ପଞ୍ଚନାଥନ ସୁବ୍ରମଣ୍ୟମଙ୍କ ଦେହାନ୍ତର ଦୁଇ ମାସ ପରେ ମଧ୍ୟ ତାଙ୍କର ପୁଅ ଏସ. ରମେଶ ତଥାପି ଶୋକରେ ଅଧୀର ହୋଇପଡ଼ୁଥାନ୍ତି: “ଆମେ ଯେତେବେଳେ ତାଙ୍କୁ ତାଞ୍ଜାଭୂର ସରକାରୀ ଡାକ୍ତରଖାନାରେ କୋଭିଡ୍ ୧୯ ଲକ୍ଷଣ ହେତୁ ଭର୍ତ୍ତି କରିଥିଲୁ, ଆମେ କେବେ ବି ଭାବିନଥିଲୁ ଯେ ଫେରାଇ ନେବା ବେଳେ ତାଙ୍କ ଶରୀରରେ ଆଉ ଜୀବନ ନଥିବ।”
ଏପରି କିଛି ପରିସ୍ଥିତି ଦେଖାଦେଇଥିଲା ଯେତେବେଳେ ୬୮ ବର୍ଷ ବୟସ୍କ ସୁବ୍ରମଣ୍ୟମ, ଯିଏକି କିଛି ବର୍ଷ ପୂର୍ବରୁ ଭାରତୀୟ ସେନାର କ୍ଲର୍କ ପଦବୀରୁ ଅବସର ନେଇଥିଲେ, ତାଙ୍କୁ ତାଙ୍କର କୌଣସି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ନଥିଲା। “ସେନାବାହିନୀରେ ଯୋଗ ଦେଇ ସେ ଗର୍ବ ଅନୁଭବ କରୁଥିଲେ ଏବଂ ସବୁବେଳେ ତାଙ୍କ ସ୍ୱାସ୍ଥ୍ୟର ଉତ୍ତମ ଯତ୍ନ ନେଉଥିଲେ। ସେ କେବେ ବି ପ୍ରାତଃଭ୍ରମଣ ବନ୍ଦ କରୁନଥିଲେ ଏବଂ ତାଙ୍କ ଖାଦ୍ୟକୁ ନେଇ ବେଶ ସଚେତନ ଥିଲେ”, ୪୦ ବର୍ଷୀୟ ରମେଶ କୁହନ୍ତି, ଯିଏକି ତାମିଲନାଡ଼ୁର କୁମ୍ବକୋଣମ ସହରର ବାସିନ୍ଦା। “ଏପରିକି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସମୟରେ, ଆମେ ଭାବୁଥିଲୁ ସେ ସୁସ୍ଥ ହୋଇଯିବେ।”
କିନ୍ତୁ ଅଗଷ୍ଟ ୧୪ ତାରିଖରେ ଯେବେ ସୁବ୍ରମଣ୍ୟମ ଆରପାରିକୁ ଚାଲିଗଲେ, ରମେଶ ଓ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ-ଖାଲି ତାଙ୍କର ମୃତ୍ୟୁକୁ ନେଇ ନୁହେଁ ଆଉ ଏକ ଚିନ୍ତା ସେମାନଙ୍କୁ ଘାରୁଥିଲା। ସେମାନେ ଦେଖିଥିଲେ କିଭଳି ଭାବେ କୋଭିଡ-19 ମୃତକଙ୍କୁ ବାଚ୍ଛନ୍ଦ କରାଯାଉଛି। ତେଣୁ ଆଗକୁ କ’ଣ କରିବେ ସେ ନେଇ ସେମାନେ ବିବ୍ରତ ହୋଇପଡ଼ିଥିଲେ। “ବନ୍ଧୁ ଓ ସମ୍ପର୍କୀୟମାନଙ୍କଠାରୁ ଆମକୁ ସେତେଟା ସମର୍ଥନ ମିଳିନଥିଲା”, ରମେଶ କୁହନ୍ତି। “ମୁଁ ଭାବୁଥିଲି କରୋନା ଜନିତ ମୃତ୍ୟୁ ଏକ ବଡ଼ ଚିନ୍ତା ହୋଇଥିବାରୁ ଏହା ସ୍ୱାଭାବିକ ଥିଲା।”
ଠିକ୍ ଏହି ସମୟରେ ଏକ ଅପ୍ରତ୍ୟାଶିତ କ୍ଷେତ୍ରରୁ ଅତି ବାସ୍ତବ ସହାୟତା ଆସିଲା-ତାମିଲନାଡ଼ୁ ମୁସଲିମ ମୁନ୍ନେତ୍ର କଡ଼ଗମ- ରାଜ୍ୟର ଏକ ସ୍ୱେଚ୍ଛାସେବୀ ସଂଗଠନ ନିକଟରୁ। ସୁବ୍ରମଣ୍ୟମଙ୍କ ପରଲୋକର ଠିକ ପରେ, ଛଅ ଜଣ ଟିଏମଏମକେ ସ୍ୱେଚ୍ଛାସେବୀ ଆମ ପରିବାରକୁ ସହାୟତାର ହାତ ବଢ଼ାଇଲେ। ସେମାନେ ଡାକ୍ତରଖାନାରୁ ଶବ ଗ୍ରହଣ କରିବା ସହିତ ତାଙ୍କ ସହର କୁମ୍ବକୋଣମରେ ତାଙ୍କୁ ସମ୍ମାନପୂର୍ବକ ସମାଧି (କିଛି ହିନ୍ଦୁ ସମୁଦାୟ ମୃତକମାନଙ୍କୁ ଦାହ ସଂସ୍କାର କରିବା ପରିବର୍ତ୍ତେ ସମାଧି ଦେଇଥାନ୍ତି) ଦେଇଥିଲେ।
ପରିବାର ପାଇଁ ଏହା ଅପ୍ରତ୍ୟାଶିତ ସୌଭାଗ୍ୟ ଆଣିଥିଲା। ମାର୍ଚ୍ଚ ଶେଷ ଭାଗଠାରୁ ତାମିଲନାଡ଼ୁ ଓ ପୁଡୁଚେରୀରେ ଟିଏମଏମକେ ପକ୍ଷରୁ ପ୍ରାୟ ୧,୧୦୦ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସୁବ୍ରମଣ୍ୟମଙ୍କ ମାମଲା ସେଥିମଧ୍ୟରୁ ଗୋଟିଏ ଥିଲା। ଧର୍ମ ଓ ଜାତି ନିର୍ବିଶେଷରେ ମୃତକଙ୍କ ଅନ୍ତ୍ୟେଷ୍ଟି କରାଯାଉଥିଲା-ଧାର୍ମିକ ପରମ୍ପରା ଏବଂ ପରିବାର ଇଚ୍ଛାନୁଯାୟୀ ଅନ୍ତିମ ସଂସ୍କାର ସମ୍ପାଦନ ହେଉଥିଲା। ସୁନିଶ୍ଚିତ କୋଭିଡ-19 ମୃତ୍ୟୁ ମାମଲାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ନିୟମ ଅନୁଯାୟୀ ଆଠ ଫୁଟ ଗାତ ଖୋଳି ଟିଏମଏମକେ ପକ୍ଷରୁ ସମାଧି ଦିଆଯାଉଥିଲା।









