‘ମୋ ଶବ୍ଦ,
ମୋ ଦୁଃଖ,
ଏବଂ ତାର ପ୍ରଭାବରୁ ଉପôତ୍ତି ହୋଇଥିବା କବିତା ହିଁ
କେବଳ ମୋର ପରିଚୟ ’



‘ମୋ ଶବ୍ଦ,
ମୋ ଦୁଃଖ,
ଏବଂ ତାର ପ୍ରଭାବରୁ ଉପôତ୍ତି ହୋଇଥିବା କବିତା ହିଁ
କେବଳ ମୋର ପରିଚୟ ’
ଏମିତି ହିଁ ସୁୟାସ କାମ୍ବଲେ ତାଙ୍କର ଏକ କବିତା ସଂଗ୍ରହରେ ଦେଇଥିବା ପରିଚୟରେ ନିଜକୁ ବ୍ୟାଖ୍ୟା କରିଛନ୍ତି। ୨୦ ବର୍ଷ ବୟସରେ, ସେ ୪୦୦ କବିତା ଲେଖି ସାରିଲେଣି, ସେସବୁର ଶକ୍ତିଶାଳୀ ଶବ୍ଦ ତାଙ୍କର କ୍ରୋଧ ଏବଂ କ୍ଷୋଭ, ତାଙ୍କର ବିଚାରଧାରା ଓ ବିଶ୍ୱାସକୁ ବର୍ଣନା କରୁଛି।
ସୁୟାସ ତାଙ୍କ କବିତାଗୁଡିକୁ “ବୈପ୍ଳବିକ” ବୋଲି କହନ୍ତି ଏବଂ ଜାତି-ଭିତ୍ତିକ ଭେଦଭାବ ଓ ହିଂସା ତାଙ୍କ ଲେଖା ମୁଖ୍ୟ ବିଷୟବସ୍ତୁ ହୋଇଥାଏ। ସେ କହନ୍ତି, “ଗୋଟିଏ ଦଳିତ(ମାହାର) ପରିବାରରେ ଜନ୍ମ ହେବା ତାଙ୍କୁ ସମାଜର ଜାତିବାଦର ମୂଳକୁ ଦେଖାଇ ଦେଇଛି, ଯାହାକି ସ୍ୱାଧୀନତାର ୭୧ ବର୍ଷ ପରେ ବି ରହିଛି। ସମାଜରେ ଜଣେ ବ୍ୟକ୍ତିର ସ୍ଥିତି ତାର ଜାତି ଦ୍ୱାରା ସ୍ଥିରୀକୃତ ହୁଏ। ”
ତାଙ୍କର କବିତା ଗୁଡିକ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ସ୍ୱାଧୀନତା ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ବଢୁଥିବା ଆକ୍ରମଣର ପ୍ରତିକ୍ରିୟା ଏବଂ ଦଳିତ ବୁଦ୍ଧିଜୀବୀ ଦାବିର ବିରୋଧ ଉପରେ ପର୍ଯ୍ୟବସିତ। ଅନ୍ୟ କବିତା ଗୁଡିକ ମଧ୍ୟ ଏକ ବୃହତ୍ ପରିସରକୁ ଛୁଉଁଛି-ମହିଳାଙ୍କ ଉପରେ ଅତ୍ୟାଚାର, ୨୦୧୭ ସେପ୍ଟେମ୍ବରରେ ମୁମ୍ବାଇର ଏଲଫିନଷ୍ଟୋନ୍ ଷ୍ଟେସନରେ ଦଳାଚକଟା , ସମାଜବାଦୀ ନରେନ୍ଦ୍ର ଦାଭୋଲକର ଏବଂ ଗୋବିନ୍ଦ ପାନସାରେଙ୍କ ହତ୍ୟାକୁ ବିରୋଧ ଆଦି ପ୍ରସଙ୍ଗ।
