ରୁପେଶ୍ୱର ବୋରୋ ହୁଲକ୍ ଗିବନ୍ମାନଙ୍କ ଗତିକୁ ଅନୁକରଣ କରି ଦେଖାଇବା ସହିତ ସେମାନଙ୍କ କାହାଣୀ ଆମମାନଙ୍କୁ ଶୁଣାଉଛନ୍ତି । ସେ ଏହି ମାଙ୍କଡ ପ୍ରଜାତିର ସ୍ୱରକୁ ଅନୁକଣ କରିବାକୁ ଓ ସେମାନେ କିଭଳି ଗୋଟିଏ ଗଛରୁ ଅନ୍ୟ ଗଛକୁ ଯାଉଛନ୍ତି ତାହା ଅଙ୍ଗଭଙ୍ଗୀ ଜରିଆରେ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି ।
ଆମେ ଲୋହାର୍ ଘାଟ ରେଞ୍ଜ ଅଫିସ୍ରେ ବୋରୋଙ୍କ ସହିତ ସାକ୍ଷାତ କରିଥିଲୁ; ସେ ସେହି ଫରେଷ୍ଟ ଅଫିସ୍ରେ ଡ୍ରାଇଭର୍ ଭାବେ କାର୍ଯ୍ୟ କରନ୍ତି । ସେ ଏକଥା ସ୍ୱୀକାର କରନ୍ତି ଯେ ସେ କେବେ ମଧ୍ୟ ଗିବନ୍ ଦେଖିନାହାନ୍ତି । “ଏହି ବିରାଟକାୟ ଜୀବମାନଙ୍କ ଉତ୍ତେଜନାପୂର୍ଣ୍ଣ ଉଚ୍ଚ ସ୍ୱର ଆମେ ଆମ ଘରେ ରହି ଏକାଧିକ ଥର ଶୁଣିଛୁ । ହେଲେ, ସେମାନେ କେବେ ମଧ୍ୟ ଆମ ଗ୍ରାମ ପାଖକୁ ଆସିନାହାନ୍ତି । ଦୂର ପାହାଡରୁ ସେମାନଙ୍କ ଶବ୍ଦ ଆମକୁ ଶୁଣିବାକୁ ମିଳେ,” ବୋଲି ସେ କୁହନ୍ତି । ଆସାମର କାମରୂପ ଜିଲ୍ଲାରେ ଅବସ୍ଥିତ ତାଙ୍କ ଗ୍ରାମ ମୁଦୁକି ରାଣୀ ଜଙ୍ଗଲ ସୀମାଠାରୁ ପ୍ରାୟ ୩୫ କିଲୋମିଟର ଦୂରତାରେ ଅବସ୍ଥିତ । ସେ ଏହି ମାଙ୍କଡମାନଙ୍କର ଯେଉଁ ଅନୁକରଣ କରନ୍ତି ତାହା ସେ ଆସାମି ଟେଲିଭିଜନ୍ ଚ୍ୟାନେଲ୍ଗୁଡିକରେ ପ୍ରସାରିତ ହେଉଥିବା ରିପୋର୍ଟଗୁଡିକୁ ଦେଖି ଶିଖିଛନ୍ତି ।
ସେ ଯାହା ହେଉ, ଗତ ବର୍ଷ ଡିସେମ୍ବର ୮ରେ ଗୋଲ୍ପଡା ଫଟୋଗ୍ରାଫିକ୍ ସୋସାଇଟିର କିଛି ସଦସ୍ୟ ବାର୍ଦୁଆର୍ ସଂରକ୍ଷିତ ଜଙ୍ଗଲକୁ ପାହାଡ ଚଢିବା ପାଇଁ ଯାଇଥିବା ବେଳେ, ସେଠାରେ ଏକ ଯୋଡି ପାଶ୍ଚାତ୍ୟ ହୁଲକ୍ ଗିବନ୍ (ହୁଲକ୍ ହୁଲକ୍) ଦେଖିବାକୁ ପାଇଥିଲେ । ସ୍ଥାନୀୟ ଭାଷାରେ ଏହି ଗିବନ୍କୁ ବନ୍ ମାନୁଃ ବା ‘ବଣ ମଣିଷ’ ବୋଲି କୁହାଯାଏ ଯାହା ଆସାମ-ମେଘାଳୟ ସୀମାବର୍ତ୍ତୀ ଅଞ୍ଚଳରେ କ୍ୱଚିତ୍ ଦେଖିବାକୁ ମିଳନ୍ତି।
