୨୦୧୮ ନଭେମ୍ବର ୨୮ ତାରିଖ ସକାଳ ୮ଟା ସମୟରେ ହିମାଚଳ ପ୍ରଦେଶର ପାର୍ବତ୍ୟାଞ୍ଚଳରୁ ଦଳେ ମହିଳା ନିଜ ନିଜ ଘର ଛାଡ଼ିଲେ। ସେମାନେ ବସ୍ ଯୋଗେ ସଂଧ୍ୟାରେ ଚଣ୍ଡିଗଡ଼ର ପହଞ୍ଚିଲେ, ସେଠାରେ ରାତି କଟାଇଲେ ଏବଂ ୨୦୧୮ ନଭେମ୍ବର ୨୯-୩୦ରେ କିଷାନ୍ ମୁକ୍ତି ମାର୍ଚ୍ଚରେ ଯୋଗ ଦେବା ପାଇଁ ସକାଳ ୫ଟାରେ ଦିଲ୍ଲୀ ଅଭିମୁଖେ ଆସିଲେ।
ନଭେମ୍ବର ୨୯ରେ ସେମାନେ ଦିନ ୧୧ଟା ବେଳକୁ ଉତ୍ତର ଦିଲ୍ଳୀର ମଜନୁ କା ଟିଲାରୁ ଚାଲିବା ଆରମ୍ଭ କଲେ । ୧୧ କିଲୋମିଟର ଅତିକ୍ରମ କରିବା ପରେ ସେମାନେ ଅପରାହ୍ଣ ୪ଟା ସମୟରେ ରାମଲୀଳା ମୈଦାନରେ ପହଞ୍ଚିଲେ। ସେତେବେଳକୁ ସେମାନେ ହାଲିଆ, ଭୋକିଲା ଏବଂ ଶୋଷିଲା ।
ହିମାଚଳ ପ୍ରଦେଶର ଚାଷୀମାନଙ୍କ ମଧ୍ୟରେ ଥିଲେ ୪୫ ବର୍ଷ ବୟସ୍କା ସୁନିତା ବର୍ମା। ତାଙ୍କ ଘର କୁମ୍ଭାରସେନ ତହସିଲର ବାରା ଗାଁଓ ଗ୍ରାମରେ। ତାଙ୍କ ପରିବାରର ୧୦-୧୫ ବିଘା ଜମି ଅଛି (ପ୍ରାୟ ତିନି ଏକର), ଯେଉଁଥିରେ ସେମାନେ ବର୍ଷର ବିଭିନ୍ନ ସମୟରେ ଗହମ, ମକା, ମଟର ଛୁଇଁ, ଟମାଟୋ ଆଦି ଚାଷ କରନ୍ତି।
ସୁନିତା କୁହନ୍ତି, ଚାଷ କରିବା ‘ଟାଇମ୍ ପାସ୍’ ସହ ସମାନ କାରଣ ଆମେ ସେଥିରୁ ପ୍ରାୟ କିଛି ପାଉନି। ସେ ଏକ ଏଜେନ୍ସି ଚଳାନ୍ତି ଯାହା ଲୋକମାନଙ୍କୁ ବୀମା ଯୋଜନା ଏବଂ ଡାକଘର ଫିକ୍ସଡ଼ ଡିପୋଜିଟ୍ରେ ନିବେଶ କରିବାରେ ସାହାଯ୍ୟ କରେ।