ତାଙ୍କ ବାପା ୫୭ ବର୍ଷ ବୟସ୍କ ଶ୍ୟାମରାଓ କାମ୍ବଲେ ଜଣେ ଚାଷୀ। ତାଙ୍କ ପରିବାର ମହାରାଷ୍ଟ୍ର କୋହ୍ଲାପୁର ଜିଲ୍ଲା ସିରୋଲ ତାଲୁକା ଅଧୀନ ଶିରଦୱାଦ ଗାଁରେ ରହନ୍ତି। ସେମାନଙ୍କର ୧.୭୫ ଏକର ଜମିରେ ୧୫ ମାସ ସମୟ ବ୍ୟବଧାନରେ ୫୫-୬୦ ଟନ୍ ଆଖୁ ଉତ୍ପାଦନ କରନ୍ତି, ସମୟ ସମୟରେ ଖର୍ଚ୍ଚ ତୁଲାଇବା ପାଇଁ ଋଣ କରନ୍ତି, ଏବଂ ଉତ୍ପାଦ ଉପରେ କମ୍ ଲାଭ ପାଆନ୍ତି। ଶ୍ୟାମରାଓ ମଧ୍ୟ ଗାଁ ପାଖରେ ଥିବା ଛୋଟ ସୂତା କଳ ଗୁଡିକରେ ଶ୍ରମିକ ଭାବେ କାମ କରନ୍ତି, ଆଠ ଘଣ୍ଟା ସିଫ୍ଟରେ କାମ କରି ୨୫୦ ଟଙ୍କା ଆୟ କରନ୍ତି।
Sanket Jain
ଓୁୟାସଙ୍କର ମା, ଶକୁନ୍ତଳା, ୫୫ ବର୍ଷ, ଜଣେ ଗୃହିଣୀ, ତାଙ୍କ ଭାଇ ବୁଦ୍ଧଭୂଷଣ, ୨୪, ମୁମ୍ବାଇର ଗୋଟିଏ କଲେଜରେ ଆଇନ ପଢୁଛନ୍ତି, ଆଉ ଜଣେ ଭାଇ, ଶୁଭମ, ୨୨, ଇଚ୍ଛଲକରଞ୍ଜି ସହରରେ ଜଣେ ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି।
ସୁୟାସ ତାଙ୍କ ଗାଁ ଠାରୁ ୧୨ କିଲୋମିଟର ଦୂର ଇଚ୍ଛଲକରଞ୍ଜିରେ ଥିବା ଏକ ରାତ୍ରୀକାଳୀନ କଲେଜରେ ଯୁକ୍ତ ଦୁଇ ପଢୁଛନ୍ତି। ପରିବାରର ଆୟରେ ଯୋଗଦାନ କରିବାକୁ ସେ ଦିନବେଳା ଇଲେକ୍ଟ୍ରିସିଆନ୍ ଭାବେ କାମ କରନ୍ତି। ଏଥିରୁ ସେ ମାସକୁ ପ୍ରାୟ ୨୫୦୦ ଟଙ୍କା ଆୟ କରନ୍ତି। ସେ କହନ୍ତି, “ଜଣେ ଇଲେକ୍ଟ୍ରିସିଆନ୍ ଭାବେ ତାଙ୍କୁ ବହୁ ଘର ବୁଲିବାକୁ ପଡେ, ଲୋକେ ପ୍ରଥମେ ମୋତେ ମୋର ନାଁ ପଚାରନ୍ତି, ଏବଂ ତା ପରେ ଯେଉଁ ପ୍ରଶ୍ନ ଆସେ ତାହା ହେଲା, ତୁମର ସାଙ୍ଗିଆ କଣ ? ବେଳେବେଳେ ତାପରେ ସେମାନେ ମୁଁ ଦଳିତ କି ନୁହେଁ ପଚାରନ୍ତି।”
ସୁୟାସ କହିଲେ, “ଥରେ ସେ ଶିରଦବାଦର ଗୋଟିଏ ଉଚ୍ଚଜାତିର ପରିବାରର ଘରୋଇ ମନ୍ଦିରରେ କେତେକ ଫିଟିଂ ମରାମତି କରିବାକୁ ଯାଇଥିଲେ। ମୋର ଜାତି ବାବଦରେ ପଚାରିବା ପରେ, ତୁରନ୍ତ ସେମାନେ ଦେବଦେବୀଙ୍କ ମୂର୍ତ୍ତିକୁ ଏକ କପଡାରେ ଘୋଡେଇ ପକାଇଲେ।” ଅନ୍ୟ ଏକ କାମରେ ସେ ମନେ ପକାଇଲେ, “ଛାତ ଉପରେ କାମ କରିବା ବେଳେ ବି ମୋତେ ମୋର ରବର ଚପଲକୁ ଓହ୍ଲାଇବାକୁ କହିଲେ(ଯାହାକୁ ସେ କୌଣସି ବିଦ୍ୟୁତ୍ ଆଘାତରୁ ବଞ୍ଚିବା ପାଇଁ ପିନ୍ଧନ୍ତି)। ମୁଁ ଯେତେବେଳେ ମନାକଲି, ସେଠାରେ ଥିବା ମହିଳା କହିଲେ, ତୁମକୁ ଘରେ କିଛି ଶିଖାଯାଇନାହିଁ କି? ‘ତୁମ ଭଳି ଦଳିତ ଲୋକମାନେ ସବୁବେଳେ ଏମିତି ବ୍ୟବହାର କର’।”
ଏବଂ ସେ ମନେ ପକାନ୍ତି, “ସାଧାରଣତଃ, ଯେତେବେଳେ ଅନ୍ୟ ଉଚ୍ଚ ଜାତିର ଶ୍ରମିକଙ୍କୁ ଧାତବ ବାସନରେ ଖାଦ୍ୟ ବା ପାଣି ଦିଅନ୍ତି, ମୋତେ ସବୁବେଳେ ଥରେ ବ୍ୟବହୃତ ହେଉଥିବା ପ୍ଲେଟରେ ଖାଇବାକୁ ଦିଅନ୍ତି। ଏ ସବୁ ହେଉଛି ଛୋଟ ଛୋଟ ଜିନିଷ ଯାହାକୁ ମୁଁ ପ୍ରତିଦିନ ଦେଖେ। ଆମେ ଏମିତି ଅନେକ ଜାତିଗତ ଭେଦଭାବ ଘଟଣାର ଶିକାର ହୋଇଛୁ। ଏବେ ଏସବୁ ସହ ଆମେ ଅଭ୍ୟସ୍ତ ହୋଇଗଲୁଣି। ”
ସୁୟାସଙ୍କ ବାପା ଶ୍ୟାମରାଓ ପ୍ରଥମେ ତାଙ୍କ ପୁଅକୁ ବିପ୍ଲବୀ କବି ଏବଂ ୧୯୭୨ରେ ଦଳିତ ପାନ୍ଥରର ପ୍ରତିÂାତା ନାମଦେଓ ଧସାଲଙ୍କ ଲେଖା ସହ ପରିଚିତ କରାଇଥିଲେ। ସମୟ ଅନୁସାରେ ସୁୟାସ ସେ ଲେଖା ସବୁ ବିସ୍ତାର ଭାବେ ପଢିଲେ ଏବଂ ଅନ୍ୟ ବହୁ କବିଙ୍କ ଲେଖା ଦ୍ୱାରା ବି ସେ ପ୍ରଭାବିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଦୟା ପାୱାର, ଶରଣକୁମାର ଲିମ୍ବାଲେ, ନାରାୟଣ ସୁରଭେ, ଲକ୍ଷବଚ୍ଚ ମାନେ, ଏକନାଥ ଆୱାଦ ଏବଂ ଅଶୋକ ପାୱାର। ତାଙ୍କ ବାପା ସାରା ଦେଶରେ ଦଳିତ ନେତାମାନଙ୍କ ନେତୃତ୍ୱରେ ଚଳାଯାଇଥିବା ଆନ୍ଦୋଳନ ସବୁର କାହାଣୀ ତାଙ୍କୁ କହନ୍ତି ଏବଂ ସୁୟାସ ମଧ୍ୟ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ଲେଖା ପଢିବା ଆରମ୍ଭ କରିଥିଲେ। ଏହି ଯୁବ କବି ଏବେ ପାଞ୍ଚଟି ପାଠାଗାରର ସଦସ୍ୟ, ଦୁଇଟି ତାଙ୍କ ନିଜ ଗାଁରେ, ଗୋଟିଏ ନିକଟସ୍ଥ ଶିବନାକୱାଡି ଗାଁର ଏବଂ ଦୁଇଟି ଇଚ୍ଛଲକରଞ୍ଜି ସହରର।
