୨୦୧୮ ନଭେମ୍ବର ୨୮ ତାରିଖ ସକାଳ ୮ଟା ସମୟରେ ହିମାଚଳ ପ୍ରଦେଶର ପାର୍ବତ୍ୟାଞ୍ଚଳରୁ ଦଳେ ମହିଳା ନିଜ ନିଜ ଘର ଛାଡ଼ିଲେ। ସେମାନେ ବସ୍ ଯୋଗେ ସଂଧ୍ୟାରେ ଚଣ୍ଡିଗଡ଼ର ପହଞ୍ଚିଲେ, ସେଠାରେ ରାତି କଟାଇଲେ ଏବଂ ୨୦୧୮ ନଭେମ୍ବର ୨୯-୩୦ରେ କିଷାନ୍ ମୁକ୍ତି ମାର୍ଚ୍ଚରେ ଯୋଗ ଦେବା ପାଇଁ ସକାଳ ୫ଟାରେ ଦିଲ୍ଲୀ ଅଭିମୁଖେ ଆସିଲେ।


ନଭେମ୍ବର ୨୯ରେ ସେମାନେ ଦିନ ୧୧ଟା ବେଳକୁ ଉତ୍ତର ଦିଲ୍ଳୀର ମଜନୁ କା ଟିଲାରୁ ଚାଲିବା ଆରମ୍ଭ କଲେ । ୧୧ କିଲୋମିଟର ଅତିକ୍ରମ କରିବା ପରେ ସେମାନେ  ଅପରାହ୍ଣ ୪ଟା ସମୟରେ ରାମଲୀଳା ମୈଦାନରେ ପହଞ୍ଚିଲେ। ସେତେବେଳକୁ ସେମାନେ ହାଲିଆ, ଭୋକିଲା ଏବଂ ଶୋଷିଲା ।


ହିମାଚଳ ପ୍ରଦେଶର ଚାଷୀମାନଙ୍କ ମଧ୍ୟରେ ଥିଲେ ୪୫ ବର୍ଷ ବୟସ୍କା ସୁନିତା ବର୍ମା। ତାଙ୍କ ଘର କୁମ୍ଭାରସେନ ତହସିଲର ବାରା ଗାଁଓ ଗ୍ରାମରେ। ତାଙ୍କ ପରିବାରର ୧୦-୧୫ ବିଘା ଜମି ଅଛି (ପ୍ରାୟ ତିନି ଏକର), ଯେଉଁଥିରେ ସେମାନେ ବର୍ଷର ବିଭିନ୍ନ ସମୟରେ ଗହମ, ମକା, ମଟର ଛୁଇଁ, ଟମାଟୋ ଆଦି ଚାଷ କରନ୍ତି।


ସୁନିତା କୁହନ୍ତି, ଚାଷ କରିବା ‘ଟାଇମ୍‌ ପାସ୍‌’ ସହ ସମାନ କାରଣ ଆମେ ସେଥିରୁ ପ୍ରାୟ କିଛି ପାଉନି। ସେ ଏକ ଏଜେନ୍ସି ଚଳାନ୍ତି ଯାହା ଲୋକମାନଙ୍କୁ ବୀମା ଯୋଜନା ଏବଂ ଡାକଘର ଫିକ୍ସଡ଼ ଡିପୋଜିଟ୍‌ରେ ନିବେଶ କରିବାରେ ସାହାଯ୍ୟ କରେ।

ସେ କୁହନ୍ତି, ଗ୍ରାମୀଣ ହିମାଚଳର ଚାଷୀମାନେ ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରନ୍ତି। ଜଳସେଚନର ବ୍ୟବସ୍ଥା ନ ଥିବା ସେମାନଙ୍କ ଉତ୍ପାଦନ ଏବଂ ରୋଜଗାର ଉପରେ ପ୍ରଭାବ ପକାଏ। ଏହାର ପରିଣାମସ୍ଵରୂପ ବହୁ ମହିଳା ସେମାନଙ୍କ ଜମି ଏବଂ ପରିବାରର ଦାୟିତ୍ଵ ନେବା ପାଇଁ ଗାଁରେ ରହିଯା’ନ୍ତି, ପୁରୁଷମାନେ ଜୀବିକା ଅର୍ଜନ ପାଇଁ ସହରକୁ ଆସନ୍ତି।


ସୁନିତାଙ୍କ ସହ ୬୦ ବର୍ଷ ବୟସ୍କା ସଂଧ୍ୟା ବର୍ମା ଥିଲେ, ଯାହାଙ୍କ ପରିବାର ୫-୬ ବିଘା(ପ୍ରାୟ ଏକ ଏକର) ଜମି ଚାଷ କରନ୍ତି, ସେଥିରେ ସେମାନେ ସେଓ ଏବଂ ପନିପରିବା ଚାଷ କରନ୍ତି। ଦୁଇମାସ ତଳେ ସେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ , କିନ୍ତୁ ସେ ମାସକୁ ୬୦୦ଟଙ୍କା ପାଉଛନ୍ତି। ସେ କୁହନ୍ତି, ତୁମେ ଏଥିରେ କ’ଣ କରିବ।


ଶୋଭାଯାତ୍ରାରେ ଯୋଗ ଦେଇଥିବା ହଜାର ହଜାର ଚାଷୀଙ୍କ ପରି ସୁନିତା ଏବଂ ସଂଧ୍ୟା ମଧ୍ୟ ସେମାନଙ୍କ ଫସଲ ପାଇଁ ଉଚ୍ଚ ମୂଲ୍ୟ ଏବଂ କମ୍‌ ସୁଧ ହାରରେ ଋଣ ଚାହାଁନ୍ତି। ସେମାନେ କୁହନ୍ତି , ବାର୍ଦ୍ଧକ୍ୟ ଭତ୍ତା ମାସକୁ ଅତି କମ୍‌ରେ ୪୦୦୦ ଟଙ୍କା ହେବା ଉଚିତ୍‌। ଯଦି ସରକାର ସେମାନଙ୍କ ଦାବିକୁ ମାନି ନିଅନ୍ତି ତେବେ ସେମାନଙ୍କର ଦୀର୍ଘ ଯାତ୍ରା ସଫଳ ହେବ।

Subuhi Jiwani

ସୁବୁହି ଜିୱାନି ପିପୁଲ୍ସ ଆର୍କାଇଭ ଅଫ୍ ରୁରାଲ ଇଣ୍ଡିଆରେ ଜଣେ କପି ଏଡିଟର ଭାବେ କାମ କରୁଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ସୁବୁହି ଜିୱାନୀ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE