୧୫ ବର୍ଷୀୟା ବିଜୟଲକ୍ଷ୍ମୀ ସ୍ପଷ୍ଟ ଭାବେ କହିଲେ, “ଡୋଲୁ କୁନିଥାରେ ପୁଅମାନେ ସେତେ ପ୍ରବୀଣ ନୁହନ୍ତି ।’’ “ଆମେ ସେମାନଙ୍କଠାରୁ ଭଲ ।’’
ସେମାନଙ୍କର ଏପରି କହିବା ବି ଯଥାର୍ଥ । ଛୋଟ ଝିଅମାନଙ୍କର ପତଳା ଅଣ୍ଟା ଚାରିପାଖରେ ଓଜନିଆ ଡ୍ରମ ବନ୍ଧାଯାଇଥିଲା, ସେମାନେ ଅନୁଭବୀ ନର୍ତ୍ତକୀଙ୍କ ଭଳି ଘୂରୁଥିଲେ, ଖୁବ୍ ସ୍ଫୁର୍ତ୍ତିର ସହ ମନୋରଞ୍ଜନ କରୁଥିଲେ । ସବୁ ସମୟରେ ଉପଯୁକ୍ତ ତାଳରେ ଏକାସାଙ୍ଗରେ ସେମାନେ ପ୍ରଦର୍ଶନ କରୁଥିଲେ ।
ସେମାନେ କିଶୋରୀ ଥିଲେ । ସେମାନଙ୍କ ମଧ୍ୟରୁ ସବୁଠୁ ବଡ଼ମାନେ ଏବେ ବି ସାବାଳକ ନଥିଲେ । କିନ୍ତୁ ବହୁ ପରିମାଣର ଶକ୍ତି ଆବଶ୍ୟକ କରୁଥିବା ଡ୍ରମ ଓ ନୃତ୍ୟ କଳା ମଧ୍ୟରୁ ଅନ୍ୟତମ ଏହି ନୃତ୍ୟକୁ ସେମାନେ ଯେଉଁ ଶକ୍ତି ଓ ସହଜତାର ସହ କରୁଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା । ଡୋଲୁ କୁନିଥା କର୍ଣ୍ଣାଟକର ଏକ ଲୋକପ୍ରିୟ ଲୋକନୃତ୍ୟ । ଡୋଲୁ ଶବ୍ଦର ଅର୍ଥ ହେଲା ଡ୍ରମ୍ ଓ କନ୍ନଡ଼ ଭାଷାରେ କୁନିଥାର ଅର୍ଥ ହେଲା ନୃତ୍ୟ କରିବା । ଏହାକୁ ମଧ୍ୟ ଗଣ୍ଡୁ କାଲେ-“ପୁରୁଷଙ୍କ ଦକ୍ଷତା’’ ବା “ପୁରୁଷଙ୍କ କଳା’’ ବୋଲି କୁହାଯାଇଥାଏ । ହୃଷ୍ଟପୃଷ୍ଟ ପୁରୁଷଲୋକମାନେ ସେମାନଙ୍କ ଅଣ୍ଟା ଚାରିପଟେ ପ୍ରାୟ ୧୦ କିଲୋ ଓଜନର ଡ୍ରମ ବାନ୍ଧିଥାନ୍ତି ଏବଂ ଖୁବ୍ ଉତ୍ସାହର ସହ ତୀବ୍ର ଗତିରେ ନୃତ୍ୟ କରିଥାନ୍ତି । ପାରମ୍ପରିକ ବିଶ୍ୱାସ ଅନୁସାରେ ଏହି ନୃତ୍ୟ ପାଇଁ ଶକ୍ତି ଓ ସାମର୍ଥ ଦୃଷ୍ଟିରୁ ହୃଷ୍ଟପୃଷ୍ଟ ନର୍ତ୍ତକ ଆବଶ୍ୟକ ।
ଅବଶ୍ୟ କିଛି କିଶୋରୀ ସେହି ପରମ୍ପରାକୁ ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ କରିବା ଯାଏ ଏହି ବିଶ୍ୱାସ ରହିଥିଲା। ଯେପରିକି ଏଠାରେ ହେସରଘଟ୍ଟାରେ ହେଲା। ବେଙ୍ଗାଲୁରୁଠାରୁ ୩୦ କିମି ଦୂରରେ ଉପନଗରୀୟ ଅଞ୍ଚଳରେ ଥିବା ଏହି ସ୍ଥାନ ଧାନ କ୍ଷେତ ଓ ଡେଙ୍ଗା ଡେଙ୍ଗା ନଡ଼ିଆ ଗଛରେ ଭରପୁର। ଏହି କିଶୋରୀମାନଙ୍କର ଦଳ ଯେଉଁମାନେ କି ଏକ ସାଂସ୍କୃତିକ ମାନଦଣ୍ଡକୁ ପରିବର୍ତ୍ତନ କରୁଛନ୍ତି ସେମାନେ ଏହି ସବୁଜିମା ପୂର୍ଣ୍ଣ ଅଞ୍ଚଳର ଉହାଡ଼ରେ ରହିଯାଇଛନ୍ତି। ସେମାନେ ଡୋଲୁ କୁନିଥା ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ଏହି ଚିନ୍ତାଧାରାକୁ ଚାଲେଞ୍ଜ କରୁଛନ୍ତି। ସେମାନେସେହି ପୁରୁଣା କାଳିକା ପ୍ରବାଦକୁ ଅଣଦେଖା କରି ଓଜନିଆ ଡ୍ରମକୁ ଗ୍ରହଣ କରି ନେଇଛନ୍ତି।