ସୁୟାସ ୧୬ ବର୍ଷ ବୟସରୁ କବିତା ଲେଖିବା ଆରମ୍ଭ କରିଥିଲେ, ସେ କବିତା ମରାଠୀ ଭାଷାରେ ହାତରେ ଲେଖନ୍ତି ଏବଂ ୧୮୦ ପୃଷ୍ଠାବିଶିଷ୍ଟ ୬ଟି ଡାଏରୀ ପୂରଣ କରିସାରିଲେଣି। “ଯେତେବେଳେ ବି କିଛି ବ୍ୟସ୍ତ କରିବା ଭଳି ଘଟେ, ମୁଁ କବିତା ଲେଖେ। ମୁଁ କବିତା ମାଧ୍ୟମରେ ସବୁଠାରୁ ଭଲ ବ୍ୟକ୍ତ କରିପାରେ। ମୁଁ ଅନୁଧ୍ୟାନ କରୁଥିବା ସାମାଜିକ ଘଟଣାବଳୀ ବାବଦରେ ମୋର କବିତାରେ ଲେଖେ, କେମିତି ନିଚ୍ଚ ଜାତିର ଲୋକଙ୍କୁ ଦରିଦ୍ର କରିଦିଆଯାଇଛି। ମୁଁ ଏହି ସବୁ କବିତା ଲେଖି, ଏହି ସବୁ ପ୍ରସଙ୍ଗ ବ୍ୟକ୍ତ ନ କରିବା ଯାଏଁ ନିଜ ଭିତରେ ଶାନ୍ତ ଅନୁଭବ କରେନାହିଁ।”

Sanket Jain

Sanket Jain
ପ୍ରଥମେ ସୁୟାସ ଲେଖିଥିବା କବିତା “ବିଦ୍ରୋହାତ୍ମକ” ନଥିଲା। ସେ କହିଲେ, “ ବାବାସାହେବଙ୍କର “ ଆନହିଲେସନ୍ ଅଫ୍ କାଷ୍ଟ”ପଢ଼ିବା ପରେ କିନ୍ତୁ ମୋର ଆଭିମୁଖ୍ୟ ବଦଳିଗଲା। ” ଆମ୍ବେଦକରଙ୍କ “ରିଡଲ୍ସ ଇନ୍ ହିନ୍ଦୁଜିମ୍” ସୁୟାସଙ୍କୁ ଆହୁରି ପ୍ରେରିତ କଲା। “ବର୍ତ୍ତମାନ ମୋର କବିତାଗୁଡ଼ିକ ଦଳିତମାନେ ସମ୍ମୁଖୀନ ହେଉଥିବା ଅତ୍ୟାଚାର ଉପରେ ପର୍ଯ୍ୟବସିତ। ସେ ପଚାରିଲେ ଲୋକମାନେ ସଂରକ୍ଷଣ ବ୍ୟବସ୍ଥାର ଅନ୍ତ ଘଟାଇବା କଥା କହୁଛନ୍ତି, କ’ଣ ପାଇଁ କେହି ଜାତିପ୍ରଥାର ଉଚ୍ଛେଦ କଥା କହୁନାହାନ୍ତି ? କିଏ କହୁଛନ୍ତି ଯେ ବର୍ତ୍ତମାନର ଭାରତରେ ଅଛୁଆଁ ପ୍ରଥା ନାହିଁ? ଆମେ ଏହାକୁ ପ୍ରତିଦିନ ଅନୁଭବ କରୁଛୁ। ପ୍ରତିଦିନ ଜାତିପ୍ରଥାକୁ ଦେଖି ଦେଖି ମୁଁ କ୍ଲାନ୍ତ ହୋଇପଡ଼ିଛି। ଏବଂ ଯେତେବେଳେ ଏହି କ୍ଲାନ୍ତି ଅଧିକ ହୋଇଯାଏ, ମୁଁ କବିତା ଲେଖେ। ”
ଜାନୁଆରୀ ୧, ୨୦୧୮ରେ ସୁୟାସ ତାଙ୍କ ଗାଁଠାରୁ ପ୍ରାୟ ୨୯୦ କିମି ଦୂର ପୁନେ ଜିଲ୍ଲାର ଶିରୁର ତାଲୁକାର କୋରେଗାଓଁ ଭୀମାରେ ଥିଲେ। ବ୍ରିଟିଶ ସେନାରେ ଥିବା ମାହାର ସୈନ୍ୟମାନଙ୍କ ଦ୍ୱାରା ଉଚ୍ଚଜାତିର ପେଶୱା ନେତୃତ୍ୱାଧୀନ ମରାଠା ସୈନିକମାନେ ପରାଜିତ ହେବାକୁ ମନେ ପକାଇବା ପାଇଁ ପ୍ରତିବର୍ଷ ସେହି ଦିନରେ, ଦଳିତ ସଂଗଠନଗୁଡ଼ିକ ଏଠାରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥାନ୍ତି। ସେ କହିଲେ, “ ମୁଁ ଦଳିତ ଅଭିଯାନରେ ସାମିଲ, ଏବଂ ଆମ ସଂପ୍ରଦାୟ ପାଇଁ କିଛି ଭଲ କାମ କରିବା ଲାଗି କୋରୋଗାଓଁ ଭୀମା ଆମ ପାଇଁ ଏକ ବାର୍ଷିକ ପ୍ରେରଣା। ”