ଗିବନ୍ମାନଙ୍କ ଏହି ପ୍ରଜାତି ଯାହା ଭାରତର ଉତ୍ତର-ପୂର୍ବ ରାଜ୍ୟ ତଥା ପୂର୍ବ ବଙ୍ଗଳାଦେଶ ଓ ଉତ୍ତର-ପଶ୍ଚିମ ମିୟାମାର୍ର ଜଙ୍ଗଲରେ ବାସ କରନ୍ତି, ସେମାନଙ୍କୁ ଇଣ୍ଟରନାସ୍ନାଲ୍ ୟୁନିୟନ୍ ଫର୍ କନ୍ଜର୍ଭେସନ୍ ଅଫ୍ ନେଚର୍ (ଆଇୟୁସିଏନ୍) ଅଧୀନରେ ରେଡ୍ ଲିଷ୍ଟ ଅଫ୍ ଥ୍ରିଟେଣ୍ଡ ସ୍ପେସିସ୍ ତାଲିକାଭୂକ୍ତ କରାଯାଇଛି । ପୂର୍ବାଞ୍ଚଳର ଏହି ହୁଲକ୍ ଗିବନ୍ (ହୁଲକ୍ ଲିୟୁକୋନେଡିସ୍) ଅରୁଣାଚଳ ପ୍ରଦେଶ ଓ ଆସାମ ତଥା ଦକ୍ଷିଣ ଚାଇନା ଓ ଉତ୍ତର-ପୂର୍ବ ମିୟାମାରର ବିଭିନ୍ନ ଅଞ୍ଚଳରେ ବାସ କରନ୍ତି; ଏହି ପ୍ରଜାତିକୁ ଆଇୟୁସିଏନ୍ ତାଲିକାରେ ‘ବିଲୁପ୍ତ ହେବାପ୍ରାୟ’ ବର୍ଗ ତାଲିକାଭୂକ୍ତ ଅଟନ୍ତି ।
“ହୁଲକ୍ ଗିବନ୍ ହେଉଛି ଲମ୍ବା ଓ ପତଳା ବାହୁ ଥିବା, ଦ୍ରୁତ ଗତିରେ ଚାଲୁଥିବା ଏକ ପ୍ରାଣୀ ଯାହା କେବେ କେମିତି ଆବଶ୍ୟକ ହେଲେ ଭୂମିକୁ ଓହ୍ଲାଇଥାଏ ” ବୋଲି ନେଚର୍ - ଇଣ୍ଡିଆ ପାଇଁ ୱାର୍ଲ୍ଡ ୱାଇଡ୍ ଫଣ୍ଡରେ ନୋଟ୍ କରାଯାଇଛି । “ସେମାନେ ଗୋଟିଏ ଡାଳରୁ ଅନ୍ୟ ଏକ ଡାଳକୁ ଡେଇଁ ଡେଇଁ ଝୁଲି ଝୁଲି ଗତି କରିଥାନ୍ତି, ଯାହାକୁ ବ୍ରାକିଏସନ୍ ଗତି ବୋଲି କୁହାଯାଏ । ଏହିପରି ଭାବେ ସେମାନେ ୫୫କିମି/ଘଣ୍ଟା ବେଗରେ ଯାଇ କରିପାରନ୍ତି । ଗୋଟଏ ଥର ଝୁଲି ସେମାନେ ପ୍ରାୟ ଛଅ ମିଟର ପଥ ଅତିକ୍ରମ କରିବାକୁ ସମର୍ଥ ହୋଇପାରନ୍ତି ”!