ଚଳିତବର୍ଷ, ବିରୋଧୀ ରାଜନୈତିକ ଦଳ କୋରେଗାଓଁ ଭୀମାକୁ ଯାଉଥିବା ଦଳିତଙ୍କୁ ଅଟକାଇଲେ, ହିଂସକ ସଂଘର୍ଷ ହେଲା। ସୁୟାସ ତାଙ୍କର ଅସନ୍ତୋଷକୁ ଏକ ଶକ୍ତିଶାଳୀ କବିତା “ ଓ କଣ୍ଟ୍ରି ଅଫ୍ ଷ୍ଟୋନ୍ସ” ମାଧ୍ୟମରେ ପ୍ରକାଶ କଲେ।
ସୁୟାସ ତାଙ୍କ କବିତା ସମ୍ବଳିତ ଏକ ପୁସ୍ତକ ପ୍ରକାଶ କରିବାକୁ ଚାହାନ୍ତି ଏବଂ ଜଣେ ସାମ୍ବାଦିକ ହେବାକୁ ଇଚ୍ଛା କରନ୍ତି। ସେ କହିଲେ, “ଆମ ସଂପ୍ରଦାୟ ସଂପର୍କରେ ଲେଖିବା ଲାଗି ଆମକୁ ଦଳିତ ରିପୋର୍ଟରମାନଙ୍କର ଆବଶ୍ୟକତା ରହିଛି। ଏହି କଷ୍ଟକୁ କେବଳ ଜଣେ ଦଳିତ ଭଲ ଭାବେ ବୁଝିପାରିବ ଏବଂ ସେ ଏ ସଂପର୍କରେ ଭଲ ଭାବେ ଲେଖିପାରିବେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଏବେ ସରକାର କବ୍ଚା କରିନେଇଛନ୍ତି। ମିଡିଆ ରାଜନେତାମାନଙ୍କର କାଠପିତୁଳା ପାଲଟିଯାଇଛି। କିନ୍ତୁ ଜଣେ ଭଲ ସାମ୍ବାଦିକ କେବେହେଲେ ନିରବ ରହିବ ନାହିଁ। ”
ହେ ପଥରମାନଙ୍କର ଦେଶ
ହେ ପଥରମାନଙ୍କ ଦେଶ...ସବୁବେଳ ପରି, ଗତକାଲି ମଧ୍ୟ ଆମକୁ ପଥରମାଡ଼ ହେଲା!
ଯେଉଁମାନଙ୍କ ମୁଣ୍ଡରେ ପଥର ଭରି ରହିଛି
ସେମାନେ ଆମ ନିରୀହଙ୍କୁ ଆକ୍ରମଣ କଲେ
ଜାତିପ୍ରଥାର ଏହି ବିଷାକ୍ତ ଲତାୟ
କେଉଁଠି ରୋପିତ ହୋଇଛି, ମୁଁ ପଚାରୁଛି...
ପୃଥିବୀ କିପରି ପବିତ୍ର ହୋଇ ରହିଛି
ଏଭଳି ଜନ୍ମଗତ କଣ୍ଟକିତ ଉପାଦାନମାନଙ୍କ ସହ!
ଯେତେବେଳେ ଏକତ୍ରିତ ଲୋକମାନେ ଆଗକୁ ଯାଉଥିଲେ
ଆଖିରେ କେବଳ ସତ୍ୟ ନେଇ;
ଅଚାନକ ଘଉଡ଼ାଇ ଦିଆଗଲା
ଯେତେବେଳେ ଶତ୍ରୁମାନଙ୍କର ସହିଷ୍ଣୁତାବୋଧ ଦୁର୍ଭିକ୍ଷ ଦ୍ୱାରା ପ୍ରଭାବିତ ହୋଇଯାଏ ଏବଂ ଏହା ସମସ୍ତ ବିବେକଶୀଳ ଚିନ୍ତାଧାରାକୁ ହରାଇବସେ...
ସେତେବେଳେ କ’ଣ ଉଦୟ ହୁଏ....
ସବୁ ନିରୀହ ଲୋକଙ୍କ ଉପରେ ଦେଶଦ୍ରୋହୀ ସନେ୍ଦହ ସୃଷ୍ଟି ହୋଇଥାଏ!
ଅନିଚ୍ଛାକୃତ ଭାବରେ ସେତେବେଳେ, ମୁଁ ମଧ୍ୟ ଅନ୍ଧାର ଆଲୋକ ସାହାଯ୍ୟରେ ଦୂର ହେବ ବୋଲି କହିବାକୁ ଆରମ୍ଭ କଲି..!
ପାପୀମାନଙ୍କ କାମର ପ୍ରତିକ୍ରିୟା!
ଏବଂ ପରିସ୍ଥିତି ଯାହା ଜଣାପଡ଼ିଯାଏ
ଏସବୁ ମଧ୍ୟରେ ସଂଘର୍ଷ ଦ୍ୱାରା
ଅଧିକାଂଶ ଲୋକ, ତାକୁ ଏକ ଦଙ୍ଗା କହନ୍ତି...
ଲୋକମାନେ ମୁଖ୍ୟତଃ ଏହାକୁ ଏଭଳି ଭାବେ ବର୍ଣ୍ଣନା କରନ୍ତି
କିନ୍ତୁ ଆମର ବ୍ୟକ୍ତିଗତ ଅଭିଜ୍ଞତା ଏହାଠାରୁ ଆହୁରି ଭୟଙ୍କର!
ଯେତେବେଳେ ମଣିଷ ମଣିଷକୁ ଜଳାଇଦିଏ....
କିମ୍ବା ବେଳେବେଳେ, ଗାଡ଼ିରେ ଅଶୋକ ଚକ୍ର ଚିହ୍ନ ଦେଖିବା ମାତ୍ରେ ସେମାନେ ଗାଡ଼ି ଜଳାନ୍ତି....
ହେ ପଥରମାନଙ୍କ ଦେଶ!
କିନ୍ତୁ କ’ଣ ପାଇଁ ମୁଁ ତୁମକୁ ଏହା ସବୁ କହୁଛି?
ଏହି ପଥରମାନଙ୍କ ଦେଶ...ମୁଁ କେମିତି ନିଶ୍ଚିତ ହେବି, ଯେ ତୁମେ ବି ପଥର ପାଲଟି ନାହଁ ?
ପଥରମାନଙ୍କର ଏହି ଦେଶରେ...ମଣିଷର ହୃଦୟ ବି ପଥର ପାଲଟି ଯାଇଛି, ମୁଁ କହେ...
ମହିଳା ଓ ଝିଅ ମାନଙ୍କ ଉପରେ ପଥର ଫିଙ୍ଗିବା,
ସେମାନଙ୍କୁ ଅମଣିଷ ଭାବେ ପିଟିବା,
ସେମାନଙ୍କ କ୍ଷତରୁ ରକ୍ତ ବୋହୁଥିବା ଦେଖିବା.. ..
ଏହା ମୋତେ ଆଙ୍ଗୁଳିମାଳଞ୍ଚ ହାତରେ ଅସ୍ତ୍ର ଧରି, ଶାନ୍ତ ବୁଦ୍ଧଙ୍କୁ ଆକ୍ରମଣ କରିବାକୁ ଦୌଡୁଥିବା ଭଳି ଲାଗୁଥିଲା, ଯିଏ ଆଖି ବନ୍ଦ କରି ବସିଥିଲେ
ଏବଂ ବେଳେବେଳେ.. ..
‘ଆପଣ “ଜୟ ଭୀମ” ପୋଚୟା ଆବୃତ୍ତି କରିବେ କି ?’ ଯାହାକି କୁରାଢି ଚୋଟରେ ପୋଚିରାମଙ୍କ ଅଙ୍ଗ ଛେଦନ କରିବା ଶବ୍ଦ ଭଳି ଶୁଭିଲା !
ରକ୍ତ ଜମାଇ ଦେବା ଭଳି ଘଟଣାର ସ୍ମୃତି...
ରକ୍ତର ଇନ୍ଧନ ଦ୍ୱାରା ମୋ ଭିତରେ ‘ଚଣ୍ଡର’କୁ ଜାଗ୍ରତ କରିଦେଲା
ସେତେବେଳେ ମୁଁ ମଧ୍ୟ ଗୋଟିଏ ପଥର ଧରିଲି ଏବଂ ଧର୍ମ ଦୃଷ୍ଟିରୁ ଏହାକୁ ନିଦେ୍ର୍ଧଶ ଦେଲି. . .
ସେହି ଜାତିବାଦ ଉପରେ ଯାହା ମଣିଷକୁ ମାନବିକତାରୁ ଦୂରେଇ ନେଉଛି !
ସେମାନଙ୍କର ଗର୍ଜନ, ଘୃଣ୍ୟ, ପ୍ରତିଶୋଧପରାୟଣତା ଉପରେ ସର୍ବସାଧାରଣରେ ପ୍ରକାଶ କଲି
ମୁଁ ମଧ୍ୟ ରାସ୍ତାକୁ ବାହାରି ଆସିଲି, ମନୁସ୍ମୃତିର ରକ୍ଷକ ମାନଙ୍କର ବିରାଟ ଷଡଯନ୍ତ୍ର ବିରୋଧରେ ଗର୍ଜନ କରିବା ପାଇଁ!
ସବୁ ଦିଗରୁ ପଥର...ମୋ ଦେହରେ ବାଜି ଛିଟିକି ଯାଉଥିଲା.. . .ଏବଂ ସେସବୁ ପଚାରୁଥିଲେ, ଆମକୁ କୁହ, “ତୁମେ ପୁଣି ଥରେ କହିବ?”
“ଭାରତ ମୋ ଦେଶ .. .
ସବୁ ଭାରତୀୟ ମୋ ଭାଇ ଭଉଣୀ .. . ”
..ହେ ପଥରର ଦେଶ . .. ..ତୁମେ ଏବଂ କେବଳ ତୁମେ,
ମୋତେ ବାଧ୍ୟ କଲ ପଥର ଧରିବା ପାଇଁ !
ମୋତେ ବାଧ୍ୟ କଲ ପଥର ଧରିବା ପାଇଁ !
ସୂଚନା - * ଆଙ୍ଗୁଳିମାଳର ଅର୍ଥ ଅହିଂସକା, ଯାହାଙ୍କୁ ହିଂସା କରିବାକୁ ତାଙ୍କ ଶିକ୍ଷକ ଭୁଲ ପଥ ପ୍ରଦର୍ଶନ କରିଥିଲେ, ଗୁରୁ ଦକ୍ଷିଣା ଭାବେ ୧,୦୦୦ ଲୋକଙ୍କୁ ହତ୍ୟା କରି, ଗଣନା କରିବାକୁ ସେମାନଙ୍କର ଗୋଟିଏ ଆଙ୍ଗୁଳି କାଟିବାକୁ କହିଥିଲେ। ସେ ସେହି ଆଙ୍ଗୁଳି ସବୁକୁ ଗୋଟିଏ ହାର କରି ପିନ୍ଧିଥିଲେ - ଗୋଟିଏ ଆଙ୍ଗୁଳି ମାଳ।
**ପୋଚିରାମ କାମ୍ବଲେ ଏବଂ ତାଙ୍କ ପୁଅ ଚନ୍ଦ୍ର ଔରଙ୍ଗାବାଦ ବିଶ୍ୱବିଦ୍ୟାଳୟକୁ ବାବା ସାହେବ ବିଶ୍ୱ ବିଦ୍ୟାଳୟ ଭାବେ ନାମିତ କରିବାକୁ ଦଳିତ ମାନେ କରିଥିବା ଆନେ୍ଦାଳନରେ ହୋଇଥିବା ହିଂସାରେ ପ୍ରାଣ ହରାଇଥିଲେ।
କବିତା ନମିତା ୱାଇକରଙ୍କ ଦ୍ୱାରା ଅନୁବାଦିତ
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ହେ-ପଥରମାନଙ୍କ-ଦେଶ